Unknown

 

 

 

 

 

 

 

 

 

 

 

ଏ ମନ ଏ ହୃଦୟ

ଶ୍ରୀ ଗଦାଧର ପାଢ଼ୀ

 

ଉତ୍ସର୍ଗ

 

 

ଯେ ମୋତେ ସବୁଠାରୁ ଅଧିକ ଘୃଣା କରେ, ଦେଖିଲେ ରାଗରେ ଜଳିଯାଏ.......

 

–ମାତ୍ର ପଦଟିଏ–

 

ଏହି ଦୁନିଆରେ–

 

ଶତ ଶତ ଲାଞ୍ଛନା ଓ ଅପବାଦ ମଧ୍ୟ ସହ୍ୟ କରି ନାରୀ ତା’ର ଅପାର୍ଥିବ ସ୍ନେହ, ଦୟା ଓ କ୍ଷମା ଗୁଣରେ ପ୍ରେମର ମନ୍ଦାକିନୀ ବୁହାଇଦେଇ ମଧ୍ୟ ଜଗତରେ ହୁଏ ଘୃଣ୍ୟା । ସେ ତା’ର ଅପାର କରୁଣା ବଳରେ ଏହି ମର ଜଗତରେ ମଣିଷକୁ ଅମୃତର ସନ୍ଧାନ ଦେଇ ମଧ୍ୟ ଦୁନିଆ ଆଖିରେ ହୁଏ କଳଙ୍କିନୀ । କିନ୍ତୁ ଯାହା ସତ୍ୟ, ଯାହା ଶିବ ଏବଂ ଯାହା ସୁନ୍ଦର ତାହା ମିଥ୍ୟାର ବୁରୁଖା ତଳେ ଚିରଦିନ ଢାଙ୍କି ହୋଇ ରହେ ନାହିଁ । ତାହା ଆପେ ଆପେ ପ୍ରକାଶ ପାଏ ।

 

ପ୍ରେମମୟୀ ନାରୀର ପ୍ରେମ ପୁଣ୍ୟତୋୟା ଜାହ୍ନବୀର ବାରି ପ୍ରବାହଠାରୁ ଯେ ଅଧିକ ପବିତ୍ର ଏବଂ ସେ ତା’ର ଅନାବିଳ ପ୍ରେମଦ୍ୱାରା ମର୍ତ୍ତ୍ୟରେ ପ୍ରେମର ସୁରଧୂନି ଯେ ବୁହାଇଦିଏ ଏହି କଥା ଏ କ୍ଷୁଦ୍ର ଉପନ୍ୟାସରେ ଫୁଟାଇବାକୁ ଆପ୍ରାଣ ଚେଷ୍ଟା କରି ଲେଖନୀ ଚଳାଇଛି ।

 

ମୋର ଶ୍ରମ ସାର୍ଥକ ହୋଇଛି କି ନା ତାହା ଏ ଦେଶର ପାଠକ ପାଠିକା ବିଚାର କରିବେ ।

 

କଟକ

ବିନୀତ

୪-୮-୧୯୬୫

ଶ୍ରୀ ଗଦାଧର ପାଢ଼ୀ

Image

 

-ଏକ-

 

‘‘ସେ ମୋତେ କହିଥିଲା.......

ତୁମେ ସବୁ ଭୁଲିଯାଅ ।’’

 

ଯାହାର ଅତୀତ ଯେତେ ଗୌରବମୟ, ଯେତେ ମଧୁମୟ, ସେ ତାହାର ଅତୀତକୁ ସେତେ ଆବୃତ୍ତି କରିବାକୁ ଚାହେଁ । ମାତ୍ର ମୁଁ ମୋର ମଧୁମୟ ଅତୀତକୁ ଚିରକାଳ ପାଇଁ ଆଖି ଲୁହରେ ବିଦାୟ ଦେବାକୁ ଚାହେଁ । ଯେହେତୁ ମୁଁ ତାକୁ ପୁରୁଷର ହୃଦୟ ଦେଇ ଭଲପାଇଥିଲି ।

 

ସେ ଯେତେବେଳେ ମୋତେ ସବୁ ଭୁଲିଯିବାକୁ ଅନୁରୋଧ କରିଥିଲା ସେ ସ୍ଥଳରେ ମୁଁ ଯଦି ତାକୁ ପୁଣି ମନେପକାଏ ସେ ମୋତେ କ’ଣ ଆଉ ଭଲପାଇବ ? କେବଳ ତା’ର ସ୍ନେହ ପାଇଁ ଓ ତା’ଠାରୁ ଦୟା ପାଇବା ପାଇଁ ମୁଁ ତାକୁ ଭୁଲିଯିବାକୁ ବାଧ୍ୟହୋଇଛି ।

 

ଥରେ ମଣିଷ ଅନ୍ୟ ଜଣକୁ ଭଲପାଇଲା ପରେ ସେ ତା’ର ସ୍ନେହକୁ ଚିରକାଳ ପାଇଁ ଜାବୁଡ଼ି ଧରି ରଖିବା ପାଇଁ ଚାହେଁ । ମୁଁ ମଧ୍ୟ ତାକୁ ଭଲପାଇଥିଲି । ତେଣୁ ତା’ର ସ୍ନେହ ମୋର ଏକମାତ୍ର କାମ୍ୟ ।

 

ମୁଁ ଯଦି ତାକୁ ତା’ କହିବା ଅନୁସାରେ ଭୁଲିଯାଏ ଏବଂ ତା’ର ସ୍ମୃତିକୁ ଚିରକାଳ ପାଇଁ ମୋ ମନ ମଧ୍ୟରେ ସମାଧି ଦିଏ ସେ ମୋତେ କାହିଁକି ଆଉ ଘୃଣା କରିବ ?

 

ମୁଁ ପ୍ରେମିକ ପରି ସ୍ୱାର୍ଥପର ନୁହେଁ । ମୁଁ ଟିକିଏ ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ପଡ଼ିବାର ମଣିଷ ନୁହେଁ । ତଥାପି ସେ ମୋତେ ଦିନେ ଭଲପାଇଥିଲା । ସେ ଯଦି କେବେ ମୋତେ ଅବହେଳା କରେ, ମୋତେ ହତାଦର କରେ, ମୋତେ ଦୂରରୁ ଦେଖି ମୁହଁ ଫେରାଇନିଏ ମୁଁ ନିଶ୍ଚୟ ଭାଙ୍ଗିପଡ଼ିବି । ଏତେ ଜାଣିଜାଣି ମୁଁ ବା ତାକୁ କାହିଁକି ଅବକାଶ ଦେବି ମୋତେ ଘୃଣା କରିବାକୁ ?

 

ମୁଁ ଯଦି ତାକୁ ଭୁଲିଯାଏ ସେ ମୋତେ କାହିଁକି ଆଉ ଘୃଣା କରିବ ? ତେଣୁ ମୁଁ ଚାହେଁନାହିଁ ତାକୁ ଆଉ କେବେ ମନେପକାଇବାକୁ ।

 

ଯାହାକୁ ଦିନେ ମୁଁ ଜୀବନ ଦେଇ ଭଲପାଇଥିଲି, ଯାହାର ପଦ ତଳରେ ମଥା ଲଗାଇ ମୁଁ ଦିନେ ଶ୍ରଦ୍ଧାଭାଜନ ହୋଇଥିଲି, ଯେ ମୋର କଳ୍ପନାକୁ ବାସ୍ତବତାରେ ପରିଣତ କରିଥିଲା ତାହାର ଅନୁରୋଧ ମୋତେ ନିଶ୍ଚୟ ରକ୍ଷା କରିବାରୁ ପଡ଼ିବ । ତାହା ଯଦି ମୁଁ ନ କରେ ତେବେ ଧରିବାକୁ ହେବ ଯେ ମୁଁ ତାକୁ ପ୍ରତାରିତ କରିଛି । ତା’ର ସରଳ ବିଶ୍ୱାସରେ ବିଷ ବୋଳିଦେଇଛି ଏବଂ ତା’ର ନାରୀତ୍ୱକୁ ଅବମାନନା କରିଛି ।

 

ତୁମେ କାହାକୁ ଭୁଲିଯାଇଛ ? ଏହି କଥା ମୋତେ ଯଦି କେହି ଆଜି ପଚାରେ ସଠିକ୍ ଉତ୍ତର ଦେଇପାରିବି ବୋଲି ମୋର ବିଶ୍ୱାସ ହୁଏ ନାହିଁ । ‘ସେ ମହୀୟସୀ ରମଣୀ କିଏ ?’ ଏହି କଥା କେବେ ଭୁଲରେ ମଧ୍ୟ ମୋ ସ୍ତ୍ରୀ ତମିସ୍ରା ମୋତେ ପଚାରିବାକୁ ଦୁଃସାହସ କରିବ ନାହିଁ । ଯଦିବା ସେ କେବେ ମୋତେ ପଚାରେ ତାକୁ କେବଳ ହସି ହସି ଉତ୍ତର ଦେବି, ଯାହାର ସ୍ମୃତିକୁ ଚିରକାଳ ପାଇଁ ଆଖି ଲୁହରେ ବିଦାୟ ଦେବାକୁ ଯାଉଛି ତାହାକୁ ପୁଣି ମନେପକାଇବା କାପୁରୁଷତା ନୁହେଁ କି ?

 

ମୋର ଅତୀତ ଯଦି କେବେ ମୋର ମନେପଡ଼ିଯାଏ, ମୋର ଅନ୍ତରାତ୍ମା ନିଶ୍ଚୟ ଭୟରେ ଚିତ୍କାର କରିଉଠିବ । ମୁଁ ନିଜକୁ ନିଜେ ନିଶ୍ଚୟ ଧିକ୍କାର କରିବି ଏବଂ ମୋର ପୌରୁଷକୁ ନିଶ୍ଚେ ଘୃଣା ମଧ୍ୟ କରିବି ।

 

ସବୁ କଥା ମୋର ମନେ ନାହିଁ । ମନେରଖି ଲାଭ ବା କ’ଣ ହୋଇଥାନ୍ତା ? ମୁଁ ଯେ ତାକୁ ଭୁଲିଯିବାକୁ ବସିଛି ।

 

ସେ ମୋତେ ଦିନେ କହିଥିଲା ତୁମେ ହେବ ଆକାଶ ଓ ମୁଁ ହେବି ପୃଥିବୀ । କେହି କାହାରିକୁ ସ୍ପର୍ଶ କରିବୁ ନାହିଁ । କେହି କାହାରି ପାଖରେ ହୃଦୟର ବ୍ୟଥା ଓଜାଡ଼ି ଦେବୁ ନାହିଁ କିମ୍ବା କେହି କାହାକୁ ପ୍ରେମ ଓ ପ୍ରଣୟର ସଙ୍ଗୀତ ଶୁଣାଇ ଆକୃଷ୍ଟ କରିବାକୁ ଚେଷ୍ଟା କରିବୁ ନାହିଁ ।

 

ତା’ର ଏ ପ୍ରକାର ଅବାସ୍ତବ କଥା ଶୁଣି ଯଥେଷ୍ଟ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସଦ୍ୟ ପ୍ରସ୍ଫୁଟିତ ଗୋଲାପର ସୌନ୍ଦର୍ଯ୍ୟକୁ ଯେଉଁ ସ୍ତ୍ରୀର ସୌନ୍ଦର୍ଯ୍ୟ ଉପହାସ କରେ ସେ ପୁଣି ଚାହେଁ ଗୋଟିଏ ସୁନ୍ଦର ପୁରୁଷର ସ୍ନେହକୁ ଏତେ ସହଜରେ ଏଡ଼ିଦେବାକୁ ?

 

ମୋ ଜାଣିବାରେ ମୁଁ ପ୍ରକୃତରେ ଦେଖିବାକୁ ସୁନ୍ଦର ଥିଲି କିନ୍ତୁ ଏ କଥା ମୁଁ କେବେହେଲେ କାହା ପାଖରୁ ଦିନେ ଶୁଣିବାକୁ ସୁଯୋଗ ପାଇନଥିଲି । ଏପରିକି ମୋର ସ୍ତ୍ରୀ ତମିସ୍ରା ମଧ୍ୟ ମୋତେ ଦିନେ ଏ କଥା କେବେ କହିନଥିଲା ।

 

ମୁଁ ଗୋଟିଏ ସୁନ୍ଦର ପୁରୁଷ ବୋଲି ଯେଉଁଦିନ ତାହା ପାଖରୁ ଶୁଣିଲି, ସେଦିନ ଯେ କେତେ ଆନନ୍ଦିତ ହେଲି, କେତେ ମନେମନେ ହସିଲି ତାହା କେବଳ ମୋତେ ଜଣା । ଅନେକ ସମୟ ଧରି ଦର୍ପଣ ପାଖରେ ଛିଡ଼ାହୋଇ ମୋର ପ୍ରତିବିମ୍ବକୁ ଅନାଇଲି । ବେଶ୍ ସୁନ୍ଦର ଦେଖାଗଲା ମୋ ଚେହେରାଟା ସେଦିନ ମୋ ଆଖିରେ । ନାଃ, ସେ ମୋତେ ତେବେ ଥଟ୍ଟା କରିନାହିଁ ଭାବି ଯଥେଷ୍ଟ ଆଶ୍ୱସ୍ତ ହେଲି ।

 

ସେ ଚାହୁଁଥିଲା ଆକାଶ ଓ ବସୁଧାର ପ୍ରେମ ।

 

ସେ ଆଜି ମୋ ପାଖରେ ନାହିଁ । ଆନେକ ଥର ତାକୁ ମନେମନେ ଖୋଜିଛି କିନ୍ତୁ ତା’ ସାଥିରେ ଆଉ ମୋର ସାକ୍ଷାତ ହୋଇନାହିଁ । ଯଦି ସାକ୍ଷାତ ହୋଇଥାନ୍ତା ମୁଁ ନିଶ୍ଚୟ ତାକୁ କହିଥାନ୍ତି ‘‘ମୋ ସଙ୍ଗେ ତୁମର ସାକ୍ଷାତ ହେବା ପୂର୍ବରୁ ତୁମେ କେବେ କାହାରିକୁ ଭଲପାଇନଥିଲ କିମ୍ବା ତୁମକୁ କେହି ଜୀବନ ଦେଇ ଭଲପାଇନଥିଲେ । ଅଥବା ତୁମେ କେବେ ଅଭିଧାନ ଖୋଲି ପ୍ରେମ ଶବ୍ଦର ଅର୍ଥ ବୁଝିନଥିଲ । ତେଣୁ ତୁମ ଆଖିରେ ଆକାଶ ଓ ବସୁଧାର ପ୍ରେମ ଅତି ଉତ୍କୃଷ୍ଟ ବୋଲି ଜଣାପଡ଼ିଥିଲା ।’’

 

ଯେ ପ୍ରେମ କରିଥାଏ ସେ ସିନା ପ୍ରେମର ନିଗୁଢ଼ ତତ୍ତ୍ୱ ଜାଣିଥାଏ । ପ୍ରେମର ପଥ ମୋଟେ ସରଳ ନୁହେଁ । ପ୍ରେମିକାର ଭାଷା କାନକୁ ଯଦିଓ ଭଲ ଶୁଭେ ତଥାପି ତା’ କଥାରେ ଅର୍ଥ ଥାଏ ଆଉ ଗୋଟିଏ ଦୁସୁରା । ତା’ ସାଥିରେ ଦେଖାହେବା ପୂର୍ବରୁ ପ୍ରେମ ସାଥିରେ ଥିଲା ମୋର ରାହୁ ଓ ଚନ୍ଦ୍ରର ସମ୍ପର୍କ । ତେଣୁ ପ୍ରେମ ଓ ପ୍ରଣୟର ଅର୍ଥ ମୋ ଭଳି ଅରସିକ ଲୋକ ବା କୁଆଡ଼ୁ ବୁଝିପାରିବ ?

 

ପ୍ରଥମେ ତା’ କଥାରେ ବେଶ୍ ରାଜି ହୋଇଗଲି । ତାକୁ ମଧ୍ୟ ପ୍ରତିଶ୍ରୁତି ଦେଲି ଯେ ସେ ହେବ ନୀଳ ସରସୀର କୁମୁଦିନୀ ଏବଂ ମୁଁ ହେବି ସୁଦୂର ଆକାଶର ଚନ୍ଦ୍ରମା ।

 

ସେ ମୋ କଥା ଶୁଣି ଓଠ ଚିପି ଚିପି ହସିଲା । ମୁଁ ମନେମନେ ଯଥେଷ୍ଟ ଖୁସିହେଲି ଯେ ମୋ କଥା ତା’ ମନକୁ ପାଇଛି ବୋଲି । କିନ୍ତୁ ସେ ମୋ ପାଖରୁ ଦୂରକୁ ଚାଲିଯିବା ପରେ ପରେ ମୁଁ ଜାଣିଲି ପ୍ରକୃତରେ ମୋ ଭଳି ବୋକା ପୁରୁଷର ପ୍ରେମ କୌଣସି ସ୍ତ୍ରୀ କାମନା କରେ ନାହିଁ । ତମିସ୍ରା ଭଳି ବୋକା ସ୍ତ୍ରୀ ତ ଆଉ ଜଗତରେ ନାହାନ୍ତି । ତେଣୁ ସେ କେବଳ ମୋତେ ଚାହେଁ ।

 

ଯାହାର ରୂପ ମୁକ୍ତାପରି ସ୍ୱଚ୍ଛ, ସତ୍ୟପରି ନିର୍ମଳ ସେ ଯେ ବୁଲେଇ କଥା କହିପାରେ ଏ କଥା ମୁଁ କାହିଁକି ସେଦିନ ବିଶ୍ୱାସ କରିଥାଆନ୍ତି ? ତେଣୁ ସେଦିନ ତା’ର ଅବାସ୍ତବ ପ୍ରସ୍ତାବରେ ମୁଁ ସମ୍ମତି ପ୍ରଦାନ କଲି ଯେହେତୁ ମୁଁ ପ୍ରାଣ ଦେଇ ଅନ୍ଧ ଭାବରେ ସେଦିନ ତାକୁ ବିଶ୍ୱାସ କରିଥିଲି ।

 

ଯଦିଓ ସେ ମୋ ପାଖରୁ ଚାଲିଯାଇଛି ଓ ତା’ର ସାକ୍ଷାତ କେବେହେଲେ ମୋ ଭାଗ୍ୟରେ ଘଟିବ ନାହିଁ କିମ୍ବା ଯେତେ ଖୋଜିଲେ ମଧ୍ୟ ତାକୁ ଏ ଜୀବନରେ ଆଉ କେବେ ପାଇବି ନାହିଁ ତଥାପି ବର୍ତ୍ତମାନ ଶୁଦ୍ଧା ମୁଁ ତାକୁ ଭଲପାଏ । ଯଦିଓ ସେ ମୋର ଜୀବନକୁ ମାଡ଼ି ଦଳି ନଷ୍ଟ କରିଦେଇଛି ଓ ମୋର ଜୀବନର ସମସ୍ତ ସୌନ୍ଦର୍ଯ୍ୟକୁ ଶ୍ରୀହୀନ କରିଦେଇଛି ତଥାପି ସେ ମୋର ପ୍ରାତଃସ୍ମରଣୀୟ ।

 

ଟିକିଏ ଅବକାଶ ପାଇଲେ ତା’ର କଥା ମୋର ମନେପକାଇବାକୁ ଇଛାହୁଏ । ମୁଁ ଯେତେବେଳେ ତାକୁ ଭୁଲିଯିବାକୁ ଚେଷ୍ଟା କରୁଛି ସେ ମୋର କିଏ ଯେ ତାକୁ ପୁଣି ମନେପକାଇବି-?

 

ତା’ ସଙ୍ଗେ ଦେଖାହେବା ପୂର୍ବରୁ ଏ ଜନ୍ମରେ ସେ ମୋର କେହି ଥିଲା କି ନଥିଲା ତାହା ତାକୁ ଜଣା । ତେଣୁ ତା’ କଥା ମନେପକାଇବାକୁ ମୋତେ ଭୟ ଲାଗେ । ଯାହାର କଥା ମନେପଡ଼ିଲେ ଆଖିରେ ଲୁହ ଉଛୁଳି ଉଠେ ସେଭଳି ମଣିଷକୁ କେହି କେବେ କ’ଣ ମନେପକାଏ-? ମୁଁ ବର୍ତ୍ତମାନ ସୁଦ୍ଧା ଭଗବାନଙ୍କୁ ଡାକେ ତାକୁ କେବଳ ଭୁଲିଯିବାକୁ । ତା’ର କଥା ମୋଟେ ମନରେ ଆଉ ନ ପଡ଼ନ୍ତା କି ! ପ୍ରକୃତରେ ତା’ର ସ୍ମୃତି ଯେ କେତେ ମର୍ମନ୍ତୁଦ ତାହା କେବଳ ମୋତେ ଜଣା ।

 

ଚେଷ୍ଟା କରି କେହି କେବେ କାହାରିକୁ ଯେପରି ଭଲପାଇପାରେ ନାହିଁ ସେହିପରି ଚେଷ୍ଟା କଲେ ମଧ୍ୟ କେହି କାହାରିକୁ ଭୁଲିଯାଇପାରେ ନାହିଁ । କାହାରିକୁ ଭୁଲିଯିବାକୁ ହେଲେ ଗୋଟିଏ ଅସ୍ୱାଭାବିକ ପରିବେଶ ନିହାତି ଦରକାର । ସେହି ପରିବେଶ ସୃଷ୍ଟି ନ ହେବା ଯାଏଁ କେହି କେବେ କାହାକୁ ଭୁଲିଯାଇପାରେ ନାହିଁ ।

 

ଯେଉଁଦିନ ସେ ମୋତେ ତାକୁ ଭୁଲିଯିବାକୁ ଅନୁରୋଧ କରିଥିଲା ସେହିଦିନଠାରୁ ମୁଁ ତାକୁ ଭୁଲିଯିବାକୁ ଚେଷ୍ଟା କରୁଛି । କ୍ରମେ କ୍ରମେ ଭୁଲିଯାଉଛି କହିଲେ ଚଳେ । ତା’ର ହସ ହସ ମୁଖ, ଭସା ନୟନର ଅର୍ଥପୂର୍ଣ୍ଣ ଚାହାଣି ଆଜି ପୂରାପୂରି ମୋର ମନେପଡ଼ୁନାହିଁ । ତାକୁ ମନେପକାଇବା କେବଳ ଦୁର୍ବଳତା ।

 

ତା’ କଥା ଯଦି ଆଜି କାହାରି ପାଖରେ କହେ ସେ ନିଶ୍ଚୟ ମୋତେ ଉପହାସ କରି କହିବ ତୁମେ ଯଦି ଗୋଟିଏ ସ୍ତ୍ରୀର ବିଶ୍ୱାସଭାଜନ ହୋଇପାରିଲ ନାହିଁ ତେବେ କେଉଁ ଦମ୍ଭରେ ତୁମେ ଆଜି ଦୁନିଆ ଆଗରେ କହିବ ଯେ ତୁମେ ତାକୁ ଭଲପାଇଥିଲ ବୋଲି ? ଜଣକୁ ଭଲପାଇସାରିଲା ପରେ ମୋର ଆଉ ନିଜର କିଛି ନ ଥିଲା । ତେଣୁ ତାକୁ ମୁଁ ସୁଖୀ କରିବାକୁ ଯତ୍ନ କରୁଥିଲି ଏବଂ ପ୍ରତିଶ୍ରୁତି ମଧ୍ୟ ଦେଇଥିଲି ତାକୁ ଭୁଲିଯିବାକୁ ।

 

ଆକାଶରେ ଯେଉଁ ଝଡ଼ ଉଠେ ତାହା ଅସରାଏ ବର୍ଷା ପରେ ଲିଭିଯାଏ କିନ୍ତୁ ମନର ଝଡ଼ କ’ଣ ଲିଭେ ? ମନ ମଧ୍ୟରେ ଯେଉଁ ଝଡ଼ ଉଠେ ସେ ଝଡ଼ ଉପଶମ ହୁଏ ନାହିଁ । ସେ ଝଡ଼ କବଳରୁ ମୋଟେ ନିସ୍ତାର ମିଳେ ନାହିଁ । ମଣିଷ ଯେତେ ଚେଷ୍ଟା କରେ ସେ ଝଡ଼କୁ ଏଡ଼ିଦେବାକୁ କିନ୍ତୁ ତା’ର ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଯାଏ । ସେ ଝଡ଼ ଆହୁରି ପ୍ରବଳ ବେଗରେ ମନ ମଧ୍ୟରେ ବହିବାକୁ ଆରମ୍ଭ କରେ ।

 

ଯାହାର ମନ ମଧ୍ୟରେ ଝଡ଼ଉଠେ ସେ କେବଳ ସେ କଥା ଜାଣେ । ଅନ୍ୟର କି ସାଧ୍ୟ ଅଛି ଯେ ସେ କଥା ସେ ବୁଝିପାରିବ ?

 

ସହ୍ୟ କରିବାର ସୀମା ଯେତେବେଳେ ଅତିକ୍ରମ କରିଯାଏ ମଣିଷ-ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୁଏ । ସେ ତା’ର ଅତୀତକୁ ମନେପକାଇବାକୁ ମୋଟେ ଆଗ୍ରହ ପ୍ରକାଶ କରେ ନାହିଁ । ଯେଉଁ କଥା ମନେପଡ଼ିଲେ ମନ ମଧ୍ୟରେ ଶତ ଶତ ବୃଶ୍ଚିକର ଦଂଶନ ହୁଏ, ମନ ଜଳିପୋଡ଼ି ପାଉଁଶ ହୋଇଯାଏ ସେ କଥା କେବଳ ଅଲାଯୁକ ମାତ୍ରେ ହିଁ ମନେପକାଇ ଆନନ୍ଦ ଅନୁଭବ କରନ୍ତି ଏବଂ ହସି ହସି କହନ୍ତି ସେମାନଙ୍କର ଅତୀତ ଅବିସ୍ମରଣୀୟ ।

 

କିନ୍ତୁ ମୋର ଅତୀତ କ୍ରମେ କ୍ରମେ ମୋତେ ମୃତ୍ୟୁର ଗହ୍ୱର ମଧ୍ୟରୁ ଟାଣି ଟାଣି ନେଇ ଯାଉଅଛି । ଜୀବନ ସୂର୍ଯ୍ୟ କ୍ରମଶଃ ଅସ୍ତାଚଳକୁ ଗତି କରୁଅଛି । କିଛିଦିନ ପରେ ଏ ଦେହଟା ମାଟିରେ ମିଶିଯିବ । ପଞ୍ଚଭୂତରେ ଗଢ଼ା ଶରୀରଟାର ସତ୍ତା ଲୋପ ପାଇଯିବ । କେହି ଆଉ ଏ ଦୁନିଆରେ ମୋତେ ମନେପକାଇବେ ନାହିଁ । ଏ ଦୁନିଆକୁ କେବଳ ବୋଝ ହେବାକୁ ମୁଁ ଆସିଥିଲି-। ମୁଁ ଚାଲିଗଲା ପରେ ଦୁନିଆର ବୋଝ ଊଣା ହେବ କି ନାହିଁ ତାହା ମୁଁ ଜାଣେ ନାହିଁ-। ସେକଥା ଦୁନିଆ ନ କହିଲେ ମଧ୍ୟ ସେ କହିବ ଏବଂ ସେ ଯେତେବେଳେ ଶୁଣିବ ମୁଁ ଚାଲିଗଲି ସେତେବେଳେ ସେ ମନେମନେ ଭଗବାନଙ୍କୁ ଧନ୍ୟବାଦ ଦେଇ କହିବ ଠାକୁରେ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।

 

ମୁଁ ଚାଲିଗଲା ପରେ ସେ ଏକାବେଳକେ ନିଶ୍ଚିନ୍ତ ହେଇଯିବ । ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ସେ ମୋଟେ ସୁଖୀ ହୋଇପାରିବ ନାହିଁ । ଏ କଥା କାହାରିକୁ ଜଣାନଥିଲେ ମଧ୍ୟ ତାହା ମୋତେ ଖୁବ୍ ଭଲଭାବରେ ଜଣା । ମୋ ମୃତ୍ୟୁରେ ସେ ମୋଟେ ବ୍ୟଥିତ ହେବ ନାହିଁ କିମ୍ବା ତମିସ୍ରାର ନିରାଭରଣ ହାତ ଦୁଇଟି ଦେଖିଲେ ସୁଦ୍ଧା ତା’ ହୃଦୟରେ କୌଣସି ଭାବନା ନବଜନ୍ମ ଲାଭ କରିବ ନାହିଁ । ନତୁବା ମୋର ଅନାଥ ପୁତ୍ର କନ୍ୟାଙ୍କୁ ଦେଖିଲେ ତା’ର ଆଖିରେ ଲୁହ ଢଳ ଢଳ ହେବ ନାହିଁ-

 

ମୁଁ ମରିଯିବା ପରେ ପରେ ସେ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଅପେକ୍ଷା କରି ରହିଛି ତା’ ପାଖରୁ ମୋ ମୃତ୍ୟୁରେ ଦୁଇଟୋପା ଲୁହ ଆଶା କରିବା ଅସଙ୍ଗତ ନୁହେଁ କି ?

 

ଜୀବନ ପ୍ରତି ମୋଟେ ମୋର ମମତା ନାହିଁ । ଦେହ ପ୍ରତି ମୋଟେ ମୋର ଯତ୍ନ ନାହିଁ । ତଥାପି ମୋତେ ଯଦି କେହି ଆଜି ମୋତେ ପଚାରେ, ଆତ୍ମା ପ୍ରତି ଯଦି ତୋର ତିଳେ ବୋଲି ଉପ୍ରୋଧ ନାହିଁ ତୁ ତେବେ ଆତ୍ମହତ୍ୟା କରୁନାହୁଁ କାହିଁକି ?

 

ସତରେ ଏତେ ବୋକା ଲୋକ କ’ଣ ପୃଥିବୀରେ ଅଛନ୍ତି ଯେ ଏ ପ୍ରକାର ଅବାନ୍ତର କଥା ମୋତେ ପଚାରି ମୋର ଶାନ୍ତି ନଷ୍ଟ କରିବେ ? ଜଣକୁ ଜୀବନଟା ଦେଇସାରିଲା ପରେ ଏ ଜୀବନଟା ଉପରେ ମୋର ଆଉ ଅଧିକାର କେଉଁଠି ଅଛି ଯେ ମୁଁ ଆତ୍ମହତ୍ୟା କରିବି ? ଏ ଜୀବନଟା ଅଛି ତା’ ଦାୟିତ୍ୱରେ । ଏ ଦେହଟା କେବଳ ଅଛି ଜାଳି ଜାଳି ତାକୁ ଆନନ୍ଦ ଦେବାପାଇଁ ।

ଆଉ ମନ ? ଅନେକ ଦିନରୁ ସେଟା ମରିଯାଇଛି । ତଥାପି ଥୋବରା ମୁହଁରେ ମୁଁ ହସେ । ଏପରି ହସିବା ଯଦିଓ ମୋର ଅଭ୍ୟାସ ନଥିଲା ତଥାପି ମୁଁ ହସିବାକୁ ବାଧ୍ୟହୁଏ ଯେହେତୁ ମୋ ମୁହଁରେ ସେ ହସ ଦେଖିବାକୁ ସୁଖ ପାଏ । ତାକୁ ଖୁସି କରିବାକୁ ମୁଁ ଯେତେବେଳେ ଶପଥ କରିଥିଲି ସେତେବେଳେ ସେ ଯାହା କହୁଥିଲା ମୁଁ ବାଧ୍ୟହୋଇ ତାହା କରୁଥିଲି ।

ଏକଶ କୋଡ଼ିଏ ନମ୍ବର ରୋଗୀଟି ଏମିତି ଅନର୍ଗଳ ଭାବରେ ନିଜେ ନିଜେ କହିଯାଉଥିଲା । ତା’ କଥାରେ ଯଥେଷ୍ଟ ଭାରସାମ୍ୟ ପରିଲକ୍ଷିତ ହେଉଥିଲା ।

ଡାକ୍ତର ଡିଆନ ଅନେକ ସମୟ ଧରି ସ୍ଥିର ହୋଇ ବସି ରହିଲେ । ଦୀର୍ଘଦିନର ଅଭିଜ୍ଞତା ତାଙ୍କର ସହଜରେ ଏ ପ୍ରକାର ରୋଗୀକୁ ଦେଖି କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେ କେବଳ କହିଲେ ‘‘ସମୟ ସାପେକ୍ଷ । ସବୁ ଦେଖିଲେ କିନ୍ତୁ ତା’ର ଇତିହାସ ସମସ୍ତ ନ ଶୁଣିଲା ଯାଏ କୌଣସି ଚିକିତ୍ସାର ସୁବ୍ୟବସ୍ଥା ହୋଇପାରିବ ନାହିଁ । ଆପଣ ପୁଣି ଆସନ୍ତା ଶନିବାରକୁ ଆସନ୍ତୁ ।’’

ତମିସ୍ରା ଦୀର୍ଘଶ୍ୱାସ ପକାଇ ଛିଡ଼ାହୋଇ ରହିଲା । କିଛିକ୍ଷଣ ପରେ ଡାକ୍ତରଙ୍କୁ ପଚାରିଲା, ‘‘ଏ କ’ଣ ଆଉ ଭଲ ହୋଇପାରିବେ ନାହିଁ ?’’

‘‘ସେସବୁ ଆପଣଙ୍କ ଭାଗ୍ୟ ଉପରେ ନିର୍ଭର କରେ । ତେବେ କୌଣସି କଥାରେ ବ୍ୟସ୍ତ ହେବା ଅନୁଚିତ । ଧୈର୍ଯ୍ୟ ଧରି କାର୍ଯ୍ୟ କରିବାକୁ ପଡ଼ିବ । ଅଧୈର୍ଯ୍ୟ ହେଲେ କୌଣସି କଥା ଚଳେ ନାହିଁ । ବିପଦ ସମୟରେ ଧୈର୍ଯ୍ୟ ଧରିବା ଏକାନ୍ତ ପ୍ରୟୋଜନ । ଆଚ୍ଛା, ଆପଣ ଆସନ୍ତୁ । ରୋଗୀର କୌଣସି ଅସୁବିଧା ହେବନାହିଁ । ପୁଣି ଶନିବାର ସକାଳ ଆଠଘଣ୍ଟା ପରେ ଆପଣଙ୍କ ସଙ୍ଗେ ସାକ୍ଷାତ ହେବ । ଆଚ୍ଛା ନମସ୍କାର ।’’

ପ୍ରତି ନମସ୍କାର ଜଣାଇ ଆଖିରୁ ଲୁହ ପୋଛି ପୋଛି ଫେରିଆସିଲା ତମିସ୍ରା ।

ଜନାକୀର୍ଣ୍ଣ ସହରଟା ତାକୁ ନିର୍ଜନ ଭଳି ଜଣାପଡ଼ୁଥିଲା । ରିକ୍ସାରେ ବସି ସେ ଭାବୁଥିଲା ତା’ର ପିଲାଦିନର କଥା । ହରଦ୍ୱାରରୁ ଜଣେ ସନ୍ନ୍ୟାସୀ ଆସିଥିଲେ । ବଡ଼ ଦେଉଳର ସିଂହଦ୍ୱାରରେ ଛିଡ଼ା ସନ୍ନ୍ୟାସୀ । ସେହି ସନ୍ନ୍ୟାସୀ ତାକୁ ଅତି ନିକଟରେ ଦେଖି ସେଦିନ କହିଥିଲେ, ‘‘ଏ ଝିଅଟି ଦିନେ ରାଜରାଣୀ ଭଳି ସୁଖ ଭୋଗ କରିବ ।’’ କିନ୍ତୁ....

ମାତା କିରଣମୟୀ ଅନେକ ଅନୁନୟ କରି ସନ୍ନ୍ୟାସୀଙ୍କୁ ପଚାରିଲେ, ମାତ୍ର ସନ୍ନ୍ୟାସୀ ଅଳ୍ପ ହସିଦେଇ କହିଥିଲେ, ‘‘ଭବିଷ୍ୟତ ଅନ୍ଧକାରମୟ । ଅନ୍ଧାରୀ ଜଗତର ତଥ୍ୟ ସଂଗ୍ରହ କରିବା ଯେତିକି ଉଚିତ ସେତିକି ମଧ୍ୟ ଅନୁଚିତ । ଭବିଷ୍ୟତ ଜାଣିବାକୁ ଏତେ ଆଗ୍ରହ କାହିଁକି ? ଯେ ନିଜର ଭବିଷ୍ୟତ ଜାଣିପାରେ ସେ କର୍ମମୟ ଜଗତରେ ଅକର୍ମା ହୋଇପଡ଼େ । ତେଣୁ ଭବିଷ୍ୟତକୁ ଆଖିଆଗରେ ରଖି ବାଟ ଚାଲିବା ଉଚିତ । କର୍ମାନୁସାରେ ଫଳ ଭୋଗ କରିବାକୁ ପଡ଼େ । ଭାଗ୍ୟର ଲିଖନକୁ ଏଡ଼ି ଦେଇ ହୁଏ ନାହିଁ ।’’

 

ପୁଣି କିରଣମୟୀ ପ୍ରଶ୍ନକଲେ, ବାବା ! ଅନ୍ନ, ବସ୍ତ୍ରରେ ଝିଅ ଅସୁଖୀ ହେବ ନାହିଁ ତ ?

 

ସନ୍ନ୍ୟାସୀଙ୍କର ମୁଖମଣ୍ଡଳରେ ବିରକ୍ତିର ଛାୟା ହଠାତ୍ ଖେଳିଗଲା । ଯେ କ୍ଷଣଭଙ୍ଗୁର ଦୁନିଆର ବହୁ ଦୂରରେ ଥାଏ ତାଙ୍କୁ ଏହି ଦୁନିଆ ସମ୍ବନ୍ଧରେ ପ୍ରଶ୍ନକଲେ ସେ ଯେ ନିଶ୍ଚୟ ବିରକ୍ତ ହେବ ଏ କଥା କିରଣମୟୀ ବା ଜାଣିବେ କିପରି ?

 

କିରଣମୟୀ ଥିଲେ ସୁଖ ଦୁଃଖ ଜଗତର ମଣିଷ । ସେ ସବୁବେଳେ ସୁଖ ଭୋଗର କଳ୍ପନା କରନ୍ତି । ଯେ ବସ୍ତୁବାଦକୁ ବିଶ୍ୱାସ କରେ ସେ ସବୁବେଳେ ସୁଖ ପଛରେ ଗୋଡ଼ାଇଥାଏ । ସୁଖ ସନ୍ଧାନ କରୁ କରୁ ଯଦି ଦୁଃଖର ସମ୍ମୁଖୀନ ହୁଏ ତେବେ ସେ ଭାଜିପଡ଼ି କହେ ଏ ପୋଡ଼ା କର୍ମରେ ଯେ ଏତେକଥା ଭୋଗ କରିବାକୁ ଥିଲା ଏହା କିଏ ଜାଣିଥିଲା ?

 

ସଂସାରକୁ ଯେତେ ଯିଏ ଆସନ୍ତି ସମୟେ ପେଟ ଚିନ୍ତା ହିଁ କରନ୍ତି । ପେଟକୁ ବାଦ୍ ଦେଲେ କୌଣସି କଥା ହୋଇପାରେ ନାହିଁ । ଏହି ପେଟ ପାଇଁ ବିଗ୍ରହ ଓ ସନ୍ଧିର ପ୍ରୟୋଜନ ହୁଏ । ତେଣୁ ପେଟ କଥା ଓ ପିଠି କଥା ଯେ କିରଣମୟୀ ପଚାରିଲେ ସେଥିପାଇଁ ତାଙ୍କୁ ଦୋଷଦେଇ ଲାଭ କ’ଣ ?

 

ପୁଣି ସେ ସନ୍ନ୍ୟାସୀଙ୍କୁ ଅନୁରୋଧ କରି କହିଲେ, ‘‘ବାବା ! ପେଟ ଓ ପିଠିର ଦୁଃଖ ଝିଅ କପାଳରେ ଲେଖାନାହିଁ ତ ?’’

 

ସନ୍ନ୍ୟାସୀଙ୍କ ମୁଖମଣ୍ଡଳ ଆରକ୍ତ ହୋଇଉଠିଲା । ସେ ଅଳ୍ପ ଟିକିଏ ଚିନ୍ତା କରି କହିଲେ, ‘‘କହିଲି ପରା ଝିଅ ରାଣୀ ଭଳି ସୁଖ ଭୋଗ କରିବ ?’’

 

ସନ୍ନ୍ୟାସୀ ଆଖି ପିଛୁଡ଼ାକେ ଲୋକ ଗହଳି ମଧ୍ୟରେ ଛପିଗଲେ । କିରଣମୟୀ ଯେତେ ଚେଷ୍ଟା କଲେ ଆଉ ଥରେ ସନ୍ନ୍ୟାସୀଙ୍କୁ ଦେଖିବାପାଇଁ ସେ ମୋଟେ ସଫଳ କାମ ହୋଇପାରିଲେ ନାହିଁ । ତାଙ୍କୁ ସେଦିନ ଜଣାଯାଇଥିଲା ସତେ ଯେପରି ଦେବତାର ଆଶୀର୍ବାଦ ଶୁଣାଇବାକୁ ସନ୍ନ୍ୟାସୀ ମର ଜଗତକୁ ଆସିଥିଲେ ।

 

କିରଣମୟୀ ସନ୍ନ୍ୟାସୀଙ୍କୁ ମନେମନେ ପ୍ରଣାମ କରି ହିନ୍ଦୁ ଜଗତର ଜଗନ୍ନାଥଙ୍କୁ ଶୁଣାଇ ଶୁଣାଇ କହିଥିଲେ, ‘‘କାଳିଆ ! ତୋର ସବୁ ଲୀଳାଖେଳା । ତୁ କାହାକୁ କେତେବେଳେ କ’ଣ କରୁ ତାହା ତୋତେ ମଧ୍ୟ ଜଣା ନାହିଁ ।’’

 

ସେଦିନ ଆନନ୍ଦରେ କିରଣମୟୀଙ୍କ ମନ ଉଛୁଳି ଉଠିଥିଲା । ତାଙ୍କର ଏକମାତ୍ର ଆଦରଣୀୟା କନ୍ୟାର କପାଳରେ ଏତେ ସୁଖ ଯେତେବେଳେ ବିଧାତା ପୁରୁଷ ଅଲିଭା କାଳିରେ ଲେଖି ଦେଇଛନ୍ତି ସେତେବେଳେ ସେ କାହିଁକି ମନ ପୂରାଇ ନ ହସିବେ ? ଭବିଷ୍ୟତର ରଙ୍ଗିନ୍ ଛବି କ୍ଷଣକ ମାତ୍ରେ ତାଙ୍କର ଆଖିଆଗରେ ବିଭିନ୍ନ ରୂପ ଧରି ଛିଡ଼ାହେଲା । ଦୁଇଆଖିରେ ଦୁଇଟୋପା ଆନନ୍ଦର ଅଶ୍ରୁ ସେଦିନ ତାଙ୍କର ଦେଖାଦେଇଥିଲା ।

 

ସେ ତମିସ୍ରାର ଗାଲରେ ବୋକ ଦେଇ କହିଲେ, ‘‘ମାଆ ମୋର ହେବ ରାଜରାଣୀ । ସନ୍ନ୍ୟାସୀଙ୍କ କଥା କ’ଣ ମିଛ ହେଇଯିବ ? ତାଙ୍କର ମିଛ କହିବା ଦରକାର କ’ଣ ?’’

 

ପେଟ ଓ ପିଠିର ଅଭାବ ଯାହାର ନାହିଁ ବୋଧହୁଏ ଜଗତରେ କୌଣସି ଜିନିଷର ଅଭାବ ତାହାର ପଡ଼େ ନାହିଁ ଭାବି ସ୍ତ୍ରୀମାନେ ରାଜରାଣୀ ହେବା ପାଇଁ ଇଚ୍ଛାକରନ୍ତି ବୋଲି ଅନ୍ୟ ସ୍ତ୍ରୀକୁ ମଧ୍ୟ ଆଶୀର୍ବାଦ କରି କହନ୍ତି ‘‘ରାଜରାଣୀ ହୋଇଥା ।’’

 

କିରଣମୟୀ ଯେତେବେଳେ କହିଲେ ମାଆହେବ ମୋର ରାଜରାଣୀ, ସେତେବେଳେ ତମିସ୍ରା ଖୁସିହୋଇ କହିଥିଲା, ‘‘ବୋଉ ! ମୁଁ ପାଟଶାଢ଼ି ପିନ୍ଧିବି । ମଥାରେ ଜରିମୁକୁଟ ନାଇବି । ହାତରେ ବେକରେ କେତେ ଅଳଙ୍କାର ଘେନିବି । ଯେ ଏତିକି ପିନ୍ଧେ ସେ ତ ହୁଏ ରାଣୀ !’’

 

ପିଲା ମନ । ରାଣୀର ଅର୍ଥ ସେ ବୁଝିଥିଲା ସୁନାଗହଣା ଓ ପାଟଶାଢ଼ି ପରିହିତା ନାରୀ ହେଉଛି ରାଣୀ । ସେ ଯାତ୍ରାରେ ଅନେକ ନକଲି ରାଣୀ ଦେଖିଥିଲା । କିନ୍ତୁ ପ୍ରକୃତ ରାଣୀକୁ ସେ କେବେହେଲେ ଦେଖିନଥିବାରୁ ରାଣୀ ହେବାର ମୋହ ତା’ର ମନ ମଧ୍ୟରେ ଅତି ଗୋପନରେ ବସା ବାନ୍ଧି ରହିଥିଲା ।

 

ସେତେବେଳେ ତମିସ୍ରାର ବୟସ ଥିଲା ମୋଟେ ନଅବର୍ଷ । ସାବନା ରଙ୍ଗର ଦିହକୁ ଲମ୍ବାଳିଆ ମୁହଁରେ ଲମ୍ବା ଲମ୍ବା ଆଖିଦୁଇଟି ବେଶ୍ ମାନୁଥିଲା ।

 

ଶ୍ରୀକ୍ଷେତ୍ରରୁ ଫେରିଲା ମାତ୍ରେ ସେ ଜୟଢକ୍କା ବଜାଇ ପଡ଼ିଶା ଘର କୁନ୍ତଳାକୁ କହିଲା, ‘‘ବୁଝିଲୁ କିଲୋ କୁନ୍ତ ନାନୀ ! ମୁଁ ହେବି ରାଜରାଣୀ । ଜଣେ ସନ୍ନ୍ୟାସୀ ମୋତେ କହିଛନ୍ତି ।’’

 

କୁନ୍ତଳା ହେଉଛି ତମିସ୍ରାର ଲେଖାଯୋଖା ମାଉସୀଝିଅ ଭଉଣୀ । ସେ କହିଲା, ‘‘ଏ କାଳୀ ପେତନୀ ହେବ ଯଦି ରାଜରାଣୀ, ତେବେ କ’ଣ ଗୋରା ତକତକ ଚାରୁ-ସୁନାଗୋରୀ ଝିଅ ସବୁ ଅଫିମ ଖାଇ ମରିଯିବେ ?’’

 

ତମିସ୍ରାର ମନ ଏହି କଥା ପଦକରେ ସେଦିନ ମରିଯାଇଥିଲା । ମୁହଁ ତାହାର ଶୁଖିଯାଇ ସଳିତା ହୋଇଯାଇଥିଲା । ସେ ସେତେବେଳେ ଭାବୁଥିଲା ରାଜରାଣୀ ହେବାପାଇଁ ପୁଣି ଚେହେରାଟାଏ ମଧ୍ୟ ଲୋଡ଼ା । ରାଇଜରେ ଯେତେ ସବୁ ରାଣୀ ଅଛନ୍ତି ସମସ୍ତେ ନିଶ୍ଚୟ ସୁନ୍ଦରୀ ହୋଇଥିବେ । ସୁନ୍ଦରୀ ନହେଲେ ଶାଢ଼ି, ଗହଣା କ’ଣ ମାନିବ ଯେ ଆଉ ରାଣୀ ପରି ଦେଖାଯିବେ-?

 

ସେ ପୁରାଣ ଶାସ୍ତ୍ରରେ ପଢ଼ିଥିଲା ସୀତା ଓ ଦମୟନ୍ତୀଙ୍କ କଥା । ପୂଜାବାଲାଙ୍କଠାରୁ ଶୁଣିଥିଲା ଦମୟନ୍ତୀ ଓ ସୀତାଙ୍କର ରୂପ ବର୍ଣ୍ଣନା । ସେ ନିଜ ମନ ମଧ୍ୟରେ ସିଦ୍ଧାନ୍ତ କରିନେଲା ଯେ ସେ ମୋଟେ ରାଣୀ ହୋଇପାରିବ ନାହିଁ କିମ୍ବା କୌଣସି ରଜାପୁଅ ତାକୁ ବିଭାହେବେ ନାହିଁ ।

 

ତା’ର କୁନ୍ତନାନୀ ତ ଗୋଟିଏ ନିହାତି ଗାଁ କୋଣରେ ବଢ଼ିଛି । ତା’ ଆଖିକୁ ଯେତେବେଳେ ସେ ଅସୁନ୍ଦରୀ ଦେଖାଗଲା କେଉଁ ରାଜାପୁଅର ଆଖିକୁ ସେ ସୁନ୍ଦରୀ ଦେଖାଯିବ ଯେ ରଜାପୁଅ ସାତ ସମୁଦ୍ର ତେର ନଇ ସେପାରିରୁ ପକ୍ଷୀରାଜ ଘୋଡ଼ା ଚଢ଼ି ଆସିବ ତାକୁ ବିବାହ କରିବାକୁ ?

 

ତେବେ ସନ୍ନ୍ୟାସୀ ମିଛ କହିଥିଲେ ? ମଣିଷ ମନ ନେବାକୁ, ମଣିଷକୁ କରାୟତ୍ତ କରିବାକୁ ଏହି ମଣିଷ ମିଛ କହେ ଏବଂ ଗୁଣି ଗାରିଡ଼ି ମଧ୍ୟ କରେ । ସନ୍ନ୍ୟାସୀ ମଧ୍ୟ ଜଣେ ମଣିଷ । ଅନ୍ୟ ଆଖିରେ ସେ ଆଦର୍ଶ ହେବାପାଇଁ, ଅନ୍ୟର ମନ ନେବା ପାଇଁ ସେ ନିଶ୍ଚୟ ମିଛ କହିଥିବେ ଭାବି ତମିସ୍ରା ଏକ ନିଶ୍ୱାସରେ ଧାଇଁଗଲା ବୋଉ ପାଖକୁ । ବୋଉ ଯେତେବେଳେ ପରିବା କାଟିବାରେ ବ୍ୟସ୍ତ ଥିଲେ । ତମିସ୍ରା ବୋଉକୁ ହଲାଇଦେଇ ପଚାରିଲା, ‘‘ବୋଉ ! ଯେ ଅସୁନ୍ଦରୀ ସେ କ’ଣ ରାଣୀ ହୋଇପାରେ ନାହିଁ ?’’

 

କିରଣମୟୀ ମନେମନେ ହସିଦେଇ କହିଲେ, ‘‘ରାଣୀ ହେବାପାଇଁ ସୌନ୍ଦର୍ଯ୍ୟ ମୋଟେ ଲୋଡ଼ା ହୁଏ ନାହିଁ । ଭାଗ୍ୟରେ ନଥିଲେ ସ୍ତ୍ରୀ ରାଣୀ ହୋଇପାରେ ନାହିଁ । ଭାଗ୍ୟ ସବୁଠାରୁ ବଡ଼ ଜିନିଷ ।’’

 

‘‘ତୁ ମିଛ କହୁଛୁ ବୋଉ ! ସନ୍ନ୍ୟାସୀ ମଧ୍ୟ ମିଛ କହିଥିଲେ । ରାଣୀ ହେବାର ରୂପ ମୋର ନାହିଁ । ମୁଁ ରାଣୀ ହେବି କିପରି ? କହି ତମିସ୍ରା କିରଣମୟୀଙ୍କୁ ଜିଗର ଧରି ପଚାରିଲା, ‘‘କହ ମୁଁ ରାଣୀ ହେବି କିପରି ?’’

 

କିରଣମୟୀ କହିଲେ, ‘‘ଯେମିତି ସେମିତି ସ୍ତ୍ରୀ ରାଣୀ ହୋଇପାରେ ନାହିଁ କିମ୍ବା ଉର୍ବଶୀର ରୂପ ଧରିଥିଲେ ମଧ୍ୟ ରାଣୀ ହୋଇ ହୁଏ ନାହିଁ । ପୂର୍ବଜନ୍ମର ପୁଣ୍ୟ ନଥିଲେ ରାଣୀ ହେବା ସହଜ ନୁହେଁ ।’’

 

‘‘ତେବେ ମୋର ଅସନା ରୂପଟା ଆଉ ରାଣୀ ହେବାରେ ବାଧା ସୃଷ୍ଟି କରିବ ନାହିଁ ତ ବୋଉ ?’’

 

ଝିଅର କଥା ଶୁଣି କିରଣମୟୀ ହସିଉଠିଲେ । କହିଲେ, ଦେଶ ସ୍ୱାଧୀନତା ପାଇଲାପରେ ରାଜାମାନେ ପରା ଭାରତରୁ ଗାଦିଚ୍ୟୁତ ହେଲେ ! ଆଉ ରାଜା କାହାନ୍ତି ?

 

‘‘ରାଜା ଯଦି ନାହାନ୍ତି ତେବେ ମୁଁ ରାଣୀ ହେବି କିପରି ?’’ ଏହି କଥା ବୋଉକୁ ପଚାରିଲା ତମିସ୍ରା ।

 

‘‘ରାଜାର ହାତ ନ ଧରି ମଧ୍ୟ ସୁଖ ସମ୍ଭୋଗରେ ଯେଉଁ ସ୍ତ୍ରୀ ବୁଡ଼ି ରହେ, ଲୋକ ଆଖିରେ ସେ ହୁଏ ରାଣୀ ।’’ ଝିଅକୁ ଏହି କଥା ଅତି ସରଳ ଭାଷାରେ ବୁଝାଇଦେଲେ କିରଣମୟୀ-

 

ରାଣୀ ଶବ୍ଦର ପ୍ରକୃତ ଅର୍ଥ ବୋଉ ପାଖରୁ ବୁଝିସାରି ତମିସ୍ରା ଧାଇଁଯାଇଥିଲା କୁନ୍ତନାନୀକୁ ରାଣୀ ଶବ୍ଦର ପ୍ରକୃତ ଅର୍ଥ ବୁଝାଇଦେବା ପାଇଁ । ମାତ୍ର ସେତେବେଳକୁ କୁନ୍ତଳା ସେଠାରୁ ଚାଲିଯାଇଥିଲା । କୁନ୍ତଳାକୁ ନ ଦେଖି ତମିସ୍ରା ଗୋଟାଏ ଦୀର୍ଘଶ୍ୱାସ ପକାଇ ଗୁଣୁଗୁଣୁ ହୋଇ କହିଲା, ‘‘ମୋର ରାଣୀ ହେବା ଶୁଣି ସେ ହିଂସାରେ ଜଳିଯାଉଛି । ସତେ ଯେପରି ମୁଁ ରାଣୀ ହେଲେ ଏହାର ଦଶ ପଚାଶ ଖର୍ଚ୍ଚ ହୋଇଯିବ ? କୋଉ ମା’ ପେଟର ଭଉଣୀ କି ? ଲେଖାଯୋଖାରେ ଭଉଣୀ । ଘରକୁଘର ଲାଗିଛି ବୋଲି ନିତି ଦୁଇଓଳି ମୁହଁ ଦେଖାଦେଖି । ନହେଲେ ସେ କିଏନା ମୁଁ କିଏ ?’’

 

ଅଧା ହିନ୍ଦି ଓ ଅଧା ବଙ୍ଗଳା ଭାଷାରେ ରିକ୍ସାବାଲା କହିଲା, ‘‘ମା, ହୋଟେଲ ପହଞ୍ଚିଲା-।’’

 

ତମିସ୍ରା ଅଧୁଲିଟିଏ ରିକ୍ସାବାଲା ହାତକୁ ବଢ଼ାଇଦେଇ ଉପରକୁ ଉଠିଗଲା ।

 

ଦ୍ୱାରା ପାଖରେ ଛିଡ଼ା ହୋଇଥିଲେ ଜୀବନବାବୁ । ସେ ତମିସ୍ରାକୁ ଦେଖି ଭୋ ଭୋ ରଡ଼ିପାରି କହିଲେ, ‘‘ମା’ ଲକ୍ଷ୍ମୀ ମୋର ! ଏକା ଫେରିଆସିଲୁ ? ମୋର ଶୁଭେନ୍ଦୁ କାହିଁ ?’’

 

ତମିସ୍ରା କ’ଣ ଉତ୍ତର ଦେଇ ଶଶୁରଙ୍କୁ ପ୍ରବୋଧ ଦେବ ଏହା କେବଳ ସେତେବେଳେ ସେ ଚିନ୍ତା କରୁଥିଲା ।

 

ପୁଅର ଦେହ ଖରାପ ହେବା ଦିନ ପାଖରୁ ଜୀବନବାବୁଙ୍କୁ ଆଉ ଅନେଇ ହେଉ ନାହିଁ । ତାଙ୍କର ମୁଖମଣ୍ଡଳ ଶୁଖିଯାଇଥିଲା । ତାଙ୍କୁ ଦେଖିଲେ ମନେହେଉଥିଲା ସତେ ଯେପରି ଗୋଟାଏ ମୁର୍ଦାର ଜୀବନ୍ୟାସ ପାଇ ମଶାଣିରୁ ଏଇ ମୁହୂର୍ତ୍ତରେ ଉଠି ଆସିଅଛି ।

 

ଏକମାତ୍ର ପୁତ୍ରର ଏ ଦୁରବସ୍ଥା ଦେଖି କେଉଁ ବାପ ଧୈର୍ଯ୍ୟ ଧରି ରହିପାରିଛି ଯେ ଜୀବନବାବୁ ଧୈର୍ଯ୍ୟ ଧରି ରହିବେ ? ବର୍ତ୍ତମାନ ତାଙ୍କର ଆଶା ଓ ଭରସାର ଏକମାତ୍ର ମଣିଷ ହେଉଛି ଏହି ତମିସ୍ରା ।

 

ତମିସ୍ରା ତାଙ୍କର ପୁତ୍ରବଧୂ ନୁହେଁ ଅଥବା କନ୍ୟା ନୁହେଁ । ତାଙ୍କ ଆଖିକୁ ଜଣାପଡ଼ୁଥିଲା ସେ ହେଉଛି ତାଙ୍କର ଜନନୀ ଓ ନିଜେ ଜୀବନବାବୁ ହେଉଛନ୍ତି ତାଙ୍କର ଗୋଟିଏ ଅବାଧ୍ୟ ପୁତ୍ର ।

 

ତମିସ୍ରା ଶଶୁରଙ୍କୁ ପ୍ରବୋଧ ଦେଇ କହିଲା, ଆପଣ ନିଶ୍ଚିନ୍ତ ହୁଅନ୍ତି । ସେ ନିଶ୍ଚୟ ଭଲ ହୋଇଯିବେ । ଦେଶରେ ଧର୍ମ ଅଛି । ଧର୍ମଠାରୁ ଆଉ କୌଣସି ଜିନିଷ ବଡ଼ ନୁହେଁ । ଆମ୍ଭେମାନେ ଯଦି ଧର୍ମରେ ଥିବୁ, ନ୍ୟାୟକୁ ଆଖିଆଗରେ ରଖି ବାଟ ଚାଲୁଥିବୁଁ ତେବେ ନିଜେ ଭଗବାନ ଆସି ଆମକୁ ଉଦ୍ଧାର କରିବେ । ସେ ସବୁବେଳେ ଅନାଥର ନାଥ ଓ ନିରାଶ୍ରୟର ଆଶ୍ରୟସ୍ଥଳ।’’

 

ଜୀବନବାବୁ ଥିଲେ ଭିନ୍ନ ପ୍ରକୃତିର ମଣିଷ । ସେ ପୂରାପୂରି ନାସ୍ତିକ ନଥିଲେ ମଧ୍ୟ ଖୁବ୍ ଅଳ୍ପ ପରିମାଣରେ ଭଗବାନଙ୍କ ସ୍ଥାୟିତ୍ୱ ଉପଲବ୍ଧି କରନ୍ତି । ତେଣୁ ସେ କେବେ ଭୁଲରେ ଭଗବାନ କହି ନମସ୍କାରଟିଏ ହୁଅନ୍ତି ନାହିଁ । ସେ ସବୁବେଳେ କହୁଥିଲେ ଯାହା ହେବାର ଅଛି ତାହା ନିଶ୍ଚୟ ହେବ । ତାକୁ ଏଡ଼ିଦେବାକୁ ଶକ୍ତି କାହାରି ନାହିଁ ।

 

ଶୁଭେନ୍ଦୁଙ୍କ ଦେହ ଖରାପ ହେବା ଦିନଠାରୁ ସେ ତାଙ୍କର ମତ ପରିବର୍ତ୍ତନ କରି ସାରିଥିଲେ । ପ୍ରତିଦିନ ସକାଳୁ ମୁହଁ ଧୋଇଦେଇ ଆରମ୍ଭ କରୁଥିଲେ–

 

‘‘ତୁମେ ହେ କରାଳ କାଳ !

ନିମିଷକେ କର ସର୍ବ ଜନ୍ତୁଙ୍କୁ ସଂହାର ।

ତୁମ ଗର୍ଭେ ହେ ହିରଣ୍ୟ ଗର୍ଭ !

କ୍ଷଣକେ ଏ ସାରା ବିଶ୍ୱ ଲଭଇ ବିଲୟ ।’’

 

ବଳ ଓ ବୟସ ଚାଲିଯିବା ସଙ୍ଗେ ସଙ୍ଗେ ମଣିଷର ମନ ବଳ କ୍ରମେ କ୍ରମେ ଲୋପ ପାଇଯାଏ । ସେତେବେଳେ ସେ ସମସ୍ତଙ୍କଠାରୁ ଦୟା ଓ ସ୍ନେହ ଆଶା କରେ । ଏହି ପରିସ୍ଥିତି ଯେତେ ପାଖେଇ ଆସୁଥାଏ ମଣିଷ ନିଜକୁ ଭଗବାନଙ୍କ ପାଖରେ ସେତେ ସମର୍ପଣ କରିଦେଇଥାଏ । ସେତେବେଳେ ସେ ମନେକରେ ଈଶ୍ୱର ହିଁ ସର୍ବଶକ୍ତିମାନ୍ । ସବୁ ଶକ୍ତି ତାଙ୍କ ପାଖରୁ ଉଦ୍ଭବ ହୋଇ ପୁଣି ତାଙ୍କ ପାଖରେ ଲୀନ ହୋଇଯାଏ ।

 

ନିଜର ଶକ୍ତି ଉପରେ ମଣିଷର ଯେତେବେଳେ ଆସ୍ଥା ରହେ ନାହିଁ ସେତେବେଳେ ସେ ବାଧ୍ୟହୋଇ ସେହି ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ଭିକ୍ଷା କରି କହେ-

 

‘‘ହାତ ଧରି ବାଟ କଢ଼ାଇ ନିଅ ହେ

ପଥବଣା ପେନ୍ଥା ଡାକୁଛି ।’’

 

ପୁଣି ଜୀବନବାବୁ ତମିସ୍ରାକୁ ପଚାରିଲେ, ‘‘ମୋର ଶୁଭେନ୍ଦୁକୁ କେଉଁଠାରେ ଛାଡ଼ିଦେଇ ଆସିଲୁ ?’’

 

ହଠାତ୍ ତମିସ୍ରା କୌଣସି ଜବାବ୍ ଦେଇପାରିଲା ନାହିଁ । କିଛିକ୍ଷଣ ପରେ ସେ ହୃଦୟର କୋହ ଚାପି କହିଲା, ‘‘ବାବା ! ଭଗବାନଙ୍କୁ ଡାକ । ସେ ତାଙ୍କୁ ନିଶ୍ଚୟ ଭଲ କରିଦେବେ ।’’

 

ଜୀବନବାବୁଙ୍କ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ଆସିଲା ।

 

ତମିସ୍ରା କହିଲା, ‘‘ଅନ୍ଧକାର ପରେ ଆଲୋକ ଆସେ । ତେଣୁ ଅନ୍ଧକାରକୁ ଭୟ କରିବା ଅନୁଚିତ । ସମୟ ତା’ର କାମ କରିଯିବ । ଆମ୍ଭେମାନେ କେବଳ ଧୈର୍ଯ୍ୟଧରି ସବୁ ସହିଯିବୁଁ । ଆପଣ ମୋଟେ ଭାଜିପଡ଼ନ୍ତୁ ନାହିଁ । ମନର ବଳ ନଷ୍ଟ ହୋଇଗଲେ ମଣିଷର ସବୁ ନଷ୍ଟ ହୋଇଯାଏ । ଆମ୍ଭେମାନେ ଯଦି କେବେ ନିଜ ଉପରୁ ବିଶ୍ୱାସ ହରାଇ ବସୁଁ ଆମର ପତନ ଅନିବାର୍ଯ୍ୟ ।’’

 

ଆଖିରୁ ଲୁହ ପୋଛିଦେଇ ଜୀବନବାବୁ ଫିକା ହସଟିଏ ହସିଦେଇ କହିଲେ, ‘‘ତୁ ଯେତେବେଳେ ମୋର ଅଛୁ ମୁଁ କୌଣସି କଥାକୁ ମୋଟେ ଭ୍ରୂକ୍ଷେପ କରେ ନାହିଁ । ତଥାପି ବେଳେବେଳେ ମୋର ମନଟା ଏତେ ଦୁର୍ବଳ ହୋଇଯାଏ ଯେ କୌଣସି ଜିନିଷ ଉପରେ ଆଉ ଆସ୍ଥା ରହେ ନାହିଁ । ଯେଉଁ ଘରେ ତୋ ଭଳି ସତୀ ସାବିତ୍ରୀ ସ୍ତ୍ରୀ ରହିଛି ସେ ଘରେ ଅମଙ୍ଗଳ ମୋଟେ ପଡ଼ିବ ନାଇଁ । ଏ ବିଶ୍ୱାସ ମୋର ଅଛି । କିନ୍ତୁ.....’’

 

‘‘କିନ୍ତୁ କ’ଣ ବାବୁ !’’ ଅଧୀର ହୋଇ ପଚାରିଲା ତମିସ୍ରା ।

 

‘‘ନା, କିଛି ନୁହେଁ । କହୁ କହୁ କ’ଣ କହିଯାଉଥିଲି ।’’ ଏତିକି କହି ଗୋଟାଏ ଦୀର୍ଘଶ୍ୱାସ ପକାଇ ଜୀବନବାବୁ ତାଙ୍କର ବକ୍ତବ୍ୟ ଶେଷ କରିଦେଲେ ଏବଂ ଲୁହ ପୋଛି ଘର ଭିତରକୁ ପଶିଗଲେ ।

 

ପାରାପେଟ୍‍କୁ ଭରାଦେଇ ଛିଡ଼ା ହୋଇଥିଲା ତମିସ୍ରା । ପୁଣି ତା’ର ମନେପଡ଼ିଲା ସେହି ସନ୍ନ୍ୟାସୀଙ୍କର କଥା ।

ସନ୍ନ୍ୟାସୀ ତାକୁ ଦେଖିଲାମାତ୍ରେ କହିଥିଲେ, ‘‘ଏହି ଝିଅ ରାଜରାଣୀ ହେବ । କିନ୍ତୁ.....’’

 

ସନ୍ନ୍ୟାସୀ ଯେଉଁ କିନ୍ତୁ ଶବ୍ଦଟି ଉଚ୍ଚାରଣ କରିଥିଲେ ସେହି ଶବ୍ଦଟିର ଅର୍ଥ ଆଜିଯାଏ କେହି ବୁଝିପାରିଲେ ନାହିଁ । ସେହି ‘କିନ୍ତୁ’ ଶବ୍ଦଟି ଆଜିଯାଏ ତମିସ୍ରା ପାଖରେ ‘କିନ୍ତୁ’ ହୋଇ ରହିଯାଇଛି । ଯେଉଁ ଜିନିଷଟି ଅବୋଧ ହୋଇ ରହିଯାଏ ସେହି ଜିନିଷଟିକୁ ବୁଝିବାକୁ ମଣିଷ ଆପ୍ରାଣ ଚେଷ୍ଟା କରେ । ଯେଉଁ ଜିନିଷଟି ମୋଟେ ସହଜରେ ମିଳେନାହିଁ ସେହି ଜିନିଷକୁ ଆଶାରଖିବା ଅନ୍ୟାୟ ନୁହେଁ କି ? ଏ କଥା ସମସ୍ତେ ବୁଝି ସୁଦ୍ଧା ଅବୁଝା ହୋଇପଡ଼ନ୍ତି ।

 

ସନ୍ନ୍ୟାସୀ ଯେଉଁ ପଥରେ ଆସିଥିଲେ ସେହି ପଥରେ ସେ ଫେରିଗଲେ । ମାତ୍ର ନିୟତିର ନିର୍ମମ ଉପହାସକୁ ସହ୍ୟ କରିବା ପାଇଁ ସେ ତମିସ୍ରାର ଅଜ୍ଞାତସାରରେ ଯେଉଁ ନିର୍ଦ୍ଦେଶ ଦେଇଯାଇଥିଲେ ତାହା ଆଜି ତମିସ୍ରା ଅକ୍ଷରେ ଅକ୍ଷରେ ପାଳନ କରୁଅଛି ।

 

ଯେଉଁଦିନ ତମିସ୍ରା ହାତେ ଲମ୍ବର ଓଢ଼ଣା ଟାଣି ନବବଧୂ ବେଶରେ ଶଶୁର ଘରେ ପାଦ ପକାଇଲା ସେହି ଦିନ ଓଢ଼ଣୀ ତଳୁ ତା’ର ମୁହଁଟି ଦେଖିପାରି ଶାଶୁ ମୁହଁ ଫେରାଇନେଇ ମୁହଁ ମୋଡ଼ିଦେଇ କହିଲେ, ‘‘ଦେଖୁଛ କ’ଣ ? ପୁଅକୁ ଚାହିଁ ବୋହୂ ହେଲା ନାହିଁ । ମୋର ରଜାଭଳି ପୁଅକୁ ଏ ବୋହୂ କୋଉଁ ଆଡ଼କୁ ପାଏ ?’’

 

ପଡ଼ିଶା ଘର ଛାୟା ମାଆ କହିଲା, ‘‘ଦେଖିଚାହିଁ ତ କରିଛ, ଏତେବେଳେ ବାହୁନି ବସିଲେ ଲାଭ କ’ଣ ହେବ ? କେବଳ ପୁଅ ଓ ବୋହୂ ମନରୁ ଯିବା କଥା ।’’

 

କନକ ଦେବୀ ଦୁଇହାତ ଧର୍ମ ଉଦ୍ଦେଶ୍ୟରେ ଉପରକୁ ଟେକିଦେଇ କହିଲେ, ‘‘ମୁଁ ଯଦି ଜାଣିଥିବି କି ଶୁଣିଥିବି ତେବେ ମୋ ହାତ ଗୋଡ଼ ଛିଡ଼ିପଡ଼ିବ । ଗୋଟିଏ ବୋଲି ପୁଅ । ଯଦି ଆଗରୁ ଜାଣିଥାନ୍ତି ବୋହୂର ରୂପ କେନ୍ଦୁକାଠ ପରି ଗୋରା ତେବେ ମୋ ପୁଅ ପଛେ ଅଭିଆଡ଼ା ହୋଇ ରହିଥାନ୍ତା କେବେ ବିଭା କରାଇନଥାନ୍ତି । ତାଙ୍କୁ ପଚାରିଲି । ସେ କହିଲେ ଯେ ଘରକୁ ଆସିବ ସେ ହେବ ବୋହୂ । ଶାସ୍ତ୍ର କହେ କୁଳକନ୍ୟା କଳା ହେଲେ ମଧ୍ୟ କ୍ଷତି ନାହିଁ । ଏମିତି କେତେ କ’ଣ ଶାସ୍ତ୍ରପୁରୁାଣର ଦାୟିକା ଦେଇ ମୋତେ ବୁଝାଇଦେଲେ ଯେ ମୁଁ ବୁଝିଗଲି । କିନ୍ତୁ ଦେଖିଲା ବେଳକୁ ଆଖି ଆପେ ଆପେ ଫେରିଆସୁଅଛି ।

 

କନକ ଦେବୀଙ୍କ କଥା ଶୁଣି ଛାୟା ମାଆ ରାମ କି ବିଷ୍ଣୁ ବୋଲି ପାଟିଖୋଲି କିଛି କହିଲା ନାହିଁ । ସେ ବି ଦିନେ ଏଇମିତି ଅପମାନ ତା’ ନିଜ ଦେହରେ ନିଜେ ଲିଭାଇଛି ।

 

ସେ ସବାରୀରୁ ଗୋଡ଼ କାଢ଼ୁଣୁ ନ କାଢ଼ୁଣୁ ତା’ ଶାଶୁ ପାଟିକରି କହିଥିଲେ, ‘‘ଯେ ପଇସା ଲୋଭରେ କାଳି କନିଆ କରି ଆଣିଛି ସେ ଦୋହରା ଘର କରି ପୁଅ ବୋହୂଙ୍କୁ ନେଇ ରହୁ । ମୋର ଚନ୍ଦ୍ରମା ଭଳି ପୁଅକୁ ଏ ରାହୁ ରଙ୍ଗର ବୋହୂ କ’ଣ ଶୋଭାପାଏ ? କପାଳ ତଳେ ଯାହାର ଆଖି ନ ଥାଏ ସେ ଏହିଭଳି ବୋହୂ ଖୋଜି ଖୋଜି ବିଭା କରାଏ ପୁଅକୁ ।’’

 

କନକ ଦେବୀଙ୍କ କଥା ଶୁଣି ମନେମନେ ବେଶି ହସିଲା ଛାୟା ମାଆ । ତା’ର ରୂପ ଦେଖି ତା’ ଶାଶୁ ମଧ୍ୟ ଦିନେ ନାକଟେକି କହିଥିଲେ, ‘‘ପୁଅ ମନକୁ କ’ଣ ପାଇବ ଯେ ପୁଅ ଏ ବୋହୂକୁ ନେଇ ଘର କରିବ ?’’ ଶାଶୁ କଥା କ’ଣ ରହିଲା ? ଗୋଟିଏ ବର୍ଷ ପୂରିଛି କି ନାହିଁ ଚାହୁଁ ଚାହୁଁ ସେ ହେଲା ପୁଅର ମା’ ।

 

ଯେଉଁ ଶାଶୁ ଦିନେ କହିଥିଲେ ଏ ବୋହୂ ପୁଅ ମନକୁ ଯିବ ନାହିଁ, ସେହି ଶାଶୁ ପୁଣି ଗୋଡ଼ ଲମ୍ବାଇ ନାତିକୁ କୋଳରେ ବସାଇ ଗୀତ ଗାଇଲେ–

 

‘‘ଝୁଲରେ ହାତୀ ଝୁଲ୍

ବା’ ପାଣି ଖାଇ ଫୁଲ୍ ।’’

 

ରୂପ, ଅରୂପର ବାଛବିଚାର ଯେତେ ସ୍ତ୍ରୀମାନେ କରନ୍ତି ପୁରୁଷ ସେତେ କରିପାରେ ନାହିଁ-। ପୁରୁଷ ଯଦି ଏହା କରୁଥାନ୍ତା ତେବେ ସେ ଚାହୁଁ ଚାହୁଁ ଛଅଟି ସନ୍ତାନର ଜନନୀ ସାତବର୍ଷ ମଧ୍ୟରେ ହୋଇପାରିନଥାନ୍ତା । ତେଣୁ ଛାୟା ମାଆ ମନେମନେ ସିଦ୍ଧାନ୍ତ କରିନେଇଥିଲା ଯେ ପୁରୁଷର ମନ ସ୍ତ୍ରୀର ମନ ପରି ଚଞ୍ଚଳ ନୁହେଁ । ସ୍ତ୍ରୀର ମନ ଚଞ୍ଚଳ ହୋଇଥିବା ହେତୁ ସ୍ତ୍ରୀକୁ ଲୋକେ ଚଞ୍ଚଳା ବୋଲି କହନ୍ତି ।

 

ଛାୟା ମାଆ ମନକୁମନ ଜିଭ କାମୁଡ଼ି ପକାଇ ମନେମନେ କହିଲା ମୋତେ ଯା ମରଣ ହେଉନାହିଁ ! କେଉଁ କଥା ଭାବୁ ଭାବୁ କେଉଁ କଥା ଭାବିଗଲାଣି । ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପରା ଚଞ୍ଚଳା ବୋଲି କୁହାଯାଏ ?

 

ପୁଣି ସେ ଭାବିବାକୁ ଲାଗିଲା ଲକ୍ଷ୍ମୀ ହେଲେ କ’ଣ ହେଲା ? ଠାକୁର ଦେବତା ହେଲେ ବି ସେ ତ ଜଣେ ସ୍ତ୍ରୀ ! ଜଗତରେ ଯେଉଁଠାରେ ଯେତେ ସ୍ତ୍ରୀ ଅଛନ୍ତି ସବୁ ସ୍ତ୍ରୀର ମନ ଏକ, ଭାବନା ଏକ ଏବଂ ଦୁଷ୍ଟିକୋଣ ମଧ୍ୟ ଏକ । ମଣିଷର ମନ ଯାହା, ଦିଅଁ ଦେବତାଙ୍କ ମନ ମଧ୍ୟ ସେୟା ।

 

ମନ ମାନିଲା ବୋଲି ତ ବୃହସ୍ପତି ସ୍ତ୍ରୀ ତାରା ଚନ୍ଦ୍ର ସଙ୍ଗେ ପ୍ରଣୟ ରଚନା କରିଥିଲେ । ଏହି କଥା ଯଦି ମିଛ ହୋଇଥିବ ତେବେ ଶାସ୍ତ୍ର ପୁରାଣ ସବୁ ମିଛ । ଦଉଡ଼ି ଦୁଇହାତ ଯଦି ନ ମିଳିଲା ତେବେ ଦୂବ ଦୁଇ କେରା କ’ଣ ତାକୁ ମିଳିଲା ନାହିଁ ଯେ ସୁନ୍ଦର ରୂପ ଦେଖିଲା ମାତ୍ରେ ପାତ୍ର ଅପାତ୍ର ଭୁଲି ପୁଅଭଳି ନିର୍ବୋଧ ପିଲାଟା ସଙ୍ଗେ ରଙ୍ଗ ରସରେ ମାତି କାଳ କାଳକୁ ସ୍ତ୍ରୀଙ୍କ ଚରିତ୍ରରେ କଳଙ୍କ ବୋଳିଲା ?

 

ଧନ୍ୟ ସେ ସ୍ତ୍ରୀ ! ଆଉ ତା’ ହାତ ଯେ ଧରିଛି ସେ ପୁରୁଷକୁ ମଧ୍ୟ ଧନ୍ୟ କୁହାଯାଏ । ଦେବ ଗୁରୁହୁଅନ୍ତୁ କି ନିଜେ ବିଦ୍ୟା ବାଗୀଶ ହୁଅନ୍ତୁ ତଥାପି କିମିତି ସେ ସହିଲେ ? ସୁନ୍ଦରୀ ସ୍ତ୍ରୀ ଦେଖିଲେ ପୁରୁଷ ବୋଧହୁଏ ସବୁ ଭୁଲିଯାଏ । ସୁନ୍ଦରୀ ସ୍ତ୍ରୀର ରୂପରେ ଯାଦୁ ଅଛି । ଏଣୁ ସୁନ୍ଦରୀ ସ୍ତ୍ରୀକୁ ଦେଖିଲେ ଅସୁନ୍ଦର ପୁରୁଷର ବୁଦ୍ଧି ବିବେକ ସବୁ ହଜିଯାଏ । ତେଣୁ ସ୍ତ୍ରୀ ଯାହା କରେ ସେ ବିଚରା ମଥାପାତି ସହିଯାଏ ।

 

ଛାୟା ମାଆ ଏମିତି କେତେ କ’ଣ ଭାବି ଯାଉଥିଲା । ସେ ଯେତେବେଳେ ସୁନ୍ଦରୀ ନୁହେଁ ତେଣୁ ସୁନ୍ଦରୀ ସ୍ତ୍ରୀଙ୍କୁ ଦେଖିଲେ ସେ ହାଡ଼େହାଡ଼େ ଚିଡ଼େ । ପୁଣି ଯେଉଁ ଚହଟ ସୁନ୍ଦରୀମାନେ ଅସୁନ୍ଦର ପୁରୁଷର ହାତ ଧରିଥାଆନ୍ତି, ସେମାନଙ୍କ ସମ୍ବନ୍ଧରେ ଗୋଟାଏ ଲମ୍ବା ଚଉଡ଼ା ଟିପ୍ପଣୀ ବାଢ଼ି କହେ, ‘‘ସୁବିଧା ନ ପାଇବା ହେତୁ ସେମାନେ ସତୀ ବୋଲାଉଛନ୍ତି । ଟିକିଏ ସୁବିଧା ପାଇଲେ ସେମାନେ ମହାସତୀ ସାଜିବେ ନାହିଁକି ?’’

 

ଅସୁନ୍ଦରୀଙ୍କ ସମ୍ବନ୍ଧରେ ତା’ର ଧାରଣା ଅତି ମହତ ଥିଲା । ତା’ କହିବାନୁସାରେ ଅସୁନ୍ଦରୀମାନେ ମୋଟେ ବିଟପୀ ନୁହନ୍ତି । ସେମାନଙ୍କର କେଉଁ ରୂପ ଅଛି ଯେ ପୁରୁଷ ମନକୁ ଆକର୍ଷଣ କରିବେ ? ତେଣୁ ସେମାନେ ବାଧ୍ୟହୋଇ ନିଷ୍କପଟ ହୃଦୟରେ ସ୍ୱାମୀଙ୍କୁ ଭଲପାଆନ୍ତି ଏବଂ ସ୍ୱାମୀର ମନରକ୍ଷା ପାଇଁ ସେମାନେ ନିଜକୁ ସର୍ବୋତ ଭାବେ ଉତ୍ସର୍ଗ କରିଦିଅନ୍ତି । ମାତ୍ର ସୁନ୍ଦରୀ ସ୍ତ୍ରୀ ନିଜର ରୂପ ଗର୍ବରେ ଏତେ ଫୁଲିଯାଏ ଯେ ସେ ହୃଦୟ ଦେଇ କାହାକୁ ଭଲପାଏ ନାହିଁ-

 

ଛାୟା ମାଆ ନିଜ କଥାରୁ ନିଜେ ବୁଝିଥିଲା । ସେ ସ୍ୱାମୀଙ୍କୁ ମନପ୍ରାଣ ଦେଇ ଭଲପାଉଥିଲା ବୋଲି ସ୍ୱାମୀ ତା’ର ମନ ବୁଝି ସାତବର୍ଷରେ ଛଅ ଗୋଟି ସନ୍ତାନର ଜନନୀ ହେବାର ସୁବିଧା ତାକୁ ଦେଇଛନ୍ତି । ସ୍ୱାମୀ ସଙ୍ଗେ ଏକ ମନ, ଏକ ପ୍ରାଣ ନହେଲେ ନାରୀ ଭାଗ୍ୟବନ୍ତ ସନ୍ତାନର ଜନନୀ ହେବାର ସୁବିଧା ପାଏ ନାହିଁ ବୋଲି ଏହି ଦୃଢ଼ ଧାରଣା ଛାୟା ମାଆର ମନରେ ଥିଲା ।

 

ଏହି କଳିକାଳକୁ ସରକାର ଗାଁକୁ ଗାଁ ଡାକ୍ତର ପଠାଇ କେତେ କ’ଣ କରିପାରିଲେ । ତା’ ନ ହୋଇଥିଲେ ଅଙ୍ଗୁଳି ଗଣତି ଛାୟାକୁ ମିଶାଇ ତା’ର ଏତେବେଳକୁ ଅତି କମରେ ଦେଢ଼ ଡଜନ୍ ହୋଇନଥାନ୍ତେ କି ?

 

ଛାୟା ମାଆ ଥିଲା କନକ ଦେବୀଙ୍କ ସମବୟସୀ । ସେ ତମିସ୍ରା ମଥାରୁ ଓଢ଼ଣାଟି କାଢ଼ିଦେଇ କହିଥିଲା, ଏତେଦିନ ପରେ ଏ ଘରକୁ ବିଜେ କଲେ ନିଜେ ମହାଲକ୍ଷ୍ମୀ । ଦେଖୁନ ଶୁଭବୋଉ ବୋହୂର ଗୋଡ଼ ତଳିପାକୁ ? ଆଙ୍ଗୁଳି ନୁହେଁ ତ ସାକ୍ଷାତ ଚମ୍ପାକଢ଼ି । ଗୋଡ଼ ଦେଖିଦେଲେ ତ ଜଣାପଡ଼ିବ । ମୁହଁକୁ ଅନାଉଛି କିଏ ?

 

ଆସନ୍ତା ବର୍ଷକୁ ପୁଅ କି ଝିଅ । ଅଣ୍ଟା ସଳଖ କରିଥାଅ । କୋଳରେ ଧରି ଗାଇବ–

 

ଆରେ ଜହ୍ନମାମୁ ଶରଗ ଶଶୀ

ମୋ କାହ୍ନୁ ତୋ ସାଥେ ଖେଳିବ ମିଶି ।

 

ଛାୟା ମାଆର କଥା ଶୁଣି କନକ ଦେବୀ ମୁହଁ ବୁଲାଇନେଲେ ଏବଂ କହିଲେ, ‘‘ଗୋଦରୀ କାହା ପ୍ରଶଂସା କରୁଛି, ନା ଆଉ ଗୋଟାଏ ଗୋଦରୀର ପ୍ରଶଂସା ଗାଉଛି ।’’

 

ଛାୟା ମାଆର କଲିଜାରେ ଯେପରି ଛୁରି କିଏ ଚଳାଇଦେଲା ତାକୁ ସେହିପରି ଜଣାଗଲା । ତଥାପି ମନ ମହତ୍ତ୍ୱକୁ ଜଗି ସେ ଉଭୟଙ୍କ ମର୍ଯ୍ୟାଦା ରକ୍ଷା କରି ହସି ହସି କନକ ଦେବୀଙ୍କ କାନପାଖରେ କହିଲା, ‘‘କାଳୀଙ୍କ ପ୍ରେମ ସିନ୍ଧୁରେ ଥରେ ବୁଡ଼ିଲେ ପୁରୁଷ ଆଉ ଅନ୍ୟ କାହାକୁ ମୁହଁଟେକି ଅନାଇବାକୁ ସମୟ ପାଏ ନାହିଁ । ଦେଖୁନ ସାତ ବରଷରେ ଛଅ । ଏଥିରୁ ବୁଝ କାଳୀଙ୍କ ଗୁଣ ଗୌରବ । ତୁମୋ ଗୋରା ତକତକ ରୂପ ତୁମକୁ ସାଜେ । ତୁମର ଦେହଟା ତୁମ ଆଖିରେ ବଡ଼ । ତେଣୁ ସ୍ୱାମୀଙ୍କୁ ତୁମେ ନିଜ ଇଛା ବିରୁଦ୍ଧରେ ଦେଖାଇହେବାକୁ ଭଲପାଇବା ହେତୁ କେବଳ ଶୁଭେନ୍ଦୁଟିଏ । ବୁଝିଲ, କାଳୀ କାଳୀ କହି ନାକ ଟେକୁଛ କ’ଣ ?’’

 

ଛାୟା ମାଆ ତା’ର ବକ୍ତବ୍ୟ ଶେଷ କରିଦେଇ ପ୍ରଥମେ ହୁଳହୁଳି ପକାଇ ସବାରୀରୁ ଓହ୍ଲାଇ ତମିସ୍ରାକୁ ଘରକୁ ଆଣିଥିଲା ବୋଲି ତମିସ୍ରା ଶାଶୁ ଅପେକ୍ଷା ଛାୟା ମାଆକୁ ନୂଆ ନୂଆ ଅଧିକ ଭଲପାଉଥିଲା ।

 

-ଦୁଇ-

 

ରାତି ପାହିଲେ ଶନିବାର । ଆଖି ଲୁହରେ ଛଅ ଗୋଟି ଦିନ ତମିସ୍ରା ବିଦାୟ ଦେଇସାରି ଆସନ୍ତା କାଲିକୁ ସତୃଷ୍ଣ ନୟନରେ ଅପେକ୍ଷା କରିଥାଏ । ସେ କାଲି ଡାକ୍ତରଖାନାକୁ ଯାଇ ତାର ହୃଦୟର ଦେବତାଙ୍କୁ ନୟନ ପୂରାଇ ଦେଖିବ । ଅନ୍ତରର ସମସ୍ତ ବ୍ୟଥା ସେ ତାର ପଦ ତଳରେ ଓଜାଡି ଦେବ । କିନ୍ତୁ ଦେବତା ତାର ଅନ୍ତରର ଭାଷା ବୁଝି ପାରିବେ କି ?

 

ଶୁଭେନ୍ଦୁ ବର୍ତ୍ତମାନ ସେଦିନର ଶୁଭେନ୍ଦୁ ହୋଇ ରହିନାହିଁ । ସେ ବର୍ତ୍ତମାନ ପୂର୍ଣ୍ଣମାତ୍ରାରେ ବିକୃତ ମସ୍ତିସ୍କ । ସେ ନିଜ ସମ୍ବନ୍ଧରେ ଚିନ୍ତା କରିବାକୁ ଅକ୍ଷମ ସେ ଅପରକୁ ବୁଝିବାକୁ କ୍ଷମ ହେବ କୁଆଡ଼ୁ ?

 

ଶୁଭେନ୍ଦୁ ତମିସ୍ରାକୁ ବୁଝିନପାରୁ ସେଥିରେ ତମିସ୍ରାର ଦୁଃଖ ନାହିଁ । ଦେବତା ସାଧକର ଗୁହାରି ନ ଶୁଣିଲେ ସାଧକ କ’ଣ ଦେବତା ପାଖରୁ ଫେରିଆସେ ? ସାଧକ କ’ଣ ତା’ର ମନପ୍ରାଣ ଢାଳି ଦେବତାର ସ୍ତୁତିଗାନ କରେ ନାହିଁ ?

 

ତମିସ୍ରାର ଏକମାତ୍ର ଦେବତା ହେଉଛି ଶୁଭେନ୍ଦୁ । ଶୁଭେନ୍ଦୁ ବ୍ୟତୀତ ସେ ଅନ୍ୟ ଦେବତାକୁ ଜାଣେ ନାହିଁ । କାଠ ପଥରର ଦେବତାଠାରୁ ରକ୍ତ ମାଂସରେ ଗଢ଼ା ଏହି ଶୁଭେନ୍ଦୁ କ’ଣ ତମିସ୍ରା ପାଖରେ ବଡ଼ ନୁହେଁ ? ଶୁଭେନ୍ଦୁର ସ୍ନେହ କ’ଣ ଦେବତାର ଆଶୀର୍ବାଦ ଅପେକ୍ଷା ଶ୍ରେଷ୍ଠ ନୁହେଁ ?

 

ଯେଉଁ ଶୁଭେନ୍ଦୁକୁ ସେ ମନପ୍ରାଣ ଢାଳି ସ୍ନେହ କରୁଥିଲା ଓ ଯାହାର ଛାତି ତଳରେ ଶୋଇ ରହି ସେ ସ୍ୱର୍ଗସୁଖକୁ ଧିକ୍କାର କରୁଥିଲା ସେ ଆଜି ପାଗଳ ହୋଇଗଲା ବୋଲି ସେ କ’ଣ ତାକୁ ଅବହେଳା କରିବ ? ତାକୁ ହତାଦର କରିବ ?

 

ସ୍ତ୍ରୀ କ’ଣ କେବଳ ସ୍ୱାର୍ଥ ପାଇଁ ସ୍ୱାମୀକୁ ଭଲପାଏ ? ଅସ୍ଥି, ମେଦରେ ଗଢ଼ା ଶରୀରର କ୍ଷୁଧା ନିବାରଣ ପାଇଁ ସେ କ’ଣ ସ୍ୱାମୀର ସାହାଚର୍ଯ୍ୟ ଲୋଡ଼େ ? ସ୍ନେହ, ପ୍ରେମ, ଦୟାର ଅର୍ଥ କ’ଣ ସ୍ତ୍ରୀ ବୁଝେ ନାହିଁ ?

 

ତମିସ୍ରା ନିଜର ସ୍ୱାର୍ଥ ପାଇଁ, ନିଜର ଦେହ ପାଇଁ କିମ୍ବା ନିଜର ସାମାଜିକ ପ୍ରତିଷ୍ଠା ପାଇଁ ଶୁଭେନ୍ଦୁକୁ ଭଲ ପାଉନଥିଲା । ସେ ତା’ର ଅନ୍ତରର ସମସ୍ତ ସ୍ନେହ ଅଜାଡ଼ିଦେଇ ନିଷ୍କପଟ ହୃଦୟରେ ସ୍ୱାମୀଙ୍କୁ ସୁଖ ପାଉଥିଲା । ସ୍ୱାମୀଙ୍କ ଦେହରେ ଫୁଲଟିଏ ପଡ଼ିଲେ ତା’ ଦେହରେ ଫୋଟକା ଯେପରି ହୋଇଗଲା ଏହି କଥା ସେ ଅନୁଭବ କରୁଥିଲା । ସେ ଜାଣିଥିଲା ସ୍ୱାମୀ ତା’ର ସର୍ବସ୍ୱ । ସ୍ୱାମୀ ତା’ର ଇହ ଓ ପରକାଳର ଦେବତା ।

 

ଶୋଇ ଶୋଇ ତମିସ୍ରା ଭାବୁଥିଲା ସ୍ୱାମୀଙ୍କୁ ସନ୍ତୁଷ୍ଟ କରିନପାରି ଯେଉଁ ସ୍ତ୍ରୀ ଦିଅଁ ଦେବତାର ସେବା ଆରାଧନା କରେ; ଗୀତା, ଭାଗବତ ପାଠ କରି ସମୟ ବିତାଇଦିଏ ସେ କ’ଣ ଦେବତାର ସନ୍ଧାନ ପାଏ, ନା ଦେବତା ସିଂହାସନରୁ ଉଠିଆସି ତା’ର ଆଖିରୁ ଲୁହ ପୋଛିଦିଅନ୍ତି ? ବାର ବ୍ରତ କରି, ଉପବାସ ରହି, ରାତି ଅନିଦ୍ରାରେ କଟାଇଦେଇ, ଘିଅ ଦୀପ ଜାଳି, ଠାକୁର ଦେବତାର ଆରାଧନା କଲେ ଠାକୁର କ’ଣ ସନ୍ତୁଷ୍ଟ ହୁଅନ୍ତି ? ଧର୍ମ ନାମରେ କି ବ୍ୟଭିଚାର ଏ ସ୍ତ୍ରୀମାନେ ନ କରନ୍ତି ? ବସୁଧା ଏହା ସହ୍ୟ କରିଛି କିପରି ?

 

ଅନେକ ବ୍ୟଭିଚାର କରି, ଅନେକ ପାପ କରିବା ପରେ ଆତ୍ମାର ଶାନ୍ତି ଯେତେବେଳେ ନଷ୍ଟ ହୋଇଯାଏ ଏହି ମଣିଷ ଦେଖାଇହେବାକୁ ବଳ-ଧାର୍ମିକ ସାଜି ପୁରାଣ ପାଠ କରେ । ମାଳା ତିଳକ ଧରି ହରିନାମ ଗାଏ । ଯେତେ ଯାହା କଲେ ମଧ୍ୟ ନିଜ କୃତ ମହାପାପରୁ ତାକୁ ପରିତ୍ରାଣ ମିଳେ କି ?

 

ମନ୍ଦିର, ମସ୍‍ଜିଦ୍ ଗଢ଼ି ମଣିଷ ବାହାବା ନିଏ । ଧର୍ମଶାଳା ତୋଳାଇ ସେ ବାହାଦୁରି ନିଏ-। କୂଅ, ପୋଖରୀ ଖୋଳାଇ ଅନ୍ୟ ମୁହଁରୁ ନିଜର ପ୍ରଶଂସା ଶୁଣି ଆନନ୍ଦରେ ଆତ୍ମହରା ହେବାକୁ ସେ ଭଲପାଏ । ଏ ସବୁ ଧର୍ମଭାବ କେଉଁଆଡ଼କୁ ପାଏ ? ଏ ସବୁ ଆତ୍ମପ୍ରବଞ୍ଚନା ନୁହେଁ କି-? ଅପରର ନଧ ଅପହରଣ କରି, ଅନ୍ୟ ମୁହଁରୁ ଗ୍ରାସ ଛଡ଼ାଇ ଆଣି, ଅନ୍ୟର ସ୍ୱାଧୀନତା ନଷ୍ଟ କରି ଦାତା ବୋଲାଇବା ଲାଭ କ’ଣ ? ଏସବୁ ଧର୍ମକୁ କେବଳ ଆଖିଠାର ନୁହେଁ କି ?

 

ଅନ୍ତର ନିର୍ମଳ ନହେଲେ ମଣିଷ ଶାନ୍ତିରେ କାଳାତିପାତ କରିପାରେ ନାହିଁ । ଶାନ୍ତି ମଣିଷର ମନରେ ଥାଏ । ଶାନ୍ତି ମନ୍ଦିରକୁ ଗଲେ ମିଳେ ନାହିଁ କିମ୍ବା ଗଙ୍ଗାସ୍ନାନ କଲେ ମିଳେ ନାହିଁ । ଶାନ୍ତି ହେଉଛି ନିତ୍ୟ ସୁଖ । ପାର୍ଥିବ ଦୁନିଆରେ ଶାନ୍ତିରେ ଯେ କାଳାତିପାତ କରେ ପ୍ରକୃତରେ ସେ ହେଉଛି ଦେବତା । ଦେବତାକୁ କେହି ଦେଖିନାହିଁ । ଦେବତାର ବାଣୀ କେହି ଶୁଣିନାହାନ୍ତି କିମ୍ବା ଦେବତାକୁ କେହି ସ୍ପର୍ଶ କରିପାରେ ନାହିଁ ।

 

କିଏ କହେ କାଠ ପଥରକୁ ଦେବତା, କିଏ କହେ ହାତୀ ଘୋଡ଼ାକୁ ଦେବତା ଏବଂ ଆଉ କେହି କେହି କହନ୍ତି ଦେବତାର ଆକାର ନାହିଁ । ସେ ହେଉଛି ନିରାକାର ସ୍ୱାମୀ । ଯେ ତାକୁ ଯେଉଁ ରୂପରେ ଭଜେ ସେ ତାକୁ ସେହି ରୂପରେ ଦେଖାଦିଏ । ଦେବତା ସମ୍ବନ୍ଧରେ ଯଥେଷ୍ଟ ଶୁଣିବାକୁ ମିଳେ । ତାଙ୍କ ବିଷୟରେ ଲେଖା ହୋଇଥିବା ଅନେକ ବହି ମଧ୍ୟ ପଢ଼ିବାକୁ ମିଳେ । ପୁରାଣଶାସ୍ତ୍ର ମଣିଷର ଧର୍ମଗ୍ରନ୍ଥ ନୁହେଁ । ତାହା ଦେବତାର କୀର୍ତ୍ତି ଓ ଅପକୀର୍ତ୍ତିରେ ଭରପୁର ।

 

ଯେଉଁ କଥା ମଣିଷ କହିଲେ ଅନ୍ୟମାନେ ସମାଲୋଚନା କରନ୍ତି ଓ ତା’ର ନିନ୍ଦାଗାନ କରନ୍ତି ସେଇ କଥା ଯଦି ଦେବତା କରେ ତା’ର ସମାଲୋଚନା ନାହିଁ କିମ୍ବା ତା’ର କୁତ୍ସାରଟନା କରିବାକୁ ଲୋକ ମିଳନ୍ତି ନାହିଁ । ବରଂ ଦୁଇହାତ କପାଳରେ ଲଗାଇ ଏହି ମଣିଷ କହେ, ‘‘ଠାକୁରଙ୍କୁ କହିବାକୁ ପୁଣି ସାହସ କାହାର ହେଲାଣି ଯେ ସେ ପୁଣି କହିବ ? ଠାକୁର ଯାହା କରନ୍ତି ତାହା ହେଉଛି ଧର୍ମ ।’’

 

ଠାକୁରଙ୍କ ଧର୍ମ ସର୍ବବ୍ୟାପୀ । ଏଣୁ ଆଜି ସମସ୍ତେ ଧର୍ମ କରିବାକୁ ବ୍ୟସ୍ତ । ଶାଶୁ ଶଶୁରଙ୍କୁ ଅବହେଳା କରି, ସ୍ୱାମୀଙ୍କୁ ବାର ସତର କହି, ଘରେ ଓ ବାହାରେ ନାନା ଅଶାନ୍ତି ସୃଷ୍ଟି କରି ଯେଉଁ ସ୍ତ୍ରୀ ସକାଳ ଓ ସଂଧ୍ୟାରେ ତୁଳସୀ ଚଉରା ତଳରେ ଚିତା ଲେଖି ସଞ୍ଜ ସଳିତା ଜାଳି ଗଳଲଗ୍ନା ହୋଇ ଜୁହାର ହୋଇ ଧର୍ମଚର୍ଚ୍ଚା କରେ, ସେହି କୁଳବତୀ ନାରୀକୁ ଦେଖି ଲୋକେ କହନ୍ତି ଧର୍ମପୁରୁଷକୁ ଏ ପଣତ କାନିରେ ବାନ୍ଧି ରଖିଛି । ତେଣୁ ନିଶ୍ଚୟ ଏ ଅହିଅ ସୁଲକ୍ଷଣୀ ହୋଇ ସ୍ୱାମୀ ଆଗରୁ ଚାଲିଯିବ ।

 

ତମିସ୍ରା ଲୋକ ପାଖରୁ ପ୍ରଶଂସା ଶୁଣିବା ପାଇଁ ଦେଖାଇହେବାକୁ ଧର୍ମ କେବେ କରୁନଥିଲା କିମ୍ବା ପୁନେଇ ପର୍ବରେ ମଥା ବୁଡ଼ାଇ ଗାଁ ମାଇପଙ୍କ ମେଳରେ ମନ୍ଦିରକୁ ଯାଇ ଠାକୁରଙ୍କୁ ଡାକି ନିଜର କିମ୍ବା ନିଜ ସ୍ୱାମୀର ମଙ୍ଗଳ ମନାସୁନଥିଲା । ତେଣୁ କନକ ଦେବୀ ତାକୁ ସବୁବେଳେ ଗାଳି କରୁଥିଲେ । ଗାଁ ମାଇପଙ୍କୁ ଶୁଣାଇ ଶୁଣାଇ କହୁଥିଲେ, ‘‘ଏ କି ବୋହୂ ଲୋ ! ଦିଅଁ ଦେବତା ଯେ ନ ଜାଣିଲା, ଠାକୁର ଦେବତାଙ୍କୁ ଭୟ ଯାହାର ନ ରହିଲା ସେ କି ମଣିଷ ଲୋ ମା’ ? ସ୍ୱାମୀ ପୁତ୍ର ନେଇ ଯେ ଘର କଲା ତା’ର ପାପ ପରମାଦ କେତେ ନ ରହିଛି ? ବେଳ କାଳରେ ଯଦି ଠାକୁରକୁ ଡାକି ଜୁହାରଟିଏ ନହେଲ, ସମୟ ଦେଖି ମନ୍ଦିରକୁ ଯଦି କଦଳୀଟିଏ କିମ୍ବା ନଡ଼ିଆଟିଏ ନ ପଠାଇଦେଲ ତେବେ ତୁମର ବିପତ୍ତି ବେଳକୁ ସେ ଶୁଣିବେ କିଆଁ ?’’

 

ଶାଶୁଙ୍କ କଥାରେ ସେ କେବେ ଜବାବ୍ ଦେଉନଥିଲା । ଯାହାର ମନରେ ଯେଉଁ ଭାବନା ଜନ୍ମହୁଏ ତା’ ମନରେ ସେୟା ହେଉଛି ସର୍ବଶ୍ରେଷ୍ଠ । ଯୁକ୍ତିତର୍କରେ କେହି କାହାକୁ ଅନ୍ୟ ବାଟକୁ ଫେରାଇ ଆଣିପାରେ ନାହିଁ । ମନ ନ ମାନିଲେ ମଣିଷ କୌଣସି କଥା ଆଗ୍ରହରେ କରିବାକୁ ସୁଖପାଏ ନାହିଁ । ତେଣୁ କବି ଲେଖିଛନ୍ତି, ‘‘ମନର ମୂଳେ ଏ ଜଗତ ।’’

 

ମନ ହେଉଛି ଦୁନିଆର ଶ୍ରେଷ୍ଠ ବସ୍ତୁ । ଏହି ମନରେ ପାପ ଅଛି । ଏହି ମନରେ ମଧ୍ୟ ପୁଣ୍ୟ ଅଛି । ନିଜର ମନ ନିଜକୁ ଗୋଡ଼ାଇ ଖାଇଯାଏ । ଯେ ଯାହା କରେ ସେ ତାହା ଭୋଗ କରେ । ସେଥିପାଇଁ ଅନ୍ୟକୁ ଦୋଷ ଦେଇ ଲାଭ ନାହିଁ । ମାତ୍ର ଏହି ମଣିଷ ନବୁଝି ଅପର ଆଖିରେ ଆଙ୍ଗୁଳି ଗୁଞ୍ଜିଦେଇ କହେ ଏଥିପାଇଁ ସେ ମୋଟେ ଦାୟୀ ନୁହେଁ । ନିଜର ଅପକର୍ମ ନିଜ ଆଖିରେ ମୋଟେ ପଡ଼େ ନାହିଁ । ପରର ଦୋଷ ଦେଖିବାକୁ ସମସ୍ତେ ବ୍ୟସ୍ତ ।

 

ବହୁତ ବଡ଼ ବଡ଼ ପାପ କରିସାରିଲା ପରେ ମଣିଷ ଛୋଟ ଛୋଟ ପାପକୁ ବିଚାର କରି ନିଜକୁ ପାପୀ ବୋଲି କହେ । ବଡ଼ ବଡ଼ ପାପକୁ ସେ ମୋଟେ ବିଚାରକୁ ଆଣିପାରେ ନାହିଁ କେବଳ ଭୟରେ । ତେଣୁ ଆତ୍ମାର ସନ୍ତୋଷ ପାଇଁ ଝିଣ୍ଟିକା ମାରି ମଣିଷ ବଣି ପୋଷିବା ନୀତି ଧରେ । ମଣିଷକୁ କେତେ ଫନ୍ଦି ଫିକର ନ ଆସେ ?

 

ଦୁନିଆରେ ବଞ୍ଚି ରହିବା ପାଇଁ ମଣିଷ ସବୁ କରିପାରେ । ଗୋବଧ କରି ପାପର ପ୍ରାୟଶ୍ଚିତ ସ୍ୱରୂପ ଗୋଦାନ ମଧ୍ୟ କରିପାରେ ଏହି ମଣିଷ । ଜଣକୁ ଜୀବନ ଭାରି ଘୃଣା କରି ତା’ର ବିୟୋଗ ପରେ ଆଖିରୁ ଲୁହ ଗଡ଼ାଏ ମଧ୍ୟ ଏହି ମଣିଷ । ମଣିଷର ମାୟାରେ କିଏ ବା ପଶିପାରିବ-?

 

କନକ ଦେବୀ ଓ ଜୀବନବାବୁ ଯଦିଓ ସ୍ୱାମୀ ଓ ସ୍ତ୍ରୀ ହୋଇ ଘର ସଂସାର କରିଥିଲେ ତଥାପି ସେମାନଙ୍କ ମଧ୍ୟରେ ଥିଲା ଅହିନକୁଳ ସମ୍ପର୍କ । ସ୍ୱାମୀଙ୍କୁ ଦେଖିଲେ କନକ ଦେବୀ ରାଗରେ ଜଳିଯାଉଥିଲେ । ସତେ ଯେପରି ସ୍ୱାମୀ ତାଙ୍କର ଥିଲେ କେତେ ଦିନର ଶତ୍ରୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମୋଟେ ସହଯୋଗ ନ ଥିଲା । ସ୍ୱାମୀ ଯାହା କହୁଥିଲେ ସ୍ତ୍ରୀ ତା’ର ଓଲଟା କରିଯାଉଥିଲେ । ସ୍ୱାମୀଙ୍କୁ ଦେଖି ସହିନପାରି ମଧ୍ୟ ସେ ଦିନେହେଲେ ସ୍ୱାମୀର ଅମଙ୍ଗଳ କାମନା କରିବାର କେହି ଶୁଣିନଥିଲେ । ପ୍ରତିଦିନ ସକାଳୁ ଭାଗବତ ପଢ଼ିବା ଆଗରୁ ମଥାରେ ସିନ୍ଦୁର ପିନ୍ଧି ଠାକୁରଙ୍କୁ ଶୁଣାଇ ଶୁଣାଇ କହୁଥିଲେ, ‘‘ଆଉ କିଛି ଦେ ନ ଦେ, କେବଳ ଯିବାବେଳକୁ ଏହି ଚୁଡ଼ି ଚାରିପଟ ମୋ ସାଥିରେ ଯିବାର ସୌଭାଗ୍ୟ ଦେ ।’’

 

କନକ ଦେବୀ କଥାକୁ କହୁଥିଲେ–

 

‘‘ଶିବ ପଥର ଜଗା କାଠ

ଆଉ ଦେବତା ମାଠ ମାଠ ।’’

 

ମଣିଷ ମୁହଁରେ ଯାହା କହେ କରିବାବେଳକୁ ଅନ୍ୟକଥା କରେ । କନକ ଦେବୀ ସବୁ ଦେବତାଙ୍କୁ ମାନୁଥିଲେ । ସେ କହୁଥିଲେ, ‘‘ଯେତେ ଦିଅଁ ଦେବତା ଜଗତରେ ଅଛନ୍ତି ସବୁ ବିଷ୍ଣୁଙ୍କଠାରୁ ଉତ୍ପତ୍ତି । ତେଣୁ ତାଙ୍କ ଆଖିରେ ସବୁ ଦେବତା ଥିଲେ ସମାନ । ତୁଳସୀ ପାତ୍ରରେ ଯେପରି ସାନ ବଡ଼ ବାରିହୁଏ ନାହିଁ ସେହିପରି କନକ ଦେବୀଙ୍କ ଆଖିରେ କେଉଁ ଠାକୁର ବଡ଼ କେଉଁ ଠାକୁର ସାନ ତାହା ମୋଟେ ଜଣାପଡ଼େ ନାହିଁ ।

 

ତାଙ୍କର ଠାକୁର ଘରେ ସବୁ ଠାକୁର ଥୁଆ । ଠାକୁର କହିଲେ କାଚ ଫ୍ରେମରେ ବନ୍ଧା ବିଭିନ୍ନ ଠାକୁରଙ୍କ ଚିତ୍ରପଟ । ଚନ୍ଦନ ସିନ୍ଦୂର ଲାଗି ଲାଗି କିଏ ଗଣେଶ, କିଏ ବିଷ୍ଣୁ, କିଏ କୃଷ୍ଣ ସହଜରେ ଅନ୍ୟ ଆଖିରେ ଜଣା ପଡ଼େନାହିଁ । ମାତ୍ର କନକ ଦେବୀ ସଠିକ୍ ଭାବେ ସବୁ ଠାକୁରଙ୍କୁ ମନେରଖିଛନ୍ତି । କିଛିଦିନ ହେଲା ଠାକୁର ଖଟୁଲିରେ ତାଙ୍କର ଶଶୁରଙ୍କର ଫୋଟଟିଏ ମଧ୍ୟ ସେ ଆଣି ଥୋଇଦେଇ ପ୍ରତିଦିନ ଫୁଲ ଚନ୍ଦନ ପିନ୍ଧାନ୍ତି ।

 

ଶାଶୁଙ୍କୁ ଦେଖି ଦେଖି ତମିସ୍ର। ମନେମନେ ହସୁଥିଲା ଏବଂ ଚିନ୍ତା ମଧ୍ୟ ଅନେକ କରୁଥିଲା । ଏ ପୂଜା, ଜପ କ’ଣ ପାଇଁ ? ଏ ଧର୍ମଭାବ କ’ଣ ପାଇଁ ? ଏ ଗୀତା ଭାଗବତ କ’ଣ ପାଇଁ ? ଯାହାର ହାତଧରି ବିଭା ହେଇଥିଲ, ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ଯାହାକୁ ସ୍ୱାମୀ ପଦରେ ବାରଣ କରିଥିଲ ତାଙ୍କୁ ତ ଦିନେ ଶାନ୍ତିରେ ରଖିପାରିଲ ନାହିଁ । ତାଙ୍କର ମନ ଜାଣି ତ ଦିନେ କଥା ପଦେ କହିପାରିଲ ନାହିଁ । ତେବେ ଲୋକ ଦେଖଣାକୁ ବୁଢ଼ୀ ବୟସରେ ହରି ମନ୍ଦିର ଚିତାର ପ୍ରୟୋଜନ କ’ଣ ?

 

କନକଦେବୀଙ୍କୁ କହିବ ବା କିଏ ? ଯିଏ ସ୍ୱାମୀ, ସେ ଯେତେବେଳେ ଦୂରରୁ ଦେଖି ତାଙ୍କୁ ଶହେ ଦଣ୍ଡବତ ପକାଉଥିଲେ ସେ ସ୍ଥଳରେ ଅନ୍ୟର କେଉଁ ବଳ ପାଇବ ଯେ କନକ ଦେବୀଙ୍କୁ କହି ବଞ୍ଚିଯିବ ? କନକ ଦେବୀ ଜିଅନ୍ତା ତାକୁ ଚୋବାଇ ଦେବେ ନାହିଁ କି ?

 

ଜଗଦ୍ଧାତ୍ରୀଙ୍କ ରୂପ ଦେଖିଲେ ମଣିଷ ମନରେ ଯେଉଁ ଶ୍ରଦ୍ଧା ଜନ୍ମେ ଚଣ୍ଡିଙ୍କ ରୂପ ଦେଖିଲେ ସେହି ଶ୍ରଦ୍ଧା ଜନ୍ମେ କି ? ତଥାପି ମଣିଷ ଚଣ୍ଡୀଙ୍କୁ ନମସ୍କାର କରେ କେବଳ ଭୟରେ । ଅମଙ୍ଗଳକୁ କାହାର ଭୟ ହୁଏ ନାହିଁ ?

 

କନକଦେବୀ ଯେତେବେଳେ ଖୁସି ମନରେ ରହୁଥିଲେ ସେ ସେତେବେଳେ ଚାହୁଁଥିଲେ ସ୍ଵାମୀଙ୍କଠାରୁ ମନ ଭୁଲାଣିଆ କଥା ପଦେ । କିନ୍ତୁ ଜୀବନବାବୁ ସ୍ତ୍ରୀର ଅଭିଷ୍ଟ ପୂରଣ କରିପାରୁନଥିଲେ । ସେ ଜାଣିଥିଲେ ଚଣ୍ଡୀ ସବୁବେଳେ ଚଣ୍ଡୀ । ଚଣ୍ଡୀ ଜଗଦ୍ଧାତ୍ରୀ କେବେ ହେଇପାରେ ନାହିଁ । ତଥାପି ମଣିଷ ଅଜ୍ଞାନତା ବଶତଃ ଚଣ୍ଡୀଙ୍କୁ କହେ ଅନ୍ନପୂର୍ଣ୍ଣା । ଯେ ଅନ୍ନପୂର୍ଣ୍ଣା ସେ ସବୁବେଳେ ଅନ୍ନପୂର୍ଣ୍ଣା । ଯେ କୌଣସି ପରିସ୍ଥିତିରେ ଜନନୀ କି କେବେ ବିନାଶ ହେ।ଇପାରେ-? ଜନନୀକାରିଣୀ ସବୁବେଳେ ଜନନୀ !

 

ସୁଖ ଆସୁ, ଦୁଃଖ ଆସୁ, ରୋଗ ବୈରାଗ୍ୟ ଯାହା ଆସୁ ମାତା କି କେବେ ସନ୍ତାନର ବିନାଶ ସାଧନ କରିପାରେ ? କୁପୁତ୍ର ସବୁବେଳେ ସମ୍ଭବ ମାତ୍ର କୁମାତା ମୋଟେ ସମ୍ଭବ ନୁହେଁ । ଯେ ମାଆ ସେ ମାଆ ।

 

ଯାହାକୁ ଦେଖିଲେ ମଣିଷର ଅନ୍ତରାତ୍ମା ଭୟରେ ଥରିଉଠେ ତାହାପାଖରୁ ସ୍ନେହ ଓ ସହାନୁଭୂତି ଆଶା କରିବା ବିଡ଼ମ୍ବନା ମାତ୍ର । ମନ ମାନିଥିଲେ ନାରୀ ସବୁ ସହିଯାଏ । ମନ ନ ମାନିଲେ ନାରୀ କୌଣସି କଥା ସହ୍ୟ କରିପାରେ ନାହିଁ । ନାରୀର ମନ ନାରୀକୁ ଅଜଣା । ସେ ଯାହାକୁ ଆଜି ଅନ୍ତର ଦେଇ ଭଲପାଏ ବୋଲି କହେ ତାହାକୁ ଘୃଣା କରିବାକୁ ପୁଣି ବେଶୀ ସମୟ ଲାଗେ ନାହିଁ । ତେଣୁ କଥାରେ ଅଛି–

 

ନାରୀ ନିଜ ମନ ନିଜେ ପାରେ ନାହିଁ ବୁଝି

ତା’ ମନ ବୁଝିବ କାହୁଁ ତୁମେ ନାରାୟଣ

ହୁଅ ପଛେ ତୁମେ ଧାତାର ଜନ୍ମଦାତା

ତୁମେ ନାରୀ ମନ ବୁଝିବାକୁ ନୁହଁ କ୍ଷମ ।

 

କନକ ଦେବୀଙ୍କୁ ଚିହ୍ନିସାରିଲା ପରେ ଜୀବନବାବୁ ନିଜ ମର୍ଯ୍ୟାଦାକୁ ଜଗି ନିଜ ବାଟରେ ରହୁଥିଲେ । କେବଳ ଖାଇବା ବେଳ ହେଲେ ସେ ଭିତର ଖଞ୍ଜାକୁ ଆସୁଥିଲେ । ନଚେତ୍ ସବୁବେଳେ ସେ ବାଧ୍ୟହେଇ ବାହାରେ ସମୟ କଟାଇ ଦେଉଥିଲେ । ତମିସ୍ର। ଆସିଲା ପରେ ପରେ କନକ ଦେବୀଙ୍କ ସହ ଜୀବନବାବୁଙ୍କ କଥାବାର୍ତ୍ତା ଅନେକ ପରିମାଣରେ କମି ଯାଇଥିଲା । କେତେବେଳେ କେମିତି ନିହାତି ଦରକାର ନ ପଡ଼ିଲେ ଜୀବନବାବୁ କଥାବାର୍ତ୍ତା କରୁନଥିଲେ ।

 

ରୂପସୀ ସ୍ତ୍ରୀର ସୁନ୍ଦର ରୂପ ସ୍ୱାମୀକୁ ଯେତେ ପ୍ରବାଭିତ କରିନପାରେ ତା’ର ସରଳ ବ୍ୟବହାର, ନିରାଡ଼ମ୍ବର ଜୀବନ ଓ ସର୍ବସହିଷ୍ଣୁତା ସ୍ୱଭାବ ସ୍ୱାମୀ ମନରେ ସେତେ ରେଖାପାତ କରେ ।

 

କନକଦେବୀଙ୍କ ରୂପ ବ୍ୟତୀତ ଅନ୍ୟ କିଛି ନ ଥିଲା । ସେ ସବୁବେଳେ କହୁଥିଲେ, ‘‘ଯାହାର ରୂପ ଦେଖିଲେ ଆଖି ଝଲସିଉଠିବ ତାହାର ଆଉ କୌଣସି କଥା ଦରକାର ନାହିଁ ।”

 

ରୂପବତୀ ନାରୀ ତା’ର ରୂପ ପାଇଁ ସବୁବେଳେ ଗର୍ବ କରେ । ଏହି ରୂପ ବଳରେ ସେ ସମସ୍ତଙ୍କୁ ବଶ କରିବାକୁ ଚେଷ୍ଟା କରେ । କିନ୍ତୁ ସେ ମୋଟେ ବୁଝିପାରେ ନାହିଁ ଯେ ରୂପ ଓ ଯୌବନ ଅଢ଼େଇ ଦିନିଆ ଜିନିଷ । ଆଜି ଯାହା ଦୁନିଆ ଆଖିରେ ଚକଚକ ଦେଖାଯାଏ ତାହା କାଲିକୁ ମଉଳି ଯିବ । ଯେଉଁ ଜିନିଷ ଚିରକାଳ ପାଇଁ ରହିବ ନାହିଁ, ଯେଉଁ ଜିନିଷ ଆଖି ପିଛୁଡ଼ାକେ ଉଭେଇଯିବ, ସେ ଜିନିଷ ପାଇଁ ଯେ ଗର୍ବ କରେ ତାକୁ ଯେ କ’ଣ କୁହାଯିବ ଅଭିଧାନ ନ ଖୋଲିଲେ କହିହେବ ନାହିଁ ।

 

ଜଗତରେ ସୁନାମ କମାଇବାକୁ ହେଲେ ଗୁଣର ଯେ ଏକାନ୍ତ ପ୍ରୟୋଜନ ଏହି କଥା କନକ ଦେବୀଙ୍କ ଭଳି ରୂପବତୀ ସ୍ତ୍ରୀମାନେ ସହଜରେ ବୁଝିବାକୁ ଅକ୍ଷମ । ତେଣୁ ଲୋକେ କହନ୍ତି ଦୁର୍ଗା ଭଳି ରୂପ ହେଲେ କ’ଣ ହେବ କିନ୍ତୁ ଗୁଣ ତା’ ପୋଡ଼ା ଅଙ୍ଗାର । ମାତ୍ର ଯେଉଁ ରୂପସୀ ସ୍ତ୍ରୀ ନିଜର ନାରୀ ସୁଲଭତା ଗୁଣରେ ଅନ୍ୟର ଶ୍ରଦ୍ଧା ଭାଜନ ହୁଏ ସମସ୍ତେ ତା’ର ରୂପର ଗୁଣର ପ୍ରଶଂସା କରି କହନ୍ତି ରୂପ ଯେପରି ଗୁଣ ମଧ୍ୟ ସେହିପରି । ରୂପ ଯେପରି ନିଆଁଭଳି ଦାଉ ଦାଉ ହେଇ ଜଳୁଛି ଗୁଣ ମଧ୍ୟ ସେହିପରି ହୀରାଭଳି ଝଟକିଉଠୁଛି । ଏଇ ସିନା ସ୍ତ୍ରୀ ! ପୁରୁଷର ଭାଗ୍ୟ ଅତି ଭଲ ନ ହେଲେ ଏଭଳି ସ୍ତ୍ରୀ କର୍ମକୁ ଘଟେ ନାହିଁ ।

 

ଏହି ଦୁନିଆରେ ସବୁଦିଗରୁ ମଣିଷ ମଣିଷକୁ ବିଚାର କରେ । ଟିକିଏ ଅପଗୁଣ ଦେଖିଲେ ମଣିଷ ନାକଟେକି ନାନା କଥା କହିଯାଏ । ଯେଉଁ ଜଗତରେ ସ୍ୱୟଂ ଭଗବାନଙ୍କୁ ମଣିଷ ଦୁଇପଦ କହିବାକୁ ପଛାଏ ନାହିଁ ସେ ଜଗତରୁ ସୁନାମ ନେଇ ଚାଲିଯିବା ଅତି କଷ୍ଟସାଧ୍ୟ । ଦୁନିଆର ପରୀକ୍ଷାରେ ଯେ ଉତ୍ତୀର୍ଣ୍ଣ ହେଇପାରେ ସେ କେବଳ ଦୁନିଆକୁ ଜୟ କରେ ।

 

ସ୍ୱାର୍ଥ ଓ ସ୍ୱାର୍ଥ ମଧ୍ୟରୁ କେଉଁଟି ବଡ଼ କେଉଁଟି ସାନ ତାହା କ’ଣ ସହଜରେ କହି ହୁଏ ? ନିରପେକ୍ଷ ଭାବେ ବିଚାର କଲେ କେଉଁଟିକୁ ବଡ଼ କହିହୁଏ ନାହିଁ କିମ୍ବା କେଉଁଟିକୁ ଛୋଟ ବୋଲି ମଧ୍ୟ କହି ହୁଏ ନାହିଁ । ସ୍ୱାର୍ଥଲୋଭୀ ମଣିଷ ନିଜର ସ୍ୱାର୍ଥସିଦ୍ଧ ପାଇଁ ପେଟରେ ହଳାହଳ ପୂରାଇ ମୁଖରେ ଅମୃତ ଭାଷେ । ଅପରର ମନ ନେବାକୁ ମିଥ୍ୟକୁ ଅତିରଞ୍ଜିତ କରି ସେ ସତ୍ୟରେ ତାହା ପରିଣତ କରେ । ଯାହା କହିଲେ ଅନ୍ୟର କାନକୁ ଭଲ ଶୁଭିବ ସେହି କଥା ସେ କହିଥାଏ ।

ଅର୍ଥ ପାଇଁ ମଣିଷ ଅନେକ କଥା କରିଯାଏ । ଅର୍ଥ ଆଗରେ ଅନ୍ୟ କୌଣସି ବସ୍ତୁ ତା’ ନିକଟରେ ମୂଲ୍ୟବାନ ବୋଲି ଜଣାପଡ଼େ ନାହିଁ । ବିଚାର ବିବେକବିହୀନ ମଣିଷ ଅର୍ଥକୁ ଦୁନିଆରେ ବଡ଼ କରି ଦେଖେ । ଏହା ଯଦି ସତ୍ୟ ନ ହୁଅନ୍ତା ତେବେ ଆଜି ମଣିଷ ଦୟା ଧର୍ମ ଶୂନ୍ୟ ହୋଇ ପରମାଣୁ ଯୁଦ୍ଧ କଥା ଚିନ୍ତା କରନ୍ତା କିପରି ?

ମୃତ୍ୟୁ ସଙ୍ଗରେ ଜନ୍ମ କାଳରୁ ମଣିଷ ଅବିରତ ସଂଗ୍ରାମ କରିଚାଲିଛି । କିନ୍ତୁ ସେ ମୃତ୍ୟୁକୁ ଜୟ କରିପାରେ କି ? ସର୍ବଗ୍ରାସୀ କାଳ ପାଖରେ ସମସ୍ତେ ନତମସ୍ତକ ହୁଅନ୍ତି । ଏହି କଥା ସମସ୍ତେ ଜାଣନ୍ତି, ସମସ୍ତେ ବୁଝନ୍ତି । ତଥାପି ଏ ସଂଗ୍ରାମ କାହିଁକି ?

ସତ୍ୟ ପାଖରେ ଭଗବାନ ମଥାନୁଆଇଁ ଦିଅନ୍ତି । ଯେଉଁ ସତ୍ୟ ଭଗବାନଙ୍କଠାରୁ ଉଦ୍ଭବ ହୋଇଅଛି ସେହି ସତ୍ୟକୁ ଲଙ୍ଘନ କରିବାକୁ ସେ ମଧ୍ୟ ଦୁଃସାହସ କରନ୍ତି ନାହିଁ । କିନ୍ତୁ ମଣିଷ ସତ୍ୟକୁ ଅକ୍ଳେଶରେ ଲଙ୍ଘନ କରିଯାଏ ।

ଜନ୍ମ ମିଥ୍ୟା ହେଇପାରେ, କିନ୍ତୁ ମୃତ୍ୟୁ ମିଥ୍ୟା ନୁହେଁ । ମୃତ୍ୟୁହିଁ ଧ୍ରୁବ । ତେଣୁ ମୃତ୍ୟୁକୁ ସମସ୍ତେ ଭୟ କରନ୍ତି ଏବଂ ମୃତ୍ୟୁ ନା ଶୁଣିଲେ ମଣିଷ ଭୟରେ ଶିହରୀଉଠେ ।

ପାପର ମାତ୍ରା ଅଧିକ ହୋଇଗଲେ, ଜୀବନ ଆବର୍ଜନାପୂର୍ଣ୍ଣ ହୋଇଗଲେ ଏ ଜୀବନ ଦୁର୍ବିସହ ହୋଇପଡ଼େ । ଯେତେବେଳେ ବିଧାତାଙ୍କର ସୁନ୍ଦର ସଂସାର ମଣିଷ ଆଖିକୁ ଅସୁନ୍ଦର ଦେଖାଯାଏ ସେତେବେଳେ ଅଶାନ୍ତ ଆତ୍ମା ଚିତ୍କାର କରେ । ଯେଉଁ ମୃତ୍ୟୁକୁ ମଣିଷ ଏଡ଼ିଦେଇ ବାଟଭାଙ୍ଗି ଚାଲିଯିବାକୁ ବସିଥାଏ ସେ ପୁଣି ସେହି ମୃତ୍ୟୁକୁ କାମନା କରେ । ମୃତ୍ୟୁକୁ ଅପେକ୍ଷା କରି କରି କହେ, ‘‘ହେ ମଙ୍ଗଳମୟ ! ତୁମର ଅଭୟ କ୍ରୋଡ଼ରେ ମୋତେ ଆଶ୍ରୟ ଦିଅ ।”

ଯେଉଁ ମୃତ୍ୟୁର ଅଭୟ କ୍ରୋଡ଼ରେ ଭଗବାନ ଅନନ୍ତଶଯ୍ୟା ରଚନା କରି ବ୍ରହ୍ମାଙ୍କୁ ବିଶ୍ୱସୃଷ୍ଟି କରିବାକୁ ଉପଦେଶ ଦେଇଥିଲେ, ଶିବଙ୍କୁ ଅଶିବ ସଜାଇ ସଂସାର କରିବାକୁ ଆଦେଶ ଦେଇଥିଲେ ଏବଂ ଜୀବଜଗତର ମଙ୍ଗଳ ପାଇଁ ଧର୍ମର ଧ୍ୱଜା ଉଡ଼ାଇବାକୁ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ନିଜେ ଆତ୍ମପ୍ରକାଶ କରନ୍ତି ସେହି ମୃତ୍ୟୁହିଁ ଜୀବଜଗତର ଆଶ୍ରୟସ୍ଥଳ । ତେଣୁ କୀଟରୁ ବ୍ରହ୍ମ ପର୍ଯ୍ୟନ୍ତେ ସମସ୍ତେ ମୃତ୍ୟୁର ଅଭୟ କ୍ରୋଡ଼ରେ ଆଶ୍ରୟ ନେବାକୁ ବ୍ୟଗ୍ର ।

ପ୍ରାଣ, ଅପାନ, ସମାନ, ଉଦାନ ଓ ବ୍ୟାନ । ଏହି ପଞ୍ଚ ବାୟୁରେ ଜୀବାତ୍ମାର ସୃଷ୍ଟି । ସେ କେଉଁଠାରୁ ଆସେ ପୁଣି କେଉଁଠାକୁ ଚାଲିଯାଏ ଏ କଥା କିଏ ଜାଣେ ? ଯେଉଁ ଜିନିଷକୁ ଲୋକେ ଆଖିରେ ଦେଖିପାରେ ନାହିଁ, ହାତରେ ସ୍ପର୍ଶ କରିପାରେ ନାହିଁ, ନାସିକାରେ ଆଘ୍ରାଣ କରିପାରେ ନାହିଁ ସେ ଜିନିଷକୁ ପାଇବା ପାଇଁ ଆଗ୍ରହ ପ୍ରକାଶ କରିବା ଯେତେ ନିର୍ବୋଧତା ସେ ଜିନିଷ ଚାଲିଗଲେ ବ୍ୟଥିତ ହେବା କୌଣସି ଗୁଣରେ କମ ନିର୍ବୋଧତା ନୁହେଁ କି ? ଯାହାକୁ କେହି ଧରି ରଖିପାରେ ନାହିଁ, ଯେ ନିଜର ଇଛାନୁସାରେ ଯାତାୟାତ କରେ ତା’ ପାଇଁ ଅନୁଶୋଚନା କରିବା କେବଳ ମୁର୍ଖତା ।

ପଞ୍ଚଭୂତର ଶରୀର କ୍ଷଣିକେ ଉଭେଇଯାଏ । ତଥାପି ମଣିଷ ଘଷି ମାଜି ଏ ଦେହଟାକୁ ସଫା ସୁତୁରା କରେ । ସ୍ନୋ, ପାଉଡ଼ର ବୋଳିଦେଇ ସୁନ୍ଦର କରିବାକୁ ଯତ୍ନ କରେ । କିନ୍ତୁ ତାହା କେତେଦିନ ପାଇଁ ? କାଳ ନୂଆ ପୁରୁଣାର ବାଛ ବିଚାର କରେ ନାହିଁ । ତାହାର ସୌନ୍ଦର୍ଯ୍ୟ ଓ ଅସୌନ୍ଦର୍ଯ୍ୟର ବିଚାର ନାହିଁ । ତା’ ଚକ୍ଷୁରେ ସମସ୍ତେ ସମାନ । ସମସ୍ତେ ତା’ର ପ୍ରିୟ । ରାଜା ପ୍ରଜାର ପ୍ରଭେଦ ତା’ ପାଖରେ ଯେପରି ନାହିଁ । ଧନୀ ନିର୍ଦ୍ଧନୀର ପାର୍ଥକ୍ୟ ମଧ୍ୟ ତା’ ପାଖରେ ସେପରି ନାହିଁ । ତା’ ନିକଟରେ ଯେଉଁ ଦାବି ପୁଣ୍ୟାତ୍ମା କରେ ସେହି ଦାବି ମଧ୍ୟ ମହାପାପୀ କରେ ।

ପାପ ଓ ପୁଣ୍ୟର ବିଚାର କାଳ କେବେ କରେନାହିଁ । ବିଚାର କରେ ସବୁ ମଣିଷ । ନିଜର ବିବେକର ଦଂଶନରେ ଯେତେବେଳେ ମଣିଷ ବ୍ୟତିବ୍ୟସ୍ତ ହୋଇପଡ଼େ ସେତେବେଳେ ସେ ଅନେକ କଥା ଚିନ୍ତା କରେ । ଯେ ସବୁବେଳେ ସ୍ୱର୍ଗର କାମନା କରି, ନିଜର ପ୍ରବୃତ୍ତି ଦମନ କରି, ଦେଖାଇହେବାକୁ ଅନେକ ଶାସ୍ତ୍ର ପୁରାଣ ପଢ଼ି ଶାସ୍ତ୍ରଜ୍ଞ ହେବାକୁ ଚେଷ୍ଟା କରେ ସେ ହେଉଛି ଏକମାତ୍ର ଆତ୍ମଘାତୀ । ନିଜକୁ ନିଜେ ସେ ବିନାଶ କରେ । ତା’ର ଅଧଃପତନ ପାଇଁ ସେ କେବଳ ଦାୟୀ ।

ବାରଆଡ଼ୁ ସତର କଥା ଭାବି ଯାଉଥିଲା ତମିସ୍ରା । କଚେରୀ ଘଣ୍ଟାରେ ବାଜିଲା ଦୁଇ । ଜଗତ ମହାନିଦ୍ରାରେ ଶୋଇଯାଇଥିଲା । ପୁଣି ପ୍ରଭାତୀ ସୂର୍ଯ୍ୟର ନବୀନ ସ୍ପର୍ଶରେ ସେ ନବଜନ୍ମ ଲାଭ କରିବ ମାତ୍ର ତିନିଘଣ୍ଟା ପରେ ।

ପାଖଘରୁ ଜୀବନବାବୁଙ୍କ ଖଣ୍ଡିକାଶ ମଝିରେ ମଝିରେ ଶୁଭୁଥିଲା । ସେ ମଧ୍ୟ ସାରାରାତ୍ରି ଅନିଦ୍ରା ରହିଥିଲେ । ତାଙ୍କର ମନ ମଧ୍ୟରେ ଅସଂଖ୍ୟ ଦୁର୍ଭାବନା ବିଭିନ୍ନ ରୂପ ଧରି ଛିଡ଼ା ହେଇଥିଲା-

ସେ ନିଜର ଦୀର୍ଘଦିନର ଅତୀତକୁ ଅବୃତ୍ତି କରି ଯାଉଥିଲେ । ଦିନ ପରେ ଦିନ, ମାସ ପରେ ମାସ, ଏମିତି ଗଡ଼ି ଗଡ଼ି ଷାଠିଏ ବସନ୍ତ ଚାଲିଯାଇ ଏକଷଠି ଗ୍ରୀଷ୍ମ ତାଙ୍କ ଜୀବନରେ ଅଶାନ୍ତିର ବହ୍ନି ଜାଳି ଜାଳି ତାଙ୍କ ଜୀବନକୁ ଛାରଖାର କରିଦେଇଛି । ଜୀବନ କହିଲେ ସେ ଜୀବନର ଅର୍ଥ କିଛି ବୁଝନ୍ତି ନାହିଁ । ସେ କେବଳ ବୁଝନ୍ତି ଖାଇପିଇ ବଞ୍ଚି ରହିବାକୁ କୁହାଯାଏ ଜୀବନ । ଏହା ବ୍ୟତୀତ ସେ ଦୁନିଆର ଆଉ କିଛି ଜାଣନ୍ତି ନାହିଁ ।

ତାଙ୍କର ଯୌବନର କଥା ଗୋଟି ଗୋଟି ଆଜି ମନେପଡ଼େ । ମନେପଡ଼ିଗଲେ ତାଙ୍କର ଆଖିରେ ଆଜି ଲୁହ ଆସେ । ସେ ଲୁହ ଢାଳନ୍ତି । ଯେ ଜୀବନଦେଇ ଅନ୍ୟ ଜଣକୁ ଭଲପାଇଥାଏ, ସେ ଯଦି ଭଲପାଇବାର ମୂଲ୍ୟ ଜୀବନ ମଧ୍ୟରେ କେବେ ପାଇପାରେ ନାହିଁ ତେବେ ନିଶ୍ଚୟ ସେ ଲୁହ ଢାଳିବାକୁ ବାଧ୍ୟହେବ । ଯାହାପାଇଁ ଯେ ଲୁହ ନ ଢାଳେ ସେ କେବେହେଲେ ତାକୁ ଭଲପାଏ ନାହିଁ ବୋଲି ଧରିନେବାକୁ ହେବ ।

ପ୍ରଥମ ମହାଯୁଦ୍ଧ ପରର କଥା । ସେ ସେତେବେଳେ ଥିଲେ ରେଙ୍ଗୁନରେ । ତାଙ୍କର ଭାରତ ଛାଡ଼ି ରେଙ୍ଗୁନ ଯିବା ପଛରେ ଥିଲା ଗୋଟାଏ ବିରାଟ ଇତିହାସ ।

ଇ: ଉଆଲଫୋଡ଼୍ ବୋଲି ଜଣେ ବ୍ରହ୍ମଦେଶର ଇଂଜିନିୟର ସେତେବେଳେ କଲିକତାରେ ଚାକିରି କରୁଥିଲେ । ଉକ୍ତ ଇଂଜିନିୟରଙ୍କ ଏସିସଷ୍ଟେଣ୍ଟ୍ ଭାବେ ଜୀବନବାବୁ ତାଙ୍କ ପାଖରେ କାର୍ଯ୍ୟ କରୁଥିଲେ । ମାତ୍ର ଦଶବର୍ଷ କାମ କଲା ପରେ ମି : ଉଆଲଫୋଡ଼୍ ସ୍ୱଦେଶକୁ ଫେରିଯିବାକୁ ଚାହିଁଲେ ।

 

ତାଙ୍କର ଦେଶକୁ ଫେରିଯିବାକୁ ଅଳ୍ପ କେତେଦିନ ବାକିଥାଏ । ସେ ଜୀବନବାବୁଙ୍କୁ ଡାକି କହିଲେ, ‘‘ଜୀବନ ! ତୁମ ପାଖରୁ ବିଦାୟ ନେଇ ଚିରଦିନ ପାଇଁ ସ୍ୱଦେଶକୁ ଚାଲିଯାଉଅଛି । ଗୋଟିଏ କଥା କହିବି ବୋଲି ଅନେକ ଦିନରୁ ମନ ମଧ୍ୟରେ ଚିନ୍ତା କରୁଛି । କାଳେ ତୁମେ କ’ଣ ଭାବିବ ସେଥିପାଇଁ ମୁଁ ତୁମକୁ କହିବାକୁ ସାହସ କରୁନାହିଁ ।”

 

ସାହେବ କ’ଣ କହିବେ ? ଏହି କଥା ଭାବି ଭାବି ସେଦିନ ଜୀବନବାବୁ ଅସ୍ଥିର ହୋଇଉଠିଥିଲେ । ସେ କୌଣସି ଜବାବ୍ ନ ଦେଇ କେବଳ ମି : ଉଆଲଫୋଡ଼୍‍ଙ୍କୁ ଅନାଇ ରହିଲେ-

 

ସାହେବ କହିବେ କହିବେ ହେଉଥିଲେ ମାତ୍ର କହିପାରୁନଥିଲେ । ସତେଯେପରି କହିବାକୁ ସେ ସଙ୍କୋଚବୋଧ କରୁଛନ୍ତି, ତାଙ୍କ ମୁହଁକୁ ଦେଖିଲେ ଏହିକଥା ଖୁବ୍ ସହଜରେ ଜଣାପଡ଼ୁଥିଲା ।

 

ଜୀବନବାବୁ କହିଲେ, ‘‘ଯାହା କହିବାର ଅଛି କହନ୍ତୁ । ମୁଁ କିଛି ଭାବିବି ନାହିଁ ।”

 

ଏତିକିବେଳେ ଘର ଭିତରକୁ ପଶିଆସିଲେ ମିସେସ୍ ଉଆଲଫୋଡ଼୍ । ସଙ୍ଗରେ ଥିଲା ତାଙ୍କର ଏକମାତ୍ର ଆଦରଣୀୟ। କନ୍ୟା ଅଷ୍ଟାଦଶ ବର୍ଷୀୟା ଶ୍ରୀମତୀ ନେଲୀ

 

ଯେତେବେଳେ ମି: ଉଆଲଫୋଡ଼, ଜୋହାନ୍ ସବର୍ଗରେ ଚାକିରି କରୁଥିଲେ ସେତେବେଳେ ନେଲୀ ସେହିଠାରେ ଜନ୍ମଲାଭ କରିଥିଲା । ନେଲୀର ଜନ୍ମ ପରେ ପରେ ମିସେସ୍ ଉଆଲଫୋଡ଼୍‍ଙ୍କ ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିବାରୁ ସେ ଜୋହାନ୍ ସବର୍ଗ ଛାଡ଼ି ଭାରତକୁ ଚାଲିଆସି ଭାରତ ସରକାରଙ୍କ ଅଧୀରେ ନଦୀବନ୍ଧ ଉନ୍ନୟନ ଯୋଜନାରେ ଚାକିରି ଆରମ୍ଭ କଲେ ।

 

ଆଜି ପଦ୍ମା ଓ ବ୍ରହ୍ମପୁତ୍ର ଉପରେ ଯେଉଁ ବିରାଟ ସେତୁ ଦୁଇଟି ଛିଡ଼ାହେଇ ମଣିଷର ସଭ୍ୟତା ଓ ଚିନ୍ତାଧାରାର ପରିଚୟ ଜଗତକୁ ଦେଖାଇଦେଇପାରିଛି, ସେହି ସେତୁ ଦୁଇଟି ହେଉଛି ମି: ଉଆଲପୋଡ଼ଙ୍କର ଏ ଦେଶକୁ ବିରାଟ ଦାନ । ସମସ୍ତେ କହନ୍ତି ମି: ଉଆଲଫୋଡ଼ ନ ହେଇଥିଲେ ଏ କାମ ଆଉ କାହାଦ୍ଵାରା ସମ୍ଭବ ହୋଇପାରିନଥାନ୍ତା ।

 

ମି: ଉଆଲଫୋଡ଼ଙ୍କ କର୍ତ୍ତବ୍ୟନିଷ୍ଠା, ସହିଷ୍ଣୁତା ଓ ତାଙ୍କର ଅମାୟିକ ସ୍ୱଭାବ ତାଙ୍କୁ ସମସ୍ତଙ୍କର ଶ୍ରଦ୍ଧାଭାଜନ କରାଇପାରିଥିଲା । ସେ ଯେଉଁ ପରିମାଣରେ ସରଳ ଥିଲେ ସେହି ପରିମାଣରେ ମଧ୍ୟ ଭଦ୍ର ଥିଲେ । ନିଜ ପରର ପାର୍ଥକ୍ୟ ସେ ମୋଟେ ବୁଝିପାରୁନଥିଲେ । ସମସ୍ତେ ଥିଲେ ତାଙ୍କର ଆପଣର । ସେ ସମସ୍ତଙ୍କୁ ନିଜର ଭାବି ପ୍ରଗାଢ଼ ବିଶ୍ୱାସ ମଧ୍ୟ କରୁଥିଲେ ।

 

ତାଙ୍କର ଯେତେ ସବୁ ସହକର୍ମୀ ଥିଲେ ସେମାନଙ୍କ ମଧ୍ୟରୁ ସେ ସବୁଠାରୁ ଅଧିକ ଭଲପାଉଥିଲେ ଜୀବନବାବୁଙ୍କୁ । ସେତେବେଳେ ଜୀବନବାବୁଙ୍କୁ ହେଇଥାଏ ପ୍ରାୟ ତେଇଶି ବର୍ଷ । ସେ ଦେଖାଯାଉଥିଲେ ସଦ୍ୟପ୍ରସ୍ଫୁଟିତ ଗୋଲାପ ପରି ସୁନ୍ଦର । ବେଶ୍ ଡଉଲଡାଉଲ ଚେହେରା । ମଥାରେ କୁଞ୍ଚୁକୁଞ୍ଚୁ ବାଳ । ଗୋରା ଦେହକୁ ଲମ୍ବା ଲମ୍ବା ଭ୍ରୂଲତା ଯୋଡ଼ାକ ବେଶ୍ ସୁନ୍ଦର ଦେଖାଯାଉଥିଲା ।

 

ନେଲୀ ହଠାତ୍ ଜୀବନବାବୁଙ୍କୁ ଦେଖିପାରି ତାଙ୍କ ପାଖକୁ ଧାଇଁଆସି ଦୁଇବାହୁରେ ଜୀବନବାବୁଙ୍କୁ ଗଳଦେଶକୁ ବେଷ୍ଟନ କରି କହିଲା ମି: ଜୀବନ ! ଅନେକଦିନ ତୁମେ କୁଆଡ଼େ ଯାଇଥିଲ ?

 

ନେଲୀର ଏ ପ୍ରକାର ଆଚରଣରେ ଜୀବନବାବୁ ଲଜ୍ଜିତ ହୋଇଯାଇଥିଲେ ।

 

ଜୀବନବାବୁ ହେଉଛନ୍ତି ଏହି ମହାଭାରତର ମଣିଷ । ଏହି ଦେଶ ହେଉଛି ମୁନି ଋଷିର ଦେଶ । ଏହି ଦେଶର ଆବାଳବୃଦ୍ଧବନିତା ସର୍ବଦା ଶୃଙ୍ଖଳା ରକ୍ଷା କରିବାକୁ ବ୍ୟସ୍ତ । ଯେ ଯେତେ ସଭ୍ୟ ହେଉ, ଯେତେ ଶିକ୍ଷିତ ପଛେ ହେଉ ତଥାପି ଶୃଙ୍ଖଳା ରକ୍ଷା କରିବାକୁ ସେ ସବୁବେଳେ ତତ୍ପର । ଏହା ଏ ଦେଶର ଧର୍ମ ।

 

ନେଲୀକୁ ଜୀବନବାବୁ କହିଲେ, ‘‘ଦେଖ ନେଲୀ ! ତୁମ ବାପା ମାଆଙ୍କ ସମ୍ମୁଖରେ ତୁମେ ଯେ ଏପ୍ରକାର ଉତ୍‍ଶୃଙ୍ଖଳତା ପ୍ରକାଶ କରିବ ତାହା ମୁଁ ମୋଟେ କଳ୍ପନା କରିନଥିଲି । ଆମର ଭାରତୀୟ ସଂସ୍କୃତି ସଞ୍ଜମତା ରକ୍ଷା କରିବାକୁ ମଣିଷକୁ ଶିକ୍ଷା ଦିଏ । ଭାରତୀୟ ସଭ୍ୟତା ମଣିଷକୁ ସତମାର୍ଗରେ ଚଳିବାକୁ ପ୍ରେରଣା ଦିଏ ।”

 

ଜୀବନବାବୁ ଏତିକି କହିସାରିଲା ପରେ ପରେ ସେ ଲକ୍ଷ୍ୟକରି ଦେଖିଲେ ନେଲୀର ତୁଷାର ଶୁଭ୍ର ମୁଖଟି ହଠାତ୍ କଳାପଡ଼ିଗଲା । ସେ ଅନୁନୟ ହୋଇ ଅପରାଧୀନି ଭଳି କହିଲା, ‘‘ମି: ଜୀବନ ! ତୁମେ ହଠାତ୍ କ୍ଷୁବ୍ଧ ହୋଇଯିବ ବୋଲି ମୁଁ ମୋଟେ କଳ୍ପନା କରିନଥିଲି । ମୁଁ ଭାବିଥିଲି ତୁମେ ମୋର ଆଚରଣରେ ନିଶ୍ଚୟ ସନ୍ତୁଷ୍ଟ ହେବ । ଯୌବନର ଡାକରାକୁ ତୁମେ ଏପରି ଭାବି ଏଡ଼ି ଦେଇପାରିବ ବୋଲି ମୁଁ ମୋଟେ କଳ୍ପନା କରିନଥିଲି । ପ୍ରକୃତରେ ତୁମ ଆଦର୍ଶବାଦକୁ ମୁଁ ଶ୍ରଦ୍ଧା କରେ । ଏଣୁ ତୁମକୁ ମୁଁ ନିଜ ଅପେକ୍ଷା ଅଧିକ ବିଶ୍ୱାସ କରେ ।”

 

ନେଲୀର ଆଖିଦୁଇଟି ଛଳଛଳ ହୋଇଉଠିଥିଲା । ମିସେସ୍ ଉଆଲଫୋଡ଼ ଆସି ଜୀବନବାବୁଙ୍କୁ କହିଲେ, ‘‘ଜୀବନ ନେଲୀକୁ ନେଇ ଟିକେ ବୁଲାଇଆଣ । ସବୁ ଠିକ୍ ହେଇଯିବ । ନେଲୀ ଭାରି ଭଲ ଝିଅ । ଦେଖିବ ସେ କେଡ଼େ ଭଦ୍ର । କେଡ଼େ ଶାନ୍ତ । ଏହାଭଳି ଭଲଝିଅ ତୁମର ଏ ମାଟିରେ ଥିବେ କି ନାହିଁ ସନ୍ଦେହ । ମୋ କଥା ସତ କି ମିଛ ତୁମେ ବଳେ ଜାଣିପାରିବ । ତେବେ ନେଲୀସାଙ୍ଗରେ ଯାଉଛ ତ ?’’

 

ମିସେସ୍ ଉଆଲଫୋଡ୍‍଼ଙ୍କ କଥାକୁ ଭାଙ୍ଗିଦେବାର ଶକ୍ତି ଜୀବନବାବୁଙ୍କର ମୋଟେ ନଥିଲା । ମିସେସ୍ ଉଆଲଫୋଡ଼୍ ଜୀବନବାବୁଙ୍କୁ ଅତିମାତ୍ରାରେ ସ୍ନେହ କରୁଥିଲେ । କୌଣସି ମାଆ କୌଣସି ପୁଅକୁ ଯେତେ ଭଲପାଇବା କଥା ଜୀବନବାବୁଙ୍କୁ ମିସେସ୍ ଉଆଲଫୋଡ଼୍ ତାହାଠାରୁ ଆହୁରି ଅଧିକ ଭଲପାଉଥିଲେ ।

 

ଆଲିପୁରରେ ଜନଶୂନ୍ୟ ରାସ୍ତାରେ କଳା ଏଡ଼ଲାର ଗାଡ଼ିଟି ଦ୍ରୁତ ଗତିରେ ଛୁଟି ଚାଲିଥାଏ । ନେଲୀ ମଝିରେ ମଝିରେ ଜୀବନବାବୁଙ୍କୁ ଅନାଇ ହସି ଦେଉଥିଲା ।

 

ଜୀବନବାବୁ ସେତେବେଳେ କେବଳ ଭାବି ଯାଉଥିଲେ ମିସେସ ଉଆଲଫୋଡ଼ଙ୍କ କଥା-। ଭାରତୀୟ ଝିଅଙ୍କ ସମ୍ୱନ୍ଧରେ କୌଣସି କଥା ନ ଜାଣି ଏଭଳି ମନ୍ତବ୍ୟ ପ୍ରକାଶ କରିବା ମିସେସ ଉଆଲଫୋଡ଼ଙ୍କ ପକ୍ଷେ କେତେଦୂର ଯେ ଅଯୁକ୍ତିକର ସେହି କଥା କେବଳ ଜୀବନବାବୁଙ୍କର ଏକମାତ୍ର ଚିନ୍ତାର ବିଷୟ ଥିଲା ।

 

ଜୀବନବାବୁ ପୁରାଣ ଯୁଗର କଥା ଭାବୁଥିଲେ । ଦମୟନ୍ତୀଙ୍କ ସ୍ଵୟମ୍ବରକୁ ସ୍ଵର୍ଗପୁରୀରୁ ଧାଇଁଆସିଥିଲେ ଦେବତାମାନେ । କିନ୍ତୁ ଦମୟନ୍ତୀଙ୍କ ମନ ସେମାନେ ନେଇପାରିଲେ କି ? ଭାରତୀୟ ଯାହାକୁ ଭଲପାଏ, ଯାହାକୁ ଥରେ ଅନ୍ତର ଦିଏ ସେ ତାକୁ ସବୁ ଦେଇଦିଏ । ଏହି ଏକନିଷ୍ଠ ବ୍ରତ ପାଇଁ ଭାରତୀୟ ନାରୀ ଯୁଗେ ଯୁଗେ ପୂଜ୍ୟା । ମନକୁମନ ସେ ହସିଉଠିଲେ ଏବଂ ମିସେସ ଉଆଲଫୋଡ଼ଙ୍କୁ ବିଦ୍ରୂପ କରି ମନେମନେ କହିଲେ ଯେଉଁ ପାଶ୍ଚାତ୍ୟ ଜଗତର ନାରୀ ନିଜର ପବିତ୍ର ସ୍ନେହକୁ ବିପଣରେ ପଣ୍ୟଦ୍ରବ୍ୟ ଭଳି ବିକ୍ରୟ କରେ ସେ ଭାରତୀୟ ନାରୀକୁ ବା ଜାଣିବା କିପରି ? ଭାରତୀୟ ନାରୀ ନିଜକୁ ଜାଳିଜାଳି ଅପରକୁ ଆନନ୍ଦ ଦିଏ । ସେ ତାହାର ସତୀତ୍ୱକୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ନିକ୍ଷେପ କରି ପରୀକ୍ଷ। କରି ଜଗତକୁ ଦେଖାଇଦିଏ ।

 

ହଠାତ୍ ନେଲୀ ଗାଡ଼ି ବନ୍ଦ କରି କହିଲା, ମି: ‘‘ଜୀବନ ! ତୁମେ ଯେ ମୋ ସଙ୍ଗେ ଆସିଲ ସେଥିପାଇଁ ଦୁଃଖପ୍ରକାଶ କରୁଛ କି ?”

 

ଅପ୍ରିୟ ସତ୍ୟ କହିବା ଅନୁଚିତ ଭାବି ଜୀବନବାବୁ ମନର ଭାବ ଗୋପନ ରଖି କହିଲେ, ‘‘ତୁମ ସଙ୍ଗେ ଆସିବାଟା ବରଂ ସୌଭାଗ୍ୟ ବୋଲି ମୁଁ ମନେକରେ ।”

 

‘‘ତେବେ ତୁମେ ବିମର୍ଷ ଦେଖାଯାଉଛ ଯେ ?” ପ୍ରଶ୍ନକଲା ନେଲୀ ।

 

ଟିକିଏ ଫିକା ହସ ହସି ଜୀବନବାବୁ କହିଲେ, ‘‘ଭାବୁଥିଲି ତୁମେ ଆଉ ଗୋଟାଏ ସପ୍ତାହ ପରେ ଏଠାରୁ ଚାଲିଯିବ । ତାପରେ ତୁମେ ଯେ କେଉଁଠି ରହିବ ଓ ମୁଁ ଯେ କେଉଁଠି ରହିବି ତାହା କହିହେବ ନାହିଁ । ଜୀବନରେ ଆଉ କେବେ ଯେ ସାକ୍ଷାତ ହେବ ତାହା ଆଶାକରିବା ଦୁରାଶା ମାତ୍ର । ତେଣୁ ଏ ବନ୍ଧୁତା କାହିଁକି ? ଏ ସ୍ନେହ ସୌହାର୍ଯ୍ୟର ମୂଲ୍ୟ କ’ଣ ?”

 

ନେଲୀ ଜୀବନବାବୁଙ୍କୁ ଅନାଇଲା । ବାଷ୍ପରୁଦ୍ଧ କଣ୍ଠରେ କହିଲା, ‘‘ଜୀବନ ! ମାୟଁ ଲାଇଫ୍ !” ତା’ର କଣ୍ଠ ରୁଦ୍ଧ ହୋଇଆସିଲା ।

 

ପ୍ରାଚ୍ୟ ଓ ପାଶ୍ଚାତ୍ୟର ତଫାତ୍ ସେତେବେଳେ ଜୀବନବାବୁ ମୋଟେ ଉପଲବ୍ଧ କରିପାରିନଥିଲେ । ତାଙ୍କୁ ପୂର୍ବ ଓ ପଶ୍ଚିମ ଏକଭଳି ଜଣାପଡ଼ିଥିଲା । ପୂର୍ବର ଚକ୍ରବାଳରେ ସୂର୍ଯ୍ୟ ଉଦୟ ହେଲେ ପଶ୍ଚିମ ଚକ୍ରବାଳରେ ଅସ୍ତ ହୁଏ । ପୁଣି ତହିଁ ଆରଦିନ ପୂର୍ବରେ ଉଦୟ ହୁଏ କାହିଁକି-?

 

ନାରୀର ଆଖିରେ ଲୁହ ଦେଖିଲେ ପୁରୁଷର ସମସ୍ତ ଧେର୍ଯ୍ୟ ଲୋପ ହୋଇଯିବା କଥା । ଜୀବନବାବୁଙ୍କର ମଧ୍ୟ ସେହିଦିନ ସେ ଅବସ୍ଥା ଘଟିଥିଲା ।

 

ନିର୍ଜନ ରାସ୍ତାରେ କଳା ଗାଡ଼ିଟି ଛିଡ଼ା ହେଇଥିଲା । ଗାଡ଼ି ଭିତରେ ଥିଲେ ନେଲୀ ଓ ଜୀବନବାବୁ । ନେଲୀ ଅଶ୍ରୁଳ ନୟନରେ ଅନାଇଲା ଜୀବନବାବୁଙ୍କୁ । ଜୀବନବାବୁଙ୍କ ଆଖିରେ ସେତେବେଳେ ଦୁଇବୁନ୍ଦା ଲୁହ ଢଳ ଢଳ ହୋଇଯାଇଥିଲା ।

 

ଜୀବନବାବୁଙ୍କ ଆଖିର ଲୁହ ନେଲୀ ସହ୍ୟ କରିପାରିଲା ନାହିଁ । ସେ ଜୀବନବାବୁଙ୍କୁ ପ୍ରାଣଦେଇ ଭଲପାଇଥିଲା ବୋଲି ଲୁହର ମହତ୍ୱ ସେ ଉପଲବ୍ଧ କରିପାରିଲା । ନଚେତ୍ ସେ ନିଶ୍ଚୟ ଭାବିଥାନ୍ତା ନାରୀର ମନନେବାକୁ ପୁରୁଷ ଛଳନା କରି ଲୁହ ଢାଳେ ।

 

ନେଲୀ କଇଁ କଇଁ କରି କାନ୍ଦିଉଠିଲା ।

 

ଜୀବନବାବୁ ନେଲୀର ହାତଟି ଧରିପକାଇ କହିଲେ, ‘‘ନେଲୀ ! ତୁମେ ଆମ୍ଭମାନଙ୍କୁ ଭୁଲିଯିବ କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଭୁଲିପାରିବି ନାହିଁ । ମିସେସ୍ ଉଆଲଫୋଡ଼୍‍ଙ୍କ ସ୍ନେହ ଓ ତାହାଙ୍କର ମାତୃ–ସୁଲଭତା ଜୀବନ ଥିଲ।ଯାଏ ମୋଟେ ଭୁଲିପାରିବି ନାହିଁ । ଆଉ ତୁମକୁ ମୋତେ ଭାରି ଭଲଲାଗେ । ତୁମ ଆଖିର ଭାଷା ବୁଝିହୁଏ ନାହିଁ । ତାହା ବୁଝିବା ମୋ ପକ୍ଷେ ଦୁଃସାଧ୍ୟ । ତଥାପି ମୁଁ ତୁମକୁ ଭଲପାଏ ।

 

ନେଲୀ ଆନନ୍ଦରେ ସିକ୍ତ ହୋଇଉଠିଥିଲା । ସେ ଜୀବନବାବୁଙ୍କୁ ଅତି ନିବିଡ଼ ଭାବେ ଆଲିଙ୍ଗନ କରି କହିଲା, ‘‘ଜୀବନ ! ମାୟଁ ସୋଲ ତୁମେ କେଡ଼େ ମହତ୍ । ତୁମେ କେଡ଼େ ଉଦାର ପୁରୁଷ ସିନା ଏପରି ହେବା ଉଚିତ୍ । ତୁମଭଳି ପୁରୁଷକୁ ଦେଖି ସ୍ତ୍ରୀ ଆତ୍ମହରା ହେବା ସ୍ୱାଭାବିକ । ସ୍ତ୍ରୀ ଚାହେଁ ହୃଦୟବାନ ପୁରୁଷର ସାନିଧ୍ୟ । ତେଣୁ ମୁଁ ଯେ ତୁମକୁ କେତେ ଭଲପାଏ ତାହା ତୁମେ ଜାଣ ।” ଏତିକି କହି ନେଲୀ ଜୀବନବାବୁଙ୍କ ଗାଲରେ ଓଠ ଲଗାଇଲା ।

 

ଜୀବନବାବୁ ଚମକିପଡ଼ିଲେ । ଭୟରେ ତାଙ୍କର ସର୍ବାଙ୍ଗ ଥରିଉଠିଲା । ସେ ମୋଟେ ବିଶ୍ୱାସ କରିପାରିଲେ ନାହିଁ ଯେ, ଗୋଟିଏ ସ୍ତ୍ରୀ କଥା ପଦକରେ ନିଜର ସମସ୍ତ ସଞ୍ଚିତ ସରାଗ ଅକାତରରେ ଗୋଟିଏ ପୁରୁଷକୁ ଦାନ କରିପାରେ । ହୃଦୟ ବିନିମୟରେ ନାରୀ ଚାହେଁ ଆଉ ଗୋଟିଏ ହୃଦୟ । ତେଣୁ ହୃଦୟବାନ ପୁରୁଷ ପାଇଲେ ନାରୀ ତା’ର ସମସ୍ତ ସମର୍ପଣ କରିଦେଇଥାଏ ବିନା ଦ୍ୱିଧାରେ ।

 

ଜୀବନବାବୁଙ୍କର ଏ ପ୍ରକାର ଅସ୍ୱାଭାବିକ ଭାବ ପରିଲକ୍ଷିତ କରି ନେଲୀ ହସି ହସି ଗଡ଼ି ଯାଇଥିଲା । ସେ ଜୀବନବାବୁଙ୍କ ଡାହାଣ ହାତଟି ଘନ ଘନ ମୃଦୁ ଚୁମ୍ବନ କରି କହିଲା, ‘‘ଗୋଟିଏ ସ୍ତ୍ରୀର ସାମାନ୍ୟ ମୃଦୁ ଚୁମ୍ବନରେ ଭାରତର ଯୁବକ ଯଦି ଏତେ ଭୀତ ତ୍ରସ୍ତ ହୋଇପଡ଼େ ତେବେ ଦେଶକୁ ସ୍ୱାଧୀନ କରିବାକୁ କମାଣ ମୁହଁରେ ସେ ଛାତି ଦେଖାଇପାରିବ କିପରି ?’’

 

ନେଲୀର ଏ ପ୍ରକାର ମନ୍ତବ୍ୟରେ ଜୀବନବାବୁ ବିଶେଷ ପରିମାଣରେ ଲଜ୍ଜିତ ହୋଇଯାଇଥିଲେ । ତାଙ୍କର ସେତେବେଳେ କହିବାକୁ ଇଛା ହେଉଥିଲା, କମାଣ ମୁହଁରେ ଛାତି ପାତିବ । ସହଜ କିନ୍ତୁ ସାମାନ୍ୟ କଥାରେ ତରଳି ଯାଇ ଯେଉଁ ସ୍ତ୍ରୀ ଲାଜ ସରମ ଛାଡ଼ି ଅନାୟାସରେ ଜଣେ ଅଜଣା ଅଶୁଣା ଯୁବକର ଗଣ୍ଡାଦେଶରେ ଅଗଣିତ ଚୁମ୍ବନର ଦାଗ ବସାଇଦିଏ ସେହି ଧରଣର ସହଜ–ଲଭ୍ୟ ସ୍ତ୍ରୀ ପାଖରୁ ସ୍ନେହ ଓ ପ୍ରେମ ଆଶା କରିବା ସେତେ ସହଜ ନୁହେଁ । ମାତ୍ର ଏହି ସତ୍ୟ ଓ ଅପ୍ରିୟ କଥାଟି ସେତେବେଳେ ଜୀବନବାବୁ କହିପାରିଲେ ନାହିଁ । ଅନ୍ୟ ମନରେ ଦୁଃଖ ଦେଇ ଲାଭ କ’ଣ ?

 

କେଇଟା ଦିନ ପରେ ନେଲୀ କେଉଁ ଦରିଆ ସେପାରି ଦେଶକୁ ଚାଲିଯିବ । ଜୀବନରେ ତା’ ସଙ୍ଗେ ଆଉ ସାକ୍ଷାତ ହେବା ଅସମ୍ଭବ । ଅଯଥାରେ ତା’ ମନରେ ଦୁଃଖ ଦେବା ଅନ୍ୟାୟ ନୁହେଁ କି ? ଏହା ଭାବି ଜୀବନବାବୁ କହିଲେ, ‘‘ନେଲୀ ! ତୁମର ଏ ନୀଳ ଆଖି, ଏ ଗୋଲାପୀ ଓଠକୁ ଚିରକାଳ ଭୁଲିଯାଇ କେଉଁ ସୁଖ ପାଇବା ପାଇଁ ମୁଁ ସ୍ୱାଧୀନତା କାମନା କରିବି ? ତୁମ ଭଳି ସ୍ତ୍ରୀର ହୃଦୟ ତଳେ ନିଜକୁ ଥୋଇଦେଇ ମୁଁ ଚିରକାଳ ପାଇଁ ପରାଧୀନ ହେବାପାଇଁ ଚାହେଁ ।”

 

ନେଲୀ ନିଜର ମସୃଣ ଉରଜ ଦେଶ ଉନ୍ମୁକ୍ତ କରି ଜୀବନବାବୁଙ୍କ ମସ୍ତକ ତାରି ଉପରେ ଥୋଇଦେଇ କହିଲା, ମି: ଜୀବନ ! ମୋର ଆଖି ଲୁହର ଦାମ ତୁମେ ଦେଇପାରିବ ? ମୋର ନାରୀତ୍ୱକୁ ଅବମାନନା କରିବ ନାହିଁ ତ ? ମୋର ସରଳତାର ସୁଯୋଗ ନେବ ନାହିଁ ତ ? ତୁମର ମନେରଖିବା ଉଚିତ, ନାରୀ ତା’ର ପ୍ରାଣ ବିନିମୟରେ ପୁରୁଷକୁ ଭଲପାଇଲା ପରେ ତା’ର ନିଜତ୍ୱ ଆଉ ନ ଥାଏ । ତୁମର ପୌରଷ ନାମରେ ତୁମକୁ ଆଜି ଶପଥ କରିବାକୁ ପଡ଼ିବ ଏବଂ ଅନ୍ତର ଖୋଲି ସ୍ୱୀକାର ମଧ୍ୟ କରିବାକୁ ପଡ଼ିବ ଯେ ତୁମେ ମୋର ଭଲପାଇବାକୁ କେବେ ଉପହାସ କରିବ ନାହିଁ ?”

 

ନେଲୀର ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଆସିଲା । ଜୀବନବାବୁଙ୍କୁ ସେ ପ୍ରଶ୍ନବାଚକ ଦୃଷ୍ଟିରେ ଅନାଇଲା । ମାତ୍ର ଜୀବନବାବୁ କୌଣସି ଉତ୍ତର ଦେଇପାରିଲେ ନାହିଁ ।

 

ନେଲୀ ଆଖିରୁ ଲୁହ ପୋଛି କହିଲା, ମି: ଜୀବନ ! ତନୁ, ମନ ଜୀବନ ଦେଇ କେବେ ଭଲପାଏ ମୁଁ ତୁମକୁ ତୁମ ବ୍ୟତୀତ କେହି ଆଜିଯାଏଁ ମୋ ଆଖିରେ ଭଲ ଦେଖାଯାଇନାହାନ୍ତି କିମ୍ବା ଅନ୍ୟ କାହାପାଖରେ ମୁଁ ନିଜକୁ ସମର୍ପଣ କରିଦେଇ ନାହିଁ ।

 

ତଥାପି ଯଦି କେବେ ତୁମେ ମୋତେ ହତାଦର କର, କେବେ ଅବହେଳା କର କିମ୍ବା ତୁମ ସ୍ନେହରୁ ମୋତେ ବଞ୍ଚିତ କର ଅଥବା ମୋର ନାରୀତ୍ୱକୁ ତୁମେ ଅବମାନନା କରି ମୋର ପ୍ରେମକୁ ସମାଲୋଚନା କର ମୁଁ ସେଥିପାଇଁ କେବେହେଲେ ବ୍ୟଥିତ ହେବି ନାହିଁ କିମ୍ବା କେବେ ଅନୁଶୋଚନା କରିବି ନାହିଁ ଯେ ତୁମେ ମୋତେ ପ୍ରତ୍ୟାଖାନ କଲ ବୋଲି । ମୁଁ ଯଦି ପ୍ରକୃତରେ ତୁମକୁ ଜୀବନ ଦେଇ ଭଲପାଇଥିବି ତୁମେ ମୋତେ କେବେ ଅବହେଳା କରିପାରିବ ନାହିଁ । ଉପହାସ ମଧ୍ୟ କରିପାରିବ ନାହିଁ । ଏହି ଧ୍ରୁବ ବିଶ୍ୱାସ ମୋ ମନ ମଧ୍ୟରେ ଅଛି ।

 

ଯାହାର ସେହି ନାରୀ ପଣତ ପାତି ବାନ୍ଧିନିଏ ତାହାର ଅବହେଳା ନାରୀ ସହ୍ୟ କରିପରେ ନାହିଁ କି ? ନାରୀ ପ୍ରକୃତରେ ଯଦି କୌଣସି ପୁରୁଷକୁ ହୃଦୟକୁ ହୃଦୟ ଦେଇ ଭଲପାଇଥାଏ ଏବଂ ସେ ପୁରୁଷ ଯଦି ନାରୀର ଭଲପାଇବାକୁ ସନ୍ଦେହ ଚକ୍ଷୁରେ ଦେଖେ ତେବେ ନାରୀ ସେଥିପାଇଁ ପ୍ରତିଶୋଧ ନିଏ ନିଜ ଉପରେ ।

 

ତୁମେ ମୋର ସ୍ନେହକୁ ପାଦ ତଳରେ ମାଡ଼ି ଦଳି ନଷ୍ଟ କରିଦେଇପାର ସେଥିପାଇଁ କେବେହେଲେ ମୁଁ ମନଦୁଃଖ କରିବି ନାହିଁ । ମୁଁ ତୁମକୁ ଭଲପାଏ । ସେଥିପାଇଁ ତୁମେ ମୋତେ ଯେଉଁ ଶାସ୍ତିଦେବ ତାହା ହସି ହସି ସହିଯିବି । ଜଣକୁ ଜୀବନ ଦେଇସାରିଲା ପରେ ତା’ ସଙ୍ଗରେ ଖେଳ ଖେଳିବାକୁ ଆଉ ଭଲଲାଗେ ନାହିଁ । ବୁଲେଇ ବୁଲେଇ କଥା କହିବାରେ ଆନନ୍ଦ ମିଳେ ନାହିଁ । କେବଳ ନିର୍ମଳ ହୃଦୟରେ ଭଲପାଇ ପାରିଲେ ଆତ୍ମା ଶାନ୍ତି ପାଏ ।

 

ଜଣକ ହାତରେ ଜୀବନ ସମର୍ପଣ କରିଦେଇ ସାରିଲା ପରେ ତାହା ନିକଟରେ ମାନ, ଅଭିମାନ କ’ଣ ଶୋଭା ପାଏ ? ଗୋଟିଏ ପ୍ରାଣ ଅନ୍ୟ ଏକ ପ୍ରାଣ ସାଥିରେ ମିଶି ଏକ ହୋଇଯିବାକୁ ଚାହେ ନାହିଁ କି ? ନଦୀ ସମୁଦ୍ରରେ ମିଶିଗଲା ପରେ ଯେପରି ସେ ନିଜର ସର୍ତ୍ତ ହରାଇ ଅସୀମ ଆନନ୍ଦରେ ସାଗର ସହିତ ମିଶି ବିଶ୍ୱ ସ୍ରଷ୍ଟାଙ୍କର ସ୍ତୁତିଗାନ କରେ ଠିକ୍ ସେହିପରି ଦୁଇଗୋଟି ସନ୍ତାପିତ ପ୍ରାଣ ଏକ ହୋଇଗଲା ପରେ ଅପରିସୀମ ଆନନ୍ଦରେ ଭାବବହୁଳ ହୋଇ ଗୁରୁ ଗମ୍ଭୀର ସ୍ୱରରେ ସେମାନେ ଆବୃତ୍ତି କରନ୍ତି ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ–

 

‘‘ତୁମେ ଶିବ, ତୁମେ ଶାନ୍ତ

ତୁମେ ସତ୍ୟ, ତୁମେ ନିତ୍ୟ ।’’

 

ଏତିକି କହିସାରି ନେଲୀ ଜୀବନବାବୁଙ୍କୁ ଘନ ଘନ ଚୁମ୍ବନ କରି କହିଲା, ‘‘ଜୀବନବାବୁ ! ଇଉ ଆର୍ ମାୟଁ ଲାଇଫ୍ ଏଣ୍ଡ ଇଉ ଆର୍ ମାୟଁ ସୋଲ୍’’

 

ପ୍ରତିଦାନରେ ଜୀବନବାବୁ ନେଲୀର ଦୁଇଟି କପାଳରେ ଦୁଇଟି ଚୁମ୍ବନର ମୁଦ୍ରା ଆଙ୍କିଦେଇ କହିଥିଲେ, ‘‘ନେଲୀ ! କୌଣସି ଦିନ ପରିହାସରେ ମଧ୍ୟ ମୋ ପ୍ରେମକୁ ତୁମେ ପାପ ବୋଲି ଯେପରି ନ କୁହ । ଅନାବିଳ ହୃଦୟରେ ମୁଁ ତୁମକୁ ଭଲପାଏ । ଏତିକି ଯେପରି ତୁମେ ସବୁବେଳେ ସ୍ୱୀକାର କରିବ ଏହା କେବଳ ମୁଁ ଚାହେଁ ।’’

 

ନେଲୀ ଆନନ୍ଦରେ ଆତ୍ମହରା ହୋଇ କହିଥିଲା, ‘‘ପାଶ୍ଚାତ୍ୟ ଜଗତର ସ୍ତ୍ରୀମାନେ କାହିଁକି ଭାରତୀୟ ସ୍ୱାମୀଙ୍କୁ ପସନ୍ଦ କରନ୍ତି କହିପାରିବ ଜୀବନ ?’’

 

ଏ ପ୍ରକାର ପ୍ରଶ୍ନର ଉତ୍ତର ଯେ କ’ଣ ଦେବାକୁ ହେବ ସେଥିପାଇଁ ଜୀବନବାବୁ ମୋଟେ ପ୍ରସ୍ତୁତ ନ ଥିଲେ । ସେ କେବଳ ବିଷ୍ଫାରିତ ନୟନରେ ଅନାଇଲେ ନେଲୀକୁ ।

 

ନେଲୀ ହସି ହସି କହିଲା, ‘‘ଭାରତୀୟ ସ୍ୱାମୀମାନେ ସ୍ତ୍ରୀମାନଙ୍କ ଅପେକ୍ଷା ଯଥେଷ୍ଟ ବିଶ୍ୱସ୍ତ । ପୁରାଣ, ପୋଥିର ଉପାଖ୍ୟାନ ଆବୃତି କରି ସେମାନେ ସ୍ତ୍ରୀକୁ ଭଲପାଆନ୍ତି ନାହିଁ । ସେମାନେ ସ୍ତ୍ରୀକୁ ହୃଦୟ ଦେଇ ଭଲପାଆନ୍ତି । ସେଥିପାଇଁ ଯେତେ ଅପମାନ, ଯେତେ ଅବହେଳା ସ୍ତ୍ରୀ କଲେ ମଧ୍ୟ ସ୍ୱାମୀ ବୁଝିନପାରି ତା’ର ଅନ୍ଧବିଶ୍ୱାସ ରଖି ସେ ସ୍ତ୍ରୀକୁ ଭଲପାଏ । ଭାରତୀୟ ସ୍ୱାମୀ ଭଳି ଅନୁରକ୍ତ ସ୍ୱାମୀ ପୃଥିବୀରେ ବିରଳ । ଭାରତୀୟ ସ୍ୱାମୀ ଅନ୍ୟ ଦେଶର ସ୍ୱାମୀ ଅପେକ୍ଷା ଯଥେଷ୍ଟ ପରିମାଣରେ ଭଦ୍ର ଓ ଅପେକ୍ଷାକୃତ ବୋଧହୁଏ ସ୍ୱାର୍ଥାନ୍ଧ ।’’

 

ଜୀବନବାବୁ ନେଲୀକୁ କୋଳ ଉପରକୁ ଆଉଜେଇ ଆଣି ତା’ର ଅନାବୃତ ବକ୍ଷରେ ଅଗଣିତ ଚୁମ୍ବନ ଢାଳିଦେଇ କହିଲେ, ନେଲୀ ! ତୁମେ କ’ଣ ସତରେ ମୋର ପ୍ରେମ କାମନା କର-? ତୁମେ କ’ଣ ସତରେ ମୋତେ ଭଲପାଅ ?''

 

ମନ ପ୍ରାଣ ଢାଳି ସ୍ତ୍ରୀ ପୁରୁଷକୁ ଭଲପାଇଲା ପରେ ମଧ୍ୟ ଜୀବନବାବୁ ଯେଉଁ ପ୍ରଶ୍ନ ନେଲୀକୁ କରିଥିଲେ ସେହି ପ୍ରଶ୍ନ ପୁରୁଷ ମାତ୍ରେ ହିଁ କରିଥାନ୍ତି ଏବଂ କୁଶଳୀ ନାୟିକା ଅତି ସରଳ ଓ ସହଜ ଭାବରେ ଲଜ୍ଜାବନତ ଉତ୍ତର ଦେଇ ଯେପରି କହେ ଭଲ କିପରି ପାଇବାକୁ ହୁଏ ମୋତେ ଜଣା ନାହିଁ-ଠିକ୍ ସେହିପରି ନେଲୀ ମଧ୍ୟ ହସି ହସି କହିଥିଲା ଭଲପାଇବାର ଶୈଳୀ ମୋତେ ଜଣା ନାହିଁ । ଭଲପାଇବାକୁ କେମିତି ଶିଖାଯାଏ ସେତିକି ଶିଖାଇଦେଲେ ମୁଁ କ’ଣ ଶିଖିପାରିବି ନାହିଁ ?

 

ନେଲୀକୁ ଭଲପାଇବାର ବିଦ୍ୟା ଶିଖାଇ ଦେଉଁ ଦେଉଁ ସେଦିନ ଜୀବନବାବୁ ତା’ର ଗଣ୍ଡ ଓ ବକ୍ଷ ଦେଶକୁ କ୍ଷତବିକ୍ଷତ କରିଦେଇଥିଲେ । ଦୁଇଟି ପ୍ରାଣ ସେଦିନ ମିଶି ଏକ ହୋଇଯାଇଥିଲା । ଏ ସବୁର ସାକ୍ଷୀ ଥିଲେ ମଥା ଉପରେ ମହାକାଶ ଓ ପଦ ତଳରେ ବସୁମତୀ ।

 

ଏମିତି କେତେ କ’ଣ ଭାବୁ ଭାବୁ ରାତି ପାହାନ୍ତା ବେଳକୁ ଜୀବନବାବୁଙ୍କ ଆଖିପତା ଆପେ ଆପେ ପଡ଼ି ଯାଇଥିଲା ।

 

ତିନି

 

ତାମସୀ ରଜନୀର ନିରବତା ଭଙ୍ଗ କରି କଚେରୀ ଘଣ୍ଟାରୁ ଆବାଜ ହେଲା, ଠନ୍...ଠନ୍...ଠନ୍... ।

 

ତମିସ୍ରା ଚମକିପଡ଼ିଲା । ରାତି ତିନିଟା ହେଲାଣି ତଥାପି ତା’ ଆଖିକୁ ନିଦ ଆସୁନାହିଁ । ସେ ଏତେ ଭାବୁଛି କାହିଁକି ? ଭାବି ଭାବି ସତେ କ’ଣ ସେ ପାଗଳୀ ହେଇଯିବ ?

 

ସେ ଭାବୁଥିଲା ଯେଉଁମାନଙ୍କର ମନର ଶାନ୍ତି ନଷ୍ଟ ହୋଇଯାଏ, ଯେଉଁମାନେ ଅନବରତ ନାନା ଦୁଶ୍ଚିନ୍ତା କରନ୍ତି ସେମାନେ କାଳକ୍ରମେ ପାଗଳ ହୋଇଯାନ୍ତି । ସେ ମନେମନେ ଭାବିଲା ସେ ଆଉ ପାଗଳ ହୋଇଯାଇ ନାହିଁ ତ ?

 

ସେ ବିଛଣାରୁ ଧଡ଼ପଡ଼ ହୋଇ ଉଠିବସି ଚେୟାର୍, ଟେବୁଲ, ଆଲମିରା, ଦର୍ପଣ ସବୁକୁ ତନ୍ନତନ୍ନ କରି ହାତରେ ସ୍ପର୍ଶ କରି ଆଖିଯୋଡ଼ାକ ଅପେକ୍ଷାକୃତ ବଡ଼ କରି ସମ୍ମୁଖକୁ ଅନାଇଲା । ଗୋଟିଏ ଦୀର୍ଘଶ୍ୱାସ ପକାଇ ମନକୁମନ କହିଲା ନା ସେ ଠିକ୍ ଅଛି । ତା’ର ମସ୍ତିଷ୍କ ବିକୃତ ଘଟିନାହିଁ-। ମଥା ଗୋଳମାଳ ହୋଇଥିଲେ ସେ ଚେୟାର୍‍କୁ ଟେବୁଲ, ଟେବୁଲକୁ ଦର୍ପଣ ଏମିତି କେତେ କ’ଣ କହିଥାନ୍ତା ।

 

ତା’ର ସ୍ୱାମୀ ଯେପରି ପାଗଳ ହୋଇଗଲେ ସେ ଯଦି ସେପରି ଆଜି ପାଗଳୀ ହୋଇଯାଏ ତେବେ ତା’ର ସଂସାର ଚଳିବ କିପରି ? କିଏ କାହାର ସଂସାର ଚଳାଏ ? କାହାପାଇଁ ଦୁନିଆରେ କ’ଣ ଅଭାବ ରହିଯାଏ ?

 

ଜଣେ କରିବା ଲୋକ ସବୁ କରେ । ମାତ୍ର ଫାଲତୁରେ ଅନ୍ୟମାନେ ନାମ ନିଅନ୍ତି । ଏୟା ହେଉଛି ଦୁନିଆ ।

 

ଜଣେ ହେଉଛି ଦୁନିଆର ସର୍ବମୟ କର୍ତ୍ତା । ତା’ର ଇଚ୍ଛାରେ ସବୁ ହୁଏ । ସେ ଯେତେବେଳେ ଯାହାକୁ ଯେଉଁ ପ୍ରକାରରେ ସଜାଏ, ଯାହାକୁ ଯାହା କରେ ତା’ର ଇଚ୍ଛାରେ ସେ ସବୁ କରିଯାଏ । ତାକୁ ମନାକରିବାକୁ କେହି ନାହିଁ । ସବୁ ତା’ର ଇଚ୍ଛାରେ ହୁଏ । ମହାସତି ଗାନ୍ଧାରୀ ପଣ କରି ଅନ୍ଧୁଣୀ ସାଜିଥିଲେ କିନ୍ତୁ ତାଙ୍କର ସେ ପଣ ରହିଲା କି ? ସେ ଆଖିରୁ ଅନ୍ଧପୁଟୁଳୀ ଖୋଲି ଜଗତକୁ ପୁଣି ଦେଖିଲେ କାହିଁକି ? ବିହି ହେଉଛି ସୁଚତୁର ପୁରୁଷ । ସେ ସମସ୍ତଙ୍କୁ ଚିହ୍ନିପାରେ ଓ ଦରକାର ପଡ଼ିଲେ କିଏ ଏବଂ କାଚ କିଏ ଏହା ମଧ୍ୟ ଚିହ୍ନାଇ ଦେବାକୁ ସେ ପଛାଏ ନାହିଁ ।

Unknown

 

ଏହି ଚନ୍ଦ୍ର, ଏହି ପୃଥିବୀ, ଏହି ଆକାଶ ଓ ଏହି ସୂର୍ଯ୍ୟ ଏ, ସମସ୍ତ ତାହାର ସୃଷ୍ଟି । ଯଦି କାଲି ସେ ଇଛାକରିବା ଆକାଶଟା ମଧ୍ୟ ମାଟିଉପରେ ଖସିପଡ଼ିପାରେ । ତାହାର ଇଚ୍ଛା ବିରୁଦ୍ଧରେ ଯିବାର ଶକ୍ତି ଦୁନିଆରେ କାହାରି ନାହିଁ ।

 

ଆଜି ଶୁଭେନ୍ଦୁ ପାଗଳ ହୋଇଗଲେ । କାଲିକୁ ଦରକାର ପଡ଼ିଲେ ସେ ନିଜେ ମଧ୍ୟ ପାଗଳୀ ହୋଇଯିବ । ପୁଣି ତହିଁ ଆରଦିନକୁ ସମସ୍ତେ ପାଗଳ ସାଜି ଯୀଶୁଙ୍କୁ କ୍ରୂଶବିଦ୍ଧ କଲାଭଳି ପ୍ରତ୍ୟେକ ପ୍ରତ୍ୟେକଙ୍କର ଶୁଭେନ୍ଦୁମାନଙ୍କୁ ମାରିପକେଇବ । ସେଥିପାଇଁ କିଏ କାହାକୁ ଦୋଷଦେବ କାହିଁକି ? କିଏ କାହାକୁ ଦାୟୀ କରିବ କାହିଁକି ?

 

ସବୁ ତମିସ୍ରାର ମନେଅଛି । ଶୁଭେନ୍ଦୁ ପାଗଳ ହୋଇଗଲା ପରେ ପରେ କନକ ଦେବୀ ସବୁବେଳେ ଗାଇ ବୁଲିଲେ, ବୋହୂ ପାଇଁ ପୁଅ ମୋର ପାଗଳ ହୋଇଗଲା । ବୋହୂର ଯେଉଁ ଚନ୍ଦ୍ରମା ଭଳି ରୂପ, ଆଉ ଯେଉଁ ଗୁଣ, କେଉଁ ସ୍ୱାମୀ ବା ଦେଖିସହିପାରିବ ଯେ ମୋର ଶୁଭେନ୍ଦୁ ସହ୍ୟ କରିଥାନ୍ତା ?

 

ତେଣୁ ବୋହୂ ବାପଘରକୁ ଚିଠି ପଠାଇ, ମାଆପାଖକୁ ଲେଖାଲେଖି କରି ଔଷଧ ମଗାଇ ପୁଅକୁ ଖାଇବାକୁ ଦେବା ହେତୁରୁ ପୁଅର ମଥା ବିଗିଡ଼ି ଗଲା । ନହେଲେ ମୋର ରଜା ଭଳି ପୁଅ କ’ଣ ପାଗଳ ହୋଇଯାଆନ୍ତା ? ଯେଉଁ ପୁଅ ମୋର ମାଛିକୁ ମ’ ବୋଲି କହେ ନାହିଁ, କାହାରି ହଲିଲା ପାଣିରେ ଗୋଡ଼ ବଢ଼ାଏ ନାହିଁ, ସେ ପୁଅ କ’ଣ ପାଗଳ ହେବା କଥା ? କେତେ ଦିଅଁ ସେବି ସେବି, କେତେ ବାର ବ୍ରତ କରି, ହାଡ଼ ମାଂସ ମିଳାଇଦେଇ ପୁଅ ପାଇଥିଲି ଯେ ସେ ବାର ବ୍ରତ କେଉଁ ଆଡ଼କୁ ପାଇଲା ?

 

ତାଙ୍କ ଘରକୁ ଯିଏ ଆସୁଥିଲା, ଯିଏ ରାସ୍ତାଘାଟରେ ଚାଲିଯାଉଥିଲା ସମସ୍ତଙ୍କୁ କନକ ଦେବୀ କହୁଥିଲେ, ‘‘ପୁଅ ମୋର କେବଳ ବୋହୂ ପାଇଁ ପାଗଳ ହୋଇଗଲା । ବୋହୂ ଜାଣିଜାଣି ଏତେ କାଣ୍ଡ ଘଟାଇଛି ।’’

 

କନକ ଦେବୀ ପ୍ରଥମରୁ ବୋହୂକୁ ଦେଖି ସହିପାରୁନଥିଲେ । ଦେଖିସହି ନ ପାରିବାର ଅସଲ କାରଣ ହେଉଛି ତମିସ୍ରା ଥିଲା ଟିକିଏ କାଳୀ । ଶାଶୁ ଯେ ବୋହୂକୁ ଆଦର କରୁନଥିଲେ ସେଥିପାଇଁ ତମିସ୍ରାର ଅସୁନ୍ଦର ରୂପହିଁ ସର୍ବୋତଭାବେ ଦାୟୀ । ତମିସ୍ରା କାନ୍ଦି କାନ୍ଦି ରାତି ପୁହାଇ ଦେଉଥିଲା । ଯେଉଁଦିନ ଶୁଭେନ୍ଦୁ ଘରେ ରହୁନଥିଲେ ସେହି ରାତିସାରା ତମିସ୍ରା ଲୁହ ଢାଳି ଢାଳି ତକିଆ ଭିଜାଇ ଦେଉଥିଲା ।

 

ପୂର୍ବର କଥା ଗୋଟି ଗୋଟି ହୋଇ ତମିସ୍ରାର ମନେରହିଛି । ସମସ୍ତେ ସୁଖକୁ ପାଶୋରିଦିଅନ୍ତି କିନ୍ତୁ ଦୁଃଖକୁ କେହି ପାଶୋରିପାରେ ନାହିଁ । କଲିଜା ଦେହରେ ସୁଖର ଦାଗ ବସେ ନାହିଁ କିନ୍ତୁ ଦୁଃଖର ଦାଗ ଅତି ମାତ୍ରରେ ଗଭୀରଭାବେ ବସିଥାଏ । ତେଣୁ ମଣିଷ ଦୁଃଖକୁ ଭୁଲିପାରେ ନାହିଁ ।

 

ତମିସ୍ରାର ଶାଶୁଘରେ ଶାଶୁ, ଶଶୁର ଥିଲେ ଦୁଇ ପ୍ରାଣୀ । ସେଥିରେ ପୁଅ ରହୁଥିଲେ ବିଦେଶରେ । ଘରେ ଅସୁମାରି ଧନ ସମ୍ପତ୍ତି । କୌଣସି କଥା ଉଣା ନ ଥିଲା କିମ୍ବା ସେ ଯାହାର ହାତଧରି ବିଭା ହୋଇଥିଲେ ସେ ମଧ୍ୟ କୌଣସି ଥିରେ ଉଣାନଥିଲେ ।

 

ଶୁଭେନ୍ଦୁ ଦେଖିବାକୁ ଥିଲେ ଯେପରି ଲୋଭନୀୟ ତାଙ୍କର ବୁଦ୍ଧି ଥିଲା ମଧ୍ୟ ସେହିପରି କମନୀୟ । ଥରେ ଆଖି ତାଙ୍କ ଉପରେ ପଡ଼ିଗଲେ ସହଜରେ ଆଖି ଫେରିଆସିବାକୁ ମୋଟେ ମଙ୍ଗୁ ନ ଥିଲା । ଯେଉଁ ମାଇପିମାନେ ଲେଖାଯୋଖାରେ ଶୁଭେନ୍ଦୁର ଟାପରା ସମ୍ପର୍କୀୟା ଥିଲେ ସେମାନେ କନକ ଦେବୀଙ୍କୁ ଶୁଣାଇ ଶୁଣାଇ କହୁଥିଲେ, ‘‘ତୋ ପୁଅ ଯେ କେତେ ଘର ବୁଡ଼ାଇବ, କେତେ ସତୀକୁ ବାଟ ହୁଡ଼ାଇବ ସେ କଥା ସେହି ଏକା ଜାଣେ ।’’

 

ସେମାନଙ୍କ କଥା ଶୁଣି କନକ ଦେବୀ ମନେମନେ ଅପାର ଆନନ୍ଦ ଅନୁଭବ କରି କହୁଥିଲେ, ‘‘ମୋ ପୁଅ ବେଳକୁ ମାଉସୀ ତମର ବଳ ନ ଥିବ । ତୁଚ୍ଛାକୁ ଡରୁଛ କାହିଁକି ?

 

ରାଧୀ ଆଈ ମୁରୁକି ମୁରୁକି ହସିଦେଇ କହିଲେ, ‘‘ଆଜିକାଲି ବଳ ବୟସକୁ ଅନାଉଛି କିଏଲୋ ମାଆ ! ବୟସ ଖସି ଯାଇଥିଲେ ମଧ୍ୟ ନିଜକୁ ଟିକିଏ ସଜାଇ ରଖିପାରିଲେ ଟୋକା ମନ ଲାଖିରହିବ । ତୋ ମାଉସୀକୁ କହ, ସେ ମୋତେ ଏଣିକି ଛାଡ଼ପତ୍ର ଦେଇଦିଅନ୍ତୁ । ତୋ ପୁଅ ସାଥିରେ ହାକିମ ପାଖକୁ ଯାଇ ଲେଖାଲେଖି କରି ରାଜିରେ ଆମର ବିଭାଘର ହୋଇଯିବ ।’’

 

କନକ ଦେବୀ କହିଲେ, ‘‘ମାଉସୀ ! ମୋ ପୁଅ କ’ଣ ତୁମକୁ ରସିବ ଯେ ତୁମେ ବିଭାହେବ ବୋଲି ଗୋଡ଼ରେ ଅଳତା ପିନ୍ଧିବାକୁ ଗୋଡ଼ କାଢ଼ି ବସିଛ ?’’

 

ରାଧୀ ଆଈଙ୍କୁ କଥାରେ ଜିଣିବା ସହଜ ନୁହେଁ ! ସେ କହିଲେ, ‘‘କେତେ ଅପସନ୍ଦ କଥା କହୁଛୁ ଲୋ ଝିଅ ! ପୁରୁଷ ପୁଅ ରସ କଥା କ’ଣ ଜାଣେ ଯେ ସେ ରସିବ ? ପୁରୁଷ କ’ଣ କେବେ କାହା ରୂପ ଦେଖି ରସିଯାଏ ? ତୁଚ୍ଛାରେ ଲୋକେ ତାକୁ ଅପବାଦ ଦିଅନ୍ତି ନା ପୁରୁଷର ଚହଟ ଚିକ୍କଣ ରୂପ ଦେଖିଲେ ଓଲଟି ନାରୀ ରସିଯାଏ । ସେମିତି ତୋ ପୁଅର ଚିକ୍କଣ ରୂପ ଦେଖି ମୋତେ ଲୋଭ ହେଲାରୁ ମୁଁ କେତେ କଥା ଭାବିଯାଉଛି ଯେ ସବୁ କଥା ମନେରହୁନି ।’’

 

ଏହିସବୁ କଥା ତମିସ୍ରା ଶାଶୁ ଘରକୁ ଆସିବା ପରେ ସମସ୍ତଙ୍କ ପାଖରୁ ଶୁଣି ଶୁଣି ସେ ଭଗବାନଙ୍କୁ ଧନ୍ୟବାଦ ଦେଇ କହିଥିଲା, ‘‘ଠାକୁରେ ସବୁ ତୁମର ଦୟା । ତୁମର ଦୟା ନ ଥିଲେ ମୋର କାଳିହାଣ୍ଡି ଭଳି ଯେଉଁ ରୂପ ସେଥିରେ ପୁଣି କନ୍ଦର୍ପ ଭଳି ରୂପବନ୍ତ ସ୍ୱାମୀର ହାତ କିପରି ଧରିଥାନ୍ତି ?’’

 

ତମିସ୍ରାର ବିଭାଘର ପରେ ପରେ କିରଣମୟୀ ସମସ୍ତଙ୍କୁ କହିଥିଲେ, ‘‘ତମିସ୍ରାକୁ ଦେଖି ଜଣେ ସନ୍ନ୍ୟାସୀ କହିଥିଲେ ଝିଅ ମୋର ରାଜରାଣୀ ହେବ ।’’

 

ଯିଏ ଶୁଣିଲା ସେତେବେଳେ ସେ କହିଥିଲା, ‘‘ତମିସ୍ରାର କପାଳ ସଳଖ । କପାଳ ସଳଖ ହୋଇନଥିଲେ ଶିବଙ୍କ ଭଳି ଶଶୁର ଏବଂ କାର୍ତ୍ତିକେୟ ଭଳି ସ୍ୱାମୀ କ’ଣ ତା’ ଭାଗ୍ୟକୁ ମିଳିଥାନ୍ତା ? ସବୁ ଠିକ୍, ତେବେ ଶାଶୁ ସାକ୍ଷାତ ରଣଚଣ୍ଡୀ ।’’

 

ସବୁ ଭଲ କ’ଣ ବିଧାତା ପୁରୁଷ କପାଳରେ ଲେଖିଥାଏ ? ଯେଉଁ ଆଦିମାତା ସଚରାଚର ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି ତାଙ୍କ କପାଳରେ ମଧ୍ୟ ତ ଦୁଃଖ ବିଧାତା ପୁରୁଷ ଲେଖିଥିଲା ଯେ ସେ ପୁଣି ଖଳ ଲୋକ କଥାରେ ବନସ୍ତକୁ ଯାଇଥିଲେ ।

 

ପ୍ରକୃତରେ ସଂସାରରେ ଧର୍ମ ଅନୁସାରେ ଦେଖିବାକୁ ଗଲେ ତମିସ୍ରା ଥିଲା ସୁଖୀ । ଶାଶୁ ତାକୁ ଯେ ଦେଖିସହିପାରୁ ନଥିଲେ ସେ କଥାକୁ ତମିସ୍ରା ସେତେ ବେଶି ଗୁରୁତ୍ୱ ଦେଉନଥିଲା । ତମିସ୍ରା ଜାଣିଥିଲା ମଣିଷ ନିଜର ସଦ୍‍ଗୁଣ ଦ୍ୱାରା ଅନ୍ୟକୁ ବଶ କରିଥାଏ । ଅନ୍ୟର ଶ୍ରଦ୍ଧାଭାଜନ ହେବାପାଇଁ ରୂପର ପ୍ରୟୋଜନ ନାହିଁ । ଗୁଣର ଏକାନ୍ତ ପ୍ରୟୋଜନ । ଆଜି ଯେଉଁ ଶାଶୁ ଫଁ ଫଁ ହେଉଛନ୍ତି ସେ ବଳେ କାଲିକୁ ନିଜର ହୋଇଯିବେ ନାହିଁ କି ?

 

ଦୁଇଟି ବର୍ଷ ପୂର୍ଣ୍ଣ ହୋଇଛି କି ନାହିଁ ଜନନୀ ହେବାର ଶୁଭ ଲକ୍ଷଣ ତମିସ୍ରାର ପ୍ରକାଶ ପାଇଲା । ଯେଉଁ ବୋହୂ କନକ ଦେବୀଙ୍କ ଆଖିରେ କାଳୀ, କାତ୍ୟାୟନୀ ଭଳି ଜଣାପଡ଼ୁଥିଲା ସେଦିନ ସେହି ବୋହୂ ଶାଶୁଙ୍କ ଆଖିରେ ସ୍ୱରୂପା ପାର୍ବତୀ ଭଳି ଜଣାପଡ଼ିଥିଲା । ଶାଶୁ ନାଚି କୁଦି ସିମେଣ୍ଟ ଚଟାଣ ଧୂଳି ଫୁଟାଇ ଦେଇଥିଲେ ।

 

ଏତେଦିନ ପରେ ବିଧାତା ତାଙ୍କ ମନକଥା ଜାଣି ନାତି କିମ୍ବା ନାତୁଣୀଟିଏ ଯେ କୋଳରେ ଧରିବାକୁ ତାଙ୍କୁ ଆଶୀର୍ବାଦ କଲା ସେଥିପାଇଁ ସେ ବିଧାତା ପୁରୁଷଙ୍କୁ ଧନ୍ୟବାଦ ଜଣାଇ କହିଲେ, ‘‘ତୁ ହେଉଛୁ ଜଗତର ସବୁ କଥାର ମୂଳ । କର୍ମରେ ଯାହାର ନଥାଏ ସେ ତୋତେ ମନାଇପାରିଲେ ତୁ ମଧ୍ୟ ତାକୁ ସୁଦୟା କରୁ । ସବୁ ତୋର ଭିଆଣ । ତୁ ଧୂଳି ଘରକୁ ରାଜ ନବରରେ କ୍ଷଣକେ ପରିଣତ କରୁ । ପୁଣି ଯଦି ଇଚ୍ଛା ତୋର ହୁଏ ତୋ ନିଜ ଗଢ଼ା ରାଜ ନବରକୁ ପୁଣି ଧୂଳିରେ ମିଶାଇଦେଉ ।’’

 

ଏହା ଆଗରୁ ଯେଉଁଦିନ ତମିସ୍ରା ପ୍ରତି ପୂର୍ଣ୍ଣିମାରେ ମଥା ବୁଡ଼ାଇ ଗାଧେଇପାଧେଇ ଅଛୁଆଁ ହୋଇ ବସି ରହୁଥିଲା ସେଦିନ କନକ ଦେବୀଙ୍କ ରଣ-ରଙ୍ଗିନୀ ରୂପକୁ ଦେଖେ କିଏ ? ତୁଚ୍ଛାକୁ ତ ସେ ବୋହୂ ଉପରେ ସଦାକାଳେ ଗରଗର ହେଉଥିଲେ । ସେଦିନ ସେହି ରାଗର ମାତ୍ରା ଦଶଗୁଣ ବଢ଼ି ଯାଉଥିଲା । ଚୂଲିଉପରେ ହାଣ୍ଡିଟା ଦୁମ୍ କରି ବସାଇଦେଇ କହୁଥଲେ, ‘‘ବାଛି ବାଛି ବୋହୂ ଆଣିଥିଲି ଯେ ପ୍ରତି ମାସ ଧୋବଣୀକି ଚାଉଳ ମାପି ମାପି ହାତ ରହିଗଲାଣି । ତିରିଶି ଦିନ ଗଡ଼ିଯାଇ କେବେ ଆଉ ଏକତ୍ରିଶ ହେବାକୁ ନାହିଁ । ଏମିତି ବାଦ ମଧ୍ୟ ମଣିଷ ସାଥିରେ ବିଧାତା ପୁଣି ଲଗାଏ ?’’

 

ପଣତରେ ଗୋଟିଏ ଶକ୍ତ କରି ଗଣ୍ଠି ପକାଇଦେଇ କହୁଥିଲେ, ‘‘ଏଇ ଗଣ୍ଠି ପକାଇଲି । ଏଥର ଯଦି ପୁଣି ଧୋବଣୀକୁ ଚାଉଳ ମାପିବାକୁ ପଡ଼େ ତେବେ ପୁଅ ପାଇଁ ନିଶ୍ଚେ ବୋହୂ ଖୋଜିବାକୁ ହେବ । ପୁଅ ମୋର ଚିନ୍ତା କରି କରି ରହିଗଲାଣି । କେତେଦିନ ଆଉ ତୁଚ୍ଛା ମୁହଁଟାକୁ ଚାହିଁ ବସି ରହିଥିବ ? ବସିଲେ ବୋଝେ ତ ଉଠିଲେ ମଧ୍ୟ ବୋଝେ । ସେଥିପାଇଁ କ’ଣ ଲୋକ ଘର ସଂସାର କରେ ?’’

 

ମହାପାତ୍ରଙ୍କ ଘର ଥିଲା ପିଲା ଖୋଜିବା ଘର । ଛବିଶି ବର୍ଷ ତଳେ ଯେତେବେଳେ ଶୁଭେନ୍ଦୁ ଜନ୍ମ ହୋଇଥିଲେ ସେହିବେଳେ ଯାଇ ତାଙ୍କ ଘରେ ଅନ୍ତୁଡ଼ି ଜଳିଥିଲା । ତାହା ପରଠାରୁ ଆଜିଯାଏ ଅନ୍ତୁଡ଼ି ଆଉ ଜଳି ନାହିଁ । ଏ ପରିସ୍ଥିତିରେ ବୋହୂର ପ୍ରତି ମାସରେ ଅଛୁଆଁ ହେବା କଥା ଶାଶୁ ଶୁଣିଲାମାତ୍ରେ ରାଗରେ ଜଳିଯାଇ ପାଟିକୁ ଯାହା ଆସୁଥିଲା ସବୁ କହିଯାଉଥିଲେ ।

 

ତମିସ୍ରା ହେବ ସନ୍ତାନର ଜନନୀ । ଏହି କଥା ପ୍ରଥମେ ନିଜେ ତମିସ୍ରା ଯେପରି ଜାଣିପାରିଲା ସେ ତତ୍‍କ୍ଷଣାତ ଦୁଇହାତ କପାଳରେ ଲଗାଇ ମନେମନେ କହିଲା, ‘‘ଠାକୁର ! ସବୁ ତୋର ଦୟା । ତୁ ଯେ କେତେବେଳେ କେଉଁ ରୂପରେ ଆତ୍ମପ୍ରକାଶ କରୁ ସେ କଥା ତୋତେହିଁ ଜଣା । ତୁ କେତେବେଳେ ଏହି ନାରୀକୁ କନ୍ୟା ରୂପରେ ପ୍ରକାଶ କରୁ, କେତେବେଳେ ଜାୟା ରୂପରେ ସଜାଇଦେଉ ଏବଂ ସର୍ବଶେଷରେ ଏହି ନାରୀକୁ ତୁ କରୁ ଜନନୀ । ତେଣୁ ତୋତେ ମଣିଷ କ’ଣ ବୁଝିବ ? ତୋର ମାୟା ତୋତେ ଯେତେବେଳେ ଅଗୋଚର ତାହା ଅନ୍ୟକୁ ଗୋଚର ହେବ କିପରି ?

 

ଜନନୀ ହେବାର ଲକ୍ଷଣ ତମିସ୍ରାର ପ୍ରକାଶ ପାଇଲା ପରେ ପରେ କନକ ଦେବୀ ତମିସ୍ରାକୁ ଆଖିରୁ ଅନ୍ତର ମୋଟେ କରିନଥିଲେ । ଯେଉଁ ମୁହଁରେ ସେ ତମିସ୍ରାର ନିନ୍ଦାପାନ ଅବରତ କରୁଥିଲେ ସେ ପୁଣି ସେହି ମୁହଁରେ ତମିସ୍ରାର ପ୍ରଶଂସା ଗାଇ କହିଥିଲେ–

 

‘‘ଗୁଣ ଥିଲେ କାନ୍ଦି

କି ବାଳ ଥିଲେ ବାନ୍ଧି ।

ରୂପରୁ କ’ଣ ମିଳିବ ?’’

 

ପୁଣି କେବେ କେମିତି ମନକୁମନ ସେ କହୁଥିଲେ, ‘‘ରୂପ ଥିଲେ ଥାଉ ପଛେ ହଜାର, ଗୁଣ ନ ଥିଲେଟି ସବୁ ଅସାର । ନାରୀର ରୂପ ବିଭା ନହେବା ପର୍ଯ୍ୟନ୍ତ । ବିଭା ହେବା ପରେ ରୂପର ପ୍ରୟୋଜନ କ’ଣ ? ବିବାହିତା ନାରୀ ରୂପରେ ମୋଟେ ବିକାଏ ନାହିଁ । ସେ ଗୁଣରେ ବିକାଏ ।’’

 

ଯେଉଁ ମୁହଁରେ ଦରକାର ନ ପଡ଼ିଲେ ମଣିଷ କାଣୀକୁ ଟେରୀ ବୋଲି କହେ ସେହି ମୁହଁରେ ବେଳ ପଡ଼ିଲେ ଟେରୀକୁ ମଧ୍ୟ ଲୋକେ ସୁଲୋଚନା ବୋଲି କହନ୍ତି । ତେଣୁ ତୁଣ୍ଡବାଇଦକୁ ସମସ୍ତେ ଭୟ କରନ୍ତି ।

 

କଥାରେ ଅଛି ବିଭାବାଇଦ କୋଶେ, ମେଘବାଇଦ ଦଶ କୋଶ ଓ ତୁଣ୍ଡବାଇଦ ସହସ୍ର କୋଶ । ସେଥିପାଇଁ ଲୋକ ତୁଣ୍ଡବାଇଦକୁ ଡରେ । କାହାରି ନାମରେ ଗୋଟିଏ ତୁଣ୍ଡରୁ ଥରେ ଅପଯଶ ଶୁଣିବାକୁ ମିଳିଲେ ରାତି ନ ପାହୁଣୁ ସହସ୍ର ଯୋଜନ ବ୍ୟାପି ଯାଇଥିବ । ତେଣୁ ଲୋକ ତୁଣ୍ଡ କଥାକୁ ଯମଠାରୁ ମଧ୍ୟ ଅଧିକ ଭୟ କରେ ।

 

ଯମକୁ ମଣିଷର ଯେତେ ଭୟ ନାହିଁ ନିନ୍ଦା ଓ ଅପଯଶକୁ ସେତେ ଭୟ । ଯମ ଆସେ ନେଇଯାଏ କିନ୍ତୁ ନିନ୍ଦା ରଟନା ଥରେହେଲେ ସେ ମଥାଉପରେ ଗୋଟିଏ ଶକ୍ତ ବୋଝ ଥୋଇଯାଏ ଯେ ଯାହାକୁ ମଥାରେ ବହିହେବ ନାହିଁ କିମ୍ବା ତଳରେ ଥୋଇଦେଇ ହେବ ନାହିଁ । ସେ ଯନ୍ତ୍ରଣା କି ମର୍ମନ୍ତୁଦ ? ଘାଉଲା ଜାଣେ କି ବିନ୍ଧିଲା ଲୋକ ଜାଣେ । ଦେଖଣାହାରୀ ହସି ହସି ତାଳିପିଟି ହସିବା ମଣିଷ । ସେମାନେ ବ୍ୟଥିତ ହୃଦୟର ଗୁରୁବ୍ୟଥା ବୁଝିପାରିବେ କୁଆଡ଼ୁ ?

 

ତମିସ୍ରା ପାଖକୁ ଯେତେବେଳେ ସେତେବେଳେ ଛାୟା ମାଆ ଆସୁଥିଲା । ସେ ତମିସ୍ରାକୁ ଭାରି ଭଲପାଉଥିଲା । ସତେ ଯେପରି ଦଶମାସ ଦଶଦିନ ଗର୍ଭରେ ସେ ତମିସ୍ରାକୁ ଧରିଥିଲା ! ତମିସ୍ରା ତାହାଠାରେ ଯେ କି ମାୟା ଲଗାଇଥିଲା ସେ କଥା ତମିସ୍ରାକୁ ଜଣା । କିନ୍ତୁ ଛାୟା ମାଆ କଥାପଦକୁ କହୁଥିଲା, ‘‘ଦାସିଆଣୀ ଜଡ଼ିବୁଟି ଦେଇ ଝିଅଦ୍ୱାରା ମୋତେ ବଶ କରାଇଲା ।’’

 

ତମିସ୍ରା ହେଉଛି ଦାସ ପରିବାରର ଝିଅ । ସେଥିପାଇଁ ତମିସ୍ରାର ମାଆ କିରଣମୟୀଙ୍କୁ ସମୁଦୁଣୀ ଟାପରା କରି ଛାୟା ମାଆ କହୁଥିଲା ଦାସିଆଣୀ ।

 

ଛାୟା ମାଆର କଥାଶୁଣି କନକ ଦେବୀ କହିଲେ, ‘‘ଦାସିଆଣୀ ତୋରିଭଳି ମାଇପିଟିଏ । ସେ ତୋତେ ଜଡ଼ିବୁଟି ଦେଇ ବଶ କଲେ ତାଙ୍କର ଲାଭ କ’ଣ ? ତୁ ବଶ ହେଲେ ତାଙ୍କୁ ଅଧିକା କଉଁ ଲାଭ ମିଳିବ କହିଲୁ ? ଏ କଳି କାଳରେ ଭଗିରଥ ଜନ୍ମହେବା ସମ୍ଭବ ନୁହେଁ । ଏ କଳାରେ ଅବିବାହିତ ସ୍ୱାମୀଙ୍କ ଭାଉ ଯେତେ ଶସ୍ତା ଅବିବାହିତା ଜନନୀଙ୍କ ବଜାରଦର ତା’ଠାରୁ ଆହୁରି ଶସ୍ତା ଏବଂ ସୁଲଭ୍ୟ ମଧ୍ୟ । ତେଣୁ ମୋର ମନେହେଉଛି ନିଜେ ସମୁଦି ତୋତେ ମନ୍ତ୍ରଯନ୍ତ୍ର କରି ଆୟତ୍ତ କରିନେବାକୁ ବସିଲେଣି ।’’

 

ଛାୟା ମାଆ ହସର ଲହରୀ ଖେଳାଇ କହିଲା–

 

‘‘ଆଉ ବୟସ ମୋର କାହିଁ

ପାରିବି ପୁତ୍ର ଉପୁଜାଇ ।’’

 

ବୟସର ଗରମ ନାହିଁ କି ମନର ଗରମ ମଧ୍ୟ ନାହିଁ । ଟିକିଏ ଦୁଇ ଚାରିବର୍ଷ ଆଗରୁ ହୋଇଥିଲେ ସମୁଦିଙ୍କ ସଙ୍ଗେ ବଳ କଷାକଷି ହୋଇଥାନ୍ତି ।’’

 

କନକ ଦେବୀ କହିଲେ, ‘‘ଆଉ ଆଜିକାଲି..... ?’’

 

ଛାୟା ମାଆ କନକ ଦେବୀଙ୍କ ପାଟିରୁ କଥା ଛଡ଼ାଇନେଇ କହିଲା, ‘‘ଆଜିକାଲି ସହିସମୁଦି କରିବାକୁ ଯେତେବେଳେ ସଜବାଜ ହେଲିଣି ଏପରି ଅବସ୍ଥାରେ ରସ ଚର୍ଚ୍ଚା କରିବା ଯାହା ପାକୁଆ ପାଟିରେ ଖଜାଖାଇବା ମଧ୍ୟ ସେୟା । ଲୋକ ଜାଣିବାକୁ ଖାଇବା କଥା ସିନା । ହେଲେ ମନ ମାନିବ ନାହିଁ କି ପେଟ ଭରିବ ନାହିଁ । ତୁଚ୍ଛାରେ ଦହଗଞ୍ଜ ।’’

 

ଏହାପରେ ସମୁଦିଙ୍କ ଆଡ଼ୁ କଥା ଗଡ଼ାଇନେଇ ଛାୟା ମାଆ ତାଳ ଛିଡ଼ାଇଲା ତମିସ୍ରା ଉପରେ ।

 

ଛାୟା ମାଆ କହିଲା, ‘‘ତୁମେ ଯଦି ଶୁଭବୋଉ ଚାହୁଁଛ ମୁଁ ଆଉ ଥରେ ପୁଣି ଗୋଡ଼ରେ ନୂପୁର ପିନ୍ଧି, ଆଖିରେ କଜ୍ଜଳ ନାଇ, କଳସି କାଖରେ ବସାଇ ରାଧା ସାଜି ଯମୁନାକୁ ଜଳଆଣି ଯିବିନାହିଁ କି ? ମୋର କାଳିଆ କାହ୍ନୁ ଆସୁ । ଗଲା ଚାରିମାସ, ଆଉ ବାକି ଛଅଟା ମାସ ।’’

 

ଛାୟା ମାଆର କଥା ଶୁଣି ତମିସ୍ରା ପଚାରିଲା ‘‘ମାଉସୀ ! ଆଉ ଛଅମାସ ପରେ ?’’

 

‘‘ଏତିକି ବୁଝିପାରିଲୁ ନାହିଁ କି ଲୋ ଦାସିଆଣୀ ଝିଅ ? ତୋ ବୋଉ କ’ଣ ଆଖି ବୁଜି ବୁଜି ସମୁଦି ଭାବି ଆଉ କାହାପାଖରୁ ପିଲା ଜନମ କରିଥିଲା କି ?’’

 

ତମିସ୍ରା ମୋଟେ ବୁଝିପାରିଲା ନାହିଁ ଛାୟାମାୟାର ରସ ରସିଆ କଥାର ନିଗୁଢ଼ ତତ୍ତ୍ୱ । ସେ ପୁଣି ପ୍ରଶ୍ନବାଚକ ଦୃଷ୍ଟିରେ ଅନାଇଲା ଛାୟା ମାଆକୁ ।

 

ଛାୟା ମାୟା ସମସ୍ତଙ୍କର ସନ୍ଦେହ ମୋଚନ କରି କହିଲା, ‘‘ଆଉ ଛଅମାସ ପରେ ହଟିଆ ନାଗର ନନ୍ଦପୁଅ ଆସିବେ ତୋରି କୋଳରେ କୁଆଁ କୁଆଁ ଡାକି ପକାଇବାକୁ । ଦେଖିବୁଲୋ ଝିଅ ! ସେତେବେଳେ ମୋର ତିନି ଓଳିରେ ତେର ସଜକୁ । ଖାଲି ଆଖିଠାର ମାରିଦେଇ ତୋ ପୁଅକୁ ଘେନିପାର ।’’

 

ତମିସ୍ରା ଲାଜରେ ମଥା ପୋତିଦେଲା ।

 

କନକ ଦେବୀ କହିଲେ, ‘‘ବୁଝିଲୁ ଛାୟା ମାଆ ! ସେ କାଳର କୃଷ୍ଣ ଆଉ ଏ କାଳର କୃଷ୍ଣ ଭିତରେ କେତେ ତଫାତ୍ ?’’

 

‘‘ସେତିକି ନ ଜାଣି ତୁଚ୍ଛାରେ ମୁଁ କ’ଣ ରାଧା ସାଜିବାକୁ ମନ ବଳାଇଛି ? ସେତେବେଳେ କୃଷ୍ଣ ବଂଶୀ ବଜାଇ ଗାଉଥିଲେ–

 

ବୃଷଭାନୁ ସୁତା ରାଧିକା

ନାମ ହେଲା ମୋର ଜପା ମାଳିକା ।

 

ଆଉ ଆଜି କାଲିକା କୃଷ୍ଣ ରାସ୍ତାଘାଟରେ ସାଇକେଲ ଚଢ଼ି ଗାଇ ଗାଇ ଯାଉଛନ୍ତି–

 

ତେରେ ମନ୍ କୀ ଗଙ୍ଗା

ମେରେ ମନ୍ କୀ ଯମୁନା କା

ବୋଲ୍ ରାଧା ବୋଲ୍ ସଙ୍ଗମ ହୋଗା କି ନହିଁ ?

 

ବୁଝିଲ ଶୁଭବୋଉ ! ଏ ଯୁଗରେ ପ୍ରେମ କିଲୋ ଛଅ ପଇସା । ସେ ଯୁଗରେ ପ୍ରେମ କିଣିବାକୁ ମିଳୁନଥିଲା । ପ୍ରେମ ରାସ୍ତାଘାଟରେ ବିକ୍ରି ହେଉନଥିଲା । ପ୍ରେମ ଥିଲା ସେ ଯୁଗରେ ନାରୀର ନୟନ କୋଣରେ । ନାରୀର ଅନ୍ତରର ନିଭୂତତମ ପ୍ରଦେଶରେ । ଆଉ ଏ ଯୁଗରେ ପ୍ରେମ ନାରୀର ଜିଭଅଗରେ ଥୁଆ । ଟିକିଏ ସୁନ୍ଦର ପୁରୁଷ ଦେଖିଲେ, ପୁରୁଷ ପଚାରୁ ନ ପଚାରୁ, ସ୍ତ୍ରୀ ଅଧା ଲଙ୍ଗଳା ହୋଇ ଛାତିରୁ ଲୁଗା ଖସାଇଦେଇ କହେ ମୁଁ ତୁମକୁ ଯେ କେତେ ଭଲପାଏ ତାହା ମୁଁ ଜାଣେ ।’’

 

କନକ ଦେବୀ ହସି ହସି ଗଡ଼ିଗଲେ । କହିଲେ, ‘‘ତୋତେ କେତେ କଥା ନ ଆସେ ଲୋ ? ଆମେ ତ ବୁଢ଼ୀ ହେଲୁଣି ଯେ ତୋ ଭଳି ପଦେହେଲେ କହି ଜାଣିଲୁ ନାହିଁ କିନ୍ତୁ ତୁ ପାଟି ଖୋଲିଲେ ନାବକେଳି ଆରମ୍ଭ ହୋଇଗଲା ।’’

 

‘‘ନାବକେଳି ନୁହେଁ ଶୁଭବୋଉ ! ବସ୍ତ୍ର ହରଣ କଥା କୁହ’’ କହି ହସିଦେଲା ଛାୟା ମାଆ-। ତାହାପରେ ପୁଣି ଆରମ୍ଭ କଲା, ‘‘ତୁମ କଥା ଦୁସୁରା ଆଉ ମୋ କଥା ଦୁସୁରା । ତୁମ ଘରେ ପାଞ୍ଜି ପୋଥି ଦେଖିଲେ ଯାଇ ମଙ୍ଗଳବାର ଓଷା । ଆମର ପାଞ୍ଜି ନାହିଁ କିମ୍ବା ପୋଥି ନାହିଁ-। ଆମର ସବୁଦିନେ ମଙ୍ଗଳବାର । ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଆମ ଘରେ ନାହିଁ । ସେଥିପାଇଁ ଦେଖୁନ ସାତବର୍ଷରେ ଛଅ ।’’

 

କନକ ଦେବୀ ଛାୟା ମାଆକୁ ଟିକିଏ ପେଲିଦେଇ କହିଲେ, ‘‘ତୋତେ ମରଣ ଯା ହେଉନାହିଁ ଲୋ ଡବଡ଼ବୀ । କେତେ ବାହାଦୁରି କରୁଛୁ ମ ?’’

 

‘‘ହକ କରିଛି ବୋଲି କହୁଛି । କାହିଁ ତମେ କହିପାରୁନ ? ଯେ କରେ, ସେ କହେ । ଜଣକୁ ନିଘୋଡ଼ ନିଦରୁ ଉଠାଇ ଯେତେବେଳେ ନିଜର ସୁବିଧା କରିପାରିଛି ସେତେବେଳେ ସବୁକଥା ଖୋଲି ନ କହିବା ମହାପାପ ।’’

 

କଥା କହୁଥିବା ବେଳେ ଛାୟା ମାଆ ପାଟିରେ ବାଡ଼ବତା ପଡ଼େନାହିଁ । ସେ କହୁଁ କହୁଁ ଅନେକ କହିଯାଏ ।

 

କନକ ଦେବୀ କହିଲେ, ‘‘ତୋତେ ଟିକିଏ ଲାଜସରମ ନାହିଁ ଯେ ପାଟିକୁ ଯାହା ଆସିଲା ତାହା ଗାଇଯାଉଛୁ ?’’

 

‘‘ବାପଘର ଛାଡ଼ି ଆସିଲାବେଳେ ଲାଜ ସରମକୁ ଗାଁ ମୁଣ୍ଡରେ ଛାଡ଼ିଦେଇ ଆସିଥିଲି । ତୁମ ଗାଁକୁ କ’ଣ ଖାଇ ପିଇ ଶୋଇପଡ଼ିବାକୁ ମୋ ବାପ ଭାଇ ପଠାଇ ଦେଇଥିଲେ କି ? ମୋ ବାପଘରେ ବହୁତ ଶୋଇବା ଯାଗାଥିଲା । ସେଠାରେ ଶୋଇଥିଲେ କିଏ ମନା କରିଥାନ୍ତା କି ? ଯେତେବେଳେ ବାଇଦ ବଜାଇ, ବାଣ ଫୁଟାଇ ମୋତେ ସେ ନେଇଆସିଲେ ସେତେବେଳେ ଓଢ଼ଣୀ ତଳେ ମୁରୁକି ହସି ହସି ମନେମନେ କହୁଥିଲି, ‘‘ଏ ବାଇଦ ବାଜଣା କାହିଁକି ? ନା କାହିଁକି । ଏ ଅଳତା ସିନ୍ଦୂର କାହିଁକି ? ନା କାହିଁକି ।

 

ଆହୁରି କେତେ କ’ଣ ସେଦିନ ଛାୟା ବୋଉ ଗପୁଥାଆନ୍ତି । କିନ୍ତୁ କନକ ଦେବୀ ହଠାତ୍ ଛାୟା ବୋଉକୁ ପଚାରିଲେ, ‘‘ବୋହୂକୁ ଦେଖି କହିଲୁ ବୋହୂର ପୁଅ ହେବ କି ଝିଅ ହେବ ?’’

 

କାକ ଚରିତ ଜାଣିଥିଲା ବୋଧହୁଏ ଛାୟା ମାଆ । ସେ ତମିସ୍ରାକୁ ନିରୀକ୍ଷଣ କରି କହିଲା, ‘‘ଝିଅ କାହିଁକି ହେବ ? ସଉତୁଣୀ ଜ୍ୱାଳାକୁ ମୋର ଭାରି ଡର । ଠାକୁରେ ପୁଅଟିଏ ନିଶ୍ଚୟ ଦେବେ । ସେ କାହାର ଡାକ ଶୁଣନ୍ତୁ କିମ୍ବା ନ ଶୁଣନ୍ତୁ, ମୋ ଡାକ ନିଶ୍ଚୟ ଶୁଣିବେ ।’’

 

ପୁଣି ତମିସ୍ରାକୁ ଶୁଣାଇ ଶୁଣାଇ କହିଲା, ବୁଝିଲୁ ଝିଅ ! ତୋ ପୁଅକୁ ଛାତି ଉପରେ ପକାଇ ଓଠରେ ଓଠ ମିଶାଇ ଗାଇବି–

 

‘‘ହେ ନଟ ନାଗର ! ଶଠ ଦଗାଦାର

ଏତେଦିନ ତୁମେ ଥିଲ କାହିଁ ?

ତୁମକୁ ଅନାଇ କେତେ କେତେ ନିଶି

ଉଜାଗରେ ମୋର ଗଲା ପାହି ।

କୁଞ୍ଜକୁ ଯେବେ ହେ ଆସିଲ କହ୍ନାଇ

କୁଞ୍ଜ ମୂଲ ଦେଇ ଯାଅ

ନ ଦେଇ ପାରିଲେ କୁଞ୍ଜ ମୂଲ ବନ୍ଧୁ

ଆସିବା ପଥରେ ଯାଅ ।’’

 

ଶୁଣି ଶୁଣି କନକ ଦେବୀ କହିଲେ, ‘‘ସେତିକିବେଳେ କୃଷ୍ଣ ଯଦି କହନ୍ତି–

 

‘‘ଯେଉଁ ଦେହକରେ ଚନ୍ଦ୍ରସେଣା ଭୋଗ

ସେ ଦେହରେ ନାହିଁ ଲୋଭ,

ଚନ୍ଦ୍ର ବିନିନ୍ଦିତ ରୂପ ପଛେ ଥାଉ

ବଳୁନି ତିଳେ ସରାଗ ।’’

 

ଦୁଇ ବୁଢ଼ୀଙ୍କ କଥା ଶୁଣି ଶୁଣି ତମିସ୍ରା ମନେମନେ ହସୁଥିଲା ଏବଂ ଭାବୁଥିଲା କଥାରେ କଥାରେ ଦେହର କ୍ଷୁଧା ଏମାନେ କ’ଣ ମେଣ୍ଟାଇ ନେଉଛନ୍ତି କି ?

 

ଛାୟା ମାଆ କନକ ଦେବୀଙ୍କୁ କହିଲା, ‘‘ଶୁଭ ବୋଉ ! ତୁମେ ତ ବେଶ୍ ବୁଡ଼ି ବୁଡ଼ି ପାଣି ପିଇବା ଲୋକ । ମୁଁ ଭାବିଥିଲି ତୁମକୁ କିଛି ଜଣାନାହିଁ ବୋଲି । ଆରେ ତୁମେ ତ ଅସଲ ରସିକା । ଉପରକୁ ଗୋଟିକଯାକ ତୁଳସୀ । କିନ୍ତୁ ଥରେ ତୁମେ ଯାହା ଦେହରେ ଲାଗିଯିବ ତାହାର ଦେହସାରା ଫଳିଯିବ । ବୋଧହୁଏ ସେଥିପାଇଁ ଶୁଭ ବାପା ତୁମଠାରୁ ଦଶହାତ ଦୂରରେ.... ।’’

 

ହାତ ମାଡ଼ଠାରୁ କଥା ମାଡ଼ ଭାରି କାଟେ । ଛାୟା ମାଆର କଥା ଶୁଣି କନକ ଦେବୀ ଚମକିଉଠିଲେ । ସେ ମନେମନେ ଭାବିଲେ ଛାୟା ମାଆ ସତ କହିଛି ।

 

କେଉଁ ନାରୀ ସ୍ୱାମୀର ସ୍ନେହ ନ ଚାହେଁ ? ସ୍ୱାମୀର ବାହୁ ବନ୍ଧନରେ ବନ୍ଦୀହୋଇ କେଉଁ ସ୍ତ୍ରୀ ନିଜକୁ ଭୁଲିଯିବାକୁ ମନକରେ ନାହିଁ ? କିନ୍ତୁ କନକ ଦେବୀ ସଂସାରକୁ କ’ଣ ପାଇଁ ଯେ ଆସିଥିଲେ ସେକଥା ସେ ନିଜେ କହିପାରିବେ ନାହିଁ । ତାଙ୍କର ମନ କିଏ ବୁଝିଲା ଯେ ଅପରକୁ ସେ ବୁଝିଲେ ନାହିଁ ? ସେ ଯଦି ଅଭିମାନ କଲେ ତାଙ୍କର ମାନଭଞ୍ଜନ କେହି କରିଥିଲା କି ?

 

ସ୍ୱାମୀ ପାଖରେ ସ୍ତ୍ରୀ ସବୁ ଦାବି କରେ କିନ୍ତୁ ସ୍ୱାମୀ ଯଦି ତାହା ଉପେକ୍ଷା କରେ ତେବେ...... ?

 

କନକ ଦେବୀ ଆଉ ବିଶେଷ କିଛି ଭାବିପାରିଲେ ନାହିଁ । ଆଖିଦୁଇଟି ତାଙ୍କର ଛଳଛଳ ହୋଇଆସିଲା । ସେ ବସିଲା ସ୍ଥାନରୁ ଉଠିଗଲେ । ଛାୟା ମାଆର କଥାପଦକ ତାଙ୍କର ଅନ୍ତରାତ୍ମାକୁ ସେଦିନ ଥରାଇ ଦେଇଥିଲା । ଯେଉଁ ଆଖିରୁ ସବୁବେଳେ ଅଗ୍ନି କଣିକା ନିର୍ଗତ ହେଉଥିଲା ସେହି ଆଖିରୁ ସେଦିନ ଦୁଇଟୋପା ଲୁହ ଗଡ଼ିପଡ଼ିବା ଦେଖି ବେଶି ଆଶ୍ଚର୍ଯ୍ୟ ହୋଇଥିଲା ତମିସ୍ରା ।

 

ନାରୀର ଆଖିଯୋଡ଼ାକ କେବଳ ଲୁହରେ ଭରା । ତା’ର ମରମ ବେଦନା ଜାଣିପାରି ଯେ କଥାପଦେ କହେ ସେ ସେତେବେଳେ ତା’ର ଆଖିରୁ ଦୁଇଟୋପା ଲୁହ ଦେଖିବାକୁ କେବଳ ସମର୍ଥ ହୋଇଥାଏ । ସେହି ଦୁଇଟୋପା ଲୁହରେ ଥାଏ ନାରୀ ଅନ୍ତରର ସମସ୍ତ ସ୍ନେହ ଓ ସହାନୁଭୂତି ।

 

କନକ ଦେବୀଙ୍କ ଆଖିରେ ମଧ୍ୟ ଲୁହ ଭରି ରହିଥିଲା । କିନ୍ତୁ ସ୍ୱାମୀର ଅବହେଳା ସହି ସହି ସେ ପାଷାଣୀ ହୋଇଯାଇଥିଲେ । ତାଙ୍କର ଲହୁଣୀ ହୃଦୟ ଲୁହା ହୋଇଯାଇଥିଲା । ସେ ପୁରୁଷକୁ ସବୁବେଳେ ଘୃଣା କରୁଥିଲେ । ପୁରୁଷକୁ ଦେଖିଲାମାତ୍ରେ ନିଆଁ ପରି ଜଳି ଯାଉଥିଲେ ।

 

ନିଜର ସ୍ୱାର୍ଥ ସାଧନ ପାଇଁ ହାତୀ ଦେବି, ଘୋଡ଼ା ଦେବି, ମୋ ପେଁକାଳି ବାଜ, ଏହି କଥା ପୁରୁଷ ମାତ୍ରେ ହିଁ କହନ୍ତି । ଥରେ ପେଁକାଳି ବାଜିଗଲେ ଦେବା କଥା ତ ମିଛ, ମୁହଁ ଫେରାଇ ପୁରୁଷ ଅନାଏ ନାହିଁ । ଦୂରରୁ ଦେଖିଲେ ସେ ବାଟ ଭାଙ୍ଗି ମୁହଁ ବୁଲାଇ ଅନ୍ୟ ବାଟରେ ଚାଲିଯାଏ ।

 

ପୁରୁଷ ମାତ୍ରେ ହିଁ ସ୍ୱାର୍ଥପର । ଯେତେଦିନ ସ୍ୱାର୍ଥ ସାଧନ ନ ହୋଇଛି ସେତେଦିନ ଯାଏଁ ମାଟି କାମୁଡ଼ି ପଡ଼ିଥିବେ । ସ୍ୱାର୍ଥ ପାଇଗଲା ପରେ ସେ କିଏ ନା ତୁମେ କିଏ ?

 

ସେଥିପାଇଁ ବୋଧହୁଏ ସ୍ତ୍ରୀମାନେ ପୁରୁଷମାନଙ୍କୁ ଘୃଣା କରନ୍ତି । ଯେଉଁମାନେ ବୋକା ସେହିମାନେ କେବଳ ସ୍ତ୍ରୀମାନଙ୍କୁ ଭଲପାଇବାକୁ ଯାବୁଡ଼ି ଧରି ରଖିବାକୁ ଚେଷ୍ଟା କରି ହନ୍ତସନ୍ତ ହୁଅନ୍ତି । ପୁରୁଷ ସମ୍ବନ୍ଧରେ ଏହିଭଳି ଚିନ୍ତା କଲା ପରେ କେଉଁ ସ୍ତ୍ରୀ ହୃଦୟ ଦେଇ ପୁରୁଷକୁ ଭଲପାଇବ ?

 

ଏଣୁ ସ୍ତ୍ରୀ ଦେହ ଦେଲେ ମନ ଦିଏ ନାହିଁ । ମନ ଦେଲେ ଦେହ ଦିଏ ନାହିଁ । ସ୍ତ୍ରୀର ଦେହ ଓ ମନକୁ ଏକ କାଳରେ ଭୋଗ କରିବା ପୁରୁଷ ଭାଗ୍ୟରେ ଖୁବ୍ ଅଳ୍ପ ଘଟିଥାଏ ।

 

ପୁରାଣ ଯୁଗର ପ୍ରଣୟ ଜଗତରେ ଶ୍ରେଷ୍ଠା ପ୍ରଣୟିନୀ ହୋଇପାରନ୍ତି ରୂପସୀ ରାଧା । ତଥାପି ସେ ତ ଅଭିମାନ କରି ଦିନେ କହିଥିଲେ–

 

‘‘ଯା ଯା ମୋହନ ଏକି ରୀତି ?

ଛୁଅଁନା ମୋ ତନୁକୁ ଯା ଯାରେ’’

 

ମନ, ପ୍ରାଣ କୃଷ୍ଣ ପଦରେ ସମର୍ପଣ କରି ଦେଇସାରିଲା ପରେ ମାନ, ଅଭିମାନ, ଛଳନା କରିବା ରାଧାର ଆଉ ପ୍ରୟୋଜନ କ’ଣ ଥିଲା ? ଏଥିରୁ ମନେହୁଏ ରୂପର ଗର୍ବ, ବୟସର ଦାମ୍ଭିକତା ପାଇଁ ରାଧା ନିଜକୁ ପୂର୍ଣ୍ଣ ମାତ୍ରାରେ କୃଷ୍ଣ ପାଖରେ ସମର୍ପଣ କରିନପାରି ମଧ୍ୟ କେବଳ କଥାରେ କଥାରେ କହିଥିଲେ, ‘‘ରାଧା ଯିଏ, କୃଷ୍ଣ ମଧ୍ୟ ସିଏ ।’’ ସେଥିପାଇଁ କାଳ କାଳକୁ କଥା ରହିଲା ନାରୀ ଯାହା କହେ ତାହା ତା’ର ଅନ୍ତରର ଭାଷା ନୁହେଁ ।

 

ପଛ କଥା ଭାବି ଭାବି ତମିସ୍ରାର ଆଖିକୁ ନିଦ ମୋଟେ ହେଉନଥିଲା । କଚେରୀ ଘଣ୍ଟାରେ ବାଜିଲା ପାଞ୍ଚ । ବିଛଣା ଛାଡ଼ି ତମିସ୍ରା ମୋଡ଼ି ଭିଡ଼ି ହୋଇ ଦୁଆର ଖୋଲିଲା ମାତ୍ରେ ଦେଖିଲା ଦୁଆରେ ଛିଡ଼ା ହୋଇଛନ୍ତି ଶଶୁର ଜୀବନବାବୁ ।

 

ତମିସ୍ରା ଶଶୁରକୁ ପଦ ତଳରେ ମଥା ଲଗାଇ ଜୁହାର ହେଲା । ଜୀବନବାବୁଙ୍କ ବାଷ୍ପାକୁଳ କଣ୍ଠରୁ ନିର୍ଗତ ହେଲା, ‘‘ତୋର କାଚ ଦୁଇପଟ ବଜ୍ର ହେଉ ମା’ !’’

 

ତମିସ୍ରାର ଆଖିରୁ ଦୁଇବୁନ୍ଦା ଲୁହ ତଳେ ଗଡ଼ିପଡ଼ିଲା ।

 

-ଚାରି-

 

ଆଶା ଓ ନିରାଶା ମଧ୍ୟରେ କେତୋଟି ଦିନ ଗତି କରିବା ପରେ ଯେଉଁ ଦିନଟିକୁ ତମିସ୍ରା ଅନନ୍ତ କାମନା ଧରି ଅପେକ୍ଷା କରିଥିଲା ସେହିଦିନଟି ସେଦିନ ଉପସ୍ଥିତି ହୋଇଥିଲା । ତମିସ୍ରା ବିପୁଳ ଆନନ୍ଦରେ ଧାଇଁଯାଇଥିଲା ଶଶୁରଙ୍କ ସଙ୍ଗରେ ଡାକ୍ତର ଡିଆନଙ୍କ ଡାକ୍ତରଖାନାକୁ ।

ବାଟରେ ପାଉ ପାଉ ସେ ଭାବୁଥିଲା ତା’ର ସ୍ୱାମୀ ଇତି ମଧ୍ୟରେ ଭଲ ହୋଇଯାଇଥିବେ । ସେ ତମିସ୍ରାକୁ ଦେଖିଲାମାତ୍ରେ ଚିହ୍ନିପାରି ନିଶ୍ଚୟ କହିବେ, ‘‘ରାଣୀ ! ମୋର ଅସୁସ୍ଥତା ହେତୁ ମୁଁ ତୁମର କୌଣସି ଯତ୍ନ ନେଇପାରି ନାହିଁ । ତୁମେ କିପରି ଅଛ ତାହା ମଧ୍ୟ ବୁଝିବାକୁ ଚେଷ୍ଟା କରି ନାହିଁ । ଶୀଘ୍ର ଚାଲ ଏଠାରୁ ଆମ ଘରକୁ ଫେରିଯିବା । ମୋତେ ଏଠାରେ ତୁମ୍ଭେମାନେ ଏକାକି ଛାଡ଼ିଦେଇ କାହିଁକି ନିଶ୍ଚିନ୍ତ ମନରେ ରହିଛ ? ଏ ନର୍କ ପୁରୀରେ ମୁଁ ରହିବାକୁ ମୋଟେ ଆଉ ଚାହେଁ ନାହିଁ ।

ଏମିତି ଚିନ୍ତା କରୁ କରୁ ତମିସ୍ରା ଡାକ୍ତରଖାନା ପାଖରେ ଉପସ୍ଥିତ ହେଲା । ଡାକ୍ତର ଡିଆନ ତମିସ୍ରାକୁ ନମସ୍କାର ଜଣାଇ କହିଲେ, ମୁଁ ଆପଣଙ୍କୁ ଅପେକ୍ଷା କରିଥିଲି । ଚାଲନ୍ତୁ ପ୍ରଥମେ ରୋଗୀକୁ ଦେଖିଆସିବା ।’’

ସମସ୍ତେ ମିଶି ଡାକ୍ତରଖାନା ଆଡ଼କୁ ଚାଲିଲେ । ଅଧବାଟରେ ଜୀବନବାବୁ କହିଲେ, ‘‘ଡାକ୍ତର ସାହେବ ! ମୁଁ ପାଦେହେଲେ ଆଗେଇ ଆଗେଇ ପାରିବି ନାହିଁ । ନିଜଆଖିରେ ମୋର ପ୍ରାଣ ପ୍ରତିମ ପୁତ୍ରର ଦୁରବସ୍ଥା ଦେଖି ଧୌର୍ଯ୍ୟ ଧରି ରହିପାରିବି ନାହିଁ । ମୋତେ କ୍ଷମା କରନ୍ତୁ ଡାକ୍ତର ସାହେବ । ମୁଁ କୌଣସି ଉପାୟରେ ପାଦ ବଢ଼ାଇପାରିବି ନାହିଁ ।’’

 

ଡାକ୍ତର ଡିଆନ ବୃଦ୍ଧ ଜୀବନବାବୁଙ୍କୁ ସାନ୍ତ୍ୱନା ଦେଇ କହିଲେ, ‘‘ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ । ବର୍ତ୍ତମାନ ଆପଣଙ୍କର ଦୁର୍ଯୋଗ ପଡ଼ିଛି । ଏହି ଦୁର୍ଯୋଗର ଦିନ ଭୋଗ ହୋଇଗଲା ପରେ ସୁଯୋଗ ପୁଣି ଆସିବ । ଆପଣଙ୍କର ପୁଅ ନିଶ୍ଚୟ ଭଲ ହୋଇଯିବେ । ଏ ପ୍ରତିଶ୍ରୁତି ମୁଁ ଆପଣଙ୍କୁ ଦେଉଛି । ମୁଁ ଅନେକ ରୋଗୀ ଜୀବନରେ ଦେଖିଲି । ଅନେକଙ୍କୁ ଚିକିତ୍ସା ମଧ୍ୟ କରିସାରିଲିଣି । ମୋ ପାଖରୁ ଆଜିଯାଏଁ କେହି ହତାଶ ହୋଇ ଫେରିଯାଇନାହାନ୍ତି । ସବୁ ସେହି ଭଗବାନଙ୍କର ଦୟା । ସେ ନିଶ୍ଚୟ ଆପଣଙ୍କ ଆଖିରୁ ଲୁହ ପୋଛିଦେବେ । ଏହି ବିଶ୍ୱାସ ଆପଣ ମନରେ ରଖନ୍ତୁ ।’’

 

ତମିସ୍ରା ଜୀବନବାବୁଙ୍କ ପାଖକୁ ଆସି ପଣତ କାନିରେ ଲୁହ ପୋଛିଦେଇ ଶଶୁରଙ୍କୁ କହିଲା, ‘‘ବାବା ! ମୁଁ ପରା ଥରେ କହିଛି ମୁଁ ଥିବାଯାଏଁ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ-। ଆପଣଙ୍କର ପୁଅ ଆପଣଙ୍କର ଯାହା କରିନଥାନ୍ତେ ତାହା ମୁଁ କରିବି । ମୋତେ ଆପଣ ବିଶ୍ୱାସ କରନ୍ତୁ ।’’

 

ଜୀବନବାବୁ ତମିସ୍ରାକୁ ଛଳ ଛଳ ଆଖିରେ ଅନାଇଲେ । ତମିସ୍ରାର ଆଖିରେ ଲୁହ ଭରିଗଲା ।

 

ଡାକ୍ତର ଡିଆନ ଦୀର୍ଘନିଶ୍ୱାସ ପକାଇ ଜୀବନବାବୁ ଓ ତମିସ୍ରାକୁ ଅନାଇଲେ ।

 

ଜୀବନବାବୁଙ୍କ ହାତଧରି ତମିସ୍ରା ଡାକ୍ତରଙ୍କ ପଛେ ପଛେ ଚାଲିଥାଏ ।

 

ଡାକ୍ତରଖାନା ବିଭିନ୍ନ ରୋଗୀଦ୍ୱାରା ଭରପୁର । ସାରା ଭାରତବର୍ଷରୁ ସେଠାରେ ଚିକିତ୍ସା ହେବାପାଇଁ ରୋଗୀ ଆସୁଥିଲେ । କେତେ ପ୍ରକାର ରୋଗୀର ସମାବେଶ । କିଏ ଧନ ପାଇଁ, କିଏ ଜନ ପାଇଁ, କିଏ ପ୍ରଣୟ ପାଇଁ, କେହି କେହି ଅବା ନାନା କୁକର୍ମ କରି ଅତ୍ୟଧିକ ମାତ୍ରାରେ ଚିନ୍ତା କରି କରି ଶେଷରେ ପାଗଳ ହୋଇ ଏଠାକୁ ଆସୁଥିଲେ ।

 

ଡାକ୍ତର ଡିଆନଙ୍କର ଯଥେଷ୍ଟ ସୁନାମ ଥିଲା । ସେ ଥିଲେ ଧର୍ମପ୍ରାଣ ଲୋକ । ଅର୍ଥ ଲୋଭ ତାଙ୍କର ନଥିଲା । ଯେଉଁ ରୋଗୀର ଚିକିତ୍ସାଭାର ସେ ଗ୍ରହଣ କରୁଥିଲେ ପ୍ରାଣପଣେ ସେ ତା’ର ଯତ୍ନ କରୁଥିଲେ । ପଇସା ପାଇଁ ସେ ବ୍ୟବସାୟ କରୁନଥିଲେ । ସେ ବ୍ୟବସାୟ କରୁଥିଲେ ଧର୍ମ ପାଇଁ । ସୁନାମ ତାଙ୍କର ନଜର ନଥିଲା ।

 

ଯେ ତ୍ୟାଗୀ, ସେବା ଯାହାର ଧର୍ମ, ଆନନ୍ଦ ଓ ନିରାନନ୍ଦର ପ୍ରଭେଦ ଯେ ମୋଟେ ବୁଝେନାହିଁ, ନିଜର ଖ୍ୟାତ ପାଇଁ, ନିଜର ସୁଖ ପାଇଁ କିମ୍ବା ନିଜର ଆନନ୍ଦ ପାଇଁ ଯେ କେବେ ବ୍ୟସ୍ତ ହୁଏ ନାହିଁ ସାଧାରଣ ମଣିଷଠାରୁ ସେ ଥାଏ ବହୁତ ଦୂରରେ । ଡାକ୍ତର ଡିଆନ ଥିଲେ ସେହି ଧରଣର ମଣିଷ ।

 

ସମ୍ମୁଖରେ ଏକଶ କୋଡ଼ିଏ ନମ୍ବର କୋଠରୀ । ଡାକ୍ତର ଡିଆନ ସମସ୍ତଙ୍କୁ ସତର୍କ କରିଦେଲେ ଯେପରି ରୋଗୀକୁ ସେମାନେ କୌଣସି ପ୍ରଶ୍ନ ପଚାରି ଉତ୍ୟକ୍ତ ନ କରନ୍ତି । ରୋଗୀ ତା’ର ଇଚ୍ଛାନୁସାରେ ଯାହା କହିବ ସମସ୍ତେ ଶୁଣିବେ । କୌଣସି କଥା ସେମାନେ ଯେପରି ପଚାରିବେ ନାହିଁ । ଏତିକି ସମସ୍ତଙ୍କୁ ସେ ଅନୁରୋଧ କଲେ ।

 

ତାହା ପରେ ପରେ ସେ କହିଲେ ରୋଗୀକୁ ଦେଖି ସେମାନେ ଯେପରି ଅଧୈର୍ଯ୍ୟ ନ ହୁଅନ୍ତି । ରୋଗୀ ଯାହା କହିବ ସେମାନେ କେବଳ ଶୁଣିଯିବେ କିନ୍ତୁ ରୋଗୀ ପାଖରେ ଆଖିରୁ ଲୁହ ଢାଳିବେ ନାହିଁ ।

 

ମସ୍ତିସ୍କ ବିକାରଗ୍ରସ୍ତ ମଣିଷ ଅନେକ କଥା କହିଯାଏ । ସବୁ କଥାର ଯେ ମୂଲ୍ୟ ନଥାଏ ତାହା ନୁହେଁ । ସେ ଅନେକ ଭାବଭାଙ୍ଗି ପ୍ରକାଶ କରେ । ତା’ର କଥାବାର୍ତ୍ତା, ଭାବଭଙ୍ଗିରୁ ଅନେକ ସମୟରେ ରୋଗର କାରଣ ଜଣାପଡ଼େ । ଥରେ ରୋଗର କାରଣ ଜଣାପଡ଼ିଗଲେ ରୋଗର ଚିକିତ୍ସା କରିବା ସହଜ ହୁଏ । ସେଥିପାଇଁ ରୋଗର ମୂଲ୍ୟ ତଥ୍ୟ ସଂଗ୍ରହ କରିବାକୁ ସମୟ ଲାଗେ ।

 

ଡାକ୍ତର ଡିଆନ ଏହିପ୍ରକାର ଅନେକ କଥା କହି କୋଠରୀ ଭିତରକୁ ପ୍ରବେଶ କଲେ । ତାଙ୍କୁ ଅନୁସରଣ କଲେ ଜୀବନବାବୁ ଓ ତମିସ୍ରା ।

 

ତମିସ୍ରା ଓ ଜୀବନବାବୁଙ୍କୁ ଦେଖିଲାକ୍ଷଣି ଏକଶ କୋଡ଼ିଏ ନମ୍ବର ରୋଗୀଟି ଅସହିଷ୍ଣ୍ଣୁ ଭାବେ ଚିତ୍କାର କରିଉଠି ଝରକା ପାଖକୁ ଧାଇଁଯାଇ ଝରକାର ରେଲିଂ ଦୁଇଟାକୁ ଦୁଇହାତରେ ମୁଠାଇ ଅନେକ ସମୟ ଧରି ବାହାରକୁ ଅନାଇ ପୁଣି ଏମାନଙ୍କ ଆଡ଼କୁ ମୁହଁ ବୁଲାଇଲା ।

 

ଡାକ୍ତର ଡିଆନ ନରମ କଣ୍ଠରେ ପଚାରିଲେ, ‘‘ଶୁଭେନ୍ଦୁ ! କ’ଣ ଦେଖୁଛ ?’’

 

ଶୁଭେନ୍ଦୁ କୌଣସି ଉତ୍ତର ଦେଲେନାହିଁ । କେବଳ ସେ ପଲକବିହୀନ ନୟନରେ ଅନାଇଲେ ତମିସ୍ରାକୁ । ତାଙ୍କର ଓଠ ଦୁଇଟି ଥରିଉଠିଲା । ପୁଣି ସେ ମୁହଁ ବୁଲାଇ ଝରକା ପାଖକୁ ଫେରିଗଲେ ।

 

କିଛି ସମୟ ଯିବାପରେ ପୁଣି ଶୁଭେନ୍ଦୁ ମୁହଁ ବୁଲାଇ ତମିସ୍ରାକୁ ଅନାଇଲେ । ସେ ତମିସ୍ରା ପାଖକୁ ଆସି ତାକୁ ତନ୍ନତନ୍ନ କରି ଗୋଡ଼ରୁ ମୁଣ୍ଡଯାଏଁ ଦେଖିଗଲେ । ପୁଣି ଆଉ ଥରେ ଅର୍ଥପୂର୍ଣ୍ଣ ଚାହାଣି ଢାଳି ସେ ତମିସ୍ରାକୁ ଅନାଇଲେ ।

 

ତମିସ୍ରା ନିଶ୍ଚଳ ଭାବେ ସେମିତି ଛିଡ଼ା ହୋଇଥାଏ । କ୍ରମଶଃ ତା’ର ଆଖିପତା ସଜଳ ହୋଇଆସିଲା । ଓଠ ଦୁଇଟି ଅସମ୍ଭବ ଭାବେ ଥରିଉଠିଲା । ଡାକ୍ତର ଡିଆନ ତମିସ୍ରାର ଏ ପ୍ରକାର ଭାବଭଙ୍ଗି ଲକ୍ଷ୍ୟ କରି ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲେ ।

 

ତମିସ୍ରା ସମସ୍ତଙ୍କ ଅଲକ୍ଷରେ ଲୁହ ପୋଛି ପୋଛି କିଛି ସମୟ ପାଇଁ ବାହାରକୁ ଚାଲିଗଲା । ଜୀବନବାବୁ ମଧ୍ୟ ତମିସ୍ରାର ପଛେ ପଛେ ବାହାରକୁ ଚାଲିଗଲେ ।

 

ପୁଣି ଡାକ୍ତର ପଚାରିଲେ, ‘‘ଶୁଭେନ୍ଦୁ ! ଏମାନଙ୍କୁ ଚିହ୍ନିପାରିଲ ?’’

 

ଶୁଭେନ୍ଦୁ ହଠାତ୍ ଆରମ୍ଭ କରିଦେଲେ, ‘‘ମୁଁ ମଣିଷକୁ ଚିହ୍ନେ । ମଣିଷକୁ ଚିହ୍ନିପାରିବାର ଶକ୍ତି ଭଗବାନ ମୋତେ ଦେଇଛନ୍ତି । ମୋର ଏଇ ଆଖିଦୁଇଟା ସାଧାରଣ ମଣିଷର ଆଖି ନୁହେଁ । ଏ ଆଖିର ଶକ୍ତି ଅସାଧାରଣ । ଥରେ ଏ ଆଖି ଯାହାକୁ ଚିହ୍ନେ ତାହାକୁ ଯୁଗ ଯୁଗ ପାଇଁ ଚିହ୍ନି ରଖେ-। ଏ ଆଖିକୁ ଠକାଇଦେବାକୁ କୌଣସି ଲୋକ ଆଜିଯାଏ ଦୁନିଆରେ ଜନ୍ମ ହୋଇନାହାନ୍ତି-। ଯେ ଥରେ ଏହି ଆଖିଆଗରେ ପଡ଼ିଯାଏ ସେ ମୋଟେ ଆଉ ଯାଇପାରେ ନାହିଁ । ମୋର ଏହି ଆଖିଦୁଇଟା ଇଗଲର ଆଖିଠାରୁ ଆହୁରି ସନ୍ଧାନୀ । ବାଘର ଆଖି ଅପେକ୍ଷା ଅଧିକ ଶିକାରୀ ଏବଂ ସାପର ଆଖିଠାରୁ ମୋର ଏହି ଆଖିଦୁଇଟା ଆହୁରି ବିଷାକ୍ତ ।

 

ମୁ ଯାହାକୁ ଭୁଲିଯାଇଛି, ଯାହା କଥା ମନେପକେଇବାକୁ ମୋଟେ ଇଚ୍ଛାହୁଏ ନାହିଁ ସେଦିନ ମୋର ଏହି ଆଖିରେ ଧରାପଡ଼ିଥିଲା । ମୁଁ ତାକୁ ଦେଖିଲା ମାତ୍ରେ ଚିହ୍ନିପାରିଲି ଏବଂ ଜାଣିପାରିଲି ମଧ୍ୟ । ମୁଁ ତାକୁ ଜାଣିପାରିଲା ପରେ ସେ ମୋ ଆଖିଆଗରୁ ପଳାଇ ଯିବାକୁ ଇଚ୍ଛା କରୁଥିଲା ଓ ପ୍ରାଣପଣେ ଚେଷ୍ଟା ମଧ୍ୟ କରିଥିଲା । ସବୁ କିଛି ମୋର ମନେପଡ଼ୁନାହିଁ । କହିଲି ପରା ମୁଁ ତାକୁ ଭୁଲିଗଲିଣି ।

 

ତାକୁ ମନେପକାଇ ମୁଁ ଆଉ କାନ୍ଦିପାରିବି ନାହିଁ । ସେଥିପାଇଁ ମୁଁ ତାକୁ ଭୁଲିଯାଇଛି । ଯେତେ ଚେଷ୍ଟା କରୁଛି ତା’ର ନାମଟା ମଧ୍ୟ ମନେପଡ଼ୁ ନାହିଁ । ତା’ର କଥା ମୋଟେ ଆଉ ମନେପଡ଼ୁ ନାହିଁ କିମ୍ବା ତା’ର ରୂପ ମଧ୍ୟ ପୂରାପୂରି ମନେନାହିଁ । କେବଳ ଏତିକି ମୋର ମନେଅଛି ମୁଁ ତାକୁ ପ୍ରାଣପଣେ ଭଲପାଇଥିଲି ଓ ସେ ମୋତେ କହିଥିଲା ତାକୁ ଭୁଲିଯିବାକୁ । ଏତିକି ବ୍ୟତୀତ ମୋର ଆଉ କିଛି ମନେନାହିଁ ।

 

ମଣିଷ ଆଜି ଗୋଟିଏ ଚନ୍ଦ୍ର ଦେଖି ତନ୍ମୟ ହୋଇପଡ଼େ । ମୁଁ ମଧ୍ୟ ମୋ ଜାଣିବାରେ ଜଣେ ମଣିଷ । କିନ୍ତୁ କାହିଁ ମୁଁ ତ ଚନ୍ଦ୍ରକୁ ଦେଖି ତନ୍ମୟ ହେଉ ନାହିଁ ? ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନା ମୋର ମନର ଶାନ୍ତି ନଷ୍ଟ କରିପାରୁ ନାହିଁ ।

 

ମୋ କଥା ଶୁଣି ଆଜି ହୁଏତ ସମସ୍ତେ ଭାବିବେ ମୁଁ କାଠ ନତୁବା ମୁଁ ପଥର । ସେଥିପାଇଁ ମୋର ଆଖି ନାହିଁ କିମ୍ବା ମୋର ପ୍ରାଣ ମଧ୍ୟ ନାହିଁ । ଥରେ ପରା କହିଲି ଇଗଲର ଆଖି ଅପେକ୍ଷା ମୋର ଆଖିଦୁଇଟା ଅଧିକ ସନ୍ଧାନୀ ।

 

ହଁ ତୁମେ କହିପାର ମୋର ପ୍ରାଣ ନାହିଁ ।

 

ସେ ଯେଉଁଦିନ କହିଥିଲା କେବଳ ମୋତେ ଖୁସି କରିବାକୁ ସେ ଇଛା ବିରୁଦ୍ଧରେ ସବୁ କରେ, ମୁଁ ସେହିଦିନ ପାଖରୁ ତାକୁ ପାଶୋରି ଯାଇଛି ଏବଂ ସେହିଦିନଠାରୁ ମୁଁ ମରିଯାଇଛି । ମୁଁ ମରିଯାଇନଥିଲେ ତାକୁ ଭୁଲିଯାଆନ୍ତି କିପରି ?

 

ହଁ ଗୋଟିଏ ଚନ୍ଦ୍ର କଥା କହୁଥିଲି । କିନ୍ତୁ କୋଟି କୋଟି ଚନ୍ଦ୍ରର ସୌନ୍ଦର୍ଯ୍ୟଠାରୁ ଅଧିକ ସୁନ୍ଦର ତା’ର ମୁହଁଟା ମୋ ଆଖିକୁ ଦେଖାଯାଇଥିଲା । ପ୍ରଭାତୀ ସୂର୍ଯ୍ୟର ଲାଲି ଟହ ଟହ ରୂପଠାରୁ ତା’ର ରୂପ ଥିଲା ଆହୁରି ଲାଲ । ତା’ର ଅଧରରେ ଥିଲା ରକ୍ତଜବାର ସୌନ୍ଦର୍ଯ୍ୟ । ବୁଝିଲ, ମୋର ଏହି ସନ୍ଧାନୀ ଆଖିଦୁଇଟା ପାଖରେ ସେଥିପାଇଁ ମୁଁ ଅତ୍ୟଧିକ ପରିମାଣରେ କୃତଜ୍ଞ ।

 

ମୋର ଆଖିଦୁଇଟାକୁ ମୁଁ କେବେ ଦୋଷଦିଏ ନାହିଁ । ମୋର ଆଖିଦୁଇଟା ମୋତେ ଫାଙ୍କି ଦେଇନାହାନ୍ତି । ମୁଁ ନିଜକୁ ନିଜେ ଫାଙ୍କି ଦେଇଛି । ତାକୁ ଭୁଲିଯାଇ ମୁଁ ଭଲ କରିନାହିଁ ?

 

ମଣିଷ କେବେ କାହାରିକୁ ଭୁଲିଯିବା ପାଇଁ କ’ଣ ଭଲପାଇଥାଏ ? କିନ୍ତୁ ମୁଁ ତାକୁ ଭୁଲିଯିବି ବୋଲି ଭଲପାଇଥିଲି । ସେ ମୋତେ ଭଲପାଇଥିଲା କି ନା ମୁଁ ଜାଣେନାହିଁ । ଅନ୍ୟର ମନ ଚିହ୍ନିବାକୁ ଯଦିଓ ଶକ୍ତି ମୋର ଥିଲା ତଥାପି ମୁଁ ଜାଣି ଜାଣି ତା’ର ମନ ଚିହ୍ନିବାକୁ ଚେଷ୍ଟା କରିନଥିଲି । ଅନ୍ୟର ମନ ଚିହ୍ନିଲେ ଅନ୍ୟପାଖରେ ପୁଣି ମନକୁ ବିକ୍ରୟ କରିବାକୁ ପଡ଼େ । ମୋର ଏତେ ଜଞ୍ଜାଳରେ କିଏ ଥାଏ ? ସେଥିପାଇଁ ତା’ର ମନ ମୋଟେ ନ ବୁଝି ମୁଁ ନିଜେ ବରଂ ଓଲଟା ନିଜକୁ ତା’ ପାଖରେ ବିକ୍ରୟ କରିଦେଇଥିଲି ।

 

‘‘ତୁମେ ରାଧାକୁ ଚିହ୍ନିଛ ?’’ ଏତିକି କହି ଶୁଭେନ୍ଦୁ ଅନାଇଲେ ଡାକ୍ତର ଡିଆନଙ୍କୁ ।

 

ଡାକ୍ତର କୌଣସି ଉତ୍ତର ଦେଲେ ନାହିଁ । ପୁଣି ଡାକ୍ତରଙ୍କୁ ଶୁଭେନ୍ଦୁ ପଚାରିଲେ, ‘‘ତୁମେ ରାଧାକୁ ଚିହ୍ନ ?’’

 

ତା’ ପରେ ପରେ ସେ ଆରମ୍ଭ କଲେ, ‘‘ଜାଣେ, ତୁମଭଳି ହୃଦୟହୀନ ମଣିଷ ରାଧାକୁ ଚିହ୍ନିପାରିବ ନାହିଁ । ମୁଁ ସେହି ଦ୍ୱାପର ଯୁଗର ରାଧା କଥା ତୁମକୁ କହୁଛି । ସେହି ରାଧାକୁ ଆଜି ଯଦି ଦେଖନ୍ତି ତାକୁ ନିଶ୍ଚୟ ପଚାରନ୍ତି କୁହ ରାଧା ! ତୁମେ କାହାକୁ ଧରି ରଖିପାରିଲ କି ? ଗୋଟିଏ ହାତ ମୁଠାରେ ନିଜର ସତୀତ୍ଵକୁ ଓ ଅନ୍ୟ ହାତ ମୁଠାରେ କୃଷ୍ଣର ସ୍ନେହକୁ ତୁମେ ଧରି ରଖିବାକୁ ଚେଷ୍ଟା କରିନଥିଲ କି ? ନିଜର ସତୀତ୍ଵ ମଧ୍ୟ ରକ୍ଷା କରିପାରିଲ ନାହିଁ କିମ୍ବା କୃଷ୍ଣର ସ୍ନେହକୁ ମଧ୍ୟ ଧରି ରଖିପାରିଲ ନାହିଁ । ଯଦି ଯେ କୌଣସି ଗୋଟିଏ ଜିନିଷକୁ ଦୁଇ ହାତରେ ଧରି ରଖିଥାନ୍ତ ତେବେ ଧରି ରଖିବା ଜିନିଷଟି ତୁମ ହାତରୁ ଫିଟିଯାଇ ପାରନ୍ତା ନାହିଁ । ଯଦି ତୁମର ସତୀତ୍ଵ ପ୍ରତି ମମତା ଥିଲା ତେବେ କୃଷ୍ଣଙ୍କୁ ଲୋଭନୀୟ ଆଖିରେ ଅନାଇଲ କାହିଁକି ?’’

 

‘‘ବୁଝିଲ ଡାକ୍ତର ! ଏ ପ୍ରଶ୍ନର ଉତ୍ତର ରାଧା କ’ଣ ସହଜରେ ଆଉ ଦେଇପାରିବ ? ସମସ୍ତେ କହନ୍ତି ରାଧା ଥିଲା କୃଷ୍ଣର । କିନ୍ତୁ ମୁଁ କହେ ରାଧା କୃଷ୍ଣର ନୁହେଁ କିମ୍ବା ଚନ୍ଦ୍ରସେଣାର ନୁହେଁ-। ରାଧା ସମ୍ବନ୍ଧରେ ଏ ପ୍ରକାର ଖରାପ ଧାରଣା କାହିଁକି ମୋ ମନ ମଧ୍ୟରେ ସ୍ଥାନ ପାଇଛି କହିପାରିବ ? ରାଧାକୁ ମୁଁ ଆଖିରେ କେବେ ଦେଖିନାହିଁ । ରାଧା କଥା ଅନେକ ଶୁଣିବାକୁ ମୁଁ ପାଇଛି । ଅନେକ ଶାସ୍ତ୍ର ପୁରାଣରେ ତା’ କଥା ମୁଁ ପଢ଼ିଛି । କୌଣସି ସୁନ୍ଦରୀ କାହାରିକୁ ମନ ପ୍ରାଣ ଦେଇ ଭଲପାଏ ନାହିଁ ବୋଲି ଏ ବିଶ୍ୱାସ ମୋର ଅଛି । ତେଣୁ ମୁଁ ଶପଥ କରି କହିପାରିବି ରାଧା ଭଳି ସୁନ୍ଦରୀ ସ୍ତ୍ରୀ ସ୍ୱାମୀର ହୁଏ ନାହିଁ କିମ୍ବା ପ୍ରେମିକର ମଧ୍ୟ ହୁଏ ନାହିଁ । କେବଳ ସେ ତା’ର ରୂପର ପ୍ରଭାବ ବିସ୍ତାର କରି ସମସ୍ତଙ୍କୁ ଚିତା କାଟିଦେଇ ମନପୂରାଇ ହସେ ।

 

ତଥାପି ଏହି ପୁରୁଷ ନାରୀର ମାୟା ବୁଝିନପାରି ସେ ନିଜକୁ ନାରୀ ପାଖରେ ସମର୍ପଣ କରିଥାଏ ଅତି ଦୀନ ଓ ଦରିଦ୍ର ବେଶରେ । ଛଳନା ଯାହାର ଧର୍ମ ସେ କେବଳ ଛଳନା କରି ଜାଣେ-। ସେ ହୃଦୟ ଦେଇ ଜାଣେ ନାହିଁ । ତଥାପି ପୁରୁଷ ନାରୀ ସମ୍ବନ୍ଧରେ କେବେ ଅସତ୍ ଚିନ୍ତା କରେ ନାହିଁ । ହୃଦୟ ଦେଇ ଭଲପାଇଲା ପରେ କେହି କେବେ କାହାରି ସମ୍ବନ୍ଧରେ ଅସତ୍ ଚିନ୍ତା କରିପାରେ କି ?’’

 

ଶୁଭେନ୍ଦୁ ଅନାଇଲେ ଡାକ୍ତରଙ୍କୁ । ଡାକ୍ତର କୌଣସି ଜବାବ୍ ଦେଲେ ନାହିଁ । ପୁଣି ଶୁଭେନ୍ଦୁ ବାହାରକୁ ଅନାଇ ଆରମ୍ଭ କଲେ, ‘‘ନିଦ୍ରାଭିଭୂତ ସ୍ୱାମୀର ବାହୁ ପାଶରୁ ନିଜକୁ ମୁକ୍ତ କରି ଗଭୀର ନିଶୀଥରେ କୃଷ୍ଣର ବଂଶୀଧ୍ୱନି ଶୁଣିଲା ମାତ୍ରେ ଯେଉଁ ରାଧା କୁଳ, ମାନ, ମହତ୍ୱକୁ ପଦ ତଳରେ ଦଳିଦେଇ ଯମୁନା ତଟକୁ କୃଷ୍ଣର ପ୍ରେମ ପାଇଁ ଧାଇଁ ଯାଇଥିଲା, ସେହି ରାଧା ଥିଲା କୃଷ୍ଣର ରାଧା । ସେହି ରାଧାକୁ ଚନ୍ଦ୍ରସେଣାର ରାଧା କହିବା ମହା ପାପ । ତେଣୁ ସେହି ରାଧା ପାଇଁ କୃଷ୍ଣ ପାଗଳ ହୋଇ, ତାହାର ବିରହ ଜ୍ୱାଳାରେ ଅସ୍ଥିର ହୋଇ, ନୟନରୁ ଅଶ୍ରୁ ଗଡ଼ାଇ, କୁଞ୍ଜ ଦୁଆରେ ମଥା ଲଗାଇ ଅପରାଧୀ ସାଜି ଗାଇଥିଲେ–

 

ରାଧାବିନୁ କୃଷ୍ଣର ଯେ ନାହିଁ ଅନ୍ୟ ଗତି

ମଞ୍ଚ ଅଭିମାନ କୋଟି ଜଗତର ସତୀ ।

 

କୃଷ୍ଣର ହୃଦୟ କ’ଣ ରାଧା ବୁଝିପାରିଲା ? କୃଷ୍ଣର ପ୍ରେମକୁ ସେ ପାପ କହିନଥିଲା କି ?

 

ସେ ଯଦି କୃଷ୍ଣକୁ ବୁଝିପାରିଥାନ୍ତା ସେ କେବେହେଲେ କି ନିଜର ସତୀତ୍ଵ ନଷ୍ଟ ହୋଇଗଲା ବୋଲି ମନ ମଧ୍ୟରେ ଅନୁଶୋଚନା କରି ନିଜକୁ କଳଙ୍କିନୀ ଭାବି ଶତ ଧିକ୍କାର କରି କହିଥାନ୍ତା ତା’ର ଅଧପତନ ପାଇଁ କୃଷ୍ଣ ଦାୟୀ ? ଯେଉଁ ରାଧା ଏହି କଥା ଚିନ୍ତା କରିଥିଲା ସେ ଥିଲା ପ୍ରକୃତରେ ଚନ୍ଦ୍ରସେଣାର ରାଧା ।

 

କୃଷ୍ଣ କେବଳ ଚନ୍ଦ୍ରସେଣାର ରାଧାକୁ ଭଲପାଇ ନଥିଲେ । ସେ ଭଲପାଇଥିଲେ ତାଙ୍କର ରାଧାକୁ । ଯେହେତୁ ସେ ଜଗତର ସମସ୍ତ ଅପବାଦକୁ ହସି ହସି ସହି ପାରିଥିଲା । କିନ୍ତୁ ଅବଶେଷରେ ରାଧା କଲା କ’ଣ ? ସେ କୃଷ୍ଣକୁ ଘୃଣା କଲା ନାହିଁ କି ?

 

ବୁଝିଲ ଡାକ୍ତର ? ସେଥିପାଇଁ ମୁଁ ଆଜି ସମସ୍ତଙ୍କୁ ଉପଦେଶ ଦେଇ କହିବାକୁ ଚାହେଁ ଯଦି କେବେ କାହାରିକୁ ତୁମେ ଭଲପାଇବାକୁ ଇଚ୍ଛାକର ତେବେ କୌଣସି ସ୍ତ୍ରୀକୁ ତୁମେ ହୃଦୟ ଦେଇ ଭଲପାଅ ନାହିଁ । ସ୍ତ୍ରୀକୁ ହୃଦୟ ଦେଇ ଭଲପାଇଲେ ଆଖିର ଲୁହ ଆଖିରେ ମରେ । ତୁମର ଯଦି ପାଗଳ ହେବାକୁ ଇଚ୍ଛାଥାଏ ତେବେ ତୁମେ କୌଣସି ସ୍ତ୍ରୀକୁ ଜୀବନ ଦେଇ ଭଲପାଅ । ଦେଖିବ ଅବଶେଷରେ ତୁମକୁ ସେ ପାଗଳ ସଜାଇ; ରାସ୍ତାରେ ଛିଡ଼ା କରାଇଦେଇ ଉପହାସ କରି କହିବ ବୋକା ନହେଲେ କେହି କେବେ ସ୍ତ୍ରୀକୁ ଭଲପାଏ କି ?

 

ବଞ୍ଚିବାକୁ ଯଦି ତୁମେ ଚାହଁ ତେବେ କାହାରିକୁ ହୃଦୟ ଦେଇ ତୁମେ ଭଲପାଅ ନାହିଁ । ଯଦି ବି କେବେ ହୃଦୟ ଦେଲ, ତେବେ ମୁଁ ଯେପରି ତାକୁ ଭୁଲିଯାଇ ମହା ଶାନ୍ତିରେ ଏହି କୋଠରୀ ମଧ୍ୟରେ ସମୟ ଅତିବାହିତ କରିଦେଉଛି ତୁମେ ସେ ସାଧନା ଯଦି କରିପାରିବ ତେବେ କୌଣସି ଅସୁବିଧା ହେବ ନାହିଁ ।

 

ତାକୁ ଭଲପାଇ ମୁଁ ଯେତେ ଆନନ୍ଦ ପାଇନଥିଲି କିନ୍ତୁ ଭୁଲିଯାଇ ମୁଁ ବେଶ୍ ଆନନ୍ଦରେ ଅଛି । ଯେତେ ଚେଷ୍ଟା କଲେ ମଧ୍ୟ ସେ ଆଉ ମୋର ମନେପଡ଼ୁ ନାହିଁ । ତମିସ୍ରାକୁ ମୁଁ ମନେରଖିଛି-। ତମିସ୍ରା ମୋତେ ଭଲପାଏ ବୋଲି ମୁଁ ତାଠାରୁ ଅନେକଥର ଶୁଣିଛି । ଯେତେବେଳେ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ମୁଁ ତାକୁ ବିବାହ କରିଛି ସେ ମୋତେ ଭଲପାଇବାକୁ ବାଧ୍ୟ ନ ହେଲେ ବି ଆଇନ ଚକ୍ଷୁରେ ବାଧ୍ୟ । ସେଥିପାଇଁ ସେ ମୋତେ ଭଲପାଏ ବୋଲି କେତେବେଳେ ମୁଁ ନ ପଚାରିଲେ ମଧ୍ୟ ଗେଲେଇ ହୋଇ ସେ ଆପେ ଆପେ କହିଯାଏ ।

 

ତମିସ୍ରା ନିଶ୍ଚୟ ମୋତେ ଭଲପାଉଥିବ ଏହି ବିଶ୍ୱାସ ମୋର ମନ ମଧ୍ୟରେ ଅଛି । ସେ ମୋର ଉତ୍ତର-ଦାୟାଦମାନଙ୍କର ଜନ୍ମଦାତ୍ରୀ । ତେଣୁ ସେ ମନ ମଧ୍ୟରେ ଗର୍ବ କରେ । ମୁଁ ତମିସ୍ରାର ଚରିତ୍ର ସମ୍ବନ୍ଧରେ କେବେ ଅବିଶ୍ୱାସ କରିନାହିଁ । ଅବିଶ୍ୱାସ କରିବି ନାହିଁ ମଧ୍ୟ । ସ୍ତ୍ରୀକୁ ସାବିତ୍ରୀଠାରୁ ଅଧିକ ମାତ୍ରାରେ ସତୀ ବୋଲି ଭାବିବାକୁ ସ୍ୱାମୀ ବାଧ୍ୟ । ଏମିତି ନ ଭାବିଲେ ଦୁନିଆରେ ବଞ୍ଚି ରହିବା ସମ୍ଭବପର ନୁହେଁ ।

 

ପ୍ରତ୍ୟେକ ସ୍ୱାମୀର ଜୀବନ ପ୍ରତି ଲୋଭ ରହିଛି । ଜୀବନ ପ୍ରତି ମମତା ରହିଛି । ଏହି ଜୀବନରେ ଲୋଭ ପାଇଁ ସେ ସବୁବେଳେ ନିଜ ସ୍ତ୍ରୀର ଚରିତ୍ର ସମ୍ବନ୍ଧରେ କୌଣସି କୁ ଚିନ୍ତା ନ କରି ଅନ୍ୟ ସ୍ତ୍ରୀମାନଙ୍କ ଚରିତ୍ର ନେଇ ହୁଏତ ଖରାପ ଚିନ୍ତା କରିପାରେ । ନିଜ ସ୍ତ୍ରୀର ଚରିତ୍ର ସମ୍ବନ୍ଧରେ ମନ ମଧ୍ୟରେ ପ୍ରଶ୍ନଉଠିଲେ ମଣିଷକୁ ପାଗଳଖାନାକୁ ଯିବାକୁପଡ଼େ ନାହିଁ, ସିଧା ସିଧା ଯିବାକୁପଡ଼େ ପୋଷ୍ଟମାଟମ୍ ରୁମ୍‍କୁ ।’’

 

ଏତିକିବେଳେ ତମିସ୍ରା ଘର ଭିତରକୁ ଆସିଲା ।

 

ଶୁଭେନ୍ଦୁ ତମିସ୍ରାକୁ ଦେଖି ମୁହଁ ଫେରାଇନେଇ କହିଲେ, ‘‘ତୁମ୍ଭେମାନେ ସମସ୍ତେ ଏଠାରୁ ଚାଲିଯାଅ । କାହାରି ଅନୁପସ୍ଥିତି ପାଇଁ ମୁଁ ମୋଟେ ଅଶ୍ଵସ୍ତି ଅନୁଭବ କରେ ନାହିଁ । ମୁଁ କାହାରି ସର୍ବନାଶ ଘଟାଇ ନାହିଁ । ମୁଁ ନିଜେ ନିଜର ସର୍ବନାଶ କରିଛି । ନିଜର ଅମଙ୍ଗଳ ନିଜେ ଘଟାଇଛି । ଏ କଥା କାହିଁକି ହେଲା ଜାଣ ?’’

 

ମୋର ମନକଥା ଜଣାଇବାକୁ ମୁଁ ଆଜି କାହାକୁ ସୁଯୋଗ ଦେବାକୁ ପ୍ରସ୍ତୁତ ନୁହେଁ । ମୁଁ ଆଜି ଲହୁଣୀର ମଣିଷ ନୁହେଁ । ତାକୁ ଭୁଲିଯିବା ଦିନ ପାଖରୁ ମୁଁ ଲୁହାର ମଣିଷ ହୋଇଯାଇଛି । ଯିମିତି ସିମିତି ଲୁହା ନୁହେଁ, ଖାଣ୍ଟି ଇସ୍ପାତ । ଇସ୍ପାତର ମଣିଷ ଯଦି ହୋଇନଥାନ୍ତି ତାକୁ ଭୁଲିଯାଇଥାନ୍ତି କିପରି ?

 

କେହି ମୋତେ ପ୍ରଶଂସା ନ କରୁ, କେହି ମୋତେ ଚିହ୍ନିନପାରୁ, କେହି ମୋର ସଚ୍ଚୋଟ ପଣିଆକୁ ତାରିଫ୍ ନକରୁ ସେଥିପାଇଁ ମୁଁ କ୍ଷୁବ୍ଧ ନୁହେଁ । ମୁଁ ନିଜକୁ ନିଜେ ପ୍ରଶଂସା କରେ, ନିଜକୁ ନିଜେ ଚିହ୍ନିପାରେ, ନିଜକୁ ନିଜେ ତାରିଫ୍ କରେ, ଯେହେତୁ ତା’ର ଶେଷ ନିବେଦନ ମୁଁ ରଖିପାରିଛି ବୋଲି ।

 

ସେ ମୋତେ କହିଥିଲା, ତୁମେ ମୋତେ ଭୁଲିଯିବ ଶୁଭେନ୍ଦୁ । ସେଥିପାଇଁ ମୁଁ ତାକୁ ଭୁଲିଯାଇଛି । ଏତିକି ଯଦି ବି ସେ କହିନଥାନ୍ତା ତେବେ ଅନ୍ୟ ପୁରୁଷମାନଙ୍କ ପରି ରାସ୍ତାଘାଟରେ ତା’ ନାମରେ କୌଣସି କଥା ମୁଁ ଗାଇ ବୁଲିଥାନ୍ତି କି ? ମଣିଷ ହତାଶ ହେଲେ ଆତ୍ମହତ୍ୟା କରେ କିନ୍ତୁ ମୁଁ ତାହା କରିବି ନାହିଁ । ତାକୁ ଭଲପାଇବା ବ୍ୟତୀତ ମୁଁ ତା’ ପାଖରୁ କିଛି ପାଇବାକୁ ଆଶା କରିନଥିଲି । ତା’ର କ’ଣ ଥିଲା ଯେ ସେ ମୋତେ ଦେଇଥାନ୍ତା ?

 

ହଁ ତା’ର ସବୁଥିଲା । ସୁନ୍ଦର ଦେହଟି ତା’ର ଥିଲା ସର୍ବସ୍ୱ । ସେ ନିଜର ଦେହ ପାଇଁ ଓ ନିଜର ପତନୋନ୍ମୁଖ ଯୌବନକୁ ଅତୁଟ ରଖିବାକୁ ସବୁବେଳେ ଆପ୍ରାଣ ଚେଷ୍ଟା କରୁଥିଲା । ଏକେତ ନିଆଁଭଳି ରୂପଟା ତା’ର ଝଟକୁଥିଲା ।

 

ସଠିକ୍ ମୋର ମନେ ନାହିଁ । ତା’ର ସେହି ରୂପର ଆକର୍ଷଣୀ ଶକ୍ତି ପାଇଁ ତା’ ପାଖକୁ ମୁଁ ଟାଣିହୋଇ ଯାଇଥିଲି କି ସେ ମୋର ସହୃଦୟତା ପାଇଁ ମୋ ପାଖକୁ ଟାଣିହୋଇ ଆସିଥିଲା ଏହି କଥା ଆଜି ମୁଁ ଅନେକ ସମୟରେ ଚିନ୍ତା କରେ । କିନ୍ତୁ କୂଳ କିନାରା କିଛି ପାଏ ନାହିଁ । ତାକୁ ପାଶୋରି ଦେବା ଆଗରୁ ଚିନ୍ତା କରିଥିଲେ ହୁଏତ ଯେ କୌଣସି ଗୋଟିଏ ସିଦ୍ଧାନ୍ତରେ ନିଶ୍ଚୟ ଉପନୀତ ହୋଇପାରିଥାନ୍ତି ।

 

ସତ କହିବି ଡାକ୍ତର ! ମୁଁ ଯେ ତାକୁ ଭୁଲିଯାଇଛି ସେ କେବେ କାହାରି ପାଖରୁ ଏହି କଥା ଶୁଣି ମୋତେ ପୁଣି ହୃଦୟହୀନ ଭାବି ଯଦି ଘୃଣାକରେ ସେତେବେଳେ ମୁଁ କ’ଣ କରିବି ? ତୁମେ ସେତିକିବେଳେ ଦରକାର ପଡ଼ିଲେ ମୋତେ ସାହାଯ୍ୟ କରିବ ବୋଲି ମୋର ବିଶ୍ୱାସ ।

 

ତାହାରି କଥା ଅନୁସାରେ ମୁଁ ତାକୁ ଯେ ଭୁଲିଗଲି ଏ କଥା ତୁମେ ତ ନିଧାର୍ଯ୍ୟ ଭାବେ ଜାଣିପାରୁଛ । ଯଦି ସେ ମୋତେ ସେଥିପାଇଁ ଘୃଣା କରେ ମୁଁ ତା’ ନାମରେ ବିଶ୍ୱ ଦରବାରରେ ଫେରାଦ୍ ବାଢ଼ିବି ଓ ସେତେବେଳେ ତୁମେ ହେବ ମୋର ସାକ୍ଷୀ । ମୁଁ ଅନ୍ୟକିଛି ତୁମର ସାହାଯ୍ୟ ଚାହେଁ ନାହିଁ । କେବଳ ଚାହୁଁଛି ତୁମେ ଯେପରି ସତ କଥା କହିବ । ଭଗବାନଙ୍କ ଅପେକ୍ଷା ମୁଁ ତୁମକୁ ଅଧିକ ବିଶ୍ୱାସ କରେ । ତୁମେ ମିଛ କହିବ ନାହିଁ ବୋଲି ମୋର ବିଶ୍ୱାସ ଅଛି ।

 

ତୁମେ ସତ କରି କହିଲ ଡାକ୍ତର ! ମୁଁ କ’ଣ ତାକୁ ଭୁଲି ଯାଇନାହିଁ ? ଯଦି ତାକୁ ଭୁଲିଯାଇନଥାନ୍ତି ତେବେ ସବୁବେଳେ ତାକୁ ଭୁଲିଯାଇଛି ବୋଲି କହିବାକୁ ସତ୍‍ସାହସ ହୁଅନ୍ତା କିପରି ?’’

 

ଏତିକି କହିସାରିବା ପରେ ଶୁଭେନ୍ଦୁ ଦାନ୍ତ କଡ଼ମଡ଼ କରି କହିଲେ, ‘‘ତୁମ୍ଭେମାନେ ସମସ୍ତେ ଏଠାରୁ ଚାଲିଯାଅ । ମୁଁ କାହାରିକୁ ଚାହେଁ ନାହିଁ । ମୋର ସତ୍ୟ ରକ୍ଷା କରିବାକୁ ମୁଁ ସର୍ବଦା ବ୍ୟାକୁଳ । ତୁମ୍ଭେମାନେ ପୁଣି ଆସିଛ ତା’ କଥା ମୋର ମନେପକାଇଦେବାକୁ ।

 

ମୁଁ ମହତ୍ ଲୋକ । ମହତ୍ ଲୋକର କଥା ଦୁଇଟା ହୁଏ ନାହିଁ । ପୂର୍ବର ସୂର୍ଯ୍ୟ ଯଦି ପଶ୍ଚିମରେ ଉଦୟ ହୁଏ, ମେରୁର ଶିଖର ପ୍ରଦେଶରେ ଯଦି ପଦ୍ମ ପ୍ରଷ୍ଫୁଟିତ ହୁଏ, ବରଫ ଖଣ୍ଡରୁ ଯଦି ଅଗ୍ନିକଣା ମଧ୍ୟ ନିର୍ଗତ ହୁଏ ତଥାପି ମୁଁ ମୋର ପ୍ରତିଜ୍ଞାରୁ ମୋଟେ ଟଳିବି ନାହିଁ । ତୁମ୍ଭେମାନେ ମୋର ଶାନ୍ତି ନଷ୍ଟକର ନାହିଁ । ମୁଁ ଶାନ୍ତିରେ ଟିକିଏ ନିଶ୍ୱାସ ମାରେ । ମୁଁ ସବୁବେଳେ ଶାନ୍ତି ଚାହେଁ । ଶାନ୍ତି ପାଇବା ପାଇଁ କେବଳ ମୁଁ ତାକୁ କ୍ରମେ କ୍ରମେ ଭୁଲିଯାଉଛି । ଏହା ପୂର୍ବରୁ ତାହାର ସ୍ମୃତି କ୍ଷୟରୋଗ ଭଳି ମୋତେ ନଷ୍ଟ କରିଦେଉଥିଲା ।’’

 

ଡାକ୍ତର ଡିଆନ ପ୍ରଶ୍ନକଲେ, ‘‘କାହାକୁ ତୁମେ ଭୁଲିଯାଇଛ ଶୁଭେନ୍ଦୁ ?’’

 

‘‘ଓଃ ! ପ୍ରକୃତରେ ଡାକ୍ତରମାନେ ଯେ ଏତେ ବୋକା ଏକଥା କେବଳ ତୁମକୁ ଦେଖି ଜାଣିପାରୁଛି ମି: ଡିଆନ ! ଥରେପରା ତୁମକୁ ମୁଁ କହିଲି ଯାହାକୁ ଜୀବନ ଦେଇ ଭଲପାଇଥିଲି ତାକୁ ମୁଁ ଭୁଲିଯାଇଛି ।’’

 

‘‘ତେବେ ସେ ଜଣକ କିଏ ?’’ କମ୍ପିତ କଣ୍ଠରେ ପ୍ରଶ୍ନକଲା ତମିସ୍ରା ।

 

‘‘ଏକ୍ସ, ଓ୍ୱାଇ, ଜେଡ଼୍’’ କହି ଶୁଭେନ୍ଦୁ ପୁଣି କହିଲେ, ‘‘ପ୍ରକୃତରେ ତୁମ୍ଭେମାନେ ସମସ୍ତେ ପାଗଳ ହୋଇଗଲଣି । ପାଗଳ ନହେଲେ ମଣିଷ କେବେ ଅବାନ୍ତର ପ୍ରଶ୍ନ ପଚାରି ଅନ୍ୟକୁ ପାଗଳ ବନାଇବାକୁ ଇଚ୍ଛାକରେ କି ?’’

 

ଡାକ୍ତର ଡିଆନ ଧୀରେ ଧୀରେ ବାହାରକୁ ଆସିଲେ ।

 

ଏକଶ କୋଡ଼ିଏ ନମ୍ବର କୋଠରୀର ଦ୍ୱାର ତତ୍‍କ୍ଷଣାତ୍ ବନ୍ଦ ହୋଇଗଲା ।

 

-ପାଞ୍ଚ-

 

ଚିନ୍ତା ଓ ନିଦ୍ରା, ଏହି ଦୁହିଁଙ୍କ ମଧ୍ୟରେ ସଦାକାଳେ ସଉତୁଣୀ ବାଦ ଲାଗିଥାଏ । ଚିନ୍ତାଶୂନ୍ୟ ମଣିଷ କେବଳ ସୁଖନିଦ୍ରା ଆଶା କରେ । ଅନ୍ତର ଜଳୁଥିବା ଅବସ୍ଥାରେ ସୁଖନିଦ୍ରା ଆଶାକରିବା ବୃଥା ।

 

ଡାକ୍ତର ଡିଆନଙ୍କ ପାଖରୁ ଫେରିଆସି ଜୀବନ ବାବୁ ଆକାଶ, ପାତାଳ କେତେ କ’ଣ ଭାବି ଯାଉଥିଲେ । ସେ ଆଜି ଶକ୍ତିରହିତ । ସେପାରିର ଡାକ ଅସ୍ପଷ୍ଟ ଭାବେ କାନକୁ ତାଙ୍କର ଶୁଣାଗଲାଣି । ଆଉ କେତେଦିନ ବା ସେ ରହିବେ ? ତେବେ ମିଛ ମାୟାରେ ଘାଣ୍ଟି ହୋଇ ଆଖିରୁ ଲୁହ ଗଡ଼ାଇବେ ବା କାହିଁକି ?

 

ମଣିଷ ଯେତେବେଳେ ଶକ୍ତିରହିତ ହୋଇଯାଏ ସେ ସେତେବେଳେ ଅନାସକ୍ତ ହେବାପାଇଁ ମନ ମଧ୍ୟରେ ଅନେକ ଦର୍ଶନ ଚିନ୍ତା କରେ । କାୟା ତାକୁ ଛାୟା ସଦୃଶ ଜଣାପଡ଼େ । ଏ ବିଶ୍ୱ ବ୍ରହ୍ମାଣ୍ଡ ତା’ ପାଖରେ ମିଛ ହୋଇଯାଏ । ସେ କେବଳ ସତ୍ୟ, ଶିବ ଓ ସୁନ୍ଦରଙ୍କୁ ଚିନ୍ତା କରିବାକୁ ଭଲପାଏ ।

 

ଜୀବନବାବୁ ଚିନ୍ତା କରୁଥିଲେ ସ୍ୱର୍ଗ ଓ ନର୍କ କଥା । ସମସ୍ତେ ସ୍ୱର୍ଗ ଚାହାନ୍ତି ଓ ନର୍କକୁ ଭୟ କରନ୍ତି । ସ୍ୱର୍ଗ କେହି ଦେଖିନାହାନ୍ତି କିମ୍ବା ନର୍କ କେହି ଦେଖିନାହାନ୍ତି । କେବଳ କଳ୍ପନାରେ ସବୁ ଦେଖିବା କଥା ।

 

ଜୀବ ଜନ୍ମହେଲା ମାତ୍ରେ ମୃତ୍ୟୁର ସନ୍ଧାନ ଧାଏଁ । ଧାଉଁ ଧାଉଁ ଅନେକ ସାଙ୍ଗସାଥି ସେ ତା’ର ଚଲାପଥରେ ଭେଟେ । କିଏ କେତେ ଆସି ଯୁଟିଯାଆନ୍ତି । କ୍ଷଣିକ ପରେ ଯିଏ ଯାହାର ପଥରେ ଚାଲିଯାଆନ୍ତି । କେହି କାହାକୁ ଅନାନ୍ତି ନାହିଁ । ଯେ ଯାହାର ସ୍ୱାର୍ଥ ପାଇଁ ବ୍ୟସ୍ତ । ସ୍ୱାର୍ଥ ପାଇବା ପାଇଁ ମଣିଷ ମଣିଷ ପାଖରେ ହସେ । ମଣିଷ ମଣିଷର ପ୍ରଶଂସା ଗାଏ । ମଣିଷ ମଣିଷର ସାନ୍ନିଧ୍ୟ ଲୋଡ଼େ ।

 

ନିସ୍ଵାର୍ଥପର ଭାବରେ କେହି କାହାକୁ ଭଲପାଏ କି ? ଏହିପରି କେତେ କଥା ଚିନ୍ତା କରୁଥିଲେ ଜୀବନବାବୁ । ଏ ବୟସରେ ମରଣ-ସାଗର ତୀରରେ ଛିଡ଼ାହୋଇ ମଧ୍ୟ ସେ ତାଙ୍କର ଅତୀତକୁ ଭୁଲିପାରିନାହାନ୍ତି ।

 

ଏହି ଦୁର୍ଦ୍ଦିନରେ ମଧ୍ୟ ନେଲୀ ତାଙ୍କର ମନେପଡ଼େ । ଜୁନ୍ ଦୁଇତାରିଖଟି ତାଙ୍କ ଜୀବନରେ ଗୋଟିଏ ସ୍ମରଣୀୟ ଦିବସ । ସେହିଦିନଟିକୁ ସେ ଆଖିଲୁହରେ ଆହ୍ୱାନ କରି ପୁଣି ଆଖିଲୁହରେ ବିଦାୟ ଦିଅନ୍ତି । ଗୋଟିଏ ଅମୋକ୍ଷ ଆତ୍ମା ପାଇଁ ସେ ଦୁଇଟି ଧୂପକାଠି ଜାଳିଦେଇ କହନ୍ତି, ‘‘ହେ ଭଗବାନ ! ତୁମେ ଯଦି ସତ୍ୟ ହୋଇଥାଅ, ତୁମର ସୃଷ୍ଟି ଯଦି ସତ୍ୟ ହୋଇଥାଏ ଏବଂ ଜନ୍ମ ମୃତ୍ୟୁ ଯଦି ସତ୍ୟ ହୋଇଥାଏ ତେବେ ପୁଣି ମୁଁ ତାକୁ ଆରଜନ୍ମରେ ନିଶ୍ଚୟ ପାଇବି । ହେ ମଙ୍ଗଳମୟ ! ମୋର ଏହି ଆଖିର ଲୁହରେ ମୁଁ ଆଜି ତା’ର ମଙ୍ଗଳ କାମନା କରେ । ତା’ର ଆତ୍ମା ଶାନ୍ତି ପାଉ ।’’

 

ଆଖିପତା ଫଟାଇ ଲୁହ ଧାର ଧାର ହୋଇ ଗଡ଼ିଆସେ ଜୀବନବାବୁଙ୍କ ଦୁଇ ଗାଲଉପରେ । ଘଣ୍ଟା, ବାର, ତିଥି, ନକ୍ଷତ୍ର ସବୁ ଜୀବନ ବାବୁଙ୍କ ମନେଅଛି । ସେ କୌଣସି କଥା ଭୁଲିନାହାନ୍ତି । ଯେଉଁ କଥା ମୋଟେ ଭୁଲିଯିବାର ନୁହେଁ ସେ କଥାକୁ କେହି କ’ଣ ଭୁଲିଯାଇପାରେ-?

 

ଖ୍ରୀଷ୍ଟମାସ ପୂର୍ବରୁ ମି: ଉଅଲଫୋଡ଼ ଭାରତରୁ ବିଦାୟ ନେଇ ସ୍ୱଦେଶକୁ ଫେରିଯିବେ । ନିଜର ଜନ୍ମଭୂମି ତାଙ୍କର ଆଜି ମନେପଡ଼େ । ଲମ୍ବା ଲମ୍ବା ପାଇନ ଗଛ, ସୁଶ୍ୟାମଳ ଶସ୍ୟକ୍ଷେତ୍ର, ସୁପ୍ରଶସ୍ଥ କଳା ରାସ୍ତା ସବୁ ତାଙ୍କର ମନେଅଛି । କେହି କେବେ କ’ଣ ତା’ର ଜନ୍ମଭୂମିକୁ ପାଶୋରିପାରେ ?

 

ଦୀର୍ଘଦିନ ପରେ ସେ ତାଙ୍କର ଜନ୍ମଭୂମିକୁ ଫେରିଯିବେ । ସେଥିପାଇଁ ତାଙ୍କ ମନରେ ଯେତେ ଆନନ୍ଦ ଥିଲା, ତାହା ଅପେକ୍ଷା ନିରାନନ୍ଦର ମାତ୍ରା ଥିଲା ଯଥେଷ୍ଟ ଅଧିକ । ଏହି ନିରାନନ୍ଦର ଏକମାତ୍ର କାରଣ ଥିଲା ନେଲୀ ।

 

ନେଲୀ ପ୍ରାଣଦେଇ ଜୀବନବାବୁଙ୍କୁ ଭଲପାଉଥିଲା । କିନ୍ତୁ ପ୍ରତିଦାନରେ ଜୀବନବାବୁ ତାକୁ ଭଲପାଉଥିଲେ କି ନା ଏହିକଥା ମି: ଉଆଲଫୋଡ଼୍ ଜାଣିବାକୁ ଅବକାଶ ମୋଟେ ପାଇନଥିଲେ । ଜୀବନବାବୁ ଉଆଲଫୋଡ଼୍‍ଙ୍କୁ ପିତୃତୁଲ୍ୟ ଭକ୍ତି କରୁଥିଲେ । ତେଣୁ ସେ ଇଆଲଫୋଡ଼୍‍ଙ୍କ ସମ୍ମୁଖରେ କେବେହେଲେ ନେଲୀ ସଙ୍ଗରେ ବାକ୍ୟାଳାପ କରୁନଥିଲେ ।

 

ଆଖିଆ ଭାଷା ଆଖି ବୁଝେ । ଆଖିର ଭାଷା ଓଠର ଭାଷାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଓଠର ଭାଷାର ଛଳନା ଥାଏ କିନ୍ତୁ ଆଖିର ଭାଷାରେ ଥାଏ ହୃଦୟର ଭାଷା । ଯେଉଁ କଥା ଓଠରେ ପ୍ରକାଶ କରିବାକୁ ଲାଜ ଲାଗେ ସେହି କଥା ଆଖି ସହଜରେ ନିସଂକୋଚ ଭାବରେ ପ୍ରକାଶ କରିଥାଏ । ବୁଦ୍ଧି ବିବେକ ଶୂନ୍ୟ ମଣିଷର ଆଖିଦୁଇଟା ଆଖି ନୁହେଁ-ସେ ଦୁଇଟା ହେଉଛି ଜୁଳୁଜୁଳିଆ ପୋକ ।

 

ମିସେସ୍ ଉଆଲଫୋଡ଼୍ ଅନେକ ସମୟରେ ନେଲୀକୁ ଜୀବନବାବୁଙ୍କ କଥା ପଚାରୁଥିଲେ ଏବଂ ବୁଝିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ନେଲୀ କିନ୍ତୁ ସବୁବେଳେ କହୁଥିଲା, ‘‘ଜୀବନବାବୁ ଯାହା ହୁଅନ୍ତୁ ପଛେ ମୁଁ ତାଙ୍କୁ ଭଲପାଏ, ମୁଁ ତାଙ୍କୁ ସ୍ନେହ କରେ ଏବଂ ତାଙ୍କୁ ଅତି ନିକଟରେ ପାଇବାକୁ କାମନା କରେ ।’’

 

ନାରୀ ଯେ କ’ଣ ପାଇଁ ଗୋଟିଏ ପୁରୁଷକୁ ଭଲପାଏ ସେହି କଥା ନାରୀ ବୁଝେ । ଭଲପାଇବାର ମୂଲ୍ୟ ପୁରୁଷ ପାଖରୁ ଆଦାୟ କରି ନେଲାପରେ ସେ ତା’ର ମତ ପରିବର୍ତ୍ତନ କରେନାହିଁ କି ? କାହିଁକି ଭଲପାଇଲା ବୋଲି ଅନୁତାପ କରେ କାହିଁକି ? ଯେଉଁ ସ୍ତ୍ରୀ ଭଲପାଇବା ପରେ ଅନୁତାପ କରେ, ମନେମନେ ଶୋଚନା କରେ ସେ ଭଲପାଇନଥାଏ । କେବଳ ଭଲପାଇଛି ବୋଲି ଛଳନା କରିଥାଏ ।

 

ନେଲୀର ଏ ପ୍ରକାର କଥା ମି: ଉଆଲଫୋଡ଼୍ ମିସେସଙ୍କ ପାଖରୁ ଶୁଣି ବେଶି ଚିନ୍ତିତ ହୋଇପଡ଼ିଥିଲେ । ଜୀବନବାବୁଙ୍କୁ ସେ କେଉଁ ଅଲାଜୁକ ମୁହଁରେ ନେଲୀକୁ ବିବାହ କରିବାକୁ ପ୍ରସ୍ତାବ ଦେବେ ?

 

ଜୀବନବାବୁ ଥିଲେ ଗୋଟିଏ ରକ୍ଷଣଶୀଳ ହିନ୍ଦୁ ପରିବାରର ଯୁବକ । ଜୀବନବାବୁ ଯଦି ନାରାଜ ହୁଅନ୍ତି ତେବେ ଉପାୟ ? ଏମିତି କେତେ କ’ଣ ଚିନ୍ତା କରୁଥିବାବେଳେ ହସ ହସ ମୁଖରେ ଘର ଭିତରକୁ ପ୍ରବେଶ କଲେ ଜୀବନବାବୁ ଓ ତାଙ୍କ ପଛେ ପଛେ ହସି ହସି ପ୍ରବେଶ କଲା ନେଲୀ-

 

ହଠାତ୍ ମି: ଉଆଲଫୋଡ଼୍ ଆନନ୍ଦରେ ଆତ୍ମହରା ହୋଇ ନେଲୀକୁ ପଚାରିଲେ, ‘‘ସତ କହିବୁ ନେଲୀ ! ଜୀବନବାବୁଙ୍କୁ ତୋତେ କେମିତି ଲାଗେ ?’’

 

‘‘ଲାଇକ୍ ଏ ପେଟ୍ କେଟ’’ କହି ହସି ହସି ଗଡ଼ିଗଲା ନେଲୀ ।

 

ଜୀବନବାବୁ ଲାଜରେ ମଥା ତଳକୁ ପୋତିଦେଲେ ।

 

କିଛି ସମୟ ବିତିଗଲା ପରେ ମି: ଉଆଲଫୋଡ଼୍ ପ୍ରଥମେ କଥା ଆରମ୍ଭ କଲେ । କହିଲେ, ‘‘ଜୀବନ ! ତୁମେ ଆମ ସଙ୍ଗରେ ଯାଉଛ ତ ?’’

 

ଜୀବନବାବୁ କୌଣସି ଉତ୍ତର ଦେଲେ ନାହିଁ । ସେ କେବଳ ତଳକୁ ମଥାପୋତି ଛିଡ଼ାହେଲେ । ସେତେବେଳେ ତାଙ୍କର ମୁହଁଟି ଲାଜରେ ଲାଲ୍ ଦେଖାଯାଉଥିଲା ।

 

ନେଲୀ ସେତିକିବେଳେ ହସି ହସି କହିଥିଲା, ‘‘ଏଥିପାଇଁ ଜୀବନବାବୁଙ୍କୁ ମୋତେ ଭାରି ଭଲଲାଗେ ଯେହେତୁ ସେ ବିଶେଷ ଭାବେ ଲାଜକୁଳା ।’’

 

ମି: ଉଆଲଫୋଡ଼୍ ମନେମନେ ଭଗବାନଙ୍କୁ ପ୍ରଣାମ କରି କହିଲେ, ‘‘ହେ ସର୍ବଶକ୍ତିମାନ ପୁରୁଷ ! ସବୁ ତୋର ଇଚ୍ଛା ।’’

 

ଶୁଭଲଗ୍ନ ଦେଖି କୁଇନ୍ ଭିକ୍ଟୋରିଆ ଜାହାଜରେ ଡାଇମଣ୍ଡ ହାର୍ ବାର୍‍ଠାରୁ ଯାତ୍ରାରମ୍ଭ କଲେ ସପରିବାରରେ ମି: ଉଆଲଫୋଡ଼୍ । ସଙ୍ଗରେ ଥିଲେ ଜୀବନବାବୁ ।

 

ନେଲୀର ଆନନ୍ଦ ସେଦିନ କୂଳଲଘଂନ କରିଥିଲା । ଆକାଶ ଓ ବସୁଧାର ପାଥର୍କ୍ୟ ସେ ସେଦିନ ମୋଟେ ଉପଲବ୍ଧି କରିପାରିନଥିଲା ।

 

ମନର ମଣିଷ ପାଇଲେ ନାରୀ ବୋଧହୁଏ ସବୁ ଭୁଲିଯାଏ । ସେଥିପାଇଁ ନାରୀ ସବୁ ସମୟରେ ତା’ର ମନର ମଣିଷ ଖୋଜେ କି ?

 

ଧୀରେ ସନ୍ଧ୍ୟା ଘୋଟି ଆସିଥିଲା । କୁଇନ୍ ଭିକ୍ଟୋରିଆ ନାଚି ନାଚି ସାଗର ବକ୍ଷରେ ଚାଲିଥାଏ । ଅସଂଖ୍ୟ ତାରକା ନୀଳ ଆକାଶ କୋଳରେ ଦିକ୍ ଦିକ୍ ହୋଇ ଜଳିଉଠିଥିଲେ ଓ ବହୁ ଦୂରରେ ପଞ୍ଚମୀ ତିଥିର ଚନ୍ଦ୍ର ହସି ହସି ବୁଡ଼ି ଯାଉଥିଲେ । ନୀଳ ସାଗର ବକ୍ଷରେ ଅସଂଖ୍ୟ ତରଙ୍ଗ ସୃଷ୍ଟି ହୋଇଥିଲା ।

 

ଜାହାଜର ଗୋଟିଏ କଡ଼କୁ ଛିଡ଼ା ହୋଇଥିଲେ ଜୀବନବାବୁ ଓ ପାଖକୁ ଲଗାଲଗି ହୋଇ ଛିଡ଼ା ହୋଇଥିଲା କୋକିଳକଣ୍ଠି ନେଲୀ । କାହାରି ମୁହଁରେ ଭାଷା ନ ଥାଏ ।

 

ଉଭୟେ ଉଭୟଙ୍କୁ ଅନାଇଲେ ପଲକହୀନ ଚକ୍ଷୁରେ ।

 

ନେଲୀ ପଚାରିଲା, ‘‘କ’ଣ ଦେଖୁଛ ଜୀବନ ?’’

 

ଜୀବନବାବୁ ହସି ହସି ଉତ୍ତର ଦେଲେ, ‘‘ଅଗଣିତ ତାରକା ମଧ୍ୟରେ ତୁମକୁ ।’’

 

ପୁଣି ନେଲୀ ପ୍ରଶ୍ନ କଲା, ‘‘କ’ଣ ଭାବୁଛ ?’’

 

‘‘କେବଳ ତୁମରି କଥା ।’’ କହି ଜୀବନବାବୁ ନେଲୀର ମୁହଁଟିକୁ ଦୁଇହାତରେ ତୋଳି ଧରିଲେ ।

 

ସେତେବେଳେ ନେଲୀର ଅଧର ଯୁଗଳ ଅସମ୍ଭବ ଭାବରେ ଥରିଉଠିଥିଲା । ଜୀବନବାବୁର ମୁହଁ କ୍ରମେ କ୍ରମେ ନେଲୀର ମୁହଁ ଆଡ଼କୁ ନଇଁଆସିଲା ।

 

ନେଲୀ ହସି ହସି କହିଲା, ‘‘ସତରେ ତୁମେ କେଡ଼େ ଅଭଦ୍ର ! ଭଦ୍ରଲୋକ ପୁଣି ଏମିତି ଅଭଦ୍ର ହୁଅନ୍ତି ?’’

 

ଜୀବନବାବୁ ହସିଦେଇ କହିଲେ, ‘‘ବର୍ତ୍ତମାନ ଯଦି ମୁଁ ତୁମପାଖରେ ଭଦ୍ର ହୋଇଯାଏ ତୁମେ ପୁଣି ମୋତେ କହିବ ନାହିଁକି ହୃଦୟହୀନ ପଶୁ ବୋଲି ?

 

ନେଲୀ ଜୀବନବାବୁଙ୍କ ଗଳଦେଶ ବେଷ୍ଟନ କରି କହିଲା, ‘‘ବହୁ ପୂର୍ବରୁ ପରା କହିଛି ଭଲପାଇଲା ପରେ ଆଉ ତୁମ ସମ୍ବନ୍ଧରେ କୌଣସି ଖରାପ ଧାରଣା ମନ ମଧ୍ୟରେ ପୋଷଣ କରାଯାଇନପାରେ ।’’

 

ଏତିକି କହିସାରି ପୁଣି ନେଲୀ ପଚାରିଲା, ‘‘ସତ କହିବ ଜୀବନ ! ମୁଁ ଶୁଣିଛି ତୁମର ଭାରତର ଲୋକେ ମନ ନେବା ପାଇଁ ଅନେକ ଔଷଧପତ୍ର ଜାଣନ୍ତି । ତୁମେ ମୋତେ ସେହି ଔଷଧ ଦେଇ ଆଉ ବଶ କରିଦେଇ ନାହଁ ତ ?’’

 

ସମ୍ମତିସୂଚକ ହସ ଫୁଟାଇ ଜୀବନବାବୁ କହିଲେ, ‘‘ତା’ ନ ହୋଇଥିଲେ ଜଣେ ଶ୍ୱେତକାୟା ଇଂରେଜ ରମଣୀ ଜଣେ କୃଷ୍ଣକାୟ ଭାରତୀୟକୁ କ’ଣ ଭଲପାଇଥାନ୍ତା ।’’

 

‘‘କ’ଣ ଔଷଧଟି କହିଲ ?’’ ପଚାରିଲା ନେଲୀ ।

 

ଗୋଟିଏ ଦନ୍ତମୁଦ୍ରା ନେଲୀର ଗଣ୍ଡଦେଶରେ ବସାଇଦେଇ ଜୀବନବାବୁ କହିଲେ, ‘‘ନାରୀର ମନ ନେବାପାଇଁ ଏହିଟି ହେଉଛି ମହୌଷଧି । ଆମ ଭାରତରେ ଏ ଜିନିଷର ମୂଲ୍ୟ ପାଶ୍ଚାତ୍ୟ ଦେଶ ପରି ଶସ୍ତା ନୁହେଁ । ହୃଦୟ ହୃଦୟରେ ନ ମିଳିଲେ, ମନ ମନରେ ମିଶି ଏକ ହୋଇ ନ ଗଲେ ଅଧରରେ ତରଙ୍ଗ ସୃଷ୍ଟିହୁଏ ନାହିଁ ।

 

ନେଲୀ ନାସିକା କୁଞ୍ଚନ କରି କହିଲା, ‘‘ତୁମେ ଏଥର ରେଙ୍ଗୁନ୍ ଯାଇ ଭାରତୀୟ ଚୁମ୍ବନ ସମ୍ବନ୍ଧରେ ଗୋଟିଏ ଥିସିସ୍ ଲେଖିବ । ଦେଖିବ ଅକ୍ଳେଶରେ ଡକ୍ଟରେଟ୍ ଡିଗ୍ରୀଟା ମିଳିଯିବ ।’’

 

‘‘ତୁମେ ସେଥିରେ ମୋତେ ସାହାଯ୍ୟ କରିବ ତ ?’’ ପଚାରିଲେ ଜୀବନବାବୁ ।

 

ନେଲୀ ଜୀବନବାବୁଙ୍କ ଛାତିରେ ମୁହଁ ଲୁଚାଇ କହିଲା, ଜୀବନ ! ତୁମ ପାଖରୁ ପଦେକଥା ଶୁଣିଲେ ମୋର ଧୈର୍ଯ୍ୟଚ୍ୟୁତି ଘଟେ । ପ୍ରାଣକୁ ଛାତି ଭିତରୁ କାଢ଼ିଦେଇ ତୁମର ଗୋଡ଼ ତଳରେ ଥୋଇଦେବାକୁ ଇଚ୍ଛାହୁଏ । ସତ କରି କୁହ ମୁଁ କାହିଁକି ତୁମକୁ ଭଲପାଏ ?’’

 

‘‘ତୁମେ କୁହ’’ କହି ଜୀବନବାବୁ ନେଲୀର ହାତଟି ନିଜ ହାତରେ ଧରି ମୃଦୁ ଚୁମ୍ବନ କଲେ ।

 

ନେଲୀ ସଶ୍ରୁଳ ନୟନରେ କହିଲା, ‘‘ମୁଁ ସଠିକ୍ ଜାଣେନି ଜୀବନବାବୁ ! ମୁଁ କାହିଁକି ତୁମକୁ ଭଲପାଏ ? ଆଜି ଶୂନ୍ୟ ଆକାଶ ମଧ୍ୟରେ, ମହା ସାଗରର ନୀଳ ଜଳରାଶୀ ମଧ୍ୟରେ ମୁଁ ତୁମର ଅସ୍ତିତ୍ୱ ଉପଲବ୍ଧି କରେ । ଯେଉଁଆଡ଼େ ମୁଁ ଆଜି ଆଖି ଫେରାଏ ସବୁଠାରେ ମୁଁ ଦେଖିବାକୁପାଏ କେବଳ ତୁମକୁ । ଏ ଚନ୍ଦ୍ର ଅପେକ୍ଷା ମୋ ଆଖିରେ ତୁମେ ଦେଖାଯାଅ ସୁନ୍ଦର । ମହା ବିଷୁବ ସଂକ୍ରାନ୍ତିର ଉତ୍ତପ୍ତ ସୂର୍ଯ୍ୟଠାରୁ ତୁମେ ଦେଖାଯାଅ ଅଧିକ ଦୀପ୍ତିବନ୍ତ । ହୃଦୟ ଖୋଲି କୁହ ଜୀବନ ! ମୁଁ କାହିଁକି ତୁମକୁ ଭଲପାଏ ?’’

 

‘‘ମୁଁ ହୃଦୟ ଦେଇ କେବଳ ତୁମକୁ ଭଲପାଇଛି ନେଲୀ ! ଏତିକି ବ୍ୟତୀତ ତୁମକୁ ଦେବାକୁ ମୋର ଆଉ କିଛି ନାହିଁ । ତୁମେ ଜଣେ ସ୍ୱନାମଧନ୍ୟ କୋଟିପତି ଇଞ୍ଜିନିୟରଙ୍କର ଏକମାତ୍ର ଆଦରଣୀୟ କନ୍ୟା ଆଉ ମୁଁ, ଜଣେ ଅଖ୍ୟାତ ପଲ୍ଲିର ଏକ ଦରିଦ୍ର କୃଷକର ସନ୍ତାନ । ମୋ ପାଖରେ କେବଳ ଏହି ହୃଦୟ ବ୍ୟତୀତ ଅନ୍ୟ ମୂଲ୍ୟବାନ ପଦାର୍ଥ ଆଉ କିଛି ନାହିଁ ତୁମକୁ ଉପହାର ଦେବାକୁ । ମୋର ଅନ୍ତର ଓ ବାହାର ସବୁ ସମାନ ।’’ ଏତିକି କହି ଜୀବନବାବୁ ନେଲୀକୁ ଅନାଇଲେ ।

 

ନେଲୀ ନିଜର ବକ୍ଷ ଉନ୍ମୁକ୍ତ କରିଦେଇ କହିଲା, ‘‘ଜୀବନ ! କିଛି ବୁଝିପାରୁଛ ?’’

 

କେବଳ ମଥା ନାଡ଼ିଲେ ଜୀବନବାବୁ ।

 

ପୁଣି ନେଲୀ କହିଲା, ‘‘ନାରୀର ଅନ୍ତର ବୁଝିବା ପାଇଁ କୌଣସି ପୁରୁଷକୁ ବୋଧହୁଏ ଭଗବାନ ଜନ୍ମ ଦେଇନାହାନ୍ତି । ସବୁବେଳେ ମନେରଖିଥିବ ଜୀବନ ! ତୁମେ ଅଛ ଏ ହୃଦୟ ଭିତରେ । ଏ ହୃଦୟ ତୁମବିନୁ ଆଉ କାହାକୁ ଜୀବନରେ ଦେଇ ନାହିଁ କିମ୍ବା ଦେଇପାରିବି ନାହିଁ । ମୋର ଏହି କଥା ଶୁଣି ତୁମେ ବଧେହୁଏ ମନେମନେ ହସୁଥିବ ଏବଂ ଭାବୁଥିବ ନାରୀ ସବୁ କହିପାରେ । କିନ୍ତୁ ମନେରଖ ନାରୀର ମନ ସହଜରେ କେହି ନେଇପାରେ ନାହିଁ । ନାରୀ ଥରେ ଯାହାକୁ ହୃଦୟ ଦିଏ ତାକୁ ସବୁଦିନ ପାଇଁ ଦେଇଦିଏ । ହୃଦୟ ଥରେ ଦେଲେ ଆଉ ଫେରାଇ ଆଣି ହୁଏ ନାହିଁ । ଆନାରକଲିର କବର ମୁଁ ଦେଖିଛି । ପ୍ରେମ ପାଇଁ ସେ ହସି ହସି କହିନଥିଲା କି–

 

‘‘ଭୀରୁ ଆଉ କା’ ପୁରୁଷର

ପ୍ରଣୟରେ ନାହିଁ ଅଧିକାର ।’’

 

ଏହାପରେ ନେଲୀର ଆଖି ଛଳ ଛଳ ହୋଇଆସିଲା । ସେତେବେଳେ ଜୀବନବାବୁ ନେଲୀକୁ କୋଳ ଉପରକୁ ଆଉଜାଇ ଆଣି ଅତି ଆଦର କରି କହିଲେ, ‘‘ନେଲୀ ! ତୁମେ ମୋର ହୃଦ ସାହାରାରେ ଏକମାତ୍ର କରୁଣା ରୂପିଣୀ ତରଙ୍ଗିଣୀ ‘ଦି ନାଇଲ୍’ ।’’

 

‘‘ସତରେ ଜୀବନ ! ତୁମେ କେଡ଼େ ମହାନ୍ । ତୁମେ କେଡ଼େ ବିରାଟ ।’’ ଏତିକି କହି ନେଲୀ ସେଦିନ ଜୀବନବାବୁଙ୍କ ଉପରେ ଲୋଟି ପଡ଼ିଥିଲା ଓ ଜୀବନବାବୁ ନେଲୀର ଘନ କୁନ୍ତଳରେ ଅଜସ୍ର ଚୁମ୍ବନ ଓଜାଡ଼ିଦେଇ କହିଥିଲେ, ‘‘ନେଲୀ ! ତୁମର ଏ ନୀଳ ଆଖିର ଉପତ୍ୟକାରେ ଗୋଟିଏ ଛୋଟ କୁଡ଼ିଆ ରଚନା କରି ସାରା ଜୀବନ ବିତାଇ ଦେବାକୁ ମୁଁ ଚାହେଁ ।’’

 

ନେଲୀ ସେତେବେଳେ କୌଣସି ଉତ୍ତର ଦେଇପାରିନଥିଲା । ଜୀବନବାବୁ ଶୂନ୍ୟେ ଶୂନ୍ୟେ ନେଲୀକୁ ଛାତି ଉପରକୁ ତୋଳିନେଇ ଜାହାଜର କୋଠରୀ ଭିତରକୁ ଚାଲି ଯାଇଥିଲେ ।

 

ଏସବୁ କଥା ସେଦିନ ଜୀବନବାବୁଙ୍କ ମନରେ ପଡ଼ି ଯାଇଥିଲା ।’’ ନେଲୀ ! ମୋ ପ୍ରାଣର ନେଲୀ !’’ କହି ସେ କଇଁ କଇଁ ହୋଇ କାନ୍ଦିଉଠିଥିଲେ ।

ପ୍ରାଣ ଯେତେବେଳେ ଆକୁଳ ହୁଏ, ଜୀବନରେ ଯେତେବେଳେ ଝଡ଼ଉଠେ, ସେ ବ୍ୟାକୁଳତା ଓ ଝଡ଼-ଆଖିରୁ ଦୁଇଟୋପା ଲୁହ ଗଡ଼ିପଡ଼ିଲେ ଆପେଆପେ ଉପଶମ ହୋଇଯାଏ । ତେଣୁ ଅଶାନ୍ତ ହୃଦୟକୁ ଏହି ଲୁହ ଶାନ୍ତ କରେ । ହୃଦୟରେ ଯେଉଁ ବହ୍ନି ଦିକ୍ ଦିକ୍ ହୋଇ ଜଳୁଥାଏ, କେବଳ ଦୁଇଟୋପା ଲୁହ ସେହି ବହ୍ନିକୁ ତତ୍‍କ୍ଷଣାତ୍ ଲିଭାଇଦିଏ ଏଣୁ ଦୁର୍ବଳର ବଳ ହେଉଚି ଲୁହ ।

ଯେଉଁମାନେ ଲୁହକୁ ଘୃଣା କରନ୍ତି, ଯେଉଁମାନେ ଅନ୍ୟଆଖିରେ ଲୁହ ଦେଖି ଲୁହ ଢାଳିବା ବ୍ୟକ୍ତିକୁ ଉପହାସ କରନ୍ତି ସେମାନେ ଦୟା, ଧର୍ମ, ବିବର୍ଜିତ ମଣିଷ । ନିଜକୁ ସନ୍ତୁଷ୍ଟ କରିବାକୁ ବା ଅନ୍ୟକୁ ଆନନ୍ଦ ଦେବାକୁ ଆଖିରୁ ଦୁଇଟୋପା ଲୁହ ଗଡ଼ାଇବାକୁ ଯେ ରାଜି ହୁଏ ନାହିଁ ତାହାର ଜୀବନର ମହତ୍ତ୍ୱ ଆଉ କେଉଁଠି ରହିଲା ଯେ ସେ ଅପରର ମଙ୍ଗଳ ପାଇଁ ନିଃସ୍ୱାର୍ଥପର ଭାବରେ କୌଣସି କାର୍ଯ୍ୟରେ ନିଜକୁ ଲଗାଇପାରିବ ?

ନେଲୀକୁ ଜୀବନବାବୁ ମୋଟେ ଭୁଲିପାରିନାହାନ୍ତି । ନେଲୀ ପରି ସଦ୍‍ଗୁଣ ସଂପୂର୍ଣ୍ଣା ରମଣୀକୁ କ’ଣ ସହଜରେ ଭୁଲିହୁଏ ?

ସେ ବେଳର କଥା । ରେଙ୍ଗୁନର ‘କୁଇନ୍ସ ଉୟେ’ ସେ ମୁଣ୍ଡ ଛକ ଉପରେ ମି: ଉଆଲଫୋଡ଼୍ ସାହେବଙ୍କର ବିରାଟ ବଙ୍ଗଳା । ଉକ୍ତ ବଙ୍ଗଳାଟି ତାଙ୍କର ସ୍ୱପାର୍ଜିତ ସମ୍ପତ୍ତି ନଥିଲା । ତାହା ଥିଲା ତାଙ୍କର ପୈତୃକ ସମ୍ପତ୍ତି । ମି: ଉଆଲଫୋଡ଼୍ ପିତା ସାଉଥ୍ ଉୟେଲସରୁ ଆସିଥିଲେ ରେଙ୍ଗୁନକୁ । ସେ ହିଲଟନ୍ ଫାର୍ମରେ ଥିଲେ ସମୁଦାୟ ବର୍ମା, ମାଳୟ, ଫିଲଫାଇନ, ଜାଭା ଓ ସୁମାତ୍ରା ପାଇଁ ଜେନେରାଲ ମେନେଜର । ପ୍ରଥମେ ଯେତେବେଳେ ମି: ଉଆଲଫୋଡ଼୍‍ଙ୍କ ପିତା ଆସିଥିଲେ ରେଙ୍ଗୁନକୁ ସେ ସେତେବେଳେ ଅବିବାହିତ ଥିଲେ । ଏହି ରେଙ୍ଗୁନରେ ସେ ଜଣେ ବ୍ରହ୍ମଦେଶର ରମଣୀକୁ ବିବାହ କରିଥିଲେ । ତାଙ୍କର ସାରାଜୀବନ ଏହି ରେଙ୍ଗୁନରେ କଟି ଯାଇଥିଲା ।

ଇ: ଉଆଲଫୋଡ଼୍‍ଙ୍କ ପିତାଙ୍କ ନାମ ଥିଲା ଜେମ୍ସ ଉଆଲଫୋଡ଼୍ ଓ ମାତାଙ୍କ ନାମ ଥିଲା ଇରାବତୀ ବିଂଆମ୍ । ଜେମସ ଉଆଲଫୋଡ଼ ଥିଲେ ଜଣେ ଉଚ୍ଚ ଆଦର୍ଶବାଦୀ ମଣିଷ । ସେ ଆଦର୍ଶ ପାଖରେ ମଥା ନୁଆଇଁ ସାରା ଜୀବନ କଟାଇଦେଲେ । ଜେମସଙ୍କର ଏକମାତ୍ର ସନ୍ତାନ ଥିଲେ ଇ: ଉଆଲଫୋଡ଼ । ଇ: ଉଆଲଫୋଡ଼ଙ୍କ ପୂରା ନାମ କ’ଣ ତାହା କେହି ବୋଧହୁଏ ସଠିକ୍ ଭାବେ କହିପାରିବେ ନାହିଁ । ତେବେ ବୁଢ଼ା ବୁଢ଼ା ଲୋକଙ୍କ ମୁଖରୁ ଏତିକି ଶୁଣିବାକୁ ମିଳେ ଯେ ଇରାବତୀଙ୍କୁ ଜେମସ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ । ଇ: ଉଆଲଫୋଡ଼ ମାତ୍ର ଚାରିବର୍ଷର ଶିଶୁ ହୋଇଥାନ୍ତି ଇରାବତୀ ବିଦାୟ ନେଇ ଚାଲିଗଲେ ସେପାରିକୁ ।

ଇରାବତୀ ଯେତେବେଳେ ବଞ୍ଚିଥିଲେ ସେ ପୁଅକୁ ଡାକୁଥିଲେ ଏ: ଉଆଲଫୋଡ଼ । ଏ: ଉଆଲଫୋଡ଼ଙ୍କ ପୂରାନାମ ହେଲା ଏଡ଼-ଉଆଡ଼ ଉଆଲଫୋଡ଼ । କିନ୍ତୁ ଇରାବତୀଙ୍କ ମୃତ୍ୟୁ ପରେ ପରେ ନାମଟା ହଠାତ୍ ବଦଳି ଯାଇ ହୋଇଗଲା ଇ: ଉଆଲଫୋଡ଼ ।

ମି: ଜେମସଙ୍କ ପାଖରୁ ଇ: ଉଆଲଫୋଡ଼ଙ୍କ ପୂରା ନାମ ଯେତେବେଳେ କେହି ଜାଣିବାକୁ ଚାହୁଁଥିଲେ ସେ କେବଳ ଅଶ୍ରୁପୂର୍ଣ୍ଣ ନୟନରେ ସେତେବେଳେ କହୁଥିଲେ, ‘‘ତୁମେ ତ ଜାଣ । ମୁଁ ଇରାବତୀକୁ କେତେ ଶ୍ରଦ୍ଧା କରୁଥିଲି ।’’ ଏତିକିରୁ ଲୋକେ ଯାହା ବୁଝୁଥିଲେ ଇରାବତୀର ସ୍ମୃତି ପାଇଁ ଏ: ଉଆଲଫୋଡ଼ ବଦଳରେ ମି: ଜେମସ୍ ପୁଅର ନାମ ବୋଧହୁଏ ରଖିଥିଲେ ଇ: ଉଆଲଫୋଡ଼ ।

 

କୁଇନ୍ସ ଉୟେ ସେମୁଣ୍ଡ ଛକରେ ଯେଉଁ ବିରାଟ ବଙ୍ଗଳାଟି ମୁଣ୍ଡ ଟେକି ଛିଡ଼ାହୋଇଛି ସେ ବଙ୍ଗଳାର ନାମ ଇରାବତୀ ‘ସ୍ମୃତି-ସୌଧ’ । ଭିତରକୁ ପଶିଗଲେ ଇନ୍ଦ୍ରପୁରୀ ବୋଲି ଭ୍ରମରେ ଭାବିନେବାକୁ ହୁଏ ।

 

ଜୀବନବାବୁ ଦିନେ ଅପରାହ୍ନରେ ଇରାବତୀ ଭବନର ସାମନା ବଗିଚାର ପଥର ବେଞ୍ଚ ଉପରେ ବସି ଭାବୁଥିଲେ, ଏତେବଡ଼ ଧନ କୁବେରର ଏକମାତ୍ର ଆଦରଣୀୟା କନ୍ୟା ହୋଇ ନେଲୀ କାହିଁକି ତାଙ୍କୁ ଭଲପାଇଲା ? ଏ ଭଲପାଇବା କ’ଣ ସବୁଦିନେ ରହିବ ?

 

ଯୌବନର ଗରମ କ’ଣ ଦୁଇଚାରଟି ବସନ୍ତ ପରେ ଆପେଆପେ ଥଣ୍ଡା ହୋଇଯିବ ନାହିଁ ?

 

ଏ ଜଗତ ପରିବର୍ତ୍ତନଶୀଳ । ଯାହା ଆଜି ଅଛି କାଲିକୁ ତାହା ନଥିବ । ନାରୀର ମନ ଯାହାକୁ ଆଜି ଭଲପାଏ କାଲି ପୁଣି ତାହାକୁ ଘୃଣା କରେ । ଆଉ ପୁଣି କିଛିଦିନ କଟିଗଲେ କହେ ତୁମେ ମୋର କିଏ ଯେ ତୁମର ମୁଁ ବାର ଜଞ୍ଜାଳ ସହିବି ? ଏମିତି ଭାବି ଭାବି ଜୀବନବାବୁଙ୍କ ମନ ଦୁର୍ବଳ ହୋଇଗଲା ।

 

ତାଙ୍କର ମନେପଡ଼ିଗଲା ଗାଁ, ଘର, ବାଡ଼ି, ବଗିଚା କଥା । ଆଖି ଛଳ ଛଳ ହୋଇଆସିଲା । ସେତେବେଳେ ତାଙ୍କର ମନହେଉଥିଲା ଏଇଲାଗେ ଯଦି ଦୁଇଟା ହାତ ଦୁଇଟା ଡେଣା ହୋଇଯାଆନ୍ତା, ସେ ତତକ୍ଷଣାତ୍ ଆକାଶର ବକ୍ଷରେ ଡେଣା ମେଲାଇ ପକ୍ଷୀଭଳି ଉଡ଼ିଯାଇ ନିଜର ଜନ୍ମମାଟିରେ ପହଞ୍ଚି ଯାଆନ୍ତେ । ‘‘ଜନ୍ମମାଟି ପବିତ୍ର ମାଟି’’ । ଏତିକି କହି ସେତେବେଳେ ସେ ଦୁଇଟୋପା ଲୁହ ଗଡ଼ାଇ ଦେଇଥିଲେ ।

 

ଜୀବନବାବୁଙ୍କ ଅଜାଣତରେ ନେଲୀ ଯେ କେତେବେଳୁ ଆସି ତାଙ୍କ ପଛପଟେ ଛିଡ଼ା ହୋଇଥାଏ ତାହା ଜୀବନବାବୁଙ୍କୁ ଜଣାନଥିଲା । ସେ ଜୀବନବାବୁଙ୍କୁ ପଚାରିଲା, ‘‘ଜୀବନ !ତୁମେ କାନ୍ଦୁଛ ? ତୁମର କ’ଣ ଗାଁ କଥା ମନେପଡ଼ୁଛି ?

 

ଜୀବନବାବୁ ଚମକିପଡ଼ିଲେ । ସେ ନୟନ କୋଣରୁ ଦୁଇବୁନ୍ଦା ଅଶ୍ରୁ ପୋଛିଦେଇ କହିଲେ, ‘‘ତୁମେ ଯେତେବେଳେ ଅଛ ସେତେବେଳେ ଆଉ ଦୁଃଖ କରିବାର କ’ଣ ଅଛି । ତଥାପି ଅନେକ କଥା ଭାବିବାକୁ ବେଳେ ବେଳେ ଇଛାହୁଏ । ସବୁଠାରୁ ମୋର ପ୍ରଧାନ ଭାବନାର ବିଷୟ ହେଉଛି ତୁମେ ମୋତେ କାହିଁକି ଭଲପାଇଲ ? ତୁମଭଳି କୌଣସି କୋଟିପତିର ଦୁଲାଳୀ ମୋ ଭଳି ଦିନ ଦରିଦ୍ରକୁ କେବେ ଭଲପାଇପାରେ କି ?’’

 

ନେଲୀ ବିରକ୍ତି ଭାବ ପ୍ରକାଶ କରି କହିଲା, ‘‘ତୁମର ଏପ୍ରକାର ଚିନ୍ତାଧାରା ଭାରତର ମାଟିରେ ଶୋଭାପାଏ । ଭାରତର ଲୋକେ କାହାରି ମନ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ସେମାନେ ମନ ଅପେକ୍ଷା ଧନକୁ ବଡ଼ ବୋଲି ଭାବି ସବୁବେଳେ ଧନ ପଛରେ ହିଁ ଗୋଡ଼ାନ୍ତି । ସେଥିପାଇଁ ଧନ ଥିଲେ ଛୋଟା କନ୍ଦର୍ପ ବୋଲାଏ ବୋଲି ସବୁବେଳେ ସେ ଦେଶର ଲୋକେ କହନ୍ତି-। ଯେଉଁ ଦେଶର ଲୋକେ ମନ ବଦଳରେ ଧନର ବିଚାର କରି ନାରୀକୁ ନ ପଚାରି, ତା’ର ମନ ଓ ହୃଦୟର ଭାଷା ବୁଝିନପାରି, କଣା, କୁଜା ଓ କୁତ୍ସିତ ହୃଦୟହୀନ ପୁରୁଷ ହାତରେ ସମର୍ପଣ କରିଦେଇ ବଡ଼ ଘରେ ବନ୍ଧୁ ବାନ୍ଧିଲେ ବୋଲି ଧ୍ୱଜା ଉଡ଼ାନ୍ତି, ତୁମେ ସେହି ଦେଶର ମଣିଷ-। ତେଣୁ ତୁମ ଆଖିରେ ଏହି ଇରାବତୀ ଭବନ, ମି: ଉଆଲଫୋଡ଼ଙ୍କ ଲକ୍ଷ ଲକ୍ଷ ବ୍ୟାଙ୍କ ବାଲାନ୍‍ସ, ସଞ୍ଚିତ ସୁନା ଏବଂ ଦାମିକା ଦାମିକା ଜହରତ୍ ଆଜି ବଡ଼ ଦେଖାଗଲା । ଆଉ ମୋର ସ୍ନେହ, ମୋର ପ୍ରେମକୁ ତୁମେ ସନ୍ଦେହ ଚକ୍ଷୁରେ ଦେଖି ସେଥିପାଇଁ ତୁମେ ନିର୍ଲଜ୍ଜ ଭାବ ମୋତେ ପଚାରିବାକୁ ସାହସ କଲ ଯେ ମୁଁ କୋଟିପତିର କନ୍ୟା ହୋଇ ତୁମଭଳି ଜଣେ ଦୀନ, ଦରିଦ୍ରକୁ ସ୍ନେହ କଲି କିପରି ?

 

ତୁମେ ନିଜର ସୌନ୍ଦର୍ଯ୍ୟ ନିଜେ ଦେଖିପାର ନାହିଁ ଜୀବନ ! ତେଣୁ ତୁମେ ନିଜ ସମ୍ୱନ୍ଧରେ କୌଣସି ଉଚ୍ଚ ଚିନ୍ତା କରିବାକୁ ଅକ୍ଷମ । ସାରା ଜଗତର ଦୌଲତ ଗୋଟିଏ ପାଖରେ ଓ ତୁମର ସୌନ୍ଦର୍ଯ୍ୟକୁ ଗୋଟିଏ ପାଖରେ ଥୋଇଦେଇ ନିକିତିରେ ତଉଲ କଲେ ତୁମେ ଯେ କେତେ ତଳକୁ ଖସିପଡ଼ିବ ତାହା ମୁଁ ଜାଣେ ।

 

ଧନର ଲୋଭରେ ପୁରୁଷକୁ ନାରୀ ଭଲପାଏ ନାହିଁ । ଧନ ଲୋଭରେ ଯେଉଁ ନାରୀ ପୁରୁଷକୁ ଭଲପାଏ ତାହାକୁ ନାରୀ କୁହାଯାଏ ନାହିଁ । ତାକୁ କ’ଣ କୁହାଯାଏ ଜାଣ ? ସେ ହେଉଛି ବେଶ୍ୟା । ନିଜେ ତୁମେ ନାରୀ ନୁହଁ । ତେଣୁ ନାରୀ ଯେ କେଉଁ ପୁରୁଷକୁ ଭଲପାଏ ତୁମେ ଜାଣିବ କିପରି ? ଅନେକ ଥର ତୁମ ମୁହଁରୁ ମୁଁ ଅନେକ ନୀତିବାକ୍ୟ ଶୁଣୁଛି । ତୁମର ଶାସ୍ତ୍ର କହେ ‘କନ୍ୟା ବରୟତେ ରୂପମ୍’ ।

 

ବୁଝିଲ; ତୁମ ଭାରତର ପୁରାଣ ଶାସ୍ତ୍ରର ନୀତିବାକ୍ୟ କେବଳ ପୁରାଣ ଶାସ୍ତ୍ରରେ ଥୁଆ । ତାହା ଅନେକ ସମୟରେ କେବଳ ଲୋକଙ୍କ ପାଖରୁ ଶୁଣିବାକୁ ମିଳେ । ମାତ୍ର ତାହା ପାଳନ କରିବାକୁ ଲୋକେ ମୋଟେ ପ୍ରସ୍ତୁତ ନୁହନ୍ତି । ତେଣୁ ତୁମ ହିନ୍ଦୁଧର୍ମର ଆଦର୍ଶବାଦ ଭାରତର ହିମାଳୟ ଡେଇଁ ଆଗେଇପାରିଲା ନାହିଁ । ଯାହାଫଳରେ କୁମାରୀକାଠାରୁ ହିମାଳୟ ଏବଂ ମଣିପୁରଠାରୁ ଗୁଜୁରାଟ ମଧ୍ୟରେ ହିନ୍ଦୁଧର୍ମ ବନ୍ଦୀ ହୋଇ ରହିଗଲା ।

 

ନେଲୀ ଯଥେଷ୍ଟ ଉତ୍ୟକ୍ତ ହୋଇ ସେହିଦିନ ଏହିସବୁ କଥା ଜୀବନବାବୁଙ୍କୁ କହିଯାଇଥିଲା । ଜୀବନବାବୁ କୌଣସି ଉତ୍ତର ନେଲୀକୁ ଦେଇପାରିନଥିଲେ । ନେଲୀ ଯାହାସବୁ କହିଗଲା ସେ ସବୁ କ’ଣ ସତ୍ୟ ? ଏହି କଥା କେବଳ ଜୀବନବାବୁ ସେଦିନ ଭାବିଥିଲେ ।

 

ପରେପରେ ପୁଣି ନେଲୀ ଆରମ୍ଭ କଲା, ‘‘ଶୁଣ ଜୀବନ ! ମୋର ଯେଉଁ ଜେଜେବାପା ଥିଲେ ତାଙ୍କର ପ୍ରେମର ଗୋଟିଏ ଅମର କାହାଣୀ । ତୁମେ ତ ଏୟା ମଧ୍ୟରେ ନିଶ୍ଚୟ ଶୁଣିଥିବ ସେ ମୋର ଜେଜେମାଙ୍କୁ କେତେ ଭଲପାଉଥିଲେ । ମୋର ଜେଜେମାଆଙ୍କର ସ୍ମୃତି ପାଇଁ ତାଙ୍କର ନାମାନୁସାରେ ଏହି ବିରାଟ ଭବନର ନାମକରଣ କରାଯାଇଛି ।

 

ଜେଜେମାଆଙ୍କର ତିରୋଧାନ ପରେ ପରେ ତାଙ୍କର ଅନେକ ହିତୈଷି ବନ୍ଧୁ ଆସି ମି: ଜେ: ଉଆଲଫୋଡ଼୍‍ଙ୍କୁ ପୁନର୍ବିବାହ କରିବାକୁ ପ୍ରବର୍ତ୍ତାଇଥିଲେ । କିନ୍ତୁ ମି: ଜେମସ୍ ସମସ୍ତଙ୍କୁ ହସି ହସି କହିଥିଲେ, ‘‘ଇରାବତୀର ସରଳ ବିଶ୍ୱାସରେ ବିଷ ବୋଳି ଦେଇପାରିବି ନାହିଁ ।’’ ମୋରୋ ଜେଜେବାପାଙ୍କ ବୟସ ସେତେବେଳେ ମୋଟେ ଥିଲା ତିରିଶି ବର୍ଷ । ଭାରତରେ ତିରିଶି ବର୍ଷରେ ମଣିଷ ବୁଢ଼ା ହୋଇଯାଏ କିନ୍ତୁ ଆମର ପାଶ୍ଚାତ୍ୟ ଦେଶରେ ତିରିଶି ବର୍ଷରେ ଯୌବନ ଆରମ୍ଭ ହୁଏ କହିଲେ ଚଳେ ।

 

ମୋର ବାପା ଯେତେବେଳେ ମୋ ମାଆଙ୍କୁ ଜୋହାନ୍‍ସବର୍ଗରେ ବିବାହ କରିଥିଲେ ସେତେବେଳେ ବାପାଙ୍କ ବୟସ ଥିଲା ବୋଧେ ଚାଳିଶି ପାଖାପାଖି । ଏଥର ବୁଝିଲ, ଜେଜେମାଆଙ୍କର ମରିଯିବା ପରେ ମଧ୍ୟ ଜେଜେବାପାଙ୍କର ବିବାହ ହେବାର ବୟସ ଯଥେଷ୍ଟ ଥିଲା-

 

ଜଣେ ଉଚ୍ଚ ବେତନଭୋଗୀ ସାତ ସାଗର ସେପାରିର ମଣିଷକୁ ବିବାହ ହେବାକୁ ଅନେକ ସୁନ୍ଦରୀ କନ୍ୟା ଆଗେଇ ଆସିଥିଲେ । ମି: ଜେମସ୍ ସେମାନଙ୍କୁ ଫେରାଇଦେଇ କହିଥିଲେ, ଯେଉଁ ଅମର ଆତ୍ମା ବର୍ତ୍ତମାନ ସୁଦ୍ଧା ମୋତେ ସ୍ଵର୍ଗରେ ଅପେକ୍ଷା କରି ରହିଛି ମୁଁ ମଧ୍ୟ ସେହି ଆତ୍ମା ପାଇଁ ଏହି ମର ଜଗତରେ ଅବିରତ ଲୁହଢାଳି ସେହି ଆତ୍ମାକୁ ଖୋଜୁଛି । ତାଙ୍କର ଆଦର୍ଶ ଓ ତାଙ୍କର ଏକନିଷ୍ଠ ପ୍ରେମ ପାଇଁ ସେ ଆଜି ଆମ୍ଭମାନଙ୍କର ଚିରସ୍ମରଣୀୟ ।

 

ଜନ୍ମମାଟିର ପବିତ୍ର ମୋହ ସମସ୍ତଙ୍କୁ ଉଦ୍‍ବୁଦ୍ଧ କରିଥାଏ । କିନ୍ତୁ ମୋର ଜେଜେବାପା କହୁଥିଲେ ଯେଉଁ ମାଟିରେ ତାଙ୍କର ପ୍ରିୟତମ । ଇରାବତୀ ଜନ୍ମ ହେଇଥିଲା ସେହି ମାଟି ତାଙ୍କ ନିଜ ଜନ୍ମମାଟି ଅପେକ୍ଷା ତାଙ୍କ ଆଖିରେ ଥିଲା ଅଧିକ ପବିତ୍ର । ଗ୍ରୀଷ୍ମକାଳରେ ବର୍ଷା ପରେ ପରେ ଏହି ବ୍ରହ୍ମଦେଶର ମାଟିରୁ ଯେଉଁ ଧୂପର ଗନ୍ଧ ବାହାରୁଥିଲା ସେହି ଗନ୍ଧ ମୋ ଜେଜେବାପାଙ୍କୁ ଏତେ ଆନନ୍ଦ ଦେଉଥିଲା ଯେ ସେ କହୁଥିଲେ ଯେଉଁ ମାଟିର ଫଳମୂଳ ଖାଇ ଇରାବତୀ ବଞ୍ଚିଥିଲା ସେହି ମାଟିର ମୋହ ଏଡ଼ିଦେଇ ସେ କେଉଁ ଲୋଭରେ ଧାଇଁଯିବେ ସାଉଥ ଉୟେଲସ୍‍କୁ ?

 

ତେଣୁ ତାଙ୍କର ଚକ୍ଷୁରେ ଥିଲା ଏହି ବ୍ରହ୍ମଦେଶର ମାଟି ଅତି ପବିତ୍ର । ସେଥିପାଇଁ ଏହିଦେଶ ଛାଡ଼ି, ଏହି ମାଟିର ମୋହ ଏଡ଼ିଦେଇ ସେ ନିଜ ଜନ୍ମଭୂମିକୁ ଯାଇପାରିଲେ ନାହିଁ । ସେ ବଞ୍ଚି ଥାଉଁ ଥାଉଁ ସମସ୍ତଙ୍କୁ ନିବେଦନ କରିଥିଲେ ଇରାବତୀର ସମାଧି ନିକଟରେ ତାଙ୍କୁ ସେପରି ସମାଧି ଦିଆଯାଏ ।

 

ବର୍ତ୍ତମାନ ବୁଝିପାରିଲ ଜୀବନ ! ଯେଉଁ ପରିବାରରେ ମି: ଜେମସ୍ ଭଳି ବିଶ୍ୱସ୍ତ ସ୍ୱାମୀ ଜନ୍ମଗ୍ରହଣ କରିଥିଲେ ସେହି ପରିବାରରେ ମୋର ଏବଂ ମୋର ପ୍ରତି ଧମନୀରେ ଉଆଲଫୋଡ଼୍ ପରିବାରର ବିଶୁଦ୍ଧ ରକ୍ତ ବର୍ତ୍ତମାନ ସୁଦ୍ଧା ପ୍ରବାହିତ ହେଉଅଛି । ତେଣୁ କାହାରିକୁ ପ୍ରତାରଣା କରିବାକୁ ଓ କାହାରି ସରଳତାର ସୁଯୋଗ ନେବାକୁ ଉଆଲଫୋଡ଼ ପରିବାରରେ କୌଣସି ଝିଅ ଜନ୍ମ ହେବେ ନାହିଁ ବୋଲି ଏହି ବିଶ୍ୱାସ ମୋର ଅଛି ।

 

ନେଲୀର ଆଖିଦୁଇଟି ତଳକୁ ନଇଁପଡ଼ିଥିଲା ଏବଂ ଜୀବନ ନେଲୀର ଦୁଇହାତ ଧରି କହିଲେ, ‘‘ନେଲୀ ମୋତେ କ୍ଷମା ଦିଅ । ଆଉ ଦିନେ ତୁମର ପ୍ରେମ ସମ୍ୱନ୍ଧରେ କୌଣସି ଅବାନ୍ତର ପ୍ରଶ୍ନ ମୋ ମନ ମଧ୍ୟରେ ସ୍ଥାନ ପାଇବ ନାହିଁ ।”

 

ଜୀବନବାବୁଙ୍କ ଭାବନାରେ ବାଧା ସୃଷ୍ଟି କଲା ତମିସ୍ର। । ସେ ଚା’ କପ୍‍ଟି ଟେବୁଲ ଉପରେ ଥୋଇଦେଇ କହିଲା, ‘‘ବାବା ! ଚା ପିଇଦିଅନ୍ତୁ ଥଣ୍ଡା ହୋଇଯିବ ।”

 

ଜୀବନବାବୁ ଚା’ କପ୍‍ରେ ମୁହଁ ଲଗାଇଲେ । ହଠାତ୍ ତାଙ୍କର ମନେପଡ଼ିଲା ନେଲୀର ଗାଲ ଦୁଇଟା ଏହି ଚା’ ଭଳି ଲାଲ ଦେଖାଯାଉନଥିଲା କି ?

 

ଆଉ ବିଶେଷ ଭାବିପାରିଲେ ନାହିଁ । ଆଖିପତା ସଜଳ ହୋଇଉଠିଲା ।

 

–ଛଅ–

 

ମି: ଡିଆନଙ୍କ ଡାକ୍ତରଖାନାରୁ ଫେରିବାପରେ ତମିସ୍ରା ଏକାବେଳେ ଭାଙ୍ଗିପଡ଼ିଥିଲା । ତା’ର ମନେହେଉଥିଲା ସତେଯେପରି ସେ ମରିଯାଇଛି । କେବଳ ତା’ର ଜୀବଶୂନ୍ୟ ଶରୀରଟା ଚଳପ୍ରଚଳ ହେଉଛି ।

 

ସେ ଶୂନ୍ୟ ମନରେ ବିଛଣାରେ ପଡ଼ିରହି ଭାବୁଥିଲା ସମସ୍ତେ କହନ୍ତି ନାରୀ ତା’ର ପୁଣ୍ୟ ବଳରେ ସଂସାରକୁ ସ୍ଵର୍ଗରେ ପରିଣତ କରେ । ତେବେ ତା’ର ପୁଣ୍ୟ କ’ଣ ଊଣା ହେଇଗଲା ଯେ ସେ ଆଜି ନିଜର କର୍ମ ଫଳ ଭୋଗ କରୁଛି ? କାହିଁ ସେ ତ ଦିନେହେଲେ ସ୍ୱାମୀଙ୍କୁ ଅବହେଳା କରିନାହିଁ । ସ୍ୱାମୀର ମନରେ ଦୁଃଖ ଦେବା ଭଳି କଥା ପଦେ କେବେହେଲେ କହିନାହିଁ । ସ୍ୱାମୀଙ୍କୁ କୌଣସି ମତେ ମନ ମଧ୍ୟରେ ଘୃଣା ମଧ୍ୟ କରିନାହିଁ । ସ୍ୱାମୀ ପାଖରେ କୌଣସି ମାନ ଅଭିମାନ କରିନାହିଁ । ସ୍ୱାମୀଙ୍କୁ ଦେବତା ଭଳି ଭକ୍ତି କରିଛି । ସ୍ୱାମୀଙ୍କୁ ଦେବତାର ସମ୍ମାନ ଦେଇଛି । ସ୍ୱାମୀଙ୍କୁ ଭଗବାନ ତୁଲ୍ୟ ମଣି ନିଜକୁ ସ୍ୱାମୀ ପାଖରେ ଅର୍ପଣ କରିଦେଇଛି ।

 

ପ୍ରକୃତରେ କହିବାକୁ ଗଲେ ଶୁଭେନ୍ଦୁ ଥିଲେ ତମିସ୍ରାର ଆଖିରେ ଚଳନ୍ତି ବିଷ୍ଣୁ ପ୍ରତିମା । ଶୁଭେନ୍ଦୁର ସୁଖପାଇଁ, ଶୁଭେନ୍ଦୁର ଶାନ୍ତି ପାଇଁ ତମିସ୍ର। ସର୍ବଦା ନିଜକୁ ଶୁଭେନ୍ଦୁର ସେବାରେ ନିୟୋଜିତ କରିଦେଇଥିଲା ।

 

ଶୁଭେନ୍ଦୁ ରହୁଥିଲେ ବିଦେଶରେ । ଶାଶୁ, ଶଶୁର ନେଇ ତମିସ୍ର। ଘରେ ପଡ଼ିଥାଏ । ଅନେକ ସମୟରେ ଶୁଭେନ୍ଦୁ ତମିସ୍ରାକୁ ସଙ୍ଗରେ ନେବାପାଇଁ ଯିଦ୍ କରୁଥିଲେ । କିନ୍ତୁ ନିଜେ ତମିସ୍ରା ଶୁଭେନ୍ଦୁକୁ ବୁଝାଇ ସୁଝାଇ କହୁଥିଲା, ‘‘କେଉଁ ସ୍ତ୍ରୀ ନ ଚାହେଁ ସ୍ୱାମୀ ସାଙ୍ଗରେ ରହି ଆତ୍ମସନ୍ତୋଷ ଲାଭ ନ କରିବାକୁ ? ମୁଁ ମଧ୍ୟ ସ୍ତ୍ରୀ । ମୁଁ ମଧ୍ୟ ତୁମ ସଙ୍ଗରେ ରହି ଦିନ ଓ ରାତିର ପାର୍ଥକ୍ୟ ପାଶୋରି ଯିବାକୁ ଚାହେଁ । ତୁମର ହସ ହସ ମୁଖ ଦେଖି, ନୟନାଭିରାମ ରୂପ ଦେଖି ମୁଁ ନିଜକୁ ନିଜେ ମଧ୍ୟ ଭୁଲିଯିବାକୁ ଚାହେଁ । କିନ୍ତୁ କର୍ତ୍ତବ୍ୟ ପାଖରେ ସ୍ୱାମୀ, ପୁତ୍ର, କନ୍ୟାର ସ୍ୱାର୍ଥ ମୋଟେ କିଛି ନୁହେଁ ।

 

Unknown

ମୁଁ ଏ ଘରକୁ ଯେତେବେଳେ ବୋହୂ ହୋଇ ଆସିଛି, ଏ ଘରର ସୁଖଶିରୀ ମୋ ଉପରେ ନିର୍ଭର କରେ । ମୁଁ ଯଦି ଆଜି ଶାଶୁ, ଶଶୁରଙ୍କୁ ଅବହେଳା କରି ସେମାନଙ୍କ ସୁଖ ପ୍ରତି ନଜର ନ ଦେଇ ତୁମ ସଙ୍ଗରେ ଚାଲିଯାଏ ସେମାନଙ୍କର ଏଠାରେ କିଏ ଅଛି ଯେ ସେମାନଙ୍କୁ ଦେଖାଚାହାଁ କରିବ ? ଆଉ ପୁଅ ନାହିଁ କିମ୍ବା ବୋହୂ ନାହିଁ ଯେ ବେଳ ଅବେଳରେ ବାସି ତୋରାଣୀ ମୁନ୍ଦେ ସେମାନଙ୍କ ପାଟିରେ ଦେବ ? ସେମାନେ ଯେତେବେଳେ ଅସୁବିଧା ଭୋଗିବେ, ଅଶାନ୍ତିରେ କାଳ କାଟିବେ, ଯେଉଁ ଦୁଇଟୋପା ଲୁହ ସେତେବେଳେ ସେମାନଙ୍କ ଆଖିରୁ ଗଡ଼ିପଡ଼ିବ ସେ ଲୁହର ଦାମ ଆମକୁ କ’ଣ ଦେବାକୁ ହେବ ନାହିଁ ? ପିତା, ମାତା, ଶାଶୁ, ଶଶୁର, ଏମାନେ ସାକ୍ଷାତ ଭଗବାନ । ଏମାନଙ୍କୁ ସନ୍ତୁଷ୍ଟ କରିପାରିଲେ ନିଜେ ଭଗବାନ ସନ୍ତୁଷ୍ଟ ନିଶ୍ଚୟ ହେବେ ।’’

 

ତମିସ୍ରାର କଥାରେ ଉତ୍ତର ଦେବାପାଇଁ ଶୁଭେନ୍ଦୁର କୌଣସି ଭାଷା ନ ଥିଲା । ସେ କେବଳ ତମିସ୍ରାକୁ ଅନେକ ସମୟ ଧରି ଅନାଇ ରହି କହୁଥିଲେ, ‘‘ତମେ କ’ଣ ପୁରାଣ ଯୁଗର ସେହି ସତୀ ସାବିତ୍ରୀ ?’’

 

"ସତୀ ସାବିତ୍ରୀ ହେବାର ସଦ୍‍ଗୁଣ ମୋର ନାହିଁ କିମ୍ବା ସତୀ ସାବିତ୍ରୀର ସମ୍ମାନ ଗ୍ରହଣ କରିବାର ବାସନା ମୋର ମନ ମଧ୍ୟରେ ମୋଟେ ନାହିଁ । ମୁଁ କେବଳ ଜଣେ ତୁମେ ମୋର ଦେବତା-। ଆଉ ମୁଁ ତୁମର ପୂଜାରିଣୀ । ତୁମର ମନ ନେବାକୁ, ତୁମର ସ୍ନେହ-ଭାଜନ ହେବାକୁ ବିଭିନ୍ନ ରୂପରେ ନିଜକୁ ସଜାଇ, ବିଭିନ୍ନ ଭାଷା ଅଧରରେ ଫୁଟାଇ, ଅନ୍ତରରେ ଅନ୍ୟପ୍ରକାର ଦୁର୍ଭାବନା କରି ଯେଉଁ କଥା ତୁମ କାନକୁ ଭଲ ଶୁଭିବ ସେହି କଥା ଛଳନା କରି ଅନ୍ୟ ସ୍ତ୍ରୀ ସ୍ୱାମୀଙ୍କୁ ଯେପରି କହନ୍ତି ମୁଁ ସେପରି କହିବାକୁ ଜାଣେ ନାହିଁ । ଦେବତା ପାଖରେ କୌଣସି ମାନ, ଅଭିମାନ, ଛଳନା ଶୋଭାପାଏ ନାହିଁ । ଅନ୍ତର ଖୋଲି ଦେବତାକୁ ଡାକି ନ ଜାଣିଲେ ଦେବତା କାହାରି ଡାକ ଶୁଣେ ନାହିଁ ।

 

ତୁମେ ମୋର ଦେବତା ! ତୁମକୁ ସ୍ନେହରେ ମୁଁ ବାନ୍ଧି ରଖିପାରିବି ନାହିଁ । ମୁଁ ତୁମକୁ ଭକ୍ତି ଦେଖାଇ ସନ୍ତୁଷ୍ଟ କରିବାକୁ ଚାହେଁ ଓ ପ୍ରତି ବଦଳରେ ତୁମ ପାଖକୁ କେବଳ ସ୍ନେହ ମୁଁ କାମନା କରେ । ମୁଁ ତୁମର ସ୍ନେହର ଦାସୀ । ଅଞ୍ଜଳି ପାତି ମୁଁ ତୁମକୁ କେବଳ ସ୍ନେହ କଣିକାଏ ପାଇଁ ନିବେଦନ କରେ । ମୁଁ ତୁମର ସ୍ନେହ ଭିକ୍ଷା କରେ । ଏତିକି ବ୍ୟତୀତ ତୁମ ପାଖରୁ ଅନ୍ୟ କିଛି ପାଇବାକୁ ମୁଁ ଜୀବନରେ କେବେ ଆଶା କରେ ନାହିଁ ।”

 

ତମିସ୍ର।ର ଏ ସମସ୍ତ କଥା ଶୁଣି ସେତେବେଳେ ଶୁଭେନ୍ଦୁ ମନେମନେ ଗର୍ବ ଅନୁଭବ କରୁଥିଲେ । ପୂର୍ବଜନ୍ମର କର୍ମଫଳ ନଥିଲେ ତମିସ୍ରା ଭଳି ସ୍ତ୍ରୀ କୌଣସି ପୁରୁଷ ଭାଗ୍ୟରେ ଘଟେ ନାହିଁ । ଏହି କଥା ଭାବି ସେ ସାରା ବିଶ୍ୱରେ ନିଜକୁ ଜଣେ ଭାଗ୍ୟବାନ ପୁରୁଷ ବୋଲି ଅନୁମାନ କରି ଆନନ୍ଦରେ ଆତ୍ମହରା ହୋଇଯାଇଥିଲେ ।

 

ତମିସ୍ର। ନିଜକୁ ତିଳ ତିଳ ଦଗ୍ଧ କରି ଶାଶୁ ଓ ଶଶୁରଙ୍କ ସେବା ଯତ୍ନରେ ଲାଗି ଯାଇଥିଲା । ସେଥିପାଇଁ ତା’ ମନରେ ଦୁଃଖ ନଥିଲା କିମ୍ବା ଅନୁଶୋଚନା ମଧ୍ୟ ନ ଥିଲା । ସେ ଜାଣିଥିଲା ବୁଢ଼ା ବୁଢ଼ୀ ଦୁଇଜଣ ହେଉଛନ୍ତି ତା’ର ସ୍ୱାମୀର ବାପା ମାଆ । ସେ ଦୁଇଜଣଙ୍କୁ ହତାଦର କଲେ, ସେ ଦୁଇଜଣଙ୍କୁ ଅବହେଳା କଲେ ତା’ର ସ୍ୱାମୀର ମନ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେବ ନାହିଁ କି ? ତା’ର ସ୍ୱାମୀ ତାକୁ ଘୃଣା କରିବେ ନାହିଁ କି ?

 

ଏକେ ତ ତା’ର ରୂପ ନ ଥିଲା ବୋଲି ଶାଶୁ ତାକୁ ଦେଖି ସହି ପାରୁନଥିଲେ । ସେଥିରେ ସେ ଯଦି କର୍ତ୍ତବ୍ୟ ଦ୍ୱାରା ଅନ୍ୟକୁ ସନ୍ତୁଷ୍ଟ କରିନପାରିଲା ତେବେ ସେ କ’ଣ ପାଇଁ ଦୁନିଆକୁ ଆସିଥିଲା ? ଏତିକି ଭାବି ସେ ନିଷ୍ଠା ସହକାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଯାଉଥିଲା । ଅମ୍ଲାନ ବଦନରେ ଯିଏ ଯାହା କହୁଥିଲେ ହସି ହସି ସେ ସହ୍ୟକରି ଯାଉଥିଲା । ସେ ସବୁବେଳେ ଭାବୁଥିଲା କହିବା ଲୋକ ଜଗତରେ ବଡ଼ ହୁଏ ନାହିଁ । ସହିବା ଲୋକ ସବୁ ବେଳେ ହୁଏ ଜଗତରେ ବଡ଼ ।

 

ଯଥେଷ୍ଟ ସହ୍ୟ କରିବାର ଶକ୍ତି ତମିସ୍ରାର ଥିଲା । କନକ ଦେବୀଙ୍କର ପାଟି ଥିଲା ‘ସେଭନ ଓ କ୍ଳକ୍’ ବ୍ଲେଡ଼୍ ଠାରୁ ଆହୁରି ଦାଢ଼ୁଆ । ଯେତେବେଳେ ଯାହା ତାଙ୍କ ପାଟିକୁ ଆସୁଥିଲା ସେ ତମିସ୍ରାକୁ କହିଯାଉଥିଲେ । କିନ୍ତୁ ତମିସ୍ରା କେବେ ଭୁଲରେ ସୁଦ୍ଧା ପାଟି ଫିଟାଇ ନାହିଁ କିମ୍ବା ଆଖିରୁ ଲୁହ ଟୋପାଏ ନିଗାଡ଼ି ନାହିଁ । ଯେ ଦେଖୁଥିଲା ସେ କହୁଥିଲା, ‘‘ଧନ୍ୟ ସେ ଝିଅ ! ସେ ବୋଲି କେବଳ ରଣରଙ୍ଗିନୀ କନକ ଦେବୀଙ୍କୁ ପାରିଛି । ଯେଉଁଠାରେ ଶିବ ଭଳି ସ୍ୱାମୀ ନିଜେ ଜୀବନବାବୁ ହାରିଗଲେ ସେଠାରେ ତମିସ୍ରା ସେ କିପରି ଜିତି ପାରିଲା’’ ଏୟା ଭାବି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲେ ।

 

କୌଣସି ଗୋଟିଏ ସ୍ତ୍ରୀର ପ୍ରଶଂସା ଶୁଣିଲେ ଅନ୍ୟ ଗୋଟିଏ ସ୍ତ୍ରୀ ହିଂସାରେ ଜଳିଯିବା ହେଉଛି ପ୍ରତ୍ୟେକ ସ୍ତ୍ରୀର ସ୍ୱଭାବ । ତମିସ୍ରାର ପ୍ରଶଂସା ଯେତେବେଳେ ସମସ୍ତଙ୍କ ମୁହଁରୁ ଶୁଣା ଯାଉଥିଲା ଏବଂ ସମସ୍ତେ ଯେତେବେଳେ ତମିସ୍ରାକୁ ଏକ ସ୍ୱରରେ କହିଥିଲେ, ‘ରୂପ ଅଙ୍ଗାର ହେଲେ କ’ଣ ହେବ ଗୁଣରେ ସାକ୍ଷାତ ଲକ୍ଷ୍ମୀ’, ସେତେବେଳେ ବେଶି ମନଦୁଃଖ କରିଥିଲା ଛାୟା ମାଆ ।

ତମିସ୍ରା ଯଦ୍ୟପି ଛାୟା ମାଆର ସମବୟସୀ ନଥିଲା ବା ଛାୟା ମାଆର ସାଙ୍ଗସାଥି ନଥିଲା ତଥାପି ଛାୟା ମାଆର କାନରେ ତମିସ୍ରାର ପ୍ରଂଶସା ପଡ଼ିଲେ ସେ ଦାନ୍ତ କଡ଼ମଡ଼ କରି କହୁଥିଲା–

‘‘ରହ ଲୋ ଟୋକୀ

କେତେ ମିଛେ ଯାଉ ଯାତରା ଦେଖି

ବେଳେ ପଡ଼ିଯିବୁ ଧରା,

ବାସି ଆମ୍ବିଳକୁ ରସୁଣ ଫୁଟ

କାଶି ଛିଙ୍କି ଅଧାମରା ।’’

ଛାୟା ମାଆର ଜନମ କଲା ଝିଅ ତମିସ୍ରା କହିଲେ ଚଳେ । ତଥାପି ତମିସ୍ରା ଉପରେ ଛାୟା ମାଆର ଏମିତି ରଗ ରଗ ହେବାର ଯଥେଷ୍ଟ କାରଣ ଥିଲା । ଛାୟା ମାଆକୁ କନକ ଦେବୀ ମୋଟେ ଦେଖି ସହି ପାରୁନଥିଲେ । ସେ କଥାରେ କଥାରେ କହୁଥିଲେ, ‘‘ଟିକିଏ ରୂପ ଥିଲେ ଏ କ’ଣ ଦୁନିଆ ରଖନ୍ତା ? କାଳୀ କୁତୁରୀକୁ କେତେ କଥା କହି ନ ଆସେ ? ଯେତେ କଥା କହି ମନ ମୋହି ଦେଲେ କ’ଣ ଆଖିକୁ ରୁଚିବ ଯେ ଲୋକ ଏହାକୁ ରସିବେ ?’’

ଶାଶୁ ବୋହୂର କିପରି ଗୋଟାଏ ଭାରତ ଯୁଦ୍ଧ ହେଉ ନଚେତ୍ ରାମ ରାବଣ ଯୁଦ୍ଧ ହେଉ ଏହା ଦେଖିବା ଉଦ୍ଦେଶ୍ୟରେ ସେଥିପାଇଁ ଛାୟା ମାଆ ଆସି ସବୁବେଳେ ତମିସ୍ରାର ମନ ନେବାପାଇଁ ଯେତେ ଚିକଣ ଚିକଣ କଥା ବନେଇ ଚୂନେଇ କହିଯାଉଥିଲା ।

 

ତମିସ୍ରା ପାଠୋଇ ଝିଅ । ସେ ଗାଁ ମାଇପଙ୍କ ମନ୍ଥରା ପଣକୁ ଲକ୍ଷେ ଜୁହାର ହୋଇ ଦୂରରେ ରହୁଥିଲା । ଛାୟା ମାଆ ତମିସ୍ରାର ପେଟରେ ପଶି ଗୋଟିପଣେ ନିଜର ହେବାକୁ ଯେତେ ଚେଷ୍ଟା କରୁଥିଲା ସେ ସେତେ ଛାୟା ମାଆ ପାଖରୁ ଦୂରେଇ ଯାଉଥିଲା ।

 

ତଥାପି ଛାୟା ମାଆ ନଛୋଡ଼ବନ୍ଦା । ଶାଶୁ ବୋହୂଙ୍କ ବାଦିପାଲା କିମିତି ଦେଖିବ ଓ ସେ ହସି ହସି କେମିତି ଗାଇବ–

 

ନାଲି ଟହ ଟହ ପଲାଶ ଫୁଲ କି

ଚୁମ୍ବନ ଢଳାଇ ଅଳି ?

ଗୁଣ ନ ଦେଖିଣ ରୂପ ଦେଖି କେବେ

ପୁରୁଷ କି ଯାଏ ଝଳି ?

 

ଏତିକି ଇଚ୍ଛା ତା’ର ପୂରଣ ହୋଇପାରିଲା ନାହିଁ । ଛାୟା ମାଆର ମନର କଥା ମନରେ ରହିଗଲା । ଯେତେ ଚେଷ୍ଟା କଲେ ସୁଦ୍ଧା ତମିସ୍ରା ପେଟରୁ କଥାପଦେ ନେଇପାରିଲା ନାହିଁ । ସେଥିପାଇଁ ସେ ତମିସ୍ରାକୁ ମନେମନେ କେତେ କ’ଣ ରବେଇ ଖବେଇ ହୋଇ ‘ମୋ ଝୁଅ ଲୋ ! ମୋ ମା’ ଲୋ !’ ଖାଲି ଉପରେ ଉପରେ କହୁଥିଲା ।

 

ପଛକଥା ସବୁ ତମିସ୍ରାର ମନେପଡ଼ି ଯାଉଥିଲା । ତମିସ୍ରାର ବଡ଼ ପୁଅର ନାମ ସମରେନ୍ଦ୍ର । ସମରେନ୍ଦ୍ର ସେତେବେଳେ ଗୁରୁଣ୍ଡୁ ଥାଏ । ଦିନେ ଛାୟା ମାଆ ଆସି ସମରେନ୍ଦ୍ରକୁ କୋଳରେ ବସାଇ ହସି ହସି ତମିସ୍ରାକୁ ଶୁଣାଇ ଶୁଣାଇ ତା’ର ମନ ନେବାକୁ ଗାଇଥିଲା-

 

‘‘କଳା ବିନୋଦିଆ ଚାନ୍ଦ

ପାତିଛି ଗୋ ରାଧା ! ଫାନ୍ଦ,

କିପରି ଧରିଛୁ ଦେହ ?

 

ଭରା କଳସୀକୁ କାଖରେ ବସାଇ

ଯମୁନା କିଆଁ ନ ଯାଅ ?

 

ତଥାପି ତମିସ୍ରା ହରି କିମ୍ବା ହର ବୋଲି ପଦେହେଲେ କିଛି କହିନଥିଲା । ସେ କେବଳ ହସି ହସି ଗଡ଼ି ଯାଇଥିଲା ।

 

ଛାୟା ମାଆର ଏହି କଥା ଶୁଣି ବରଂ କନକ ଦେବୀ ଓଲଟି କହିଥିଲେ, ଆଲୋ ବାଳୁତ ପୁଅଟାକୁ କୋଳରେ ବସାଇ ଏତେ ରଙ୍ଗରସ କାହିଁକି ହେଉଛୁ ?

 

ଛାୟା ମାଆ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲା, ‘‘ଜଗତ ଆଖିରେ ଯେଉଁ କୃଷ୍ଣ ପିଲା ଥିଲେ ସେ ରାଧା ଆଖିରେ କ’ଣ ପିଲା ? ନଟୁଚୋରୀ କ’ଣ ଶୁଭବୋଉ ପଢ଼ି ନାହିଁ କି ? କଥାରେ ଅଛି ପରା-

 

ପାକୁଆ ପାଟିକୁ କଷି କାକୁଡ଼ି

ପାକୁଆ ପାଟିକୁ ଗରମ ମୁଢ଼ି

ସଦକାଳେ ଲାଗେ ମିଠା

ମନ ବୁଝି କଥା କହି ନ ଜାଣିଲେ

ମନ ହୋଇଯାଏ ଖଟା ।’’

 

ଛାୟା ମାଆର ଥିଲା କଥାପଦକୁ ଢଗ ପଦେ । କଥା କଥାକୁ ଥିଲା ତା’ର ପହଡ଼ି । ରାଇଜଯାକର ଢଗଢମାଳି ସବୁ ତା’ର ଜିଭ ଅଗରେ ଥୁଆ । ମଣିଷର ମନ ଜାଣି କଥା କହି ନିଜର ଫାଇଦା ହାସଲ କରିବା ଥିଲା ଛାୟା ମାଆର ସ୍ୱଭାବ ।

 

ଛାୟା ବାପାଙ୍କ ସ୍ୱଭାବ ଥିଲା ସମ୍ପୂର୍ଣ୍ଣ ଓଲଟା । ନାକ କାଟିଲେ ବି ସହଜରେ ବଚନ ତାଙ୍କର ବାହାରେ ନାହିଁ । ତେଣୁ ଛାୟା ମାଆ ଏତେ କହିଲାବାଲୀ ନା ! ଯେଉଁ ମରଦଙ୍କ କାନ କାଟିଲେ ବଚନ ବାହାରେ ନାହିଁ ତାଙ୍କ କପାଳକୁ ଠାକୁରେ ଆଣି ଛାୟା ମାଆ ଭଳି ସ୍ତ୍ରୀ ଜୁଟାଇଥାଆନ୍ତି ।

 

ଛାୟା ମାଆ ଜାଣିଥିଲା ରୂପବତୀ ନାରୀର ରୂପ ସମ୍ବନ୍ଧରେ ବଢ଼ାଇ କରି କହିଲେ, ଗୁଣବତୀ ନାରୀର ଗୁଣକୁ ଶହେଗୁଣ କରି କହିଲେ ଏବଂ ପୁତ୍ରବତୀ ନାରୀର ପୁଅର ଗୁଣ ଓ ରୂପକୁ ପ୍ରଶଂସା କରି କହିପାରିଲେ ନାରୀର ମନ ଅନାୟାସରେ ନେଇହୁଏ ।

 

ତମିସ୍ରାର କୌଣସି ରୂପ ନଥିଲା । ତେଣୁ ଛାୟା ମାଆ କେବେହେଲେ ତମିସ୍ରାର ରୂପକୁ ତାରିଫ୍ କରି ତା’ ପାଖରେ କହିବା ଆବଶ୍ୟକତା ନାହିଁ ଜାଣି ମୋଟେ କହୁନଥିଲା । ସେ ଶତମୁଖରେ ତମିସ୍ରାର ଗୁଣକୁ ପ୍ରଶଂସା କରି ଥକିଗଲା ପଛେ ତଥାପି ତମିସ୍ରା ପାଟିରୁ ଭିତିରି କଥା ପଦେହେଲେ ନେଇପାରିଲା ନାହିଁ । ତେଣୁ ସେ, ସମରେନ୍ଦ୍ରର ଜନ୍ମ ପରେପରେ ସବୁବେଳେ ତମିସ୍ରା ପାଖରେ ସମରେନ୍ଦ୍ରର ପ୍ରଶଂସା ଗାଉଥିଲା ।

 

ସମରେନ୍ଦ୍ରର ଦେହର ରଙ୍ଗ ଥିଲା ତମିସ୍ରା ପରି । ତେଣୁ କେହି ନ କହିଲେ ବି ଛାୟା ମାଆ କହୁଥିଲା, ‘‘ମାଆ ପରି ପୁଅ ଓ ବାପ ପରି ଝିଅ ହେଲେ ସେମାନେ ଶୁଖି ହୁଅନ୍ତି ।’’

 

ତମିସ୍ରା ଏସବୁ ଶୁଣି ଶୁଣି ଦିନେ କହିଥିଲା, ‘‘ମାଉସୀ ! ମୋ କାଳିଆ ପୁଅକୁ ତୁମକୁ ଏଡ଼େ ଶ୍ରଦ୍ଧା କାହିଁକି କହିଲ ?

 

ଛାୟା ମାଆ ହସିଦେଇ କହିଥିଲା, ‘‘କଳା ପୁରୁଷ, କଳା ରାତି, କଳା ଲୁଗାକୁ ଅଭିସାରିକା ନାୟିକା ସବୁବେଳେ ପସନ୍ଦ କରେ । ସେଥିପାଇଁ ପରା ରାଧା ପ୍ରତି ରାତିରେ କଳା ଶାଢ଼ି ପିନ୍ଧି କଳାକାହ୍ନୁକୁ ମନ ମଧ୍ୟରେ ସ୍ମରଣ କରି ଚନ୍ଦ୍ରସେଣାର ବାହୁ ପାଶରେ ଆବଦ୍ଧ ରହି ମଧ୍ୟ ହୃଦୟ ମଧ୍ୟରେ କହୁଥିଲେ-

 

କାଳିଆ କାହ୍ନୁ

ଯେତେ ଯାହା କଲେ ନଯାଏ ମନୁ ।’’

 

ଏତିକି ଛାୟା ମାଆ କହିସାରିଥିଲା କି ନାହିଁ ସେତିକିବେଳେ କନକ ଦେବୀ ସଭା ସ୍ଥଳରେ ଉପସ୍ଥିତ ହୋଇ କହିଲେ, ‘‘କ’ଣ କଳା ଲୁଗା କଥା କହୁଥିଲୁ ଛାୟା ମାଆ ?

 

ଛାୟା ମାଆ ଟିକିଏ ଅସ୍ୱାଭାବିକ ଭାବରେ କିମିତି ମୁରୁକି ହସ ହସିଦେଇ କହିଲା, ‘‘ତୁମେ ତ ବୁଢ଼ୀ ହେଲଣି । ଏତିକି କ’ଣ ତୁମେ ଜାଣିନାହଁ ଯେ ମୋତେ ପୁଣି କଳାଲୁଗା କଥା ପଚାରୁଛ ?’’

 

ଛାୟା ମାଆ କଥାରୁ କୌଣସି ବିନ୍ଦୁ ବିସର୍ଗ କନକ ଦେବୀ ବୁଝିପାରିଲେ ନାହିଁ । ତମିସ୍ରା ମଧ୍ୟ କିଛି ବୁଝିପାରିଲା ନାହିଁ । କଳା ଶାଢ଼ି ସମ୍ବନ୍ଧରେ ଗୋଟାଏ ଗହନ କଥା ନିଶ୍ଚେ ଛାୟା ମାଆ କହିବ ଏହା ଭାବି ତମିସ୍ରା ଛାୟା ମାଆ କ’ଣ କହିବ ତାହା ଶୁଣିବା ପାଇଁ ଅପେକ୍ଷା କଲା ।

 

ସାତ୍ତ୍ୱିକ ପ୍ରେମ ଖୋଜି ଖୋଜି ଯେଉଁ ନାରୀ ପ୍ରେମ ନ ପାଇ ଜଳିପୋଡ଼ି ମରେ ସେ ରାତିହେଲେ ଧଳା ଶାଢ଼ି ପିନ୍ଧେ । ପ୍ରେମକୁ ଯେଉଁ ସ୍ତ୍ରୀ ହାତମୁଠାରେ ଧରିଥାଏ ସେ ସବୁବେଳେ ରଙ୍ଗିନ ହେବାକୁ ଚାହେଁ । ଯାହାର ଭିତରଟା ରଙ୍ଗିନ୍ ତାହାର ଉପରଟା ଯଦି ରଙ୍ଗିନ୍ ନ ହୁଏ ତାକୁ ଭଲଲାଗିବ କୁଆଡ଼ୁ ?’’ ଏତିକି କହି ଛାୟା ମାଆ ନିଜେ ହସି ହସି ଗଡ଼ିଗଲା ।

 

ପାଖରେ ଶାଶୁ ବସିଥିଲେ । ତେଣୁ ତମିସ୍ରା ମନଖୋଲି ହସିପାରିଲା ନାହିଁ କିମ୍ବା କେଉଁ ପ୍ରେମକୁ ସାତ୍ତ୍ଵିକ ପ୍ରେମ କୁହାଯାଏ ଏହି କଥା ମଧ୍ୟ ପଚାରିପାରିଲା ନାହିଁ । ସେ କେବଳ ଓଠ ଚିପି ଚିପି ହସିଲା ।

 

ଛାୟା ମାଆର ଏହି କଥାପଦକ କନକ ଦେବୀଙ୍କୁ ମୋଟେ ଭଲଲାଗିଲା ନାହିଁ । ଯେ ଭାବିଲେ ତାଙ୍କୁ ଉପଲକ୍ଷ କରି ଛାୟା ମାଆ ନିଶ୍ଚେ ଏହି କଥା କହିଛି । ତେଣୁ ସେ ବିରକ୍ତ ହୋଇ କହିଥିଲେ, ‘‘ଘୋଡ଼ୀ ଭଳି କେତେ ହେଁ ହେଁ ହେଉଛୁ ମ ?’’

 

ତମିସ୍ରା ଶାଶୁର ଭାରାକ୍ରାନ୍ତ ମୁହଁକୁ ଦେଖିଲା ପରେ ପରେ ତା’ର ମନମଧ୍ୟରେ ଶାଶୁ ପ୍ରତି ଦୟା ଜାତ ହୋଇଥିଲା । ଶାଶୁଘରକୁ ଆସିଲାଦିନଠାରୁ କେବେ ଶାଶୁ ଶଶୁରଙ୍କୁ ଏକା ଘରେ ଶୋଇବାର ସେ ଦେଖିନାହିଁ । ଶାଶୁ ଶୋଉଥିଲେ ସବୁଦିନେ ତମିସ୍ରା ସଙ୍ଗରେ ଏବଂ ଜୀବନବାବୁ ଶୋଉଥିଲେ ଦାଣ୍ଡଘରେ ।

 

ଯେଉଁଦିନ ଶୁଭେନ୍ଦୁ ଘରକୁ ଆସୁଥିଲେ ସେହିଦିନ କନକ ଦେବୀ ଅନ୍ୟ ଗୋଟିଏ ଘରେ ଶୋଉଥିଲେ ।

 

ରାତି ନିଦ ଭାଜିଗଲେ ଯେତେବେଳେ ତମିସ୍ରା ବାହାରକୁ ଉଠୁଥିଲା ଶାଶୁଙ୍କୁ ବାହାର ପିଣ୍ଡାରେ ଛିଡ଼ାହୋଇ ଶୂନ୍ୟ ଆକାଶକୁ ଅନେଇ ରହିବାର ସେ ଦେଖିଛି । ଧାରା ଶ୍ରାବଣର ଘନ ଅନ୍ଧକାର ରଜନୀରେ ସେ ଶାଶୁଙ୍କୁ ଝରକା ପାଖରେ ଛିଡ଼ାହୋଇ ଦୀର୍ଘଶ୍ୱାସ ପକାଇବାର ମଧ୍ୟ ଦେଖିଛି । ଜ୍ୟୋତ୍ସ୍ନାଧୌତ ରଜନୀକୁ କନକ ଦେବୀ କେତେ କେତେ ଆଖିଲୁହରେ ଯେ ବିଦାୟ ଦେଇଛନ୍ତି ସେ କଥା ତମିସ୍ରା ଜାଣେ । ଭସା ବଉଦ ସଙ୍ଗରେ ଚନ୍ଦ୍ର ଯେତେବେଳେ ମାୟା ରଚୁଥିଲା ସେତେବେଳେ କନକ ଦେବୀ ଶୂନ୍ୟକୁ ହାଇ ତୋଳି ‘ହାୟ ଭଗବାନ !’ କହି କେତେ ଯେ ଦୀର୍ଘଶ୍ୱାସ ଢାଳୁଥିଲେ ସେ ସବୁ ତମିସ୍ରା କାନପୂରାଇ ଶୁଣିଛି ।

 

ତଥାପି ଶଶୁର କନକ ଦେବୀଙ୍କୁ ଆଶ୍ୱାସନା ଦେଇ କଥାପଦେ ହେଲେ କହିନଥିଲେ । ଶଶୁରଙ୍କର ଏ ପ୍ରକାର ହୃଦୟହୀନତାକୁ ତମିସ୍ରା ମୋଟେ କ୍ଷମା ଦେଉନଥିଲା ବରଂ ସେ ଜାଣିବାକୁ ଚାହୁଁଥିଲା ଶଶୁର ଏ ଅନାସ୍ଥା ଭାବ କାହିଁକି ପ୍ରଦର୍ଶନ କରୁଛନ୍ତି ?

 

ଜଣକ ପାଇଁ ସ୍ତ୍ରୀ ବାପ, ମା’, ଭାଇ, ଭଉଣୀ ସବୁ ଭୁଲିଯାଏ । ଜଣକ ପାଟିରୁ ପଦେ କଥା ଶୁଣିଲେ ତା’ର ହୃଦୟ ସାଗରରେ ପୂର୍ଣ୍ଣିମାର ଜୁଆର ଉଠେ । ସେ ଜଣକ ଯଦି ଦୂରେଇଦିଏ, ସେ ଜଣକ ଯଦି ପଦେ କଥା ନ କହେ ତେବେ ନାରୀ ଜନ୍ମର ସାର୍ଥକତା କ’ଣ ?

 

କନ୍ୟା କହ, ପୁତ୍ର କହ, ଏ ସମସ୍ତେ କେବଳ ଅସଞ୍ଜମତା ହେତୁ ଦୁନିଆରେ ଜନ୍ମଗ୍ରହଣ କରନ୍ତି । ସେଥିପାଇଁ ଅନାବିଳ ସ୍ନେହ କିମ୍ବା ନିର୍ମଳ ପ୍ରେମ ସନ୍ତାନ ଉତ୍ପାଦନ ସକାଶେ ପ୍ରୟୋଜନ ହୁଏନାହିଁ କହିଲେ ମଧ୍ୟ ଚଳେ । ସ୍ନେହ ଓ ପ୍ରେମ ବିହୁନରେ ମଧ୍ୟ ସନ୍ତାନ ସନ୍ତତି ଉତ୍ପାଦନ ହେବା ସମ୍ଭବ । ଦୁଇଟି ସୃଜନକାରୀ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ । ପ୍ରକୃତିର ଏହି ନିୟମକୁ ହୃଦୟବାନ୍ ବ୍ୟକ୍ତି ମାତ୍ରେ ମୋଟେ ଅସ୍ୱୀକାର କରିବେ ନାହିଁ ।

 

ସମସ୍ତେ କନକ ଦେବୀଙ୍କୁ ସମାଲୋଚନା କରି କହୁଥିଲେ କନ୍ଦର୍ପ ଭଳି ସୁନ୍ଦର ସ୍ୱାମୀଙ୍କୁ ଯେତେବେଳେ କନକ ଦେବୀଙ୍କ ମନ ନ ମାନିଲା ଆଉ ନିଜେ କ’ଣ ମଦନ ଏହାଙ୍କ ପାଇଁ ଫୁଲଧନୁ ଧରି ସ୍ୱର୍ଗରୁ ଆସି ଏହି ମହୀମଣ୍ଡଳରେ ଜନ୍ମଗ୍ରହଣ କରିଥାନ୍ତା ?

 

ପଞ୍ଚ ବକାରରେ ପୁରୁଷ ଶ୍ରେଷ୍ଠ ହୁଏ । ଏହା ହେଉଛି ମହାପୁରୁଷଙ୍କର ବାଣୀ । କିନ୍ତୁ ଏ କାଳରେ ଧନ ଥିଲେ ପୁରୁଷ ବୋଧହୁଏ ଶ୍ରେଷ୍ଠ ହୁଏ । କେବଳ ପୁରୁଷର ସୁନ୍ଦର ରୂପ ଦେଖି ନାରୀ ମୋଟେ ତନ୍ମୟ ହୁଏନାହିଁ । ନାରୀର ମନ ନେବାପାଇଁ, ନାରୀର ହୃଦୟ ଜୟ କରିବା ପାଇଁ ପୁରୁଷର ଅନେକ ସଦ୍‍ଗୁଣ ଲୋଡ଼ା । ମଣିଷ ଏହା କ’ଣ ବୁଝେ ? କିଏ ଯେ ଦୁନିଆରେ କ’ଣ ବୁଝେ ତାହା ସେ ମଧ୍ୟ ଜାଣେନାହିଁ । ତେଣୁ ଅନ୍ୟକୁ ଖାଲି ସମାଲୋଚନା କରେ ଅଯଥାରେ ।

 

କନକ ପ୍ରତିମା ପରି କନକ ଦେବୀଙ୍କ ରୂପ ଥିଲା । କିନ୍ତୁ ସେ ରୂପ ଯେତେବେଳେ ଜୀବନବାବୁଙ୍କ ଆଖିକୁ ମୋଟେ ଭଲ ଦେଖାଗଲା ନାହିଁ ସେତେବେଳେ କ’ଣ ପାଇଁ ଯେ କନକ ଦେବୀ ରୂପର ଗର୍ବ କରୁଥିଲେ ଏହି କଥା ତମିସ୍ରା ମୋଟେ ବୁଝିପାରୁନଥିଲା । ତେବେ ଏତିକି ତମିସ୍ରା ବୁଝିଥିଲା ରୂପବତୀ ନାରୀ ରୂପର ଗର୍ବରେ ଫାଟିପଡ଼ି ଶେଷରେ ସଇଁଯାଏ ଏବଂ ଧନୀର ଦୁଲାଳୀ ଧନ ଗର୍ବରେ ଏମିତି ଫୁଲିଯାଏ ଓ ନିଜକୁ ଅତି ବଡ଼ ବୋଲି ମନେକରେ ଯେ ଶେଷରେ କାହାରି ମନର ହୁଏ ନାହିଁ ।

 

ବୋଧହୁଏ ଅସୁନ୍ଦରୀ ସ୍ତ୍ରୀର କିଛି ନଥାଏ ବୋଲି ସେ ପ୍ରାଣପଣେ ଲାଗିପଡ଼ି ଅପରର ଶ୍ରଦ୍ଧାଭାଜନ ହେବାକୁ ଶତ ଚେଷ୍ଟା କରେ ଏବଂ ଶେଷରେ ସେ ବିଜୟ ହାସଲ କରେ । ମଣିଷ ମାତ୍ରେ ହିଁ ଗୁଣଗ୍ରାହୀ । ତେଣୁ ସେ ଅବଶେଷରେ ସ୍ୱାମୀର ହୁଏ, ପୁଅ ଝିଅର ହୁଏ ଏବଂ ଶାଶୁ ଶଶୁରର ମଧ୍ୟ ହୁଏ । ଗାଁ ଲୋକେ ତ ସହଜରେ ନିଜର ହୋଇ କହନ୍ତି କୋଇଲି ରୂପ ପାଇଁ ଜଗତରେ ଆଦର ପାଏ ନାହିଁ । ସେ ଆଦର ପାଏ ତା’ର ଗୁଣ ପାଇଁ ।

 

ଶୋଇ ଶୋଇ ଅନେକ କଥା ତମିସ୍ରା ଭାବି ଯାଉଥିଲା । ସେତେବେଳକୁ ରାତି ଅନେକ ହୋଇଥାଏ । ତମିସ୍ରାର ଆଖିପତା ମୋଟେ ପଡ଼ୁନଥିଲା । ସେ ଶୋଇବାକୁ ଯେତେ ଚେଷ୍ଟା କରୁଥିଲା ପୂର୍ବ କଥା ସେତେ ପରିମାଣରେ ତାହାର ମନେପଡ଼ି ଯାଉଥିଲା ।

 

ରାଞ୍ଚିକୁ ଆସିବା ତାହାର ଦୁଇମାସ ହୋଇଗଲାଣି । ସ୍ୱାମୀଙ୍କ ଅବସ୍ଥାର କିଛି ପରିବର୍ତ୍ତନ ହୋଇନଥାଏ । ତଥାପି ତା’ର ବିଶ୍ୱାସ ଥିଲା ଯେ ଡାକ୍ତର ଡିଆନ ଯେତେବେଳେ ଭଲହୋଇଯିବ ବୋଲି କହୁଛନ୍ତି ସେତେବେଳେ ତାଙ୍କୁ ଅବିଶ୍ୱାସ କରିବାର କାରଣ କିଛି ନାହିଁ ।

 

ସଙ୍ଗରେ ତମିସ୍ରା ଶଶୁରଙ୍କୁ ନେଇଆସିଥିଲା । ଘରେ ଥିଲେ ଶାଶୁ, ଦୁଇପୁଅ ଓ ଝିଅ ଛବିଳା ।

 

ଅନେକ ଭାବନା ମଧ୍ୟରେ ମଧ୍ୟ ଦୁଇପୁଅର ମୁହଁ ଓ ଛବିଳାର ମୁହଁ ତମିସ୍ରାର ଆଖିଆଗରେ ନାଚି ଯାଉଥିଲା ।

 

ଛବିଳା ଥିଲା ଠିକ୍ ଛବି ପରି ସୁନ୍ଦରୀ । ଛବିଳାକୁ ବର୍ତ୍ତମାନ ଚାରି ପୂରି ପାଞ୍ଚ ଚାଲିଲା । ଯେଉଁଦିନ ଛବିଳା ଜନ୍ମହେଲା ସେହିଦିନର କଥା ଭାବୁଥିଲା ତମିସ୍ରା । ଶାଶୁ ଦୁଆର ମୁହଁରେ ଘିଅ ଦୀପ, ଶଙ୍ଖ, ଅରୁଆ ଚାଉଳ ଏମିତି କେତେ କ’ଣ ଥୋଇହୋଇ ଅପେକ୍ଷା କରି ବସିଥିଲେ । ଯିଏ ଆସୁଥିଲା ସମସ୍ତଙ୍କୁ ପଚାରୁଥିଲେ, ‘‘ଝିଅ ହେବ କି ପୁଅ ହେବ ?"

 

ସେତେବେଳକୁ ପ୍ରସବ ବେଦନାରେ ତମିସ୍ରା ଛଟପଟ ହେଉଥିଲା ।

 

ସେତେବେଳେ ଯିଏ କହୁଥିଲା, ‘‘ପୁଅଟିଏ ହେଉ, ଦୁଇଭାଇ ହୋଇଛନ୍ତି ତିନିଭାଇ ହେବେ, ଜଣେ ଘରେ ରହି ଚାଷ ବୁଝିବ ଆଉ ଦୁଇଜଣ ଚାକିରି କରିବେ ।’’ କନକ ଦେବୀ ତା’ ମୁଣ୍ଡରୁ ନିଖ ଝାଡ଼ିଦେଇ କହୁଥିଲେ, ‘‘ଖାଇବ ଚାହିଁ ରହିଥାଅ । ଦୁଇପୁଅର ଏକୋଇଶା, ଅନ୍ନପ୍ରାଶନକୁ ଖାଇ ଖାଇ ମନମାନି ନାହିଁ ଯେ ଆହୁରି ପୁଣି ଅନାଇ ରହିଛ ଖାଇବାକୁ । ପୁଅହେଲେ ଶଙ୍ଖଟିଏ ମଧ୍ୟ ବାଜିବ ନାହିଁ । ତୁମ ଖାଇବା କଥା ତେଣିକି ଥାଉ ।’’

 

ଏତିକିବେଳେ ଛାୟା ମାଆ ଆସି କହିଲା, ‘‘ଯଦି ଝିଅଟିଏ ହୁଏ ?’’

 

‘‘ଯାହା କହିବୁ ତାହା ଦେବି । କେନ୍ଦ୍ରାପଡ଼ା ରସାବଳି, ସାଲେପୁର ରସଗୋଲା, ଭୁବନେଶ୍ୱର କୋରା, ଚିଲିକା କଙ୍କଡ଼ା, ଆହୁରି ଯଦି କହିବୁ ତେବେ ମଧ୍ୟ..........।’’

 

କନକ ଦେବୀଙ୍କ ପାଟିରୁ କଥା ଛଡ଼ାଇନେଇ ଛାୟା ମାଆ କହିଲା, ‘‘ଥାଉ ଥାଉ ଶୁଭବୋଉ ! ଧାମନଗର ଚୁଡ଼ା ଏବଂ ବାରିପଦା ଗରମ ମୁଢ଼ି ପର୍ଯ୍ୟନ୍ତ ଆଗେଇଯାଅ ନାହିଁ । ତୁମ କଥା ଶୁଣି ନ ଖାଇବା ଆଗରୁ ମଧ୍ୟ ପାଟିରୁ ଲାଳ ଗଡ଼ିଲାଣି ।’’

 

ଏତିକି କହିସାରି ଛାୟାମାଆ ଦୁଇଟା ହାତ ଉପରକୁ ଉଠାଇ ଷଠିଜୁଛିଙ୍କୁ ଲକ୍ଷେ ଜୁହାର ହୋଇ କହିଲା, ‘‘ହେ ମା’ ଠାକୁରାଣୀ ! ଝିଅଟିଏ ହେଉ । ବୁଢ଼ୀ କ’ଣ ଖୁଆଇବ ସେତିକିବେଳେ ଦେଖାଦେଖି । ଜାଣିଥା ବୁଢ଼ୀ ! ଯଦି ସେତେବେଳକୁ ଆକାଶ କଇଁଆ ଚିଲିକା ମାଛ, ଯାହାସବୁ କହିଗଲୁ ଯଦି ନ ମିଳେ, ତୋ ଦିହରୁ ମାଉଁସ କାଟି ଲୁଣ ଦେଇ ଚଖଣା ଯଦି ନ କରିଛି ତେବେ ମୁଁ ଛାୟା ମାଆ ନ ହୋଇ ହେବି ଛାୟା ମାଇଁ ।’’

 

ଜୀବନରେ କେବେ ନ ହସିଥିବା ଲୋକ ମଧ୍ୟ ଛାୟା ମାଆର କଥା ଶୁଣି ହସି ପକାଇଲା ।

 

ଏତିକିବେଳେ ଜେଜେମା ପାଖକୁ ଆସିଲା ଅମରେନ୍ଦ୍ର ।

 

ଧାର ଧାର ହୋଇ ଆଖିରୁ ତାହାର ଲୁହ ବହି ଯାଉଥିଲା । କନକ ଦେବୀଙ୍କୁ କୁଣ୍ଢାଇପକାଇ କହିଲା, ‘‘ଜେଜେମା ! ଭାଇନା ମୋତେ ମାଇଲା ।’’

କନକ ଦେବୀ ଅମରେନ୍ଦ୍ରକୁ କାଖ ଉପରକୁ ଉଠାଇନେଇ କହିଲେ, ‘‘ଭାଇନା ଆସୁ ଚକ୍ରବୃଦ୍ଧି ହାରରେ ହିସାବ ନିକାଶ କରି ତିନିଗୁଣ ତ ପିଠିରେ ବସାଇବି ।’’

 

ଅମର ଥିଲା ଦେଖିବାକୁ ଠିକ୍ ସମର ପରି । ଯେତେବେଳେ ଅମର ଜନ୍ମ ହୋଇଥିଲା ସେତେବେଳେ ମଧ୍ୟ ଛାୟା ମାଆ ତମିସ୍ରାର ମନନେବାକୁ କହିଥିଲା, ‘‘ଆଗରୁ ଆସିଥିଲେ କୃଷ୍ଣ । ପଛରେ ଆସିଲେ ଦ୍ୱିତୀୟକୃଷ୍ଣ ।’’

 

ଏମିତି ସିନା ସେ ଉପରେ ଉପରେ କହୁଥିଲା କିନ୍ତୁ ମନଭିତରେ ସେ କହୁଥିଲା-

 

‘‘କାଳିଆ କେନ୍ଦୁ

ରୂପ, ଗୁଣ ନାହିଁ କେତେ ଗୋ କାନ୍ଦୁ ?’’

 

ମନନେବାକୁ ସବୁପ୍ରକାର ଫନ୍ଦିଫିକର କରି ଏବଂ ଦୁନିଆରେ ଯେତେପ୍ରକାର ଚିକ୍କଣ କଥା ଅଛି ସେ କାର୍ଯ୍ୟ ସବୁ କ୍ଷେତ୍ରରେ ଲଗାଇ ଲଗାଇ ଛାୟା ମାଆ ଥକିଗଲା ତଥାପି ପଦେ ବୋଲି କଥା ତମିସ୍ରା ପେଟରୁ ନେଇପାରିଲା ନାହିଁ । କନକ ଦେବୀ ନଥିଲାବେଳେ ତମିସ୍ରାକୁ ଶାଶୁ ନାମରେ କେତେ କଥା ଛାୟା ମାଆ କହିଯାଉଥିଲା କିନ୍ତୁ ତମିସ୍ରା କିଛି କହୁନଥିଲା । ସେ କେବେ କେବେ ଶୁଣୁଥିଲା ଓ କେବେ କେବେ ମଧ୍ୟ କଥାକୁ ଏଡ଼ିଦେଇ କାମ କରିବା ବାହାନା କରି ଏଣେତେଣେ ଉଠି ଚାଲିଯାଉଥିଲା ।

 

କୌଣସି କଥା ତମିସ୍ରା ପାଶୋରିନଥିଲା । ସବୁକଥା ତା’ର ମନେରହିଛି ।

 

ଛବିଳା ଜନ୍ମ ବେଳର କଥା । ତମିସ୍ରା ସେମିତି ପ୍ରସବ ବେଦନା ଅନୁଭବ କରୁଥିଲା । ଶାଶୁ ଘନ ଘନ ଧାଇକୁ କହୁଥିଲେ, ‘‘ଝିଅହେବା କଥା ଶୁଣିଲେ ସାତଥର ଶଙ୍ଖ ଫୁଙ୍କିବି । ପୁଅହେଲେ ଥରୁଟିଏ ମଧ୍ୟ ନୁହେଁ ।’’

 

ବୁଢ଼ୀ ଅସ୍ଥିର ହୋଇ ପୁଣି ଅମରକୁ ପଚାରିଲେ, ‘‘ସତ କହିବୁ ଅମୁ ! ତୋର ଭାଇହେବ କି ଭଉଣୀ ହେବ ?"

 

ଅମର କହିଲା, ‘‘କ’ଣ ଦେବୁ କହିଲୁ ?’’

 

‘‘ସଠିକ କହିବୁ ଯଦି ସୁନାବଳା ଦେବି ।’’

 

ଗୋଲାପୀ ଓଠରେ ହସର ଲହରି ଖେଳାଇଦେଇ ଅମର କହିଲା, ‘‘ଏଥର ମୋର ଭଉଣୀଟିଏ ହେବ ।’’

 

ବୁଢ଼ୀର ଆନନ୍ଦ ଦେଖେ କିଏ ? ସେ ଅମରକୁ ଗୋଟିଏ ବୋକ ଦେଇ କହିଲେ, ‘‘ନିଶ୍ଚେ ତୋ ପାଇଁ ସୁନାବଳା ଗଢ଼େଇ ଦେବି ।’’

 

କନକ ଦେବୀଙ୍କ ପାଟିରୁ କଥା ସରିଛି କି ନାହିଁ ଧାଇ କହିଲା, ‘‘ମାଉସୀ ! ଶଙ୍ଖ ବଜାଅ-। ଝିଅଟିଏ ହେଲା ।"

 

ଶଙ୍ଖ ବଜାଇବା କଥା ସେତେବେଳେ କନକ ଦେବୀ ଏକାବେଳକେ ପାଶୋରି ଦେଇଥିଲେ । ସେ ଛାୟା ମାଆକୁ କୁଣ୍ଢାଇ ପକାଇ କହିଲେ, ‘‘ଛାୟା ମାଆ ! ନିଶ୍ଚେ ତୋତେ ମଗଜଲଡ଼ୁ ଖୁଆଇବି । କଥାଦେଇଛି ଯେତେବେଳେ କଥା ଆଉ ଲେଉଟିବ ନାହିଁ ।’’

 

ଛାୟା ମାଆ ମନେମନେ କହିଲା କଥାରେ କଥାରେ ନାରୀ ସବୁ ଦେଇଦିଏ କିନ୍ତୁ ଦେଲାବେଳକୁ...... ?

 

କନକ ଦେବୀଙ୍କ ମାନସିକ ଅବସ୍ଥାକୁ ଲକ୍ଷ୍ୟକରି ଛାୟା ମାଆ ପ୍ରକାଶ୍ୟରେ ବୋହୂପଟ ଧରି କହିଲା, ‘‘ସେତେବେଳେ ତୁମେ ବୋହୂକୁ ଦେଖି ସିନା ନାକ ଟେକୁଥିଲ ? ଦେଖିଲ, ସେ ବୋହୂ କ’ଣ ନ କଲା ?’’

 

କାହାରି ପ୍ରଶଂସା ଶୁଣି ଖୁସିହେବା ଲୋକ ନଥିଲେ କନକ ଦେବୀ । ସେ କୌଣସି ଉପ୍ରୋଧ ନ ରଖି ମୁହେଁ ମୁହେଁ ଜବାବ୍ ଦେଇ କହିଲେ-

 

‘‘ଘଷିଲେ ମାଜିଲେ ପୋଡ଼ା ଅଙ୍ଗାର କି

ରୁପା ପରି ଧଳା ହୋଇବ,

ସୁନା ପିଞ୍ଜରାରେ କୂଆକୁ ରଖିଲେ

ଶୁଆ ପରି କି ସେ ଗାଇବ ?’’

 

ଛାୟା ମାଆର ମୁହଁ ଶୁଖିଆସିଲା । ସେ ମନେମନେ କହିଲା, ‘‘କି ଶାଣଦିଆ ମୁହଁ ଲୋ-?’’

 

ଗଲା କଥା ଯାଇଛି । ଛାୟା ମାଆ କଥାର ଖିଅ ବଦଳାଇ କହିଲା, ‘‘ଶୁଭ ପାଖକୁ ଖବରଦିଅ ।’’

 

ଛାୟା ମାଆ ସ୍ନେହରେ ଶୁଭେନ୍ଦୁକୁ ‘ଶୁଭ’ ବୋଲି ଡାକେ ।

 

ଖବରପାଇ ଶୁଭେନ୍ଦୁ ତହି ଆରଦିନ ସନ୍ଧ୍ୟାକୁ ଘରକୁ ଆସିଲେ । ସେ ଅନ୍ତୁଡ଼ିଶାଳକୁ ପଶିଯାଇ କହିଲେ, ‘‘ତମିସ୍ରା ! ତୁମର ନବଜାତ କନ୍ୟାକୁ ଶୁଭେଚ୍ଛା ଜଣାଇବାକୁ ଆସିଛି । ଆଉ ତାହାପାଇଁ ଆଣିଛି ମୋର ଶୁଭ ଆଶୀର୍ବାଦ ।’’

 

ହସି ହସି ତମିସ୍ରା ପଚାରିଲା, ‘‘ଆଉ ମୋ ପାଇଁ କ’ଣ ଆଣିଛ ?’’

 

ଶୁଭେନ୍ଦୁ ତମିସ୍ରା ପାଖକୁ ଘୁଞ୍ଚିଯାଇ କହିଥିଲେ, ‘‘ମୁହଁ ଦେଖାଅ ତମିସ୍ରା ! ତୁମ ପାଇଁ ଯାହା ଆଣିଛି ତୁମ ଗାଲରେ ଦେବି ।’’

 

ତମିସ୍ରା ହସି ହସି କହିଥିଲା, ‘‘ମୋତେ ଛୁଇଁବ ଯେ । ଘୁଞ୍ଚି ଯିବଟି । ବୋଉ ଦେଖିଲେ ଏଇଲାଗେ ତୁମ ଉପରେ ତୁଳସୀପାଣି ପକାଇ ତୁମକୁ ଶୁଦ୍ଧ କରିବେ ।’’

 

ମାତ୍ର ଶୁଭେନ୍ଦୁ ତମିସ୍ରାର ବାରଣ ସତ୍ତ୍ୱେ ଓ ସେ ତମିସ୍ରା ପାଇଁ ଏତେଦୂର ବାଟରୁ ଯେଉଁ ଜିନିଷଟି ଆଣିଥିଲେ ତାହା ତମିସ୍ରାକୁ ଦେଇଦେଲେ ।

 

ତମିସ୍ରା ନାସିକା କୁଞ୍ଚନ କରି ମୃଦୁହସ ହସି କହିଲା, ‘‘ଏଇଥିପାଇଁ ଏତେବାଟରୁ ଧାଇଁଆସିଥିଲ ?’’

 

‘‘ଏହିଠାରୁ ପୂର୍ଣ୍ଣଛେଦ ପଡ଼ୁ ତମିସ୍ରା ! ତୁମେ ଓ ମୁଁ ଆମର ଏଥର ଭାଇ ଭଉଣୀ ପରି ଚଳିବା’’ କହି ଶୁଭେନ୍ଦୁ ହସିଦେଲେ ।

 

ତମିସ୍ରା କହିଲା, ଦେଖି, ‘‘ମୁହଁ ଦେଖି । କଉଁ ମୁହଁରେ ଏ କଥା କହୁଛ ମ ?’’

 

ଶୁଭେନ୍ଦୁ ତମିସ୍ରା ଆଡ଼କୁ ମୁହଁ ବଢ଼ାଇଦେଲେ ।

 

ତମିସ୍ରା ହସିଦେଇ କହିଲା, ‘‘ଛୁଇଁବି ନାହିଁ । ତା’ ନହେଲେ ମୁହଁଟା ଯେମିତି ବଢ଼ାଇଦେଇଛ ମଜାଟା ଏକାବେଳକେ ବାହାର କରିଦିଅନ୍ତି ଯେ ଆଉ କେବେହେଲେ ବାହାଦୁରି କରି ମୁହଁ କାହାକୁ ଦେଖାନ୍ତ ନାହିଁ ।’’

 

ଏମିତି କେତେ କ’ଣ ପୁରୁଣା କଥା ଭାବି ଭାବି ତମିସ୍ରାର ଆଖିପତା ପଡ଼ି ଆସିଥିଲା । ହଠାତ୍ ତା’ର ନିଦ ଭାଙ୍ଗିଗଲା । ତାକୁ ଜଣାଗଲା ଶୁଭେନ୍ଦୁ ଯେପରି ଆସି କହୁଛନ୍ତି, ‘‘ତମିସ୍ରା ! ମୋତେ ତୁମେ ଏଠାରୁ ଶୀଘ୍ର ନେଇଚାଲ । ମୁଁ ଆଉ ଏଠାରେ କ୍ଷଣେମାତ୍ର ରହିବାକୁ ଚାହେଁନାହିଁ । ତୁମ୍ଭେମାନେ କାହିଁକି ମୋତେ ଏଠାରେ ରଖିଛ ? ଏଟା ପରା ପାଗଳ ଗାରଦ । ମୁଁ ଯେ ମୋଟେ ପାଗଳ ନୁହେଁ ।’’

 

ଶୁଭେନ୍ଦୁର ଦେହଖରାପ ହେବାର ପ୍ରାୟ ତିନି ଚାରିମାସ ଆଗରୁ ଛାୟା ମାଆ ମୋଟେ ଆଉ ତମିସ୍ରା ଘରକୁ ଆସୁନଥିଲା । ତା’ର ନ ଆସିବାର କାରଣ ମଧ୍ୟ ଥିଲା ।

 

ଛବିଳାକୁ କୋଳରେ ବସାଇ ଦିନେ ଛାୟା ମାଆ ମନ ଆନନ୍ଦରେ ଗୀତ ଗାଉଥିଲା–

 

ଗୋଟା ଚାନ୍ଦମୁହୀଁ କନକ ବରଣୀ

ଚାଲିଗଲେ ଗାଁ ଦାଣ୍ଡେ

ନୟନ କଟାକ୍ଷେ ଯେତେ ଯୁବା ଜନ

ମନ ମୋହିନିଏ ଚାଣ୍ଡେ ।’’

 

ଛାୟା ମାଆ ଏତିକି ଗାଇସାରିଛି କି ନାହିଁ ଅମର କୁଆଡ଼ୁ ଧାଇଁଆସି ଛାୟା ମାଆକୁ କହିଲା, ‘‘ବୁଢ଼ୀମାଆ ଲୋ ! ମୋ ପାଇଁ ଗୋଟେ ଗୀତ ଗାଇଦେଲୁ ।’’

 

ଛାୟା ମାଆ ଏହିସବୁ କଥାକୁ ଥିଲା ଗୋଟିପଣେ ବାଘୁଣୀ ଏବଂ ଘର କାମକୁ ଥିଲା ଗୋଟିପଣେ ମାଈ ଛେଳି । ସେ ଅମରକୁ କୋଳରେ ବସାଇ ଗାଇଲା–

 

‘‘ଭଲା ନନ୍ଦପୁଅ ଭଲା କଲ

କୁଞ୍ଜବନେ ଥାଇ ବାଟୁଳି ମାଇଲ

ମାଠିଆ ଯୋଡ଼ାକ ନେଲ ।’’

 

‘‘ଏହାପରେ କ’ଣ ହେଲା ?’’ ପଚାରିଲା ଅମରେନ୍ଦ୍ର ।

 

ପୁଣି ଛାୟାମାଆ ଆରମ୍ଭ କଲା–

 

ଶାଶୁ ଯେ ମୋହର ବଡ଼ ଶିହାଣୀ

ଆଣ୍ଠୁରେ ଭାଙ୍ଗନ୍ତି ଗୁଆ

ପଚାରିବେ ରାଧା ! କା’କୁ ଦେହ ଦେଲୁ

ଦେଲାକେ ନୂଆ ମାଠିଆ ?’’

 

ତମିସ୍ରା ସେଦିନ ଛାୟା ମାଆର ଗୀତ ଶୁଣି ହସି ହସି ଗଡ଼ି ଯାଇଥିଲା ।

 

ବେଶ୍ ମନଖୁସିରେ ତମିସ୍ରା ଅଛି । ଏହି କଥା ଛାୟା ମାଆ ଜାଣିପାରି ସେଦିନ କହିଥିଲା, ‘‘ହଇଲୋ ଝିଅ ! ତୋ ଶାଶୁ କି ପ୍ରକାର ଲୋକ କହିଲୁ ? ବାପଘରୁ କ’ଣ ନ ଆଣିଛୁ ? ଘରକାମ କ’ଣ ବା ନ କରୁଛୁ ? ବର୍ଷ ଛଅଟା ଆସିଛୁ କି ନାହିଁ ପୁଅ ଝିଅରେ ଘର ଭରତି କରିଦେଲୁ ତଥାପି ଶାଶୁର ମନର ହୋଇପାରିଲୁ ନାହିଁ ? ଏ କି ଶାଶୁ ଲୋ ମା’ ?’’

 

ତମିସ୍ରା ପ୍ରଥମେ କୌଣସି ଜବାବ ଦେଲାନାହିଁ । ଅନେକ ସମୟ ଚାଲିଯିବା ପରେ କହିଲା, ‘‘ଦେଖ ମାଉସୀ ! ତୁମର ସବୁକଥା ଭଲ । ମାତ୍ର ତୁମେ ସବୁବେଳେ ଯେ ମୋ ଶାଶୁଙ୍କ ଅପଗୁଣ ମୋଠାରୁ ଶୁଣିବାକୁ ମୋତେ ଲଗାଇଛ ସେଥିପାଇଁ ମୁଁ ତୁମକୁ ମୋଟେ ଭଲପାଏ ନାହିଁ । ତୁମର ଘରକଥା ନେଇ କେହି ଯଦି ତୁମକୁ ଟାହିଟାପରା କରେ ତୁମକୁ କ’ଣ ତା’ ଭଲଲାଗିବ ? ଯାହାକୁ ଯାହା ଯେତେବେଳେ କହିବ ତାହା ନିଜ ଉପରକୁ ପକାଇ ତାହା ତୁମର ପ୍ରଥମେ ବିଚାର କରିବା ଉଚିତ ନୁହେଁ କି ? ଦେଖ, ଏ ପ୍ରକାର କଥା ଏଣିକି ତୁମେ ଯଦି କହିବାକୁ ଆରମ୍ଭ କରିବ ତୁମର ମୋଟେ ନ ଆସିବା ହିଁ ଭଲ । ମୋର ଶାଶୁଙ୍କୁ ତୁମେ ହୀନ ଚକ୍ଷୁରେ ଦେଖିବ ଏହା ମୁଁ ମୋଟେ କୌଣସି ପ୍ରକାରେ ସହ୍ୟ କରିପାରିବି ନାହିଁ । ତୁମର ସବୁବେଳେ ମନେରଖିବା ଉଚିତ ଯେ ମୋ ମଥାର ଦେବତା, ସେ ହେଉଛନ୍ତି ତାଙ୍କର ଜନ୍ମଦାତ୍ରୀ । ଯେଉଁମାନେ ଦୁନିଆରେ କେବଳ ଅଯୋଗ୍ୟ ପୁତ୍ର ସେହିମାନେ କେବଳ ନିଜ କାମନାରେ ପିତା ମାତାଙ୍କ ନିନ୍ଦା ଶୁଣି ମଧ୍ୟ ତୁନି ପଡ଼ନ୍ତି-। ମୋର ସ୍ୱାମୀ ଅଯୋଗ୍ୟ ନୁହନ୍ତି । ସେ ଯଦି କେବେ ଶୁଣିବେ ମୁଁ ତୁମ ସାଥିରେ ବସି ତାଙ୍କ ବାପ ମାଆଙ୍କ ବିଷୟରେ କୁତ୍ସାରଟନା କରୁଛି ସେତେବେଳେ ମୋର ଯେ କ’ଣ ଦୁରବସ୍ଥା ହେବ ସେ କଥା ମୋତେ ଜଣା ।’’

 

ଏତିକି ଶୁଣିଲା ପରେ ପରେ, ‘‘ଏ କାଳୀ ନାଗୁଣୀର ବିଷ ଏଡ଼େ ଉତ୍କଟ, ‘‘ ମନେମନେ କହି ଛାୟା ମା’ ଯେ ଯାଇଛି ସେ ଆଉ ଫେରି ଚାହିଁ ନାହିଁ ଦିଙ୍କ ପାଇଁ । ଏତେ ବିପଦ ପଡ଼ିଲା । ଶୁଭେନ୍ଦୁ ପାଗଳ ହୋଇଗଲେ । ଶଶୁରଙ୍କୁ ଟାଏଫଡ଼ ହୋଇ ମରୁ ମରୁ ବଞ୍ଚିଗଲେ । ତଥାପି ଛାୟା ମାଆ ଦିନେହେଲେ ଅନାଇଲା ନାହିଁ ।

 

ଯେଉଁ ନାରୀ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ଆସିଥାଏ ତାହାର ଗୁମର ପଦାରେ ପଡ଼ିଗଲେ ସେ ଆପେଆପେ ବାଟକାଟି ଚାଲିଯାଏ । କିନ୍ତୁ ସେ ନିଃସ୍ୱାର୍ଥପର ଭାବେ ଆସେ ସେ ଯେତେ ଯାହା ହେଲେ ଚାଲିଯାଏ କି ?

 

ତମିସ୍ରା କହେ, ‘‘ଏ ଜଗତରେ ଛାୟା ମାଆ ପ୍ରକୃତିରେ ମାଇପିଙ୍କୁ ଚିହ୍ନିବା ବଡ଼ ମୁସ୍କିଲ । ସେମାନେ ସବୁବେଳେ କଥା କହି ନିଜର ବୋଲାଉଥିବେ କିନ୍ତୁ ବେଳ ପଡ଼ିଲେ ସେ କିଏ ନା ତୁମେ କିଏ ? ବେଳ ପଡ଼ିଲେ ଏହି ଧରଣର ସ୍ତ୍ରୀମାନେ ହିଁ ପଛରୁ ଛୁରି ଚଳାନ୍ତି । ଏହା ହେଉଛି ଛାୟା ମାଆଭଳି ସୁଗୁଣ ସମ୍ପନ୍ନା ସ୍ତ୍ରୀମାନଙ୍କ ଲକ୍ଷଣ । ଯେ ଯେତେ ବେଶି କଥା କହେ ସେ ସେତେ ସବୁ କରିଥାଏ ।’’

 

ଘଣ୍ଟାରେ ବାଜିଲା ତିନି । ତମିସ୍ରାର ଆଖି ଆପେ ଆପେ ବୁଜି ପଡ଼ିଥିଲା । ‘‘ତାଙ୍କୁ ଠାକୁରେ ଭଲ କରି ଦିଅ’’ କହି ତମିସ୍ରା କଡ଼ ମୋଡ଼ି ଶୋଇବାକୁ ଉପକ୍ରମ କଲା ।

 

-ସାତ-

 

ସେଦିନ ଥାଏ ଶନିବାର । ଡାକ୍ତର ଡିଆନ ବସି ବସି ଏକଶ କୋଡ଼ିଏ ନମ୍ବର ରୋଗୀ କଥା କେବଳ ଚିନ୍ତା କରୁଥିଲେ । ଦୀର୍ଘ ଦୁଇମାସ ଧରି ସେ ରୋଗୀକୁ ତନ୍ନତନ୍ନ କରି ପରୀକ୍ଷା କରିସାରିବା ପରେ ମଧ୍ୟ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିନଥିଲେ । ତେବେ ସେ ଏତିକି ଲକ୍ଷ୍ୟ କରିଛନ୍ତି ଯେ ରୋଗୀ ସବୁବେଳେ ନିର୍ଜନରେ ରହିବାକୁ ଭଲପାଉଥିଲା । ସେ କାହାରି ଉପସ୍ଥିତି ମୋଟେ ସହ୍ୟ କରିପାରୁନଥିଲା ।

 

ବିଶେଷତଃ ସେ କୌଣସି ସ୍ତ୍ରୀକୁ ଯେ ଚାହିଁବାକୁ ଇଚ୍ଛାପ୍ରକାଶ କରୁନଥିଲା ଏହି କଥା ଡାକ୍ତର ଖୁବ୍ ଭଲଭାବେ ହୃଦୟଙ୍ଗମ କରିପାରିଥିଲେ ।

 

କୌଣସି କୌଣସି ସମୟରେ ଡାକ୍ତରଖାନାର ପରିଚାରିକା ସେହି ଏକଶ କୋଡ଼ିଏ ନମ୍ବର କୋଠରୀକୁ ଯାଉଥିଲା ଏବଂ କେତେବେଳେ କିମିତି ଷ୍ଟାଫ୍ ନର୍ସ ମଧ୍ୟ ଯାଉଥିଲା । ସେ ସେମାନଙ୍କୁ ଦେଖିଲା ମାତ୍ରେ ଅସହିଷ୍ଣୁ ଭାବ ପ୍ରକାଶ କରି କହୁଥିଲା, ‘‘ଓଃ ! ତୁମ୍ଭେମାନେ ପୁଣି ଆସିଛ ମୋର ଶାନ୍ତି ନଷ୍ଟ କରିଦେବାକୁ । ମୋର ଅଶାନ୍ତ ଆତ୍ମାର ଚିତ୍କାର ତୁମ୍ଭେମାନେ କ’ଣ ଶୁଣିପାରୁନାହଁ ? ମୁଁ ଯେ ଶାନ୍ତିରେ ଜୀବନଯାପନ କରିବାକୁ ଚାହେଁ ଏ କଥା କ’ଣ ତୁମ୍ଭେମାନେ ବୁଝିପାରୁନାହଁ ? ମୋତେ ଟିକିଏ ବିଶ୍ରାମ କରିବାକୁ ସମୟ ଦିଅ । ମୁଁ ନିରବଚ୍ଛିନ୍ନ ଶାନ୍ତି ଚାହେଁ, ମୁଁ ନିର୍ଜନତା ଚାହେଁ ।"

 

ରୋଗୀର କଥା ଶୁଣି ସେମାନେ ହସିଦେଉଥିଲେ ।

 

ସେ ଅଧିକ ଜୋରରେ ପୁଣି କହୁଥିଲା, ‘‘କାହାରି ହସ ହସ ମୁଖ ଦେଖିବାକୁ ମୋତେ ଭଲଲାଗେ ନାହିଁ । ଇସ୍, ନାରୀର ହସ ମଧ୍ୟରେ କି ଛଳନା ଯେ ଥାଏ ସେ କଥା ମୁଁ ଜାଣେ । ପ୍ରାଣ ଖୋଲି ନାରୀ ହସି ଜାଣେନାହିଁ । ମନର କଥା ସେ କହିଜାଣେ ନାହିଁ । ସେ ବଞ୍ଚି ରହିବାକୁ ସବୁପ୍ରକାର ଅଭିନୟ କରେ ।

 

ରୋଗୀର ଏ ସମସ୍ତ ଭାବଭଙ୍ଗୀ ଲକ୍ଷ୍ୟ କରି ଡକ୍ଟର ଡିଆନ ଏତିକି ଜାଣିପାରିଥିଲେ ଯେ ସେ କୌଣସି ସ୍ତ୍ରୀଦ୍ୱାରା ପ୍ରତାରିତ ହୋଇ ଏହି ଅବସ୍ଥାରେ ପଡ଼ିଛି ।

 

ଡାକ୍ତର ଡିଆନଙ୍କ ହୃଦୟ ଥରାଇ ବାହାରିଆସିଲା, ‘‘ହାୟ ହତଭାଗ୍ୟ ! କାହିଁକି ନିଜେ ନିଜର ଦୁର୍ଭାଗ୍ୟକୁ ବରଣ କରିଆଣିଲ ?’’

 

ଡାକ୍ତର ଡିଆନଙ୍କ କପାଳରେ ଚିନ୍ତାର ରେଖା କେତେଗୋଟି ପରିଷ୍କାର ଭାବେ ପରିସ୍ଫୁଟ ହୋଇଗଲା । ସେ ବାମହାତଟି ଗାଲରେ ଥୋଇଦେଇ ଭାବୁଥିଲେ ଏହି ଆଦ୍ୟାଶକ୍ତି ଜଗତରେ ସବୁ ଅନର୍ଥର ମୂଳ । ଯେଉଁ ଶକ୍ତି ସମୁଦ୍ର ମନ୍ଥନରୁ ମୋହିନୀ କନ୍ୟା ରୂପରେ ଜନ୍ମହୋଇ ଜଣକୁ ଅମୃତ ଦିଏ ଏବଂ ଜଣକୁ ଦେହର ଲୋଭ ଦେଖାଇ ବିନାଶ କରେ ସେହି ଶକ୍ତିକୁ ବିଶ୍ୱାସ କରି ମଣିଷ ଆଜି ନିଜର ମୃତ୍ୟୁ ନିଜ ହାତରେ ହିଁ ଘଟାଇଥାଏ ।

 

ସେ ମନେମନେ କହିଲେ ହେ ମହାଶକ୍ତିମୟୀ ! ତୁମେ ଏ ଜଗତକୁ ସୃଷ୍ଟି କରିବାକୁ ଯାହା ଶକ୍ତି ପ୍ରଦାନ କର, ଏ ଜଗତକୁ ଧ୍ୱଂସ କରିବାକୁ ତୁମେ ମଧ୍ୟ ତାହାକୁ ଶକ୍ତି ପ୍ରଦାନ କର । ତେଣୁ ତୁମକୁ ବିଶ୍ୱାସ କରି ଯେ ଆଜି ନିଜକୁ ତୁମ ପାଖରେ ଅର୍ପଣ କରିଦିଏ ତୁମ୍ଭେ କେବଳ ତାହାକୁ ଉପହାସ କରି ତାହାର ସର୍ବନାଶ ଘଟାଅ ନାହିଁ କି ? ତୁମର ଯାହା ଖେଳ, ତାହା ଯେ ଅନ୍ୟପକ୍ଷରେ କାଳ ହୁଏ । ଏହି ଖେଳ ତୁମେ ଖେଳ କାହିଁକି ?

 

ତୁମର ଆନନ୍ଦ ପାଇଁ ତୁମେ ଧୂଳି ଖେଳ ରଚନା କର । କିନ୍ତୁ ଆଉଜଣେ ଯେ ଅଣନିଶ୍ୱାସୀ ହୋଇଯାଏ, ଏହିକଥା ତୁମେ କେତେବେଳେ ହେଲେ ଚିନ୍ତାକର କି ? ଏତିକି ଯଦି ତୁମେ ଚିନ୍ତା କରିଥାନ୍ତ, ତେବେ ତୁମର ତୃପ୍ତି ପାଇଁ ଅନ୍ୟର ଜୀବନକୁ ନେଇ ଖେଳନ୍ତ କି ?

 

ଗୋ ଶକ୍ତିମୟୀ ! ତୁମର ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବାକୁ ଜଗତରେ ଶକ୍ତି କ’ଣ କାହାର ଅଛି ? ତେବେ ଏ ପରୀକ୍ଷା ତୁମର କାହିଁକି ? ତୁମର ଯେଉଁ ଶକ୍ତି ପାଖରେ ସଚରାଚର ବିଶ୍ୱ ପରାଜୟ ସ୍ୱୀକାର କରେ ଏବଂ ନିଜେ ସ୍ୱୟଂ ସ୍ରଷ୍ଟାର ଜନ୍ମଦାତା କୃତାଞ୍ଜଳିପୁଟରେ ‘ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା’ କହି କୋଟି କୋଟି ପ୍ରଣତି ବାଢ଼େ ସେ ଶକ୍ତିପାଖରେ ମଣିଷ ବା କେଉଁ ଛାର ଯେ ତୁମେ ପୁଣି ବୁଦ୍ଧି ବିଚାର ଶୂନ୍ୟ ଏହି ମଣିଷକୁ ପରୀକ୍ଷା କର ?

 

ଗୋ ଶକ୍ତିଦାତ୍ରୀ ! ତୁମକୁ ଆଜି କୋଟି କୋଟି ନମସ୍କାର । ତୁମର ଦୟା ପାଇବାକୁ ଆଜି ସମସ୍ତେ ବ୍ୟଗ୍ର । ତୁମେ ଶାନ୍ତିଦା, ତୁମେ ମୋକ୍ଷଦା ଏବଂ ତୁମ୍ଭେ ମଙ୍ଗଳଦାତ୍ରୀ ଅଟ । ଆମ୍ଭେମାନେ ସବୁ ସୀମାହୀନ ସାଗରର ବିଗଭ୍ରଷ୍ଟ ଯାତ୍ରୀ ଅଟୁ । ତୁମେ ଆମ୍ଭମାନଙ୍କୁ କ୍ଷମାକର ଏବଂ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଦିଅ । ଏତିକି ମାତ୍ର ତୁମ୍ଭ ନିକଟରେ ଆମ୍ଭମାନଙ୍କ ପ୍ରାର୍ଥନା ।

 

ଡକ୍ଟର ଡିଆନ୍ ଏହି ବ୍ୟସ୍ତ ଥିଲାବେଳେ ତମିସ୍ରାଦ୍ୱାରା ଦେଶରେ ଉପସ୍ଥିତ ହେଲା ।

 

ଡାକ୍ତର ଡିଆନ୍ ଭାବନାରେ ଏତେଦୂର ମଗ୍ନ ହୋଇଯାଇଥିଲେ ଯେ ତମିସ୍ରାର ଉପସ୍ଥିତି ମୋଟେ ଲକ୍ଷ୍ୟ କରିପାରିନଥିଲେ, ତମିସ୍ରା ‘ନମସ୍କାର’ କହିଲା ମାତ୍ରେ ଡିଆନ୍‍ଙ୍କ ଧ୍ୟାନ ଭଙ୍ଗ ହେଲା-

 

ସେ ପଚାରିଲେ, ‘‘ମି: ମହାପାତ୍ର କାହାନ୍ତି ?’’

 

‘‘ତାଙ୍କୁ ଅସୁସ୍ଥ ଲାଗିବାରୁ ସେ ଆସିପାରିଲେ ନାହଁ ।’’

 

ଡକ୍ଟର ଡିଆନ୍ କହିଲେ, ‘‘ଦେଖ ତମିସ୍ରା ! ତୁମେ ମୋର ଝିଅ କହିଲେ ଚଳେ । ତୁମକୁ କେତୋଟି କଥା ପଚାରିବି । ତୁମେ କହିବାକୁ କୌଣସି ସଂକୋଚ ପ୍ରକାଶ କରିବ ନାହିଁ ତ ?

 

ତମିସ୍ରା ସେତେବେଳେ ଭାବୁଥିଲା ଡାକ୍ତର, ଓକିଲ ଓ ବେଶ୍ୟା ଏମାନେ ଜଗତରେ ସମସ୍ତଙ୍କ ଅପେକ୍ଷା ବିଶ୍ୱସ୍ତ । ଡାକ୍ତର ପାଖରେ ରୋଗୀ ନିସଂକୋଚ ଭାବେ ତାହାର ରୋଗର ବିବରଣୀ ପ୍ରକାଶ ନ କଲେ ସେ ସୁଚିକିତ୍ସା ପାଏ ନାହିଁ । ଓକିଲ ପାଖରେ ଅପରାଧୀ ତା’ର ଅପରାଧର ଆମୂଳଚୂଳ ବିବରଣୀ ଆବୃତ ନକଲେ ସେ ରକ୍ଷା ପାଇବାର ବାଟପାଏ ନାହିଁ । ସେହିପରି ବେଶ୍ୟା ତୁମର ନୁହେଁ ଜାଣିସୁଦ୍ଧା ତୁମେ ଯେତେବେଳେ ଅନ୍ୟଲୋକ ସଙ୍ଗେ ତାହାର ସୁସମ୍ପର୍କ ଅଛି କି ନା ଏହି ପ୍ରଶ୍ନ ଜାଣିବାକୁ ପଚାରିବ ସେ ତତ୍‍କ୍ଷଣାତ୍ ତୁମର ନିଜର ହେବାକୁ ଉତ୍ତର ଦେବ, ‘‘ତୁମ ବିନୁ ମୁଁ ଜଗତରେ ଅନ୍ୟ କାହାରିକି ଜାଣିନାହିଁ ।’’ ଏଣୁ ବେଶ୍ୟାଶକ୍ତ ମଣିଷ ବେଶ୍ୟାକୁ ଅବିଶ୍ୱାସ କରି ବଞ୍ଚିପାରେ ନାହିଁ ।

 

ତମିସ୍ରା ସଙ୍ଗେସଙ୍ଗେ ଉତ୍ତର ଦେଲା, ‘‘ଦେଖନ୍ତୁ ମି: ଡିଆନ ! ସ୍ୱାମୀଙ୍କର ମଙ୍ଗଳପାଇଁ ମୁଁ ଯେତେବେଳେ ମୋର ଜୀବନ ଦେବାକୁ ପ୍ରସ୍ତୁତ ସେତେବେଳେ ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବାକୁ କୁଣ୍ଠାବୋଧ କରିବି ନାହିଁ । ଆପଣଙ୍କ ପାଖରେ ଲୁଚାଇବା ଜିନିଷ ମୋର କିଛି ନାହିଁ ।’’

 

ଡକ୍ଟର ଡିଆନ୍‍ଙ୍କ ପ୍ରଶ୍ନହେଲା, ‘‘ତୁମର ସ୍ୱାମୀ ତୁମକୁ ଭଲପାଆନ୍ତି ?’’

 

‘‘ମୋ ଜାଣିବାରେ ସେ ମୋତେ ଭଲପାଆନ୍ତି । ମୋତେ କେତେ ଅବିଶ୍ୱାସ କରନ୍ତି ନାହିଁ କିମ୍ବା ହତାଦର କରନ୍ତି ନାହିଁ ।’’

 

ଡାକ୍ତର ପୁଣି ପଚାରିଲେ, ‘‘ସେ ତୁମ ସଙ୍ଗେ କିପରି ବ୍ୟବହାର କରନ୍ତି ?’’

 

‘‘ଯଥେଷ୍ଟ ଭଲ ବ୍ୟବହାର ମୁଁ ସବୁବେଳେ ସ୍ୱାମୀପାଖରୁ ପାଏ । ସେ ଅନେକ ସମୟରେ ତ ବାହାରେ ରହନ୍ତି । ଯେତେବେଳେ ଘରକୁ ଆସନ୍ତି ସେ ମୋଟେ ମୋ ପାଖ ଟିକିଏ ହେଲେ ଛାଡ଼ନ୍ତି ନାହିଁ ।’’

 

‘‘ତୁମ ସ୍ୱାମୀଙ୍କର ପ୍ରକୃତି କିପରି ?’’

 

ତମିସ୍ରା ଉତ୍ତର ଦେଲା, ‘‘ସେ ଟିକିଏ ଭାବପ୍ରବଣ ଲୋକ । ସେ ବେଶ୍ ସୌନ୍ଦର୍ଯ୍ୟ ପ୍ରିୟ । ପୋଷାକପତ୍ର ଲୁଗାପଟାରେ ତାଙ୍କର ବେଶି ଝୁଙ୍କ, ସେ କଥା କଥାକେ ନାନା ଉପମା, ଉପମେୟ ଯୋଡ଼ି କଥାବାର୍ତ୍ତା କରିବାକୁ ଭଲପାଆନ୍ତି ।’’

 

ଡକ୍ଟର ଡିଆନ ପ୍ରଶ୍ନ କଲେ, ‘‘ତୁମର ସ୍ୱାମୀ ଗଭୀର ଅନ୍ଧକାର ରାତ୍ରିକୁ ବେଶି ପସନ୍ଦ କରନ୍ତି ନା ଶୁକ୍ଳପକ୍ଷର ରାତ୍ରିକୁ ବେଶି ପସନ୍ଦ କରନ୍ତି ?’’

 

‘‘ସେ କଥା ମୁଁ ସଠିକ୍ ଭାବେ କହିପାରିବି ନାହିଁ ।’’ ଉତ୍ତରଦେଲା ଅତି ଶାନ୍ତ ଗଳାରେ ତମିସ୍ରା ।

 

ପୁଣି ଡାକ୍ତର ପ୍ରଶ୍ନକଲେ ‘‘ତମିସ୍ରା ! ଏକଥା ତୁମେ ନିଶ୍ଚୟ ମନେରଖିଥିବ, ........ଆଚ୍ଛା କହିଲ, ତୁମର ଶୋଇବା ଘରେ ଆଲୁଅ ଜାଳି ତୁମର ସ୍ୱାମୀ ଶୋଇବାକୁ ଭଲପାଆନ୍ତି ନା ଅନ୍ଧକାର ତାଙ୍କୁ ବେଶି ଭଲଲାଗେ ?’’

 

ତମିସ୍ରା କହିଲା, ‘‘ସେ ଡିମ୍ ଲାଇଟ୍ ମଧ୍ୟ ସହ୍ୟ କରିପାରନ୍ତି ନାହିଁ । ତେଣୁ ମୁଁ ଶୋଇବାକୁ ଆସିଲା ମାତ୍ରେ ସେ ଆଲୁଅ ଲିଭାଇଦେବାକୁ ମୋତେ ନିର୍ଦ୍ଦେଶ ଦିଅନ୍ତି ଏବଂ ମୋର ଇଚ୍ଛା ବିରୁଦ୍ଧରେ ମୁଁ ଆଲୁଅ ଲିଭାଇଦେଇ କୋଠରୀକୁ ଅନ୍ଧକାର କରିଦିଏ ।’’

 

ଡକ୍ଟର ଡିଆନ କ୍ଷଣକାଳ ଚିନ୍ତା କଲେ ଏବଂ ପଚାରିଲେ, ‘‘ଦିନବେଳେ ତୁମର ଶୋଇବା ଘରର ଦୁଆର ଝରକା ବନ୍ଦ କଲାପରେ ମଧ୍ୟ ଯେଉଁ କ୍ଷୀଣ ଆଲୋକ ଘର ମଧ୍ୟରେ ପଡ଼େ ସେଇ ଆଲୋକ ତୁମ ସ୍ୱାମୀଙ୍କୁ କିପରି ଲାଗେ ?’’

 

‘‘ଦୁଆର ଝରକାରେ ଆମର କାଚ ଲାଗିଥିଲା । କିନ୍ତୁ ମୋର ବିବାହ ପରେ ପରେ କାଚ ସ୍ଥାନରେ ମୋଟା ମୋଟା କାଠ ଲାଗିଲା ତେଣୁ ଦୁଆର ଝରକା ବନ୍ଦ କଲାପରେ ଘର ମଧ୍ୟରେ ଯେଉଁ ଅନ୍ଧକାର ସୃଷ୍ଟିହୁଏ ସେହି ଅନ୍ଧକାର ବର୍ଷାରାତିର ଅମାବାସ୍ୟା ତିଥିର ଅନ୍ଧକାରଠାରୁ ଆହୁରି ଗାଢ଼କଳା ।’’

 

‘‘ଏମିତି ଅନ୍ଧକାରରେ ଶୋଇବାକୁ ତୁମର ସ୍ୱାମୀଙ୍କୁ କାହିଁକି ଭଲଲାଗେ ତୁମେ କେବେ ସେହି କଥା ତାଙ୍କୁ ପଚାରିଛ ?’’

 

ତମିସ୍ରା କହିଲା, ‘‘ଅନେକଥର ତାଙ୍କୁ ପଚାରିଛି । ସେ ପ୍ରତିଥର ମ୍ଲାନ ମୁଖରେ ମୋତେ କହନ୍ତି ମୁଁ ଅନ୍ଧକାରର ଯାତ୍ରୀ । ମୁଁ ଅନ୍ଧକାରର ଉପାସକ ।’’

 

ତାପରେ ଡାକ୍ତର ପୁଣି ପ୍ରଶ୍ନକଲେ, ଚନ୍ଦ୍ରପକ୍ଷ ରାତିରେ ତୁମେ ଦୁଇଜଣ କେବେ ମୁକ୍ତ ଆକାଶତଳେ ଏକ ବିଛଣାରେ ଶୋଇଛ କି ?’’

 

ହଠାତ୍ କୌଣସି ଉତ୍ତର ତମିସ୍ରା ଦେଇପାରିଲା ନାହିଁ । କେବଳ ଗୋଟିଏ ରାତିର ଘଟଣା ତା’ର ମନେପଡ଼ିଲା । ବହୁଦିନ ତଳର କଥା । ବୋଧହୁଏ ଗୋଡ଼ରୁ ଅଳତା ସେତେବେଳେ ତା’ର ଲିଭୁନଥିଲା । ସେଦିନ ହୋଇଥିଲା ଚୈତ୍ରପୂର୍ଣ୍ଣିମା । ଆକାଶ ଥିଲା ପରିଷ୍କାର । ସେହି ରାତିରେ ଏ ପୁରୁଣା ଚନ୍ଦ୍ରଟା ତମିସ୍ରା ଆଖିକୁ ନୂଆ ଦେଖାଯାଇଥିଲା ଓ ଅଧିକ ପରିଷ୍କାର ମଧ୍ୟ ଦେଖାଯାଇଥିଲା । ତେଣୁ ସେ ଛାତ ଉପରେ ମୁକ୍ତ ଆକାଶ ତଳେ ବିଛଣା ପରି ନିଜର ଅଭିସାର ରଚନା କରିବାକୁ ମନେମନେ କଳ୍ପନା କରିଥିଲା ।

 

ଅନେକ ରାତି ହେଲା ତଥାପି ଶୋଇବାକୁ ଶୁଭେନ୍ଦୁ ଯେତେବେଳେ ଆସିଲେ ନାହିଁ ସେ ତାଙ୍କୁ ଅପେକ୍ଷା କରି କରି କେତେବେଳେ ଶୋଇଗଲା ସେ ଜାଣିପାରିଲା ନାହିଁ । ପୁଣି ନିଦ ଭାଙ୍ଗିବାରୁ ସେ ଦେଖେ ଯେ ଘନ ଅନ୍ଧକାରମୟ କୋଠରୀରେ ସେ ଶୋଇ ରହିଛି ଓ ପାଖରେ ଶୋଇଛନ୍ତି ଗାଢ଼ ନିଦ୍ରାରେ ସ୍ୱାମୀ । ସେତେବେଳେ ତାହାର ଅନ୍ତରାତ୍ମା ଥରାଇ ବାହାରି ଆସିଥିଲା ଗୋଟିଏ ଦୀର୍ଘଶ୍ୱାସ ।

 

କିଛିକ୍ଷଣ ପରେ ଛଳ ଛଳ ଆଖିରେ ତମିସ୍ରା ଉତ୍ତର ଦେଲା, ‘‘ସେଭଳି ଘଟଣା ମୋଟେ ମନେପଡ଼ୁନାହିଁ ।’’

 

ଡାକ୍ତର ମଥା ତଳକୁ ପୋତିଲେ ଏବଂ କ୍ଷଣକାଳ ଆଖିବୁଜି କ’ଣ ଚିନ୍ତା କରିବାକୁ ଲାଗିଲେ । ତାହାପରେ ପଚାରିଲେ, ‘‘ତୁମର ସ୍ୱାମୀ ଅନ୍ୟ କୌଣସି ସ୍ତ୍ରୀକୁ ଭଲପାଆନ୍ତି ?’’

 

‘‘ପୁରୁଷ ମନରେ ଯେ କ’ଣ ଥାଏ ତାହା ସ୍ତ୍ରୀ କିପରି ଜାଣିପାରିବ ? ସବୁ ପୁରୁଷ ଯେତେବେଳେ କହନ୍ତି ସେମାନେ ନିଜ ସ୍ତ୍ରୀ ବ୍ୟତୀତ ଅନ୍ୟ କୌଣସି ସ୍ତ୍ରୀକୁ ଭଲପାଆନ୍ତି ନାହିଁ ସେପରି ସ୍ଥଳେ ମୋ ସ୍ୱାମୀ ଯେ କାହାକୁ ଭଲପାଆନ୍ତି ଏହିକଥା ପଚାରିବା ନିଷ୍ପ୍ରୟୋଜନ ଭାବି ମୁଁ କେବେ ପଚାରି ନାହିଁ ।’’ ଏତିକି କହିଲା ତମିସ୍ରା ।

 

‘‘ହଁ, ଆଉ ଗୋଟିଏ କଥା । ତୁମର ସ୍ୱାମୀ ଶୋଇବା ସମୟରେ ବିଶେଷ ବାକ୍ୟାଳାପ କରନ୍ତି କି ନାହିଁ ?’’

 

ତମିସ୍ରା ପ୍ରଶ୍ନର ଉଦ୍ଦେଶ୍ୟ ବୁଝିପାରିଲା । ସେ ଥଥ ମମ ହୋଇ କହିଲା, ‘‘ପ୍ରଥମରୁ ନୁହେଁ.... । ପରେ ସେ କଥାବାର୍ତ୍ତା କରିବାକୁ ଭାରି ଆଗ୍ରହ ପ୍ରକାଶ କରନ୍ତି କିନ୍ତୁ ମୋର ସେତେବେଳେ ଆଉ ଚେଇଁ ରହି ଶୁଣିବାର ଧୈର୍ଯ୍ୟ ମୋଟେ ନ ଥାଏ । ମୋର ଆଖିପତା ଆପେ ଆପେ ପଡ଼ିଯାଏ ଏବଂ ମୁଁ ଗାଢ଼ ନିଦରେ ଶୋଇପଡ଼େ ।’’ ଏକ ନିଶ୍ୱାସରେ ଏହି କଥା କେଇପଦ ତମିସ୍ରା କହିଦେଇ ବାହାରକୁ ଚାଲିଗଲା । ଡାକ୍ତର ଡିଆନ କୌଣସି କିଛି ନ ପଚାରି କେବଳ ଉପରକୁ ଚାହିଁଲେ ।

 

କେଇ ମିନିଟ ପରେ ଘର ଭିତରକୁ ଆସିଲା ତମିସ୍ରା ।

 

ଡାକ୍ତର ଡିଆନ କହିଲେ, ‘‘ତୁମେ ବର୍ତ୍ତମାନ ଯାଇପାର ତମିସ୍ରା ! କିନ୍ତୁ ଗୋଟିଏ କଥା ମନେରଖିବ, କେବଳ ଆଖିରେ ତୁମେ ତୁମର ସ୍ୱାମୀଙ୍କୁ ଦେଖିବ । କୌଣସି କଥା ପଚାରିପାରିବ ନାହିଁ । ମନେ ରହିଲା ?’’

 

ତମିସ୍ରା ମଥା ନାଡ଼ି ସମ୍ମତି ସୂଚନା ଜଣାଇ ଡାକ୍ତରଙ୍କୁ ନମସ୍କାର ହୋଇ ଚାଲିଆସିଲା ।

 

ଡାକ୍ତର ଡିଆନ ତମିସ୍ରା ପାଖରୁ ଯେତିକି ତଥ୍ୟ ସଂଗ୍ରହ କଲେ ସେତିକି ତାଙ୍କୁ ମୂଳ କଥା ଜାଣିବାରେ ଯଥେଷ୍ଟ ସାହାଯ୍ୟ କଲା ବୋଲି ଜାଣିପାରିଲା ମାତ୍ରେ ତାଙ୍କର ମୁଖମଣ୍ଡଳରେ ଅଶାର ଗୋଟିଏ କ୍ଷୀଣ ରେଖା ସଞ୍ଚାର ହୋଇଗଲା । ସେ ମନେମନେ ତୃପ୍ତିରେ ଗୋଟିଏ ଦୀର୍ଘଶ୍ୱାସ ପକାଇ ସିଗାରେଟରେ ଅଗ୍ନି ସଂଯୋଗ କଲେ ।

 

ତମିସ୍ରା ଯାହା କହିଗଲା ସେଥିରୁ ଡାକ୍ତର ବୁଝିଲେ ତମିସ୍ରାର ରୂପରେ ଶୁଭେନ୍ଦୁ ମୋଟେ ସନ୍ତୁଷ୍ଟ ନଥିଲେ । ତାଙ୍କ ଉପରେ ତମିସ୍ରା ନିଜ ରୂପ ପାଇଁ କୌଣସି ପ୍ରଭାବ ପକାଇ ପାରିନଥିଲା ।

 

ଶୃଙ୍ଗାର ସମୟ ହେଉଛି ଜୀବନର ଏକମାତ୍ର ମଧୁମୟ ସମୟ । ଏହି କଥା କୌଣସି ପୁରୁଷ କିମ୍ବା କୌଣସି ସ୍ତ୍ରୀ ଅସ୍ୱୀକାର କରିପାରିବେ ନାହିଁ । ପ୍ରତ୍ୟେକ ଜୀବନରେ ଶୃଙ୍ଗାର ମୁହୂର୍ତ୍ତ ହେଉଛି ଶ୍ରେଷ୍ଠ ମୁହୂର୍ତ୍ତ । ତେଣୁ ସେହି ମୁହୂର୍ତ୍ତରେ ସ୍ତ୍ରୀ କହ କିମ୍ବା ପୁରୁଷ କହ ପ୍ରତ୍ୟେକେ ପ୍ରତ୍ୟେକଙ୍କର ରୂପ ଦେଖି ତନ୍ମୟ ହୋଇଯିବା ସ୍ୱାଭାବିକ ।

 

ମାତ୍ର ଯେଉଁ ରୂପରେ କୌଣସି ଆକର୍ଷଣୀ ଶକ୍ତି ମୋଟେ ନଥାଏ, ଯେଉଁ ରୂପକୁ ଦେଖି ମନ ଓ ହୃଦୟରେ ଆନନ୍ଦ ସଞ୍ଚାର ନ ହୋଇ ନିରାନନ୍ଦ ଜାତ ହୁଏ ସେହି ରୂପକୁ ଶୃଙ୍ଗାର ସମୟରେ ଦେଖିବାକୁ କେହି କ’ଣ ଇଚ୍ଛାକରେ ? ତେଣୁ ଶୁଭେନ୍ଦୁ ଗଭୀର ଅନ୍ଧାରକୁ ବେଶି ଭଲପାଉଥିଲେ ।

 

ଶୃଙ୍ଗାର କାଳରେ ମନରେ ଅସୀମ ଆନନ୍ଦ ଜାତ ହେଲେ ମନରେ ତୃପ୍ତି ଜନ୍ମହେବା ସ୍ୱାଭାବିକ । କେବଳ କ୍ଷୁଧା ନିବାରଣ ପାଇଁ, ଯେଉଁଠାରେ ମନ ସଙ୍ଗେ ମନର ମୈଥୁନ ନ ହୋଇ କେବଳ ଦେହ ସଙ୍ଗେ ଦେହର ମୈଥୁନ ହୁଏ, ସେହିଠାରେ ତୃପ୍ତି ବଦଳରେ ଘୃଣା ଜାତ ହୁଏ । ମନରେ ତୃପ୍ତି ନ ଆସିଲେ ସୁଖ ନିଦ୍ରାରେ ବ୍ୟାଘାତ ଘଟେ । ଏହି ଅବସ୍ଥାରେ ପଡ଼ିଥିଲେ ଶୁଭେନ୍ଦୁ । ମାତ୍ର ତମିସ୍ରାର ଅବସ୍ଥା ଥିଲା ଶୁଭେନ୍ଦୁର ଅବସ୍ଥା ଅପେକ୍ଷା ସମ୍ପୂର୍ଣ୍ଣ ବିପରୀତ । ତେଣୁ ସେ ଶୁଭେନ୍ଦୁ ଭଳି ସୁନ୍ଦର ସ୍ୱାମୀ ପାଇ ଅସୀମ ତୃପ୍ତିରେ ଜୀବନ ଅତିବାହିତ କରୁଥିଲା । ନାରୀ ଜୀବନର ଦୁଃଖ ଯେ କ’ଣ ତାହା ସେ ମୋଟେ ଅନୁଭବ କରିପାରିନଥିଲା ।

 

ଡାକ୍ତର ଡିଆନ ସ୍ଥିର ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଶୁଭେନ୍ଦୁ ନିଶ୍ଚୟ କୌଣସି ରୂପଲାବଣ୍ୟ ସମ୍ପନ୍ନା ସ୍ତ୍ରୀକୁ ମନ, ପ୍ରାଣ ଢାଳି ଭଲପାଇଥିଲେ ଏବଂ ନିଜକୁ ସେ ସେହି ସ୍ତ୍ରୀର ପଦ ତଳରେ ସମର୍ପଣ କରିଦେଇଥିଲେ । ମାତ୍ର ସବୁ ସ୍ତ୍ରୀ ଯାହା କରନ୍ତି ସେହି ସ୍ତ୍ରୀ ମଧ୍ୟ ଶୁଭେନ୍ଦୁକୁ ସେୟା କରିଛି । ତେଣୁ ଆଜି ଶୁଭେନ୍ଦୁର ଏହି ଶୋଚନୀୟ ଅବସ୍ଥା ।

 

ଡାକ୍ତର ଡିଆନ ଦୀର୍ଘଶ୍ୱାସ ପକାଇ ପୁଣି ଭାବୁଥିଲେ ସ୍ତ୍ରୀ କାହିଁକି ଭଲପାଏ ? ପୁଣି କାହିଁକି ସେ ଘୃଣା କରେ ? ଯେଉଁ ପ୍ରେମକୁ ସେ ଜଗତର ଶେଷ୍ଠ ସମ୍ପଦ ମଣି ଆନନ୍ଦରେ ଆତ୍ମହରା ହୋଇଥାଏ ସେହି ପବିତ୍ର ପ୍ରେମକୁ ପାପ ବୋଲି କହେ କିପରି ? ସାମାଜିକ ପ୍ରତିଷ୍ଠା ପାଇଁ ସ୍ତ୍ରୀ ଯଦି ଏତେ ଲାଳାୟିତ ତେବେ ସେ କାହିଁକି ଜଣକୁ ଭଲପାଇ ପୁଣି ପଛରେ ତାକୁ ହତାଦର କରେ-? ପଦ୍ମ ମଧ୍ୟରେ ଭ୍ରମର ବନ୍ଦୀ ହୋଇ ମରିଯାଏ । ସେଥିରେ କୌଣସି କ୍ଷତି ଘଟେ କି-? ମାଈ ହାତୀ ଦେଖାଇ ମହାବଳ ଦନ୍ତାକୁ କୋଟରେ ପୂରାଇ ତାକୁ ହୀନବଳ କରି ବଶ କରାଯାଏ । ଏଥିରେ ମାଈ ହାତୀର କୌଣସି କ୍ଷତି ଘଟେ କି ?

 

ଠିକ୍ ସେହିପରି ପୁରୁଷର ସର୍ବନାଶ କରି, ପୁରୁଷକୁ ପାଗଳ ସଜାଇ, ବାରଦ୍ୱାରରେ ବୁଲାଇଲେ ମଧ୍ୟ ସ୍ତ୍ରୀର କ’ଣ କ୍ଷତି ଘଟେ କି ? ସେ ସ୍ୱାମୀ ପୁତ୍ର କନ୍ୟା ନେଇ ବେଶ୍ ସୁଖରେ ରହେନାହିଁ କି ? ବିଗତ ଅତୀତକୁ କୌଣସି ସ୍ତ୍ରୀ କ’ଣ ମନେପକାଏ ? ନିତ୍ୟ ପ୍ରବୃତ ବର୍ତ୍ତମାନ ସଙ୍ଗରେ ତା’ର ସବୁବେଳେ କାରବାର । ଯେତେବେଳେ ସ୍ତ୍ରୀର ମନ ମଧ୍ୟରେ ଅତୀତ ଅସ୍ପଷ୍ଟ ଭାବେ ଦେଖାଦିଏ ସେତେବେଳେ ସେ କହେ ନାହିଁ କି ଯାହା ଯାଇଛି ତାହା ତ ଆଉ ଫେରିବ ନାହିଁ-। ସେଥିପାଇଁ ଅନୁଶୋଚନା କରି ଲାଭ କ’ଣ ?

 

କିନ୍ତୁ ଏହି ପୁରୁଷ କାହିଁକି ପାଗଳ ହୁଏ ? ନିଜର ଅତୀତକୁ ମନେପକାଇ ସେ କାହିଁକି ଲୁହ ଢାଳେ ? ସେ କ’ଣ ନିଜର ଅତୀତକୁ ଇଚ୍ଛାକଲେ ଭୁଲିପାରନ୍ତା ନାହିଁ । ମନ ପ୍ରାଣ ଢାଳି କାହାକୁ ଭଲପାଇଲା ପରେ ଯଦି ଭଲପାଇବା ପ୍ରତିବଦଳରେ ଠୋକ୍‍କର ମିଳେ ତେବେ ଦେହ ଧରିହୁଏ କି ?

 

ସ୍ତ୍ରୀ ଯେତେବେଳେ ଦମ୍ଭ ଧରି ଉନ୍ନତ ମଥାରେ ରାସ୍ତାଘାଟରେ ଚଳପ୍ରଚଳ କରିପାରେ ପୁରୁଷ କାହିଁକି ପାରେ ନାହିଁ ? ଏହି ପ୍ରଶ୍ନ ସେତେବେଳେ ଡକ୍ଟର ଡିଆନଙ୍କ ମନରେ ଉଦ୍ରେକ ହୋଇଥିଲା । ପରେ ପରେ ସେହି ପ୍ରଶ୍ନର ସମାଧାନ ସେ ଆପେ ଆପେ କରିଦେଲେ ଯେ, ପୁରୁଷର ଭଲପାଇବାରେ ଛଳନା ନଥାଏ ଏବଂ ସ୍ତ୍ରୀର ଆନ୍ତରିକତା ମୋଟେ ନଥାଏ । ତେଣୁ ପୁରୁଷ ପାଗଳ ହୁଏ ଏବଂ ସ୍ତ୍ରୀ ଦମ୍ଭରେ ଚାଲିପାରେ । ଭଲପାଇବା ବିଷୟରେ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ଏହି ପାର୍ଥକ୍ୟ ସବୁବେଳେ ପରିଲକ୍ଷିତ ହୁଏ ।

 

ଡକ୍ଟର ଡିଆନ ଅନ୍ୟ କାମରେ ବାହାରକୁ ଚାଲିଗଲେ ।

 

ଇତି ମଧ୍ୟରେ ତମିସ୍ରା ଯାଇ ଏକଶ କୋଡ଼ିଏ ନମ୍ବର କୋଠରୀର ଦ୍ୱାର ଦେଶରେ ଯେପରି ଉପସ୍ଥିତ ହୋଇଛି ତାକୁ ଦେଖି ଶୁଭେନ୍ଦୁ ଚିତ୍କାର କରି କହିଲେ, ‘‘ଏହି ଆକାଶଟା ତୁମ୍ଭମାନଙ୍କ ମୁଣ୍ଡରେ ଭାଙ୍ଗି ପଡ଼ନ୍ତା କି ? ତୁମ୍ଭେମାନେ ସମସ୍ତେ ଆକାଶ ତଳେ ଚିପି ହୋଇ ମରିଯାଆନ୍ତ । ଆଉ ମୁଁ ତାଳିମାରି ହସି ହସି କହନ୍ତି ହେଲା ତ ? ମୁଁ ତାକୁ ଯେତେ ପାଶୋରି ଯାଇଛି ବୋଲି କହୁଛି ତୁମ୍ଭେମାନେ ସବୁ ତାହାରି କଥା ମୋ ମନରେ ପକାଇଦେବାକୁ ପୁଣି ବାରମ୍ବାର ଆସୁଛ । ଆଉ ଆସିବ ? ମଜା ବୁଝିଲ ତ ?’’

 

ତମିସ୍ରାକୁ ଟିକିଏ ଅନାଇଲେ ଶୁଭେନ୍ଦୁ । ସେ ପୁଣି କହିଲେ, ‘‘ଓଃ ! ତାହାହେଲେ ତୁମେ ବଞ୍ଚିଛ ? ଏ ଆକାଶଟା ତୁମ ମଥାରେ ଖସିପଡ଼ିଲା ନାହିଁ । ହଁ, ସତକଥା । ଏ ଆକାଶଟା ଯଦି ଖସିପଡ଼ିବ ସେ ବି ତ ମରିଯିବ । ମୁଁ ତା’ର ଅମଙ୍ଗଳ ଚାହେ ନାହିଁ । ସେ ସୁଖରେ ରହୁ । ସେ ଯେତେ ଆନନ୍ଦରେ ରହିବ ସେତେ ଭଲ । ଯଦି ଟିକିଏ ସେ ଅଶାନ୍ତିରେ ରହେ, ଟିକିଏ ଦୁଃଖରେ ରହେ ସେ ମୋତେ କେବଳ ସେହି ଅଶାନ୍ତି ପାଇଁ ଓ ଦୁଃଖ ପାଇଁ ଦାୟୀ କରିବ । ମୁଁ କେବେ ତାକୁ ଅସୁଖୀ ଦେଖିବାକୁ ଚାହେ ନାହିଁ ।

 

ବେଶ୍ ତୁମ୍ଭେମାନେ ବଞ୍ଚିରୁହ । ଏ ଆକାଶଟା ଯେଉଁଠାରେ ଅଛି ସେହିଠାରେ ରହୁ । ହଁ, ଯେତେବେଳେ ସମୁଦାୟ ପୃଥିବୀଟା ଜଳମଗ୍ନ ହୋଇଯିବ ତୁମ୍ଭେମାନେ ସେତେବେଳେ କୁଆଡ଼େ ଯିବ ? ସମସ୍ତେ ନିଶ୍ଚୟ ପାଣିରେ ବୁଡ଼ି ମରିବ । ଆଉ ଏଠାକୁ ଆସି ମୋତେ ପୁଣି ତା’ କଥା ପଚାରିବାକୁ ତୁମ୍ଭେମାନେ ନଥିବ । ଯେତେ ସବୁ ଏ ଦୁନିଆରେ ଅଛ ସମସ୍ତେ ମୋ ପାଖରୁ ପଳେଇଗଲ । ମୁଁ କାହାକୁ ଚାହେ ନାହିଁ । ମୁଁ ଯେତେବେଳେ ତାକୁ ଭୁଲିଯାଇଛି ସେତେବେଳେ ତୁମ୍ଭେମାନେ ମୋର କିଏ ଯେ ପୁଣି ମୋ ପାଖକୁ ଆସିଛ ? ସତେ ଯେପରି ଏମାନେ ସବୁ ମୋର ଉପକାରୀ ବନ୍ଧୁ !!

 

ଟିକିଏ ଅପେକ୍ଷା କର । ପରମାଣୁ ବୋମା ଫୁଟିବ । ସେତେବେଳେ କ’ଣ ଆଉ ବଞ୍ଚିହେବ ? ସମସ୍ତେ ମରିଯିବୁ । ତେବେ କାହିଁକି ମୋତେ ଲଗାଇଛ ମିଛେ ମିଛେ ? ସେ ତା’ର ଶାନ୍ତିରେ ଅଛି, ସେ ତା’ର ସୁଖରେ ଅଛି । ସ୍ୱାମୀର ଛାତି ଉପରେ ମଥାରଖି ସେ ସ୍ୱାମୀକୁ ଭଲପାଏ ବୋଲି ଯେତେବେଳେ କହୁଥିବ ତା’ର ନିର୍ବୋଧ ସ୍ୱାମୀ ମନରେ ଗର୍ବ କରି ନିଜ ସମ୍ବନ୍ଧରେ ଅନେକ ଉଚ୍ଚ ଚିନ୍ତା କରି ତନ୍ମୟ ହୋଇଯାଉଥିବେ ସେତେବେଳେ ।

 

ଦେଖ ମୁଁ ଅତି ଭଲ ମଣିଷ । ମୁଁ ତାକୁ ପାଶୋରି ଦେଲା ପାଖରୁ ଆଉ କାହାକୁ ଭଲପାଏ ନାହିଁ । ନିଜକୁ ନିଜେ ମଧ୍ୟ ଭଲପାଏ ନାହିଁ । ମୁଁ ଯେ କିଏ ଏହି କଥା ମଧ୍ୟ ମୁଁ ନିଜେ ପାଶୋରିଯାଇଛି । ମୁଁ ଜିଇଁଛି କି ମରିଛି ଏ କଥା ମଧ୍ୟ ମୋର ମନେନାହିଁ । ଇସ୍...., ସତରେ ମୁଁ କ’ଣ ପାଗଳ ହୋଇଯିବ ? ତୁମ୍ଭେମାନେ ମୋତେ ପାଗଳ ଗାରଦରେ ପୂରାଇଦେଇ କହିବ, ‘ତୁମେ ପାଗଳ ହୋଇଗଲ ।’

 

ବାଃ କେତେ ହୀନ ଚକ୍ରାନ୍ତ ତୁମ୍ଭମାନଙ୍କ ମନରେ ନ ଅଛି ? ସତ କହୁଛି, ତା’ର ଦ୍ୱାହିଦେଇ ତୁମ୍ଭମାନଙ୍କୁ ମୁଁ କହୁଛି, ମୁଁ ତାକୁ ଭୁଲିଯାଇଛି ।

 

ତୁମ୍ଭେମାନେ ମୋତେ ବିଶ୍ୱାସ କର । ମୁଁ ମୋଟେ ଅବିଶ୍ୱାସୀ ନୁହେଁ । ବିଶ୍ୱାସଘାତକତା ମୋଦ୍ଵାରା ହୋଇପାରିବ ନାହିଁ । ସେ ମୋତେ ଭଲପାଇଥିଲା କି ନା ମୋତେ ଜଣାନାହିଁ । ମାତ୍ର ସେ ଯେତେବେଳେ ମୋତେ କହିଥିଲା, ‘ମୁଁ ତୁମକୁ ଭଲପାଏ’ ଏହି କଥାପଦକ ଶୁଣିଲା ମାତ୍ରେ ମୁଁ ହସି ହସି ତାହାର ହାତ ମୁଠାରେ ମୋ ପ୍ରାଣଟା ଥୋଇଦେଲି ।

 

ସେ ପ୍ରକୃତରେ ଭଲ ମଣିଷ । ସେଥିପାଇଁ ବଞ୍ଚିଗଲି । ତୁମଭଳି ଯଦି ଅବିଶ୍ୱାସୀ ଲୋକ ସେ ହୋଇଥାନ୍ତା ଯିମିତି ମୋ ପ୍ରାଣଟା ତା’ ହାତ ମୁଠାରେ ଥୋଇଦେଇଥିଲି ସେ ଯଦି ଚିପି ଦେଇଥାନ୍ତା ତେବେ ତ ଛଟପଟ ହୋଇ ମରିଯାଇଥାନ୍ତି । ମାତ୍ର ସେ ତାହା କଲା ନାହିଁ । ଭଗବାନ ତା’ର ମଙ୍ଗଳ କରନ୍ତୁ । ସେ ଭଲରେ ରହୁ ।

 

ଓଃ ! ଯେତେ କହିଲେ ମଧ୍ୟ ତୁମ୍ଭେମାନେ ତାହାହେଲେ ଏଠାରୁ ଯିବ ନାହିଁ । ବେଶ୍ ତୁମର କଥା ରହୁ । ମୁଁ ତେବେ ପଳାଇବି । ତେବେ ତୁମର ମୋର ଗୋଟିଏ ସର୍ତ୍ତ ରହୁ ଯେ ତୁମେ ତାକୁ ଯଦି କେବେ ଦେଖିବ କହିବ ମୁଁ ତାକୁ ଏକାବେଳକେ ଭୁଲିଯାଇଛି । ମୋ ମରିବା ଆଗରୁ ମୁଁ ଏତିକିବେଳେ ଶୁଣିବାକୁ ଚାହେଁ ଯେ ମୁଁ ତାକୁ ଭୁଲିଯାଇଛି ବୋଲି ଏ କଥା ଯିମିତି ସେ ଶୁଣିବ, ସେ ଯେପରି ଅତି ଆନନ୍ଦରେ କହିବ, ‘ସେଥିପାଇଁ ମୁଁ ତାକୁ ଭଲପାଇଥିଲି ।’

 

ଦେଖୁଛ କ’ଣ ? ତୁମେ ଶୀଘ୍ର ଯାଅ । ତାକୁ ଏତିକି କହିବ । ସେ ଶୁଣିଲେ ଖୁସିହେବ ଓ ତୁମେ ଗୋଟିଏ ସୁଖବର ତା’ ପାଖରେ ପହୁଞ୍ଚାଇଦେଇଛ ବୋଲି ଅନ୍ତର ଖୋଲି ଧନ୍ୟବାଦ ସେ ତୁମକୁ ଦେବ ।’’

 

ତମିସ୍ରାର ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଆସିଲା ।

 

ଏକଶ କୋଡ଼ିଏ ନମ୍ବର କୋଠରୀର ଦ୍ୱାରା ବନ୍ଦ ହୋଇଗଲା ଠିକ୍ ଗୋଟାଏ ବେଳେ ।

 

-ଆଠ-

 

ତମିସ୍ରା ଡାକ୍ତରଖାନାକୁ ଚାଲିଯିବା ପରେ ହୋଟେଲର ଶୂନ୍ୟ କୋଠରୀରେ ଶୋଇରହି ଜୀବନବାବୁ ଭାବୁଥିଲେ ନେଲୀର ଅଶାନ୍ତ ଆତ୍ମା ବର୍ତ୍ତମାନ ସୁଦ୍ଧା ତାଙ୍କ ପଛେ ପଛେ ଘୂରିବୁଲୁଛି । ସେ ଯେତେ ଚେଷ୍ଟା କରୁଛନ୍ତି ନେଲୀର ସ୍ମୃତିକୁ ମନ ମଧ୍ୟରୁ ଏଡ଼ିଦେବାକୁ ସେ ମୋଟେ ସଫଳକାମ ହୋଇପାରୁନାହାନ୍ତି ।

ନେଲୀ ତାଙ୍କୁ ହୃଦୟ ଦେଇ ଭଲପାଉଥିଲା, ପ୍ରାଣ ଦେଇ ବିଶ୍ୱାସ କରିଥିଲା, ହୃଦୟ ଦେଇ ନିଜର କରିଥିଲା ମାତ୍ର ଜୀବନବାବୁ ନେଲୀ ପାଇଁ କଲେ କ’ଣ ? ସେ ନେଲୀକୁ ଦିନେହେଲେ ବୁଝିବାକୁ ଚେଷ୍ଟା କରିଥିଲେ କି ? ସେ ନେଲୀର ଆଖିରୁ ଆହା କହି କେବେ ଟୋପାଏ ଲୁହ ପୋଛି ଦେଇପାରିଥିଲେ କି ? ସେ ଯଦି ଜଣକୁ ଅଶାନ୍ତିରେ ବୁଡ଼ାଇ ମାରିଦେଇପାରିଲେ ସେ ନିଜେ କିପରି ଶାନ୍ତିରେ ରହିବାକୁ ଆଶା କରୁଛନ୍ତି ?

ଯେ ଯାହା କରେ, ସେ ତାହା ଭୋଗ କରେ । ସେ ଯେପରି ନେଲୀକୁ କନ୍ଦାଇ କନ୍ଦାଇ ମାରିଥିଲେ ଆଉ ନିଜେ ସେ କାନ୍ଦି କାନ୍ଦି ତିଳ ତିଳ ହୋଇ ମରୁନାହାନ୍ତି କି ? ସେ ନେଲୀର ଭଲପାଇବାକୁ ସନ୍ଦେହ କରି ନେଲୀକୁ ଯେପରି ଉପହାସ କରିଥିଲେ ଆଜି ନିୟତି ସେହିପରି ତାଙ୍କୁ ପରିହାସ କରୁନାହିଁ କି ?

ନାରୀର ମଧ୍ୟ ଜୀବନ ଅଛି । ନାରୀର ମଧ୍ୟ ହୃଦୟ ଅଛି । ସେ ପୁରୁଷ ହେଲେ ବୋଲି ନେଲୀ ପ୍ରତି ଯେଉଁ ଶାନ୍ତି ବିଧାନ କଲେ ସେହି ପ୍ରକାର ଶାସ୍ତି ତାଙ୍କର ଦେବାର ଉଚିତ ହୋଇଛି କି-?

 

ମଣିଷ ଅନ୍ୟଉପରେ ଅତ୍ୟାଚାର କରି ସୁଖପାଏ । ଅନ୍ୟକୁ ଲାଞ୍ଝନା ଦେଇ ଆନନ୍ଦ ପାଏ । ଅନ୍ୟ ଆଖିରେ ଲୁହ ଦେଖିଲେ ସେ ମନ ଫୁଲାଇ ହସେ । ଯେ ଯେଉଁ ଅତ୍ୟାଚାର ଅନ୍ୟଉପରେ କରେ ଯଦି ତାକୁ ସେହି କଥା ଭୋଗ କରିବାକୁ ହୁଏ ସେ କ’ଣ ଖୁସିହେବ ? ତାହାର ପ୍ରାଣକୁ କ’ଣ ବାଧିବ ନାହିଁ ?

 

ସମସ୍ତଙ୍କର ଆତ୍ମା ଅଛି । ସମସ୍ତଙ୍କର ହୃଦୟ ଅଛି । ଏହିକଥା କ’ଣ ସମସ୍ତେ ବୁଝନ୍ତି ?

 

ଏହି ଦୁନିଆରେ ମଣିଷ କୌଣସି କଥା ବୁଝିପାରେ ନାହିଁ । ସେ କେବଳ ନିଜର ଫାଇଦା ଉଠାଇବାରେ ବ୍ୟସ୍ତ । ନିଜର ଫାଇଦା ଉଠାଇବାରେ ଟିକିଏ ଅସୁବିଧା ସୃଷ୍ଟି ହୋଇଗଲେ ଦେଖିବ ଜଣକର ମୁହଁ ଯଦି ପଶ୍ଚିମକୁ ଆଉ ଜଣକର ମୁହଁ ପୂର୍ବକୁ, ସ୍ୱାର୍ଥ ପଛରେ ଥାଏ ସବୁ ଅନର୍ଥ-

 

ମଣିଷ କେବଳ ସ୍ୱାର୍ଥପାଇଁ ବିବାହ କରେ ଏବଂ ସ୍ୱାର୍ଥପାଇଁ ମଧ୍ୟ ଛାଡ଼ପତ୍ର ଦିଏ । ତେଣୁ ସେ ଯାହା କରିଯାଏ ତାହା ଠିକ୍ କି ଭୁଲ୍ ସେକଥା ଅନ୍ୟମାନେ ବିଚାର କରନ୍ତି ।

 

ଅନେକ ସମୟରେ ମଣିଷ ଭୁଲ୍ ମଧ୍ୟ କରିଥାଏ । ପୁଣି ଭୁଲ୍‍ଟାକୁ ସୁଧାରିବାକୁ ଯାଇ ଅନ୍ୟ ଯେଉଁ ଗୋଟାଏ ଭୁଲ୍ କରିବସେ ସେହି ଭୁଲ୍ ଆଉ ସୁଧାରି ହୁଏ ନାହିଁ । ଜୀବନବାବୁ ମଧ୍ୟ ସେହି ଅବସ୍ଥାରେ ପଡ଼ିଥିଲେ ।

 

ସେ ଶୋଇ ଶୋଇ ଭାବି ଯାଉଥିଲେ ତାଙ୍କର ପୂର୍ବଦିନର ଘଟଣାବଳିକୁ । ଭାରତ ଛାଡ଼ି ରେଙ୍ଗୁନକୁ ଆସିବାର ହୋଇଥାଏ ତାଙ୍କର ସେତେବେଳକୁ ପ୍ରାୟ ଦେଢ଼ ବର୍ଷ ।

 

ଏହି ଦେଢ଼ ବର୍ଷ ତାଙ୍କ ଆଖିଆଗରୁ ଦେଢ଼ ଘଣ୍ଟା ମଧ୍ୟରେ ଆଉ ପଳାଇଗଲା କି ? ସେତେବେଳେ ଏହି କଥା ଭାବି ସେ ବିଶେଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନେଲୀର ସାନ୍ନିଧ୍ୟ ତାଙ୍କୁ ସବୁ ଭୁଲାଇ ଦେଇଥିଲା । ନେଲୀ, ଏହି ଆକାଶ, ଏହି ବସୁଧା, ଏହି ଚନ୍ଦ୍ର ଏବଂ ସୂର୍ଯ୍ୟଠାରୁ ବିରାଟ ଓ ମହାୟସୀ ବୋଲି ତାଙ୍କ ଆଖିକୁ ସେତେବେଳେ ଜଣାପଡ଼ିଥିଲା । ନେଲୀର ଅଧରରେ ସେ ରକ୍ତ ଗୋଲାପର ଶୋଭା ଦେଖି କହିଥିଲେ, ‘‘ନେଲୀ ! ମୋତେ ଯଦି କେହି ତୁମର ନାମକରଣ କରିବାକୁ କହନ୍ତା ମୁଁ ତୁମର ନାମ କ’ଣ ରଖନ୍ତି ଜାଣ ?’’

 

ନେଲୀ ସେତେବେଳେ କେବଳ ଜୀବନବାବୁଙ୍କୁ ଲୋଭନୀୟ ଆଖିରେ ଅନାଇ ତାଙ୍କର ନରମ ଅଧରର କୋମଳ ସ୍ପର୍ଶକୁ ଅପେକ୍ଷା କରିଥିଲା ।

 

ଜୀବନବାବୁ ସେ ବିଷୟରେ ମୋଟେ କୃପଣ ନଥିଲେ । ସେ ନେଲୀର ଅଧରରେ ନିଜର ଅଧର ଲଗାଇ କହିଥିଲେ ‘‘ତୁମକୁ ମୁଁ ଡାକନ୍ତି ‘ରେଡ଼୍ ରୋଜ୍ !’

 

ନେଲୀ ଲାଜରେ କୌଣସି ଜବାବ୍ ଦେଇପାରିନଥିଲା ।

 

ପ୍ରକୃତରେ କହିବାକୁ ଗଲେ ନେଲୀ ଥିଲା ଜୀବନବାବୁଙ୍କ ପ୍ରାଣ ଅପେକ୍ଷା ଅଧିକ ପ୍ରିୟ । ସେ ନେଲୀକୁ କ୍ଷଣେ ନ ଦେଖି ରହିପାରୁନଥିଲେ ।

 

ନେଲୀ ମଧ୍ୟ ଜୀବନବାବୁଙ୍କୁ ସେହିପରି ଭଲପାଉଥିଲା । ଯେତେବେଳେ ଜୀବନବାବୁ ନେଲୀକୁ ଯେଉଁ କଥା କହୁଥିଲେ ନେଲୀ ଗୋଟିଏ ପୋଷା ବିରାଡ଼ି ପରି ସବୁକଥା ହସି ହସି ପାଳନ କରୁଥିଲା । ମୋଟାମୋଟି କହିବାକୁ ଗଲେ ସେ ଦୁହିଙ୍କର ଥିଲା ଏକ ମନ, ଏକ ଆତ୍ମା ଓ ଏକ ହୃଦୟ ।

 

କଥା ପ୍ରସଙ୍ଗରେ ଦିନେ ନେଲୀ ଜୀବନବାବୁଙ୍କୁ କହିଲା, ‘‘ଜୀବନ ! ତୁମେ ଶୁଣିଲେ ଖୁସିହେବ ଯେ ଆସନ୍ତା ନବବର୍ଷରେ ତୁମକୁ ଗୋଟିଏ ଉପହାର ମିଳିବ ।’’

 

ଜୀବନବାବୁ କହିଲେ, ‘‘କ’ଣ ଶୁଣେ ?’’

 

ନେଲୀ ଟିକିଏ ଲଜ୍ଜା ମିଶ୍ରିତ ହସ ହସିଦେଇ କହିଲା, ‘‘ମୁଁ ମୋତେ ତୁମକୁ ଉପହାର ଦେବି ।’’

 

‘‘ମୁଁ କ’ଣ ତୁମକୁ ପାଇନାହିଁ ?’’

 

‘‘ପାଇଛ କିନ୍ତୁ ନବବଧୂ ଭାବେ ପାଇନାହଁ । ଆସନ୍ତା ନବବର୍ଷରେ.... ।’’ ଏତିକି କହି ନେଲୀ ଧାଇଁ ପଳାଇଲା ।

 

ଜୀବନବାବୁ ନେଲୀକୁ ଗୋଡ଼ାଇ ଗୋଡ଼ାଇ ବଗିଚା ସେ ମୁଣ୍ଡ ଯାଏଁ ଧାଇଁଗଲେ ।

 

ସେତେବେଳେ ବଗିଚାରେ ଗୋଟିଏ ପଥର ବେଞ୍ଚ ଉପରେ ବସିଥିଲେ ରବଟ୍ ଫ୍ରେଡ଼ାରିକ୍ ଓ ମିସେସ୍ ଉଆଲଫୋଡ଼ ।

 

ରବଟ୍ ଥିଲେ ଜଣେ ସମ୍ଭ୍ରାନ୍ତ ବଂଶୀୟ ଇଂରେଜ ଯୁବକ । ତାଙ୍କର ପିତୃପିତା ଅନେକ ବର୍ଷ ପୂର୍ବେ ବ୍ରହ୍ମଦେଶକୁ ବାଣିଜ୍ୟ କରିବାକୁ ଆସିଥିଲେ ଏବଂ ସେମାନେ ପ୍ରଭୂତ ଅର୍ଥ ଉପାର୍ଜନ କରି ରେଙ୍ଗୁନରେ ସ୍ଥାୟୀ ବାସିନ୍ଦା ହୋଇ ବସବାସ କରୁଥିଲେ । ଏହି ଫ୍ରେଡ଼ାରିକ୍ ବର୍ତ୍ତମାନ ବିଶାଳ ସମ୍ପତ୍ତିର ଏକମାତ୍ର ରକ୍ଷାକର୍ତ୍ତା ।

 

ରବଟ୍ ଫ୍ରେଡ଼ାରିକ୍ ଥିଲେ ବିପତ୍ନିକ । ଦୁଇଟି ଝିଅଙ୍କୁ ଛାଡ଼ି ମିସେସ୍ ଫ୍ରେଡ଼ାରିକ୍ ଚିରକାଳ ପାଇଁ ବିଦାୟ ନେଇ ଚାଲି ଯାଇଥିଲେ ।

 

ଅନେକ ସମୟରେ ଫ୍ରେଡ଼ାରିକ୍ ଇରାବତୀ ଭବନକୁ ଆସୁଥିଲେ ଏବଂ ମିସେସ୍ ଉଆଲଫୋଡ଼ଙ୍କୁ ଭକ୍ତିପୂର୍ଣ୍ଣ ନମସ୍କାର ମଧ୍ୟ ପକାଉଥିଲେ । ଫ୍ରେଡ଼ାରିକ୍‍ଙ୍କ ବ୍ୟବହାରରେ ମିସେସ୍ ଉଆଲଫୋଡ଼୍‍ ଯଥେଷ୍ଟ ପରିମାଣରେ ଆପ୍ୟାୟିତ ହେଲାପରି ମନେହେଉଥିଲା । ମାତ୍ର ମି: ଉଆଲଫୋଡ଼ ଫ୍ରେଡ଼ାରିକ୍‍ଙ୍କ ଯିବାଆସିବା ମୋଟେ ପସନ୍ଦ କରୁନଥିଲେ ଯେହେତୁ ସେ ପୁରୁଷର ହୃଦୟରେ ସବୁକଥା ବିଚାର କରନ୍ତି ।

 

ସେଦିନ ମିସେସ୍ ଉଆଲଫୋଡ଼ ଫ୍ରେଡ଼ାରିକ୍‍ଙ୍କୁ କହିଲେ, ‘‘ଫ୍ରେଡ଼ାରିକ୍ ! ତୁମେ ଦ୍ଵିତୀୟ ବିବାହ କରୁନାହଁ ?"

 

ଫ୍ରେଡ଼ାରିକ୍ କୌଣସି ଉତ୍ତର ନ ଦେଇ ସେ କେବଳ ମିସେସ୍ ଉଆଲଫୋଡ଼ଙ୍କୁ ଅନାଇଲେ ।

 

ପୁଣି ମିସେସ୍ ଉଆଲଫୋଡ଼ ଆପେ ଆପେ କହିଲେ, ‘‘ତୁମର ଯଦି କୌଣସି ଆପତ୍ତି ନଥାଏ ତେବେ ତୁମ ପାଇଁ କନ୍ୟା ଖୋଜିବା ଦାୟିତ୍ୱ ମୁଁ ସାଦରେ ଗ୍ରହଣ କରିପାରେ ।’’

 

ଏ ସୁବର୍ଣ୍ଣ ସୁଯୋଗ ସହଜରେ ବିଧାତା କପାଳରେ ମଧ୍ୟ ଘଟେନାହିଁ । ଯେତେବେଳେ ଏ ମଣିକାଞ୍ଚନ ଯୋଗ ଅଯାଚିତ ଭାବେ ଆସି ଫ୍ରେଡ଼ାରିକ୍ କପାଳରେ ଜୁଟିଗଲା ସେତେବେଳେ ସେ ଯଦି ଏହାର ସଦୁପଯୋଗ କରିନପାରିବେ ତେବେ ତାଙ୍କର କପାଳ ମନ୍ଦ ବୋଲି ବୁଝିନେବାକୁ ହେବ । ଘରେ ଅବିବାହିତା କନ୍ୟା । ସ୍ୱୟଂ ଜନନୀ ଯେତେବେଳେ ନିଜ ତରଫରୁ ପ୍ରସ୍ତାବ ପକାଉଛନ୍ତି ସେତେବେଳେ କନ୍ୟାଟି ଯେ କିଏ ଏହି କଥା ଫ୍ରେଡ଼ାରିକଙ୍କୁ ବୁଝିବାକୁ ମୋଟେ ବାକି ରହିଲା ନାହିଁ ।

 

ଫ୍ରେଡ଼ାରିକ୍ ଉତ୍‍ଫୁଲ୍ଲ ହୋଇ କହିଲେ, ‘‘ଆପଣ କ’ଣ ମୋର ହିତୈଷିଣୀ ନୁହନ୍ତି ଯେ ଆପଣଙ୍କୁ ପୁଣି ମୋତେ ଅନୁରୋଧ କରିବାକୁ ପଡ଼ିବ ? ଆପଣ ତ ମୋର ପରା ନୁହନ୍ତି । ଆପଣ ଯେଉଁଠାରେ କହିବେ ମୁଁ ସେଠାରେ ବିବାହ କରିବାକୁ ବାଧ୍ୟ ।’’

 

ନାରୀର ଗୋଟିଏ ସୁଗୁଣ ଏହି ଯେ, ଯେ ସେମାନଙ୍କର ପ୍ରଶଂସା ଗାଏ ସେମାନେ ତାହାର ଗୋଟିପଣେ ନିଜର ହୋଇଯାଆନ୍ତି । ମିସେସ୍ ଉଆଲଫୋଡ଼ଙ୍କର ମଧ୍ୟ ସେହି ସଦ୍‍ଗୁଣଟି ଅଧିକ ମାତ୍ରାରେ ଥିଲା । ସେ ତତ୍‍କ୍ଷଣାତ ରର୍ବଟ୍ ଆଡ଼କୁ ହାତ ବଢ଼ାଇଦେଲେ କରମର୍ଦ୍ଦନ ପାଇଁ । ରର୍ବଟ୍ ସଙ୍ଗେ ସଙ୍ଗେ କରମର୍ଦ୍ଦନ କଲେ ।

 

ମିସେସ୍ ଉଆଲଫୋଡ଼ ହସି ହସି କହିଲେ, ‘‘ସେ ଦାୟିତ୍ୱ ବର୍ତ୍ତମାନ ମୁଁ ମୋ ମଥାକୁ ନେଲି । ଆସନ୍ତା ଜୁନ ଆଗରୁ ଯେପରି ବିଭାଘର ହୁଏ ସେ ଯୋଗାଡ଼ରେ ମୁଁ ରହିଲି ।’’

 

ଫ୍ରେଡ଼ାରିକ୍ ଧନ୍ୟବାଦ ଜଣାଇ ଚାଲିଯାଇଥିଲେ ।

 

ମିସେସ୍ ଉଆଲଫୋଡ଼ ଭାବୁଥିଲେ ନେଲୀ ପାଇଁ ଫ୍ରେଡ଼ାରିକ୍ ହେଲେ ମନ୍ଦ ହୁଅନ୍ତା ନାହିଁ । ଅଗାଧ ଐଶ୍ୱର୍ଯ୍ୟ । ଭୋଗବିଳାସରେ ନେଲୀ ବୁଡ଼ି ରହିବ । କୌଣସି କଥାର ଅସୁବିଧା ନାହିଁ । ତେବେ ଦୁଇଟି ଝିଅ । ଝିଅ ଆଉ କେତେଦିନ ରହିବେ କି ? ପରଘରକୁ ଚାଲିଯିବ ।

 

ତାହାପରେ ସେ ଆଖିପତା ଟେକି ଉପରକୁ ଅନାଇଲେ । ନେଳୀ ଆକାଶ କୋଳରେ ଗୋଟାଏ ଧୂସର ମେଘ ଅନେକ ଦୂରରେ ଦେଖାଯାଉଥିଲା ଓ ଦୁଇଟି ଚଢ଼େଇ ଡେଣା ପିଟିପିଟି ଉଡ଼ି ଯାଉଥିଲେ ଲକ୍ଷହୀନ ଭାବରେ ।

 

ଅଳ୍ପ ଦୂରରୁ ନେଲୀ ଓ ଜୀବନବାବୁଙ୍କ ଉଛୁଳା ହସର ଲହରୀ ପବନରେ ଭାସି ଭାସି ମିସେସ୍ ଉଆଲଫୋଡ଼ ଆଡ଼କୁ ଆସୁଥିଲା । ମିସେସ୍ ଉଆଲଫୋଡ଼ ସେ ଆଡ଼କୁ ଅନାଇଲେ । ସେ ଦେଖିଲେ ଗୋଟିଏ ମାଧବୀଲତା ତଳେ ସବୁଜ ଘାସର ନରମ ଗାଲିଚା ଉପରେ ନେଲୀର ଅର୍ଦ୍ଧନଗ୍ନ ଶରୀର ଉପରେ ଭରାଦେଇ ଅର୍ଦ୍ଧଶାୟିତ ଅବସ୍ଥାରେ ବସିଥିଲେ ଜୀବନ । ଜୀବନର ଡାହାଣ ହାତଟା ନେଲୀର ବକ୍ଷଦେଶକୁ ବେଷ୍ଟନ କରି ସ୍କନ୍ଧ ପର୍ଯ୍ୟନ୍ତ ଲମ୍ବି ଆସିଥିଲା ।

 

ମିସେସ୍ ଉଆଲଫୋଡ଼ଙ୍କ ଯୌବନରେ ଗୋଟିଏ ରଙ୍ଗୀନ ଚିତ୍ର ସେତେବେଳେ ତାଙ୍କ ମନର ରୂପେଲୀ ପରଦାରେ ଅଙ୍କା ହୋଇଯାଇଥିଲା । ସେ ଧୀରେ ଧୀରେ ବଗିଚାରୁ ଗୃହାଭିମୁଖେ ପାଦ ବଢ଼ାଇଲେ । ସେତେବେଳେ ପଶ୍ଚିମ ଦିଗ୍‍ବଳୟରେ ସୂର୍ଯ୍ୟ ମ୍ଳାନ ମୁଖରେ ହସିଉଠୁଥିଲେ ।

 

ଏହି ଘଟଣା ଘଟିବା ଆଗରୁ ମଧ୍ୟ ଫ୍ରେଡ଼ାରିକ୍ କେବେହେଲେ ଖାଲି ହାତରେ ଇରାବତୀ ଭବନକୁ ଆସୁନଥିଲେ । ଯେତେବେଳେ ଆସୁଥିଲେ ପ୍ରତିଥର ସେ ଦାମିକା ଲୁଗାପଟା ଓ କେତେବେଳେ କିମିତି ନୂଆ ଡିଜାଇନର କାନ ଗହଣା କିମ୍ବା ଅତି ସରୁ ଚେନ୍‍ଟିଏ ଧରି ସାଥିରେ ଆସୁଥିଲେ । ନାରୀ ଉପଢୌକନ ପ୍ରିୟ । ତେଣୁ ଶାସ୍ତ୍ରରେ ଅଛି ନାରୀ, ଦେବତା, ରାଜା ଓ ପିଲା ଏମାନଙ୍କ ପାଖକୁ ଖାଲି ହାତରେ ଯିବା ଅନୁଚିତ ।

 

ଜୀବନବାବୁଙ୍କ କୋଳରେ ଶୋଇରହି ନେଲୀ ଜୀବନବାବୁଙ୍କୁ ପଚାରିଲା, ‘‘ତେବେ ଆସନ୍ତା ନବବର୍ଷରେ ତୁମେ କ’ଣ ମୋତେ ଦେବ ?’’

 

ଜୀବନବାବୁ ତୀର୍ଯକ ଚାହାଣି ଢାଳି ନେଲୀକୁ କହିଲେ, ‘‘ତୁମ ସଙ୍ଗେ ମୋର ପରିଚୟ ହେବା ପାଖରୁ ତୁମକୁ ଯେତେଗୋଟି ଆଜିଯାଏଁ ମୁଁ ଦେଇଛି ସେହିଦିନ ତହିଁରୁ ଗୋଟାଏ ଅଧିକା ନିଶ୍ଚୟ ଦେବି ।’’

 

ନେଲୀ ହସି ହସି କହିଲା, ‘‘ମାୟଁ ଗୁଡ଼୍ ଗଡ଼୍ ! ତୁମେ ଯିମିତି ବେପରବାୟ ଭାବେ ସେଗୁଡ଼ିକୁ ଖର୍ଚ୍ଚ କରିବାରେ ଲାଗିପଡ଼ିଛ ଦେଖୁଛି ଅଳ୍ପ କେତେଦିନ ଭିତରେ ତାହାହେଲେ ତ ତୁମେ ନିଶ୍ଚୟ ଦେବାଳିଆ ହୋଇଯିବ ।’’

 

‘‘ସେ ଆଶଙ୍କା କରିବା ତୁମର ଅନୁଚିତ ନେଲୀ ! ମୁଁ ଗୋଟାଏ ଖର୍ଚ୍ଚକଲେ ପରା ତୁମେ ଦୁଇଟା ମୋ ଭଣ୍ଡାରରେ ଥୋଇଦିଅ । ଦେବାଳିଆ ହେବା ପ୍ରଶ୍ନଉଠିଲା କୁଆଡ଼ୁ ?’’

 

କଥାର ଖିଅ ବଦଳାଇ ନେଲୀ କହିଲା, ‘‘ଜୀବନ ! ଆମ ବିବାହ ହେବ ସଂପୂର୍ଣ୍ଣ ଭାରତୀୟ ରୀତିରେ । ଯଦିଓ କୌଣସି ବିବାହ ବେଦୀ ଉପରେ ଆମର ବିବାହ ନ ହେବ ତଥାପି ମୁଁ ଶାଢ଼ି ପିନ୍ଧି, ମଥାରେ ସିନ୍ଦୁର ପିନ୍ଧି ତୁମର ଭାରତୀୟ ସ୍ତ୍ରୀ ଯେପରି ନବବଧୂ ବେଶରେ ଗୋଡ଼ ଟିପି ଟିପି ଚାଲେ ମୁଁ ସେହିପରି ଚାଲିବି ଏବଂ ତୁମେ ମୋର ମଥା ଉପରୁ ଅବଗୁଣ୍ଠନ ଖୋଲିଦେଇ...... ।’’ ଆଉ କିଛି କହିପାରିଲା ନାହିଁ ନେଲୀ । ଲାଜରେ ତା’ର ମୁହଁଟି ରଙ୍ଗ ପଡ଼ି ଯାଇଥିଲା ।

 

ଜୀବନବାବୁ କ୍ଷଣକାଳ ସ୍ତବ୍ଧହୋଇ ଶୁନ୍ୟ ଆକାଶକୁ ଅନାଇ ରହି ଭାବିବାକୁ ଲାଗିଲେ ଭାରତର ଦାମ୍ପତ୍ୟ ଜୀବନ ହେଉଛି ଶ୍ରେଷ୍ଠ ଜୀବନ । ଦୁଇଟି ଅଦେଖା ପ୍ରାଣୀ ହସ୍ତବନ୍ଧନ ପରେ ପରେ ହୋଇଯାନ୍ତି ପରସ୍ପର ଆପଣାର । ଶତ ଝଡ଼ଝଞ୍ଜା ମଧ୍ୟରେ ସେମାନେ ସେମାନଙ୍କ ନୀଡ଼ ରଚନା କରିଥାନ୍ତି । ଜୀବନ ଶେଷ ନ ହେବା ଯାଏଁ କେହି କାହାକୁ ଛାଡ଼ିଦେଇ ଯାଇପାରନ୍ତି ନାହିଁ । ଭାରତର ଏହି ଆଦର୍ଶ ହେଉଛି ଶ୍ରେଷ୍ଠ ଆଦର୍ଶ ।

 

ଖ୍ରୀଷ୍ଟମାସରେ ଫ୍ରେଡ଼ାରିକ୍‍ଙ୍କୁ ମିସେସ୍ ଉଆଲଫୋଡ଼୍‍ ଆମନ୍ତ୍ରଣ କରିଥିଲେ ଏବଂ ସନ୍ଧ୍ୟାରେ ଆସିଥାନ୍ତି ଫ୍ରେଡ଼ାରିକ୍ । ଡାଏନିଂ ଟେବୁଲର ଗୋଟିଏ ପଟରେ ବସିଥାନ୍ତି ମି: ଉଆଲଫୋଡ଼ ଏବଂ ତାଙ୍କ ପାଖରେ ବସିଥିଲେ ଜୀବନବାବୁ । ଅନ୍ୟପଟରେ ମଝିରେ ବସିଥିଲେ ଫ୍ରେଡ଼ାରିକ୍ । ତାଙ୍କ ଡାହାଣ ପଟରେ ବସିଥିଲା ନେଲୀ ଏବଂ ବାଁକୁ ବସିଥିଲେ ମିସେସ୍ ଉଆଲଫୋଡ଼୍ ।

 

ମଟନ୍ ଚପ୍‍ଟିଏ ଫ୍ରେଡ଼ାରିକ୍ ପାଟିରେ ମିସେସ୍ ଉଆଲଫୋଡ଼୍ ଗୁଞ୍ଜିଦେଇ କହିଥିଲେ, ‘‘ଫ୍ରେଡ଼ାରିକ୍ ! ତୁମ ପାଇଁ ନେଲୀ ନିଜ ହାତରେ ତିଆରି କରିଛି । ସେ ଯେ ତୁମକୁ କେତେ ଦେଖିପାରେ ତାହା ତୁମେ ବୋଧହୁଏ ଜାଣିପାରୁଥିବ ।’’

 

ମି: ଉଆଲଫୋଡ଼୍ କଟମଟ ଆଖିରେ ଅନାଇଲେ ମିସେସ୍ ଉଆଲଫୋଡ଼୍‍ଙ୍କୁ । ନେଲୀ ପ୍ରତିବାଦ କରି ଲଜ୍ଜ୍ୟାମିଶ୍ରିତ ଭାଷାରେ କହିଲା, ‘‘ତୁମେ ମାଆ ! ମୋର ପ୍ରଶଂସା ଏତେ ଗାଉଛ କାହିଁକି ?’’

 

ଜୀବନବାବୁଙ୍କ ମୁହଁ ସେତେବେଳେ ଶୁଖିଆସିଥିଲା । ତାଙ୍କର ସେତେବେଳେ ଇଚ୍ଛା ହେଉଥିଲା ସମୁଦାୟ ପ୍ଲେଟ୍‍ଟା ନେଲୀ ମୁହଁକୁ ଫିଙ୍ଗିଦେଇ ଧାଇଁ ପଳାଇବାକୁ । ସେ ଖୁବ୍‍ଶୀଘ୍ର ଖାଇବା ଶେଷ କରି ହାତଟେକି ବସି ରହିଲେ ।

 

ମିସେସ୍ ଉଆଲଫୋଡ଼୍ ପୁଣି ଆରମ୍ଭ କଲେ, ଫ୍ରେଡ଼ାରିକ୍ ! ନେଲୀକୁ ଥରେ ଅନାଇଲ-। ତୁମେ ଯେଉଁ ହାରଟି ଆଣିଥିଲ ସେହି ହାରଟି ନେଲୀ ବେକରେ କେତେ ଚକ୍‍ଚକ୍ କରୁଛି-

 

ଫ୍ରେଡ଼ାରିକ୍ ଓଠ ଚିପି ଚିପି ହସିଲେ । ଜୀବନବାବୁ ସେତେବେଳେ ଅସହାୟ ଭାବେ ଘରର ଛାତକୁ ଅନାଇ ରହିଲେ ଏବଂ ମନେମନେ ଭାବୁଥିଲେ ସବୁ କରିପାରେ ଏହି ନାରୀ !!

 

ଖିଆପିଆ ଶେଷରେ ଜୀବନବାବୁ ଶୋଇବାକୁ ଗଲେ । ପାଖ ଘରୁ ଫ୍ରେଡ଼ାରିକ୍‍ର ଉଛୁଳା ହସ ଶୁଭୁଥିଲା । ସେ ଘରେ ନେଲୀ ଥିଲା କି ନା ସେ କଥା କହିହେବ ନାହିଁ ।

 

ଫ୍ରେଡ଼ାରିକ୍ ଗାଡ଼ିରେ ଷ୍ଟାର୍ଟ ଦେଲେ । ମିସେସ୍ ଉଆଲଫୋଡ଼୍ ତାଙ୍କୁ ବିଦାୟ ଦେବାକୁ ଗାଡ଼ି ପାଖକୁ ଯାଇଥିଲେ ।

 

ଜୀବନବାବୁ ଯେଉଁ ଘରେ ଶୋଇଥିଲେ ନେଲୀ ସେ ଘରପାଖକୁ ଆସି ଦ୍ୱାରରେ ହାତ ମାରିଲା । ଜୀବନବାବୁ ଭିତରୁ କବାଟ ବନ୍ଦ କରିଦେଇଥିଲେ । ନେଲୀ ଜୀବନବାବୁଙ୍କୁ ଦ୍ୱାର ଖୋଲିବାକୁ ଯେତେ ଅନୁରୋଧ କଲା ଜୀବନବାବୁ ମୋଟେ ଶୁଣିଲେ ନାହିଁ ।

 

ଜୀବନବାବୁଙ୍କୁ ଶୁଣାଇ ଶୁଣାଇ ମିସେସ୍ ଉଆଲଫୋଡ଼୍ କହିଲେ, ‘‘ମୁଁ ସେଥିପାଇଁ ନେଲୀ’’ ! ତୋତେ କହୁଥିଲି ଭାରତର ଲୋକେ ପ୍ରେମ କ’ଣ ଜିନିଷ ତାହା ସେମାନେ ଜାଣନ୍ତି ନାହିଁ-। ସେମାନେ ପ୍ରେମକୁ ଜୀବନ୍ତ ରଖିବାକୁ ମୋଟେ ଚେଷ୍ଟା କରନ୍ତି ନାହିଁ । ପ୍ରେମର ତଣ୍ଟିଚିପି ମାରିଦେଇ ସେମାନେ ପ୍ରେମିକ ହୁଅନ୍ତି । ବର୍ତ୍ତମାନ ବୁଝିଲୁ ତ ମୁଁ ଯାହା କହୁଥିଲି ତାହା ଠିକ୍ କି ନୁହେଁ ?

 

ଫ୍ରେଡ଼ାରିକ୍ କେଡ଼େ ଭଦ୍ର ! ବଡ଼ଲୋକର ପିଲା ! ବଡ଼ଲୋକି ଆଦବ୍‍କାଇଦା ସବୁ ତାଙ୍କୁ ଜଣା । ସେଥିପାଇଁ ତୋର ବିବାହ ପ୍ରସ୍ତାବ ମୁଁ ତାଙ୍କୁ ଦେଇଛି ଏବଂ ସେ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ।’’

 

Unknown

ନେଲୀ ଚିତ୍କାର କରି କହିଲା, ‘‘ତାହା କୌଣସି ପ୍ରକାରେ ମୋର ପ୍ରେମକୁ ବଜାରରେ ପଣ୍ୟଦ୍ରବ୍ୟ ପରି ବିକ୍ରୟ କରିପାରିବ ନାହିଁ । ମୁଁ ଜୀବନକୁ ମୋର ସବୁ ଦେଇଛି । ମୁଁ ଜୀବନ ବ୍ୟତୀତ ଅନ୍ୟ କାହାକୁ ବିବାହ କରିପାରିବି ନାହିଁ । ଜୀବନ ମୋର ସବୁ । ତୁମେ ମୋତେ ପାପକଥା କୁହନାହିଁ ମା’ !’’

 

ଚାପା ଗଳାରେ ମିସେସ୍ ଉଆଲଫୋଡ଼୍ କହିଲେ, ‘‘ତୁ ତୋର ପିଲାଳିଆ ବୁଦ୍ଧିରେ ଯାହା କହୁଛୁ ତୋ କଥାରେ ଗୋଟିଏ ପିଲା କେବଳ ବିଶ୍ୱାସ କରିବ । ମୋ ବୟସର ଅଭିଜ୍ଞତା ଓ ଅଙ୍ଗେ ଲିଭାଇବା କଥାରୁ ଯାହା କହୁଛି ତାହା ଠିକ୍ । ପୂର୍ଣ୍ଣିମା ତିଥିରେ ସମୁଦ୍ର କୂଳ ଲଙ୍ଘନ କରେ । ପୂର୍ଣ୍ଣିମା ପରେ ସମୁଦ୍ର ପୁଣି ତା’ର ପୂର୍ବ ଅବସ୍ଥାକୁ ଫେରିଆସେ ନାହିଁକି ? ଠିକ୍ ସେହିପରି ନାରୀ । ନାରୀର ହୃଦୟ ସମୁଦ୍ର ପରି । ଟିକିଏ ଅନୁକୂଳ ପରିସ୍ଥିତି ପାଇଲେ ନାରୀ ଯେତେଶୀଘ୍ର ହୃଦୟ ପ୍ରଦାନ କରେ, ପ୍ରତିକୂଳ ପରିସ୍ଥିତି ଉପସ୍ଥିତ ହେଲେ ସେତେ ଶୀଘ୍ର ହୃଦୟ ଫେରାଇଆଣେ ।

 

ଯୌବନର ପ୍ରଥମ ପାହାଚରେ ତୁ କେବଳ କେଇଦିନ ହେଲା ପଦାର୍ପଣ କରିଛୁ । ଅନେକ ପାହାଚ ଅତିକ୍ରମ କରିବାକୁ ଏ ଜୀବନ ମଧ୍ୟରେ ପଡ଼ିବ । ଅନେକ ଲୋକଙ୍କ ପାଖରେ ହୃଦୟ ସମର୍ପଣ କରିଦେଇ ପୁଣି ଫେରାଇ ଆଣିବାକୁ ପଡ଼ିବ । ପ୍ରାୟ ଅଧିକାଂଶ ନାରୀ ଏହା କରନ୍ତି । ମୁଁ ମଧ୍ୟ ତାହା କରିଛି । ତୁ ଯଦି ବଞ୍ଚି ରହିବାକୁ ଚାହୁଁ ତାହା ମଧ୍ୟ ତୋତେ କରିବାକୁ ପଡ଼ିବ-। ବର୍ତ୍ତମାନ ବୁଝିଲୁ ନାରୀର ହୃଦୟ କି ପ୍ରକାର ଜିନିଷ ? ନାରୀର ହୃଦୟ ପୁରୁଷର ହୃଦୟ ପରି କ୍ଷଣଭଙ୍ଗୁର ନୁହେଁ, ତାହା ସ୍ଥିତି ସ୍ଥାପକ କହିଲେ ଚଳେ ।

 

ନେଲୀ କୌଣସି ଜବାବ୍ ଦେଇନଥିଲା, ସେ କେବଳ ସେତେବେଳେ ମନେମନେ ଚିନ୍ତା କରୁଥିଲା ତେବେ ନାରୀ କ’ଣ ତା’ର ହୃଦୟକୁ ସମସ୍ତଙ୍କୁ ଅର୍ପଣ କରି ପୁଣି ଫେରାଇଆଣେ ? ଏ ପ୍ରକାର ବେଶ୍ୟାବୃତ୍ତି କାହିଁକି କରେ ନାରୀ ? ସେ ଯାହାକୁ ମନ ଦିଏ ସେ କ’ଣ ତା’ର କେହି ନୁହେଁ-? ଜୀବନ ଯଦି ତା’ର କେହି ନ ହୋଇଥାନ୍ତେ ତେବେ ତାଙ୍କୁ ମନ ଓ ହୃଦୟ ଦେଇ ଭଲପାଇଲା କିପରି ?

 

ସେ କୌଣସି ପ୍ରକାରେ ବେଶ୍ୟାବୃତ୍ତି କରିପାରିବ ନାହିଁ । ପବିତ୍ର ପ୍ରେମ ପାଖରେ ସେ କୌଣସି ଧପ୍ପାବାଜି କରିପାରିବ ନାହିଁ । ଯାହାକୁ ଦିନେ ସେ ହୃଦୟ ଦେଇ ଭଲପାଇଛି ସେ ହେଉଛି ତା’ର ଭଗବାନ । ଭଗବାନଙ୍କଠାରୁ ବଡ଼ କହିଲେ ମଧ୍ୟ ଚଳେ । ନାରୀ ହେଉଛି ପ୍ରେମର ପ୍ରତିମୂର୍ତ୍ତି । ସେ ପ୍ରେମର ପବିତ୍ର ମୁଖରେ କୌଣସି ପ୍ରକାରେ କଳା ବୋଳିଦେଇ ପ୍ରେମକୁ ପାପ ବୋଲି କହିପାରିବ ନାହିଁ । ପ୍ରେମ, ସ୍ନେହ, ଦୟା, କ୍ଷମା, ଏ ସମସ୍ତ ସ୍ୱର୍ଗୀୟ ବସ୍ତୁ । ଏସବୁ କେବେ ପାପ ହୋଇପାରିବ ନାହିଁ । ଯେଉଁମାନଙ୍କର ଜଗତରେ ସ୍ଖଳନ ହୋଇଥାଏ ସେହିମାନେ ହିଁ କେବଳ ଏସବୁ ଅମୂଲ୍ୟ ବସ୍ତୁକୁ ପାର୍ଥିବ ଜଗତରେ ଘୃଣା ଚକ୍ଷୁରେ ଦେଖନ୍ତି ।

 

ଏହା ଭାବି ପୁଣି ନେଲୀ ଧୀରେ ଧୀରେ କବାଟ ପାଖକୁ ଗଲା ଏବଂ କବାଟରେ ହାତମାରିଲା କିନ୍ତୁ ଜୀବନବାବୁଙ୍କ ପାଖରୁ କୌଣସି ଜବାବ୍ ନେଲୀ ପାଇଲା ନାହିଁ । ନେଲୀ ଶୀତରେ ଥରିଥରି ସେମିତି ଚଟାଣ ଉପରେ ଶୋଇଗଲା ।

 

ଜୀବନବାବୁଙ୍କ ଆଖିରେ ଘୋଟି ଯାଇଥିଲା ଅମାବାସ୍ୟାର ଘନ ଅନ୍ଧକାର । ଆକାଶର ଚନ୍ଦ୍ର ଓ କୋଟି କୋଟି ତାରା ସେଦିନ ତାଙ୍କ ଆଖିକୁ ନିଷ୍କ୍ରଭ ଜଣାପଡ଼ୁଥିଲେ । ତାଙ୍କୁ ବେଶୀ ଛଳନା କରେ ଏହି ନାରୀ । ସାପର ଜିଭଟି ଦୁଇଫାଳ ଏବଂ ସେ ତା’ର ସେହି ଦୁଇଫାଳ ଜିଭରେ ବିଷ ଉଦ୍‍ଗାର କରେ । ଏଣୁ ନାରୀକୁ ବିଶ୍ୱାସ କରିବା ଅନୁଚିତ ।

 

ନେଲୀ ପ୍ରତି ଘୃଣାରେ ତାଙ୍କ ଦୃଦୟ ପୂରିଯାଇଥିଲା । ଯେଉଁ ନେଲୀ ତାଙ୍କ ଆଖିରେ ଦିନେ ସବୁଠାରୁ କମନୀୟ ହୋଇ ଦେଖାଯାଇଥିଲା, ସେଇ ନେଲୀ ସେଦିନ ତାଙ୍କ ଆଖିକୁ ଦେଖାଯାଇଥିଲା ସର୍ବାପେକ୍ଷା କୁତ୍ସିତା । ଇସ୍ କେତେ ବଡ଼ ବଡ଼ ତାର ଡିମା ଡିମା ଆଖିଦୁଇଟା, କାନ ଦୁଇଟା ଠିକ୍ ହାତୀର କାନ ପରି ବଡ଼ ଓ ନାକଟା ଠିକ୍ ପେଚାର ନାକ ପରି ଚେପଟା, ନେଲୀ କ’ଣ ତାହାହେଲେ ଆଦିକବି ବାଲ୍ମୀକିଙ୍କ ବର୍ଣ୍ଣିତ ଲଙ୍କାର ରାକ୍ଷସୀ ?

 

ନେଲୀ ନିଶ୍ଚୟ ରାକ୍ଷସୀ । ତା’ ନ ହୋଇଥିଲେ ତାହାର ସ୍ୱରୂପ ପ୍ରକାଶ ପାଇଥାନ୍ତା କିପରି ? ସ୍ୱର୍ଣ୍ଣ ମୃଗର ସ୍ୱରୂପ ଯେପରି ସୁନା ନୁହେଁ ଠିକ୍ ସେହିପରି ନେଲୀର ବିଶ୍ୱ ମୋହିନୀ ରୂପଟା ତା’ର ସ୍ୱରୂପ ନୁହେଁ ।

 

ସମଗ୍ର ରେଙ୍ଗୁନ ନିଦ୍ରାମଗ୍ନ । ପାଦ ଧୀରେ ଧୀରେ କାଢ଼ି ବାହାରକୁ ଆସିଲେ ଜୀବନବାବୁ । ସମୁଦ୍ରର ଗର୍ଜନ ତାଙ୍କ କାନକୁ ଶୁଭୁଥିଲା । ମହାକାଶ ତାଙ୍କୁ ଉପହାସ କରି ସତେ ଯେପରି ସେତେବେଳେ କହୁଥିଲା, ‘‘ଜୀବନ ! ନାରୀକୁ ପ୍ରାଣଦେଇ ଭଲପାଇବା ହେଉଛି ନିର୍ବୋଧତା । ଯେ ନାରୀ ହାତରେ ଜୀବନ ସମର୍ପଣ କରିଦିଏ ସେ ତା’ର ଦୁର୍ଦ୍ଦଶାକୁ କେବେ ଡାକିଆଣେ ।

 

ପାଦ ପରେ ପାଦ ଆସେ ଆଗକୁ ବଢ଼ାଇ ଦ୍ରୁତ ଗତିରେ ଚାଲିବାକୁ ଆରମ୍ଭ କଲେ । ଜନାକୀର୍ଣ୍ଣ ରେଙ୍ଗୁନୁ କାଳରାସ୍ତା ଅନେକ ପଛରେ ତାଙ୍କର ପଡ଼ି ରହିଥିଲା ।

 

ଆଗରେ ତାଙ୍କର ପବିତ୍ର ଜନ୍ମମାଟି ।

 

ଜୀବନବାବୁ ଭୂଇଁରେ ମଥା ଲଗାଇଲେ, ତାଙ୍କର ସର୍ବାଙ୍ଗରେ ଅପୂର୍ବ ସିହରଣ ସେ ଅନୁଭବ କଲେ । ଆଖିରୁ ଧାର ଧାର ଲୁହ ଗଡ଼ିଆସିଲା ।

 

ଅସ୍ପଷ୍ଟ ସ୍ୱରରେ ସେ ଆବୃତ୍ତି କଲେ–

 

‘‘ଏହି ମୋ ଜନମ ଭୂମି

ଭାରତ ପବିତ୍ର ଭୂମି

ଚରଣ ଯାର ପଖାଳେ ମହାସାଗର

ଯା କୋଳେ ସାବିତ୍ରୀ, ସୀତା-

ସମା, ନାରୀ ପତିବ୍ରତା

ଜନମ ଲଭିତା ହୋଇ ଗଲେ ଅମର,

ଯୁଗେ ଯୁଗେ ଏ ଦେଶ ନାରୀ

ପବିତ୍ରତା ପଣେ ଗଙ୍ଗା ନୁହେଁ ତା’ ସରି ।’’

 

ଯେଉଁ ଦେଶରେ ପ୍ରେମର ଯମୁନା ବହେ, ଯେଉଁ ଦେଶରେ ସ୍ୱୟଂ ବିଷ୍ଣୁ ଦାରୁ ବେଶରେ ନିଳାଚଳରେ ବିଦ୍ୟମାନ ସେହି ଦେଶଠାରୁ ପବିତ୍ର ଦେଶ ଆଉ କେଉଁଠାରେ କ’ଣ ଅଛି ? ଏହାର ମାଟି, ଏହାର ଆକାଶ ଅନ୍ୟ ଦେଶର ମାଟି ଓ ଆକାଶଠାରୁ ମଧ୍ୟ ଅଧିକ ପବିତ୍ର । ଯେଉଁ ଦେଶର ପତିତପାବନୀ ଗଙ୍ଗାରେ ସ୍ନାନ କଲା ମାତ୍ରେ କୋଟି ଜନ୍ମର ପାପ କ୍ଷଣକେ ଧୋଇ ହୋଇଯାଏ । ଏବଂ ମଣିଷ ସ୍ଵଦେହରେ ସ୍ୱର୍ଗକୁ ଯାଏ ସେହି ଦେଶଠାରୁ ଆଉ କେଉଁଠାରେ କ’ଣ ସୁନ୍ଦର ଦେଶ ଅଛି ?

 

ମଣିଷ ନିଜ ଜନ୍ମଭୂମି ସମ୍ବନ୍ଧରେ ଯେତିକି ଚିନ୍ତା କରେ ସେଦିନ ଜୀବନବାବୁ ମଧ୍ୟ ତାହାଠାରୁ ଆହୁରି ଅଧିକ ଚିନ୍ତା କରୁଥିଲେ । ତାଙ୍କର ଆଖି ସଜଳ ହୋଇଆସିଲା । ଏହିଦେଶକୁ ଭୁଲି ସେ ଏକ ମାୟାବିନୀର ପ୍ରେମ ଫାଶରେ ପଡ଼ି ଗୋଟିଏ ନର୍କପୁରୀରେ ଯେ ଏତେଦିନ ବନ୍ଦୀ ହୋଇ ରହିଥିଲେ ଏହା ଭାବି ସେ ନିଜକୁ ଶତ ଧିକ୍କାର କରିବାକୁ ଲାଗିଲେ ।

 

ଯେତେବେଳେ ଯିଏ ଅନ୍ୟ ସମ୍ବନ୍ଧରେ ଖରାପ ଚିନ୍ତା କରେ ସେତେବେଳେ ସେ କେବଳ ତା’ର ଦୋଷ ଖୋଜି ବୁଲେ । ତାହାର ଲକ୍ଷେ ସଦ୍‍ଗୁଣ ଥିଲେ ମଧ୍ୟ ତାହା ଆଖିରେ ମୋଟେ ପଡ଼େନାହିଁ । ସେଦିନ ଜୀବନବାବୁଙ୍କ ଆଖିରେ ମଧ୍ୟ ନେଲୀର ସମସ୍ତ ସଦ୍‍ଗୁଣ ଗୋଟାଏ କିମ୍ଭୂତକିମାକାର ରୂପଧରି ଛଡ଼ା ହୋଇଥିଲା ଏବଂ ସେ ମନେମନେ କହିଥିଲେ ଗୋଟାଏ ମାୟାବିନୀ ରାକ୍ଷସୀର କଥା ଚିନ୍ତା କରିବା ପାପ ନୁହେଁ କି ?

 

କିଛିଦିନ ପରେ ଜୀବନବାବୁଙ୍କ ବିବାହ କନକ ଦେବୀଙ୍କ ସଙ୍ଗେ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଥିଲା । କନକ ଦେବୀ ଅନେକ ଯୌତୁକ ସଙ୍ଗରେ ଧରି ନୋଳିମୁକୁଟ ପିନ୍ଧି ନବବଧୂ ବେଶରେ ଆସିଥିଲେ ଜୀବନବାବୁଙ୍କ ଘରକୁ । ଯିଏ ସେତେବେଳେ କନକ ଦେବୀଙ୍କୁ ଦେଖିଥିଲା ସେ କହିଥିଲା, ‘‘ଏ ନିଜେ କ’ଣ କନକ ଦୁର୍ଗା କି ?

 

ସ୍ତ୍ରୀ ସୌନ୍ଦର୍ଯ୍ୟରେ ଜୀବନବାବୁଙ୍କ ଆଖି ବୁଜି ହୋଇଯାଇଥିଲା । ସେ ମନେମନେ ଚିନ୍ତା କରିଥିଲେ ଏହାର ଗୋଡ଼ର କାଣୀ ଆଙ୍ଗୁଠିକୁ ନେଲୀ କେଉଁ ଗୁଣରେ ସରିହେବ ?

 

ବିବାହ ପରେପରେ ଜୀବନବାବୁ ନବଦମ୍ପତିର ଗୋଟିଏ ଫଟୋ ନେଲୀ ପାଖକୁ ପଠାଇଦେଇ ଲେଖିଥିଲେ ଯଦି କେବେ ଜୀବନରେ ସୁଯୋଗ ଆସେ ଯେଉଁ ସ୍ତ୍ରୀଟି ଅଗ୍ନି ଦେବତାଙ୍କୁ ସାକ୍ଷୀରଖି, ମଥାରେ ସିନ୍ଦୁର ପିନ୍ଧି ତାଙ୍କର ଅପୂର୍ଣ୍ଣ ଜୀବନକୁ ପୂର୍ଣ୍ଣାଙ୍ଗ କରିବାକୁ ଆସିଛି ସେ ନିଜେ ସେହି ସ୍ତ୍ରୀକୁ ସଙ୍ଗରେ ଧରି ନେଲୀକୁ ସାକ୍ଷାତ କରିବାକୁ ଯିବେ ।

 

ଏହାପରେ ସେ ଦିନେ ବୋକୀ ନେଲି କଥା ଆଉ ଭୁଲ୍‍ରେ ମଧ୍ୟ ମନେପକାଇ ନାହାନ୍ତି-। ନେଲୀ ତାଙ୍କର କିଏ ଯେ ସେ ପୁଣି ତାକୁ ମନେପକାଇବେ ?

 

ଯେ ଅନ୍ୟକୁ ପ୍ରତାରଣା କରେ, ଅନ୍ୟର ବିଶ୍ୱାସରେ ବିଷ ବୋଳିଦିଏ, ଅନ୍ୟକୁ ସବୁ ଦେବାର ପ୍ରତିଶ୍ରୁତି ଦେଇ ଶୂନ୍ୟ ହସ୍ତରେ ଫେରାଇଦେଇ ରାସ୍ତାରେ ଛିଡ଼ା କରାଇ ତାଳି କରି ହସେ, ତାକୁ କେହି କ’ଣ ମନେପକାଏ ?

 

ଦିନ ପରେ ଦିନ, ମାସ ପରେ ମାସ ବିତି ଯାଇଥିଲା । ସେଦିନ ହୋଇଥାଏ ଜୁନ୍ ଦଶ ତାରିଖ । ଜୀବନବାବୁ ଗୋଟାଏ ଚିଠି ପାଇଲେ ଫ୍ରେଡ଼ାରିକ୍ ପାଖରୁ । ଅସୀମ ଆଗ୍ରହରେ ଜୀବନବାବୁ ଲଫାପା ଖୋଲିଲେ । ଲଫାପାରେ ରେଙ୍ଗୁନ୍ ପୋଷ୍ଟ ଅଫିସର ମୋହର ବସିଥିଲା । ଜୁନ ଦୁଇତାରିଖରେ ଚିଠିଟି ପୋଷ୍ଟ ହୋଇଥିଲା ।

 

ଫ୍ରେଡ଼ାରିକ୍ ଲେଖିଥିଲେ ଅତି ଛୋଟ ଚିଠିଟିଏ, ଚିଠିର ବିଷୟବସ୍ତୁ ମଧ୍ୟ ଅତି ସଂକ୍ଷିପ୍ତ ।

 

ଜୁନ୍ ଦୁଇତାରିଖ ଦିନ ଫ୍ରେଡ଼ାରିକ୍ ଓ ନେଲୀର ବିବାହ ହେବାର କଥା । ପୂର୍ବରୁ ଦିନ ଧାର୍ଯ୍ୟ ହୋଇସାରିଥିଲା । ଫ୍ରେଡ଼ାରିକ୍ ଅସୀମ ଆନନ୍ଦରେ ବହୁମୂଲ୍ୟ ପୋଷାକ ପିନ୍ଧି କ୍ୟାଥୋଲିକ୍ ଚର୍ଚ୍ଚରେ ନେଲୀକୁ ଅପେକ୍ଷା କରିଥିଲେ । ନେଲୀକୁ ଆଣିବାକୁ କାର ପଠା ଯାଇଥିଲା ।

 

ଚାହିଁ ଚାହିଁ ଆଖିର ପାଣି ଆଖିରେ ମରିଗଲା । ତଥାପି ନେଲୀର ପତ୍ତାନାହିଁ । ଆମନ୍ତ୍ରିତ ବନ୍ଧୁ ଓ ପାଦ୍ରୀ ସାହେବ ମଧ୍ୟ ବ୍ୟସ୍ତ ହୋଇପଡ଼ିଥିଲେ । ଅନେକ ବିଳମ୍ବ ଘଟିବାରୁ ନିଜେ ଫ୍ରେଡ଼ାରିକ୍ ଗାଡ଼ି ଚଲାଇ ଯାଉଥିଲେ ଇରାବତୀ ଭବନକୁ ।

 

ଇରାବତୀ ଭବନ ସମ୍ମୁଖରେ ଗାଡ଼ି ବନ୍ଦକରି ସେ ଯେପରି ଗାଡ଼ିରୁ ଓହ୍ଲାଇ ପଡ଼ିଛନ୍ତି ବଗିଚା ରକ୍ଷକ ଆସି ସଶ୍ରୁଳ ନୟନରେ କହିଲା, ‘‘କ’ଣ ପାଇଁ ଆସିଲ ମି: ଫ୍ରେଡ଼ାରିକ୍ ! ସବୁ ଶେଷ ହୋଇଯାଇଛି ।’’

 

ଫ୍ରେଡ଼ାରିକ୍ କିଛି ବୁଝିପାରିଲେ ନାହିଁ । ସେ ଦ୍ରୁତ ପଦରେ ଭିତରୁକୁ ଗଲେ । ଯାହା ଦେଖିଲେ ତାଙ୍କର ଆଖିବୁଜି ହୋଇଗଲା ।

 

ସେ ଦେଖିଲେ ନେଲୀର ଅର୍ଦ୍ଧଦଗ୍ଧ ପ୍ରାଣହୀନ ଶରୀରଟି ଚଟାଣ ଉପରେ ପଡ଼ିଥାଏ । ପାଖରେ ବସି ରହିଥିଲେ ଉଆଲଫୋଡ଼୍ ଦମ୍ପତି । କାହାରି ମୁହଁରେ ଭାଷା ନ ଥିଲା କିମ୍ବା ନୟନରେ ଅଶ୍ରୁ ନ ଥିଲା ।

 

ନେଲୀ ନିଜ ଦେହରେ ପେଟ୍ରୋଲ ଢାଳିହୋଇ, ନିଆଁ ଲଗାଇ ଆତ୍ମହତ୍ୟା କରିଥାଏ । ପାଖରେ ପଡ଼ିଥିଲା ନେଲୀର ସ୍ଵହସ୍ତ ଲିଖିତ ଛୋଟ ପତ୍ରଟିଏ ।

 

ନେଲୀ ଲେଖିଥିଲା, ‘‘ଜଣକୁ ଜୀବନ ଦେଇସାରି ଅନ୍ୟଜଣକୁ ଦେହ ଦେଇ ଯେଉଁ ସତୀତ୍ଵର ଧ୍ୱଜା ଉଡ଼ାଇ ଜଗତ ଆଖିରେ ସତୀ ଶିରୋମଣୀ ସାଜିବା ପ୍ରବୃତ୍ତିକୁ ମୁଁ ଘୃଣା କରେ । ତେଣୁ ନିଜକୁ ରକ୍ଷା କରିବାକୁ ଓ ପ୍ରେମର ପବିତ୍ରକୁ ରକ୍ଷା କରିବାକୁ ମୋର ଆତ୍ମହତ୍ୟା କରିବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା । ଏ ଜୀବନରେ ମୁଁ ଜୀବନବାବୁଙ୍କ ବ୍ୟତୀତ ଅନ୍ୟ କାହାକୁ ଚିନ୍ତା କରିନାହିଁ । ତାଙ୍କୁ ପାଇପାରିଲି ନାହିଁ । ସେ ମୋତେ ଭୁଲ୍ ବୁଝି ମୋ ଉପରେ ପ୍ରତିଶୋଧ ନେଲେ-

 

ତାଙ୍କୁ ଯେତେବେଳେ ଏ ମନ, ଏ ହୃଦୟ ଦେଇ ଭଲପାଇଥିଲି ତାଙ୍କ ଉପରେ ଯଦି ପ୍ରତିଶୋଧ ନେଇଥାନ୍ତି ସେ ମୋତେ ଚିରଦିନ ପାଇଁ ନିଶ୍ଚୟ ଘୃଣା କରିଥାନ୍ତେ । ଏଣୁ ମୁଁ ନିଜ ଉପରେ ନିଜେ ପ୍ରତିଶୋଧ ନେଲି ।

 

ନାରୀର ହୃଦୟ ଦେଇ ମୁଁ ତାଙ୍କୁ ଭଲପାଇଥିଲି । ନାରୀର ଅନ୍ତର ମଧ୍ୟରେ ବେଶ୍ୟାର ଯେଉଁ ପ୍ରେତାତ୍ମା ଗୋପନରେ ବସା ବାନ୍ଧିଥାଏ ସେ ପ୍ରେତାତ୍ମା ମଧ୍ୟ ମୋ ମନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ମାତ୍ର ସେ ମୋର ପବିତ୍ର ପ୍ରେମ ନିକଟରେ ହାରିଯାଇ ମୋ ପାଖରୁ ଅନେକ ଦୂରକୁ ଚାଲି ଯାଇଥିଲା । ଏ ଜୀବନ ମୁଁ ସମ୍ପୂର୍ଣ୍ଣ ଭାବେ ଯାହାକୁ ଅର୍ପଣ କରିଦେଇଥିଲି ତାଙ୍କର ପବିତ୍ର ସ୍ମୁତିକୁ ମୁଁ ମନ ମଧ୍ୟରେ ସ୍ମରଣ କରି ଏ ମରଜଗତରୁ ଅନ୍ତର୍ଦ୍ଧାନ ହୋଇଯାଉଛି । ମୋର ଆତ୍ମାକୁ ଯେ ସ୍ଵର୍ଗରେ ସ୍ଥାନ ମିଳିବ ଏହା ମୁଁ କଳ୍ପନା ମଧ୍ୟ କରିପାରୁନାହିଁ । ନର୍କରେ ମଧ୍ୟ ମୋର ସ୍ଥାନ ନାହିଁ ।

 

ମୁଁ ଯେଉଁଠାରେ ଥାଏ ତାଙ୍କୁ ଅପେକ୍ଷା କରିଥିବି । ତାଙ୍କର ସୁଖ ଦେଖିଲେ ମୁଁ ସୁଖୀ ହେବ । ହେ ଭଗବାନ ! ମୋର ହୃଦୟର ଦେବତାଙ୍କୁ ଶାନ୍ତିରେ ରଖ ।’’

 

ଜୀବନବାବୁ ଫ୍ରେଡ଼ାରିକ୍‍ର ଚିଠିଟିଏ ପଢ଼ି କ୍ଷଣକାଳ ସ୍ତବ୍ଧ ହୋଇଗଲେ । ଏ ଆକାଶଟା ସତେ କ’ଣ ଆଉ ଖସିପଡ଼ିବ ? ଏ ବସୁଧା ସତେ କ’ଣ ଆଉ ରସାତଳଗାମୀ ହେବ ?

 

ସେ ମନେମନେ ଭାବିଲେ ଯେଉଁମାନେ ସ୍ତ୍ରୀକୁ ଆଜି ରାକ୍ଷସୀ ଓ ଛଳନାମୟୀ ବୋଲି କହନ୍ତି ସେମାନେ ଯଦି ଏତିକିବେଳେ ସମ୍ମୁଖକୁ ଆସନ୍ତେ ସେମାନଙ୍କ ରକ୍ତରେ ସେ ଆଜି ତର୍ପଣ କରନ୍ତେ । ଆଖିରୁ ଅଶ୍ରୁ ତାଙ୍କର ଗଡ଼ିପଡ଼ିଲା ।

 

‘‘ନେଲୀ ! ମୋ ପ୍ରାଣର ନେଲୀ !’’ କହି ଜୀବନବାବୁ ଅନାଇ ରହିଲେ ମହାଶୂନ୍ୟକୁ ।

 

ସେତେବେଳେ କନକ ଦେବୀ ଥିଲେ ଅନ୍ତସତ୍ୱା ସେହିଦିନ ପାଖରୁ ଜୀବନବାବୁଙ୍କର କୌଣସି ସମ୍ପର୍କ ଆଜି ପର୍ଯ୍ୟନ୍ତ କନକ ଦେବୀଙ୍କ ସଙ୍ଗରେ ନଥିଲା ।

 

ନେଲୀର ପବିତ୍ର ସ୍ମୃତି ପାଇଁ ସେ ନିଜକୁ ସଂସାର ସୁଖରୁ ବଞ୍ଚିତ କରିଥିଲେ ।

 

ଜୀବନବାବୁ ଆଉ ବିଶେଷ କିଛି ଭାବିପାରିଲେ ନାହିଁ । ତମିସ୍ରା ଘର ଭିତରକୁ ପଶିଆସି ପଚାରିଲା, ବାବା ! ଦେହ କିପରି ଅଛି ?

 

ଜୀବନବାବୁ କୌଣସି ଉତ୍ତର ନ ଦେଇ ମନେମନେ କହିଲେ, ‘‘ଏ ଦେହ, ଏ ଜୀବନରେ ଆଉ କ’ଣ ଲୋଭ ଅଛି ଯେ ଜୀବନ ପାଇଁ କିମ୍ବା ଛାର ଏ ଦେହ ପାଇଁ ମଣିଷ ସବୁବେଳେ ଚିନ୍ତା କରିବ ? ଯେତେଶୀଘ୍ର ଏ ଜୀବନଟା ଚାଲିଯାଏ ସେତେ ଶୀଘ୍ର ଭଲ ।’’

 

ଆଉ ଏ ଦେହ ?

 

ଧୂଳିର ଦେହ, ଧୂଳିରୁ ଆସିଛି, ପୁଣି ଧୂଳିରେ ମିଶିଯିବ ।

 

-ନଅ-

 

ବାଡ଼୍ କମ୍ପାନୀରୁ ଚାକିରି ଛାଡ଼ିଦେଇ ହିନ୍ଦୁସ୍ଥାନ କନଷ୍ଟ୍ରାକ୍ଟସନରେ ଚାକିରି କରୁଥିଲେ ଶ୍ରୀମନ୍ତ ବାବୁ । ରାଞ୍ଚି ମେନ୍ ରୋଡ଼ରେ ତାଙ୍କୁ ଘର ମିଳିଥାଏ । ସେ ଗୋଟିଏ ଦୁଇମହଲା ଘର ଭଡ଼ା ନେଇ ରହୁଥିଲେ । ଘରଭଡ଼ା ବାବତ୍ କମ୍ପାନୀ ତାଙ୍କୁ ମାସକୁ ଦରମା ସହ ଅଧିକ ଦେଢ଼ଶହ ଟଙ୍କା ଦେଉଥିଲା ।

 

ଏଠାକୁ ଆସିବା ପ୍ରାୟ ଦେଢ଼ବର୍ଷ ପାଖାପାଖି ହୋଇଯିବଣି । ତିନିପୁଅ ଓ ଝିଅ ରେଣୁ । ସମସ୍ତେ ସ୍କୁଲରେ ପଢ଼ନ୍ତି । ଘରକୁ ଜଣେ ମାଷ୍ଟର ଆସି ପିଲାମାନଙ୍କ ପଢ଼ାଶୁଣା ମଧ୍ୟ ବୁଝାସୁଝା କରୁଥିଲା ।

 

ସ୍କୁଲ ସମୟ ହେଲେ ପିଲାମାନେ ସ୍କୁଲକୁ ଯାଉଥିଲେ । ଶ୍ରୀମନ୍ତ ବାବୁ ଆଠଟାବେଳେ ଅଫିସ୍ ଯାଉଥିଲେ । ପୁଣି ଏଗାରଟା ବେଳକୁ ତାଙ୍କୁ ଅଫିସ୍ ଯିବାକୁ ପଡ଼ୁଥିଲା । ଘରକୁ ଫେରୁଫେରୁ କୌଣସି ଦିନ ରାତି ସାତଟାରୁ କମ ହୁଏ ନାହିଁ । ଘରୋଇ ଫାର୍ମ । ମାଲିକର ମନ ନ ମାନିଲେ ପେଡ଼ି ପେଟରା ବାନ୍ଧି ଗାଁକୁ ଫେରିଯିବା କଥା । ତେଣୁ ଶ୍ରୀମନ୍ତ ବାବୁ ପ୍ରାଣପଣେ ମାଲିକଙ୍କ ମନ ନେବାପାଇଁ କାମରେ ଲାଗିପଡ଼ୁଥିଲେ ।

 

ପିଲାମାନେ ଚାଲିଯିବା ପରେ ଓ ସ୍ୱାମୀ ଅଫିସକୁ ଗଲା ପରେ ଘରେ ଅରୁଣାକୁ ଏକାକି ରହିବାକୁ ପଡ଼ୁଥିଲା । ନିଃସଙ୍ଗ ଜୀବନ କାଟିବାକୁ ଅରୁଣା ମୋଟେ ଚାହୁଁନଥିଲା । ଯେଉଁ ଅରୁଣା ସର୍ବଦା କଳକଳ ନିନଦିନୀ ନିର୍ଝରିଣୀ ଭଳି ପ୍ରାଗଳ୍‍ଭା ତାକୁ ଏକୁଟିଆ ବସି ବସି ବିରକ୍ତ ବୋଧ ହେଉଥିଲା । ତଥାପି ଆଜି କାହାକୁ ମନ ମଧ୍ୟରେ ଚିନ୍ତା କରିବାକୁ ସତସାହସ ତା’ର ନାହିଁ । ଯଦିଓ ଏକାକୀ ରହିବାକୁ ସେ ଚାହେଁ ନାହିଁ ତଥାପି ଅନ୍ୟଜଣେ ତାଙ୍କ ଘରକୁ ଆସି ବନ୍ଧୁ ବାନ୍ଧୁ ଏହି କଥା ଅରୁଣା ମୋଟେ ପସନ୍ଦ କରୁନଥିଲା ।

 

ପଛ କଥା ସେ ପାଶୋରି ଗଲାଣି । ପଛ କଥା ଯଦିଓ କେବେ କେବେ ତାହାର ମନେପଡ଼େ ତଥାପି ସେ ନିଜକୁ ଏଆଡ଼େ ସେଆଡ଼େ ବାର କାମରେ ଲଗାଇଦେଇ ପଛ କଥା ପାଶୋରି ଦେବାକୁ ଚେଷ୍ଟା କରୁଥିଲା । ଯେଉଁ ଅତୀତକୁ ମନେପକାଇଲେ ତାହାର ନିଜର ମନ ନିଜକୁ ଖାଇଗୋଡ଼ାଏ ସେହି ଅତୀତକୁ ସେ ପାଶୋରି ଦେଇଥିଲା କହିଲେ ଚଳେ ।

 

କାହିଁ ରାଞ୍ଚି ଆଉ କାହିଁ କେନ୍ଦୁଝରର ନାଲଦା । ପ୍ରାୟ ଦେଢ଼ଶହ ମାଇଲ ବ୍ୟବଧାନ । କିଏ କାହାକୁ ଦେଖୁଛି ନା କିଏ କାହାକୁ ମନେପକାଉଛି ?

 

ଅରୁଣା ନିଜର ଅତୀତକୁ ଦିନେ ଭାବୁଥିଲା । ଜୀବନରେ ମଣିଷର ପୁଣି ଦୁର୍ଯୋଗ ଆସେ । ଦୁର୍ଯୋଗ ନ ଆସିଲେ କୌଣସି ବିବାହିତା ନାରୀ ନିଜର ପୁତ୍ର, କନ୍ୟା, ସ୍ୱାମୀ ଓ କୁଳ ମର୍ଯାଦାକୁ ନ ଅନାଇ ଅନ୍ୟ ପୁରୁଷର ପ୍ରେମରେ କ’ଣ ପଡ଼େ ?

 

ପ୍ରେମରେ ପଡ଼ିବା ପୂର୍ବରୁ ଅରୁଣା ସବୁବେଳେ ପ୍ରେମ କବିତା ଓ ରସରସିଆ ବହି ପଢ଼ି ପ୍ରେମ ସିନ୍ଧୁରେ ବୁଡ଼ି ରହିବାକୁ ଚାହୁଁଥିଲା । କିନ୍ତୁ ନିଜେ ପ୍ରେମ ପଞ୍ଚାମୃତ ଆକଣ୍ଠ ପାନ କଲାପରେ ସେ ପ୍ରେମକୁ ଶହେ ଜୁହାର ହୋଇ ପ୍ରେମ ନାଁ ଶୁଣିଲେ ଚମକିପଡ଼ି କହୁଥିଲା, ‘‘ପ୍ରେମର ପୁଣି ଏତେ ଗୁଣ ଅଛି ? ପ୍ରେମିକକୁ ଚାହିଁ ଚାହିଁ ରାତିରେ ନିଦ ଆସିବ ନାହିଁ କି ତା’ର କଥା ଶୁଣି ଶୁଣି କାନର ତୃପ୍ତି ମେଣ୍ଟିବ ନାହିଁ । ଓଃ, କିମିତି ଲୋକେ ପୁଣି ପ୍ରେମ କରନ୍ତି ?’’

 

ଅନ୍ୟର ମୁହଁରୁ ପ୍ରେମର ଗଳ୍ପ ଶୁଣି ମନରେ ଯେତେ ଆନନ୍ଦ ଲାଗେ ଓ ଅନ୍ୟର ପ୍ରେମରେ ପଡ଼ିବାକୁ ମନ ଯେତେ ହାଇଁପାଇଁ ହୁଏ କିନ୍ତୁ ଥରେ ପଡ଼ିଗଲେ ଆଉ ସହଜରେ ସେ ଜାଲରୁ ଫିଟି ହୁଏନାହିଁ । ପ୍ରେମର ଜାଲ ଏତେ ଶକ୍ତ ଯେ ଜାଲକୁ ଟାଣିଲେ ମଧ୍ୟ ଛିଡ଼ିବ ନାହିଁ କି କାଟିଲେ ମଧ୍ୟ କାଟିହେବ ନାହିଁ । ସେ ଜାଲ କେଉଁ ସୂତାରେ ଯେ ବିଧାତା ପୁରୁଷ ତିଆରି କରିଛି ତାହା ତାକୁ ଜଣା । ଧନ୍ୟରେ ପ୍ରେମ, ଧନ୍ୟ ତୋର ଫାଶ । ତୋ ଫାଶରେ ବେକ ଥରେ ଲାଗିଗଲେ ପ୍ରାଣ ଯିବା କଥା । ବଞ୍ଚିବାର ଉପାୟ ନାହିଁ କହିଲେ ଚଳେ ।

 

ଅରୁଣା ବୋଲି ଫିଟିଲା । ତା’ର ବୁଦ୍ଧି ବୋଲି ସେ ନିଜକୁ ରକ୍ଷା କରିପାରିଲା । ଅନ୍ୟ କେହି ହୋଇଥିଲେ କ’ଣ ସହଜରେ ଫିଟିପାରିଥାନ୍ତା ? ନିଶ୍ଚେ ମରିଯାଇଥାନ୍ତା ।

 

ଗେଲରେ ଗେଲରେ ଲୋକଟାକୁ ଖେଳାଉ ଖେଳାଉ ସେ ଯେ ପୁଣି ବାଘପରି ମାଡ଼ିବସିବ ଏହି କଥା ଅରୁଣା କ’ଣ ପୂର୍ବରୁ ଜାଣିଥିଲା ? ସେ ଭାବିଥିଲା ମଣିଷଟା ତ ଉପରୁ କିମିତି ଟିକିଏ ବୋକା ବୋଲି ଜଣାପଡ଼ୁଛି । ମାତ୍ର ଶେଷରେ ଦେଖିଲାବେଳକୁ ସେ ଲୋକଟା ହେଉଛି ଭୀଷଣ ଭାବେ ପାଜି । ପାଜି ହୋଇଥିଲେ ତ ରକ୍ଷା ଥିଲା । ଟିକିଏ ଦୂର୍ ଦୂର୍ ମାର୍ ମାର୍ କରିଦେଇଥିଲେ ପଳାଇ ଯାଇଥାନ୍ତା । ପାଜି ସାଙ୍ଗକୁ ଲୋକଟା ଥିଲା ସୟତାନ୍ ।

 

ବୋକା ପୁରୁଷଙ୍କୁ ଦେଖିଲେ ବୋକା ସଙ୍ଗରେ କଥାବାର୍ତ୍ତା କରିବାକୁ ସ୍ତ୍ରୀମାନେ ବେଶ୍ ଆନନ୍ଦ ଅନୁଭବ କରନ୍ତି । ସେମିତି ପ୍ରଥମେ ପ୍ରଥମେ ସେ ଲୋକଟାକୁ ଦେଖି ଅରୁଣା ବେଶ୍ ଆନନ୍ଦ ଅନୁଭବ କରୁଥିଲା । ସେ ଲୋକଟା ସଙ୍ଗରେ କଥାବାର୍ତ୍ତା କରିବାକୁ ତାକୁ ବେଶ୍ ଆମୋଦ ଲାଗୁଥିଲା । ତେଣୁ ଲୋକଟା ବାରଣ କରିବା ସତ୍ତ୍ୱେ ଓ ତାକୁ କପେ କପେ ଚା’, କେବେ କିମିତି ଜଳଖିଆ ଟିକିଏ ଖୁଆଇ ଘର ମଧ୍ୟରେ ବସାଇ ଘଣ୍ଟା ଘଣ୍ଟା ସମୟ କଟାଇ ଦେଉଥିଲା ଅରୁଣା ।

 

ଏପରି ପରିସ୍ଥିତି କ୍ରମେ ସୃଷ୍ଟିହେଲା ଯେ ତାକୁ ନ ଦେଖିଲେ ଅରୁଣାକୁ ଆଉ ଭାତ ରୁଚିଲା ନାହିଁ । ଯଦି କିଛିଦିନ କୁଆଡ଼େ ସେ ଲୋକଟା ଚାଲିଯାଉଥିଲା ଅରୁଣାକୁ ଅନ୍ନଜଳ ମଧ୍ୟ ବିଷ ହୋଇଯାଉଥିଲା କହିଲେ ଚଳେ ।

 

ଅରୁଣା ଭାବୁଥିଲା ଲୋକଟା ତାକୁ ଆଉ ଜଡ଼ିବୁଟି କରିଦେଲା କି ? ହୋଇପାରେ ବି ? ଲୋକ ମୁଖରୁ ସେ ଶୁଣିଥିଲା କେନ୍ଦୁଝରରେ ବହୁତ ଗୁଣିଆ ଅଛନ୍ତି । ସେମାନେ ମନ୍ତ୍ର ବଳରେ ଗଛ ମଧ୍ୟ ଚଳାଇନେବେ । ମଣିଷ ବା କଉଁ ଛାର ?

 

ନାଳଦା, ଠାକୁରାଣୀ ରୋଇଡ଼ା ଏସବୁ ଜଙ୍ଗଲ ଯାଗା । କେତେ ଚେରମୂଳ କେଉଁଠି ଯେ ଅଛି କିଏ ସେ କଥା କହିପାରିବ ? ସେ ଲୋକଟା କୌଣସି ଚେରମୂଳ ଶୁଙ୍ଘାଇ ତାକୁ ଆଉ ବଶ କରିଦେଇ ନାହିଁ ତ ? ଏହି ଚିନ୍ତାରେ ସେତେବେଳେ କେବଳ ଅରୁଣା ଘାରି ହେଉଥିଲା ।

 

ଲୋକଟାର କୌଣସି ବଂଶ ପରିଚୟ ନ ଜାଣି, ଲୋକଟାର କୌଣସି ସାମାଜିକ ପ୍ରତିଷ୍ଠା ନ ଜାଣି ସେ କାହିଁକି ତାକୁ ଆଣି ଘରେ ପୂରାଇଲା ? ତାକୁ କାହିଁକି ପ୍ରଶ୍ରୟ ଦେଲା ? ତାକୁ ଯଦି ସେ ପ୍ରଶ୍ରୟ ଦେଇନଥାନ୍ତା ସେ କାହିଁକି ତା’ ଉପରେ ଝାମ୍ପିପଡ଼ିଥାନ୍ତା ? ତେଣୁ ସେଥିପାଇଁ ଅରୁଣା ଦାୟୀ । ସେ ଲୋକଟାର ଦୋଷ କ’ଣ ? ସେ ଆସିଥିଲା, ପୁଣି ନିଜ ଆସିବା ପଥରେ ଫେରିଯାଇନଥାନ୍ତା କି ?

 

କିଛିଦିନ ପରେ ଯେତେବେଳେ ସେ ଲୋକଟା କ୍ରମେ ଅରୁଣା ଉପରେ ପ୍ରଭାବ ବିସ୍ତାର କରିବାକୁ ଲାଗିଲା ସେତେବେଳେ ଅରୁଣା ମନ୍ତ୍ରମୁଗ୍ଧ ସାପ ପରି କେବଳ ଫଁ ଫଁ କରୁଥିଲା । ଯେଉଁ ଅରୁଣାର ଆଖିରୁ ସବୁବେଳେ ଅଗ୍ନି କଣିକା ନିର୍ଗତ ହେଉଥିଲା ସେଦିନ ସେହି ଅରୁଣାର ଆଖି କାହିଁକି ଏପରି ତାର ହେଲା ? କାହିଁକି ସେ ନ ଜାଣି ନିଆଁକୁ ପାଉଁଶ ଭାବି ଅଣ୍ଟିରେ ପୂରାଇ ନିଜର ସର୍ବନାଶ କଲା ?

 

ବିବାହିତା ନାରୀ ପରପୁରୁଷ ଆଗରେ ସବୁବେଳେ ନିଜର ଭାଗ୍ୟର ବଢ଼ାଇ କରେ । ନିଜର ସୌନ୍ଦର୍ଯ୍ୟର ପ୍ରଶଂସା ଗାଏ । ଦରକାର ନହେଲେ ବି ନିଜେ ନିଜର ସତୀତ୍ୱ ପାଇଁ ନିଜକୁ ତାରିଫ୍ କରେ । ଯେଉଁଦିନ ସେ ଲୋକଟିକୁ ଦେଖି ସେ ଲୋକଟି ଭୀଷଣ ଭାବରେ ବୋକା ଏହିକଥା ଅରୁଣା ଜାଣିପାରିଲା ସେ ନ କହିବା କଥା ମଧ୍ୟ ଅନେକ ଗପିଗଲା । ବୋକା ପୁରୁଷଙ୍କୁ ଏଆଡ଼ୁ ସେଆଡ଼ୁ ଅନେକକଥା କହି ନିଜର ସୁବିଧା ପାଇଁ ନାରୀମାନେ ତାହାକୁ ଅଧିକ ବୋକାବନେଇ ଦେବାକୁ ଚେଷ୍ଟା କରନ୍ତି । ଏହି ଚେଷ୍ଟା ମଧ୍ୟ କରିଥିଲା ଅରୁଣା କିନ୍ତୁ ଯେତେବେଳେ ସେ ଜାଣିପାରିଲା ଯେଉଁ ଲୋକଟିକୁ ସେ ସବୁ କହିଦେଇଛି, ଯେଉଁ ଲୋକଟିକୁ ସେ ସବୁ ଦେଇଦେଇଛି ସେ ଲୋକର ଆଖିରେ ଅରୁଣାର ପୁଣି କେଉଁ ସମ୍ମାନ ରହିଲା ଯେ ସେ ପୁଣି ଅରୁଣାକୁ ପ୍ରଶଂସା କରିବ ? ଜୁଆ ଖେଳରେ ସେ ହାରିଯାଇଛି ।

 

ଗୋଟିଏ ଦିନର କଥା......

 

ମଣିଷର ଯେତେବେଳେ ଆତ୍ମବଡ଼ିମା ନଷ୍ଟ ହୋଇଯାଏ, ଯେତେବେଳେ ଗୁମର ପଦାରେ ପଡ଼ିଯାଏ ସେତେବେଳେ ସେ ସ୍ଥାନ ଛାଡ଼ି ପଳାଇଯିବାକୁ ଇଚ୍ଛାକରେ । ଅରୁଣା ମଧ୍ୟ ଶ୍ରୀମନ୍ତ ବାବୁଙ୍କୁ ଦିନେ କହିଲା, ‘‘ଏଠାରୁ ଆମର ଅନ୍ୟ କେଉଁଠାକୁ ଗଲେ କ’ଣ ଚଳନ୍ତା ନାହିଁ ? ଏଠାରେ ରହିବାକୁ ମୋଟେ ଭଲଲାଗୁ ନାହିଁ ।’’

 

ଅରୁଣାର କଥା ଶୁଣି ଶ୍ରୀମନ୍ତ ବାବୁ କହିଲେ, ‘‘ଆମେ ପରା ଏହି କେଇଦିନ ହେଲା ଆସିଛୁଁ । ଏତେଶୀଘ୍ର ଏଠାରୁ କିପରି ବଦଳିହେବ ବୋଲି ଆଶା କରୁଛ ?’’

 

‘‘ଏଠାରେ ଭଲ ଲାଗୁନାହିଁ । ସାଙ୍ଗସାଥୀ ମୋଟେ କେହି ନାହାନ୍ତି । କୁଆଡ଼େ ଟିକିଏ ବୁଲିଯିବା ମଧ୍ୟ ସମ୍ଭବ ନୁହେଁ ।’’ ଏହିକଥା କହିଥିଲା ଅରୁଣା ।

 

ଅରୁଣାର କଥା ଶୁଣି ଶ୍ରୀମନ୍ତ ବାବୁ ଯାହା କହିଲେ ସେହି କଥା ଶୁଣିଲାକ୍ଷଣି ଭୟରେ ଅରୁଣାର ଅନ୍ତରାତ୍ମା ଥରିଉଠିଲା । ସେ ଯାହାପାଇଁ ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଚାହୁଁଛି ତା’ର ସ୍ୱାମୀ ପୁଣି ତାକୁ ଆଣି ଘରେ ସ୍ଥାନ ଦେବାକୁ ଚାହୁଁଛନ୍ତି । ଏହା ବିଧିର ଉପହାସ ନୁହେଁ ତ ?

 

ଶ୍ରୀମନ୍ତ ବାବୁଙ୍କର କଥା ଶୁଣି ସେ ପ୍ରତିବାଦ କରି କହିଲା, ‘‘ବୁଝିଲ ମଣିଷକୁ ଉପରୁ ଦେଖି ଚିହ୍ନାଯାଏ ନାହିଁ । ନାରୀମାନେ ମଣିଷକୁ ଯିମିତି ଚିହ୍ନିପାରନ୍ତି ପୁରୁଷ ସେତେ ସହଜରେ ଚିହ୍ନିପାରେନାହିଁ । ଜଣେ ଅଜ୍ଞାତ କୂଳଶୀଳ ବ୍ୟକ୍ତିକୁ ଘରେ ସ୍ଥାନଦେବା କିମ୍ବା ଅବାଧରେ ଘରଭିତରକୁ ଯିବାଆସିବାକୁ ପ୍ରଶ୍ରୟ ଦେବା ମୋଟେ ଉଚିତ ନୁହେଁ । ଆଜିକାଲି କାହାକୁ ବିଶ୍ୱାସ ନାହିଁରେ ବାବା । ଯାହାକୁ ବିଶ୍ୱାସ କରି ମନକଥା କହିବ ସେ ପୁଣି ତା’ର ସୁଯୋଗ ନେବ ।’’

 

‘‘କିନ୍ତୁ ମୁଁ ଯେତେଦୂର ଜାଣେ ଶୁଭେନ୍ଦୁ ବାବୁ ମୋଟେ ଖରାପ ଲୋକ ନୁହଁନ୍ତି । ତେବେ ତାଙ୍କର ଗୋଟାଏ ଖରାପ ଗୁଣ ଏତିକି ଯେ ସେ ସବୁବେଳେ ଭାବନ୍ତି ଯେପରି ସେ ସବୁକଥା ଜାଣନ୍ତି । ସେଥିପାଇଁ ବେଳେବେଳେ ତାଙ୍କର ମୋର ଲାଗିଯାଏ । ମାତ୍ର ସେ ହସି ହସି ସବୁ ପିଠିକୁ ପକାଇ ଦିଅନ୍ତି ।’’ ଏତିକି କହିଲେ ଶ୍ରୀମନ୍ତ ବାବୁ ।

 

ମନେମନେ ହାୟରେ ବିଧାତା କହି ଅରୁଣା ରୋଷାଇ ଘରକୁ ପଶିଗଲା । ସେତିକିବେଳେ ଘରଭିତରକୁ ପଶିଆସିଲେ ଶୁଭେନ୍ଦୁ ।

 

ନିମିଷକ ମଧ୍ୟରେ ଶୁଭେନ୍ଦୁ ଅରୁଣାକୁ ସବୁଘରେ ଖୋଜିଗଲେ । କେଉଁଠାରେ ତାକୁ ନ ପାଇ ସିଧା ରୋଷେଇ ଘରେ ହାଜର ହୋଇ କହିଲେ, ‘‘ସ୍ଵୟଂ ମହାଲକ୍ଷ୍ମୀ ପାକଶାଳାରେ ।’’

 

ଅରୁଣା କୌଣସି ଜବାବ୍ ନ ଦେଇ ମନେମନେ ସେତେବେଳେ ଭାବୁଥିଲା ଏ ଲୋକଟା ମୋଟେ ନ ଆସନ୍ତା କି ? ଯେତେ କହିଲେ ମଧ୍ୟ ଶୁଣୁନାହିଁ । ଯେତେ ଛିଛାକର କଲେ ମଧ୍ୟ ଲୋକଟା ମୋଟେ ଶୁଣୁନାହିଁ । ଓଃ କି ଯିଦଖୋର ଲୋକରେ ବାବା । ଭଗବାନ୍ ! ଏୟା କବଳରୁ ମୋତେ ରକ୍ଷାକର ।

 

ଅରୁଣା ସେହିଦିନ ଶୁଭେନ୍ଦୁକୁ ରୁକ୍ଷ ଗଳାରେ କହିଲା, ‘‘ଶୁଭେନ୍ଦୁ ! କେବଳ ଭୟ କରି ବର୍ତ୍ତମାନ ମୁଁ ତୁମକୁ ଭଲପାଇବାକୁ ବାଧ୍ୟ । ସେତିକି ଭୟ ମୋ ମନରେ ଥିବାରୁ ମୁଁ ତୁମ ସାଥୀରେ ମୋର ଇଚ୍ଛା ବିରୁଦ୍ଧରେ ହସେ ଓ ତୁମକୁ ଅନିଚ୍ଛାସତ୍ତ୍ୱେ ହସି ହସି ସ୍ୱାଗତ ଜଣାଏ । ଯେଉଁଦିନ ମୁଁ ତୁମକୁ ଆଦର ନ କରିବି, ତୁମକୁ ଦେଖି ମୁହଁ ବୁଲାଇ ନେବି ସେହିଦିନ ମୋତେ କେଉଁଠାରେ ଛିଡ଼ାହେବାକୁ ପଡ଼ିବ ଜାଣ ? ଚଢ଼େଇକୁ ଆଶ୍ରୟ ମିଳିବ ମାତ୍ର ମୋତେ ଦୁନିଆରେ ମଥା ଗୁଞ୍ଜିବାକୁ ସ୍ଥାନ ଟିକିଏ ମଧ୍ୟ ମିଳିବ ନାହିଁ । କେବଳ ଦୁନିଆରେ ମଥା ଗୁଞ୍ଜି ରହିବା ପାଇଁ ମୁଁ ତୁମକୁ ଭଲପାଇବାକୁ ବାଧ୍ୟ । ନ ହେଲେ ଶେଷରେ ମୋତେ ରାସ୍ତାରେ ଛିଡ଼ା ହେବାକୁ ପଡ଼ିବ ।’’

 

ଶୁଭେନ୍ଦୁ ଛଳ ଛଳ ଆଖିରେ କହିଥିଲେ, ‘‘ଅରୁଣା ! ମୁ ଯେ ତୁମକୁ ଭଲପାଏ ଏ କଥା ତୁମେ କ’ଣ ଅବିଶ୍ୱାସ କର ?’’

 

ଅରୁଣା ପୂର୍ବାପେକ୍ଷା ଅଧିକ ରୁକ୍ଷ କଣ୍ଠରେ କହିଲା, ‘‘ପାପକରି ମଧ୍ୟ ତୁମକୁ ଲାଜଲାଗେ ନାହିଁ ?’’

 

‘‘ମୋତେ ବିଶ୍ୱାସ କର ଅରୁଣା ! ମୁଁ ଅନାବିଳ ହୃଦୟରେ ତୁମକୁ ଭଲପାଏ । ଭଲପାଇବାରେ ମୁଁ ଛଳନା କେବେ କରିନାହିଁ । ମୋର ଭଲପାଇବାରେ ପାପ ମୋଟେ ନାହିଁ । ମୁଁ କେବଳ ତୁମକୁ ଭଲପାଏ, ସେଥିପାଇଁ ମୋର ଭଲପାଇବାର ମୂଲ୍ୟ ମୁଁ କେବେ ତୁମ ପାଖରୁ ଆଶାକରେ ନାହିଁ । ମୋର ପ୍ରେମକୁ ତୁମେ ପାପବୋଲି କୁହନାହିଁ ଅରୁଣା ! ମୋର ପ୍ରେମରେ ପାପନାହିଁ । ଅରୁଣା ! ମୋତେ ବିଶ୍ୱାସ କର ।’’

 

ତଥାପି ଅରୁଣାର ନାରୀ ହୃଦୟ ଦୟାରେ ବିଗଳିତ ହେଲା ନାହିଁ । ଯେଉଁ ନାରୀ ନିଜର ଜନ୍ମିତ ଶିଶୁପୁତ୍ରକୁ ଜୀବିତାବସ୍ଥାରେ ଶ୍ମଶାନରେ ଶୁଆଇଦେଇ ସମାଜରେ ମୁଣ୍ଡଗୁଞ୍ଜି ରହିବାକୁ ପଶ୍ଚାତ୍‍ପଦ ହୁଏନାହିଁ ସେ ନାରୀ ଯେଉଁ ଉପାଦାନରେ ଗଢ଼ା ସେହି ଉପାଦାନରେ ମଧ୍ୟ ଅରୁଣାର ହୃଦୟ ଗଢ଼ା । ତେଣୁ ସେହି ହୃଦୟରୁ ଦୟା, କ୍ଷମା, କିମ୍ବା ସ୍ନେହ ଆଶାକରିବା ବାଚାଳତା ନୁହେଁକି-?

 

ଅରୁଣା ବିଦ୍ରୂପର ହସ ହସି କହିଲା, ‘‘ଶୁଭେନ୍ଦୁ । ତୁମେ ମୋତେ ଯଦି ଭୁଲିଯାଇପାରିବ ତେବେ ମୁଁ ବିଶ୍ୱାସ କରିବି ତୁମେ ମୋତେ ପ୍ରକୃତରେ ଭଲପାଇଥିଲ ।’’

 

ଛଳ ଛଳ ଆଖିରେ ନମସ୍କାର କରି ଶୁଭେନ୍ଦୁ ମଥା ପୋତି ବାହାରିଗଲେ ।

 

ଶୁଭେନ୍ଦୁ ଯିବା ପରେ ପରେ ଅରୁଣା ଭାବିଲା ସତେ ଯେପରି ଆଉ ଆସିବେ ନାହିଁ ? ଯେଉଁ ପୁରୁଷର ମାନ, ମହତ୍ୱକୁ ଭୟ ଥାଏ ସେ ପୁଣି ପର ସ୍ତ୍ରୀକୁ କ’ଣ ଅନାଏ ?

 

ସେହିଦିନଠାରୁ ଶୁଭେନ୍ଦୁ ଆଉ ଆସିଲେ ନାହିଁ । ଅରୁଣା ବେଶ୍ ନିଶ୍ଚନ୍ତ ହୋଇ ରହିଲା କେତେଦିନ । ପୁଣି ସେ ମନେମନେ ଭାବିଲା ତା’ର ଚରିତ୍ର ସମ୍ବନ୍ଧରେ ଶୁଭେନ୍ଦୁ ଯଦି ଚାରିଆଡ଼େ ଗାଇବୁଲନ୍ତି ତେବେ ଲୋକେ କ’ଣ ଭାବିବେ ? ତା’ର ସ୍ୱାମୀ ସିନା ଅନ୍ଧ କିନ୍ତୁ ଦୁନିଆ ତ ଆଉ ଅନ୍ଧ ନୁହେଁ ? ସ୍ୱାମୀକୁ ଅନ୍ଧ କରିବା ଅର୍ଥ ହେଉଛି ଅରୁଣା କହେ ଅନ୍ଧର ସହଜରେ ଆଖି ନାହିଁ ଯେଉଁମାନେ ନିର୍ବୋଧ ସେମାନଙ୍କର ମଧ୍ୟ ଆଖି ନାହିଁ ।

 

ଶେଷରେ ସ୍ୱାମୀକୁ ଲଗାଇ ଲଗାଇ ଅରୁଣା ନାଲଦାରୁ ଗଲା ରୋଇଡ଼ା । ସେଠାରେ ମଧ୍ୟ ଶୁଭେନ୍ଦୁ ଭୂତ ହୋଇ ତାକୁ ଖାଇ ଗୋଡ଼ାଇଲେ । ତେଣୁ ସ୍ତ୍ରୀ କଥାରେ ପଡ଼ି ଶ୍ରୀମନ୍ତ ଚାଲିଆସିଲେ ରାଞ୍ଚି ।

 

ଶ୍ରୀମନ୍ତ ଥିଲେ ବୁଦ୍ଧିମାନ ପୁରୁଷ । ସ୍ତ୍ରୀ ମର୍ଜିକୁ ନ ଜଗି ଯେଉଁ ସ୍ୱାମୀମାନେ ଅସୁବିଧା ଭୋଗ କରନ୍ତି ସେମାନେ ସ୍ତ୍ରୀମାନଙ୍କ ଭାଷାରେ ଅଜବ୍ ଜାନୁଆର ।

 

-ଦଶ-

 

ଶୁଭେନ୍ଦୁ ଅସୁସ୍ଥତା ପରେ କନକ ଦେବୀଙ୍କ ପୂଜା ପାଖରେ କାର୍ଯ୍ୟକ୍ରମ କ୍ରମେ କ୍ରମେ ଲମ୍ବି ଯାଇଥିଲା । ସେ ପୂର୍ବରୁ ଯେତେ ସମୟ ଧରି କାଚ ଫ୍ରେମରେ ବନ୍ଧା ଦେବଦେବୀଙ୍କ ପୂଜା ଜପରେ ନିଜକୁ ନିୟୋଜିତ କରୁଥିଲେ ବର୍ତ୍ତମାନ ସେ ପୂରାପୂରି ସେହି ଠାକୁରଙ୍କ ପାଖରେ ଆଖିବୁଜି ବସି ବସି ମନକଥା ସବୁ କହିଯାଉଥିଲେ । ଠାକୁର ଶୁଣୁଥିଲେ କି ନା ସେକଥା କନକ ଦେବୀଙ୍କୁ ଜଣାନାହିଁ । ତଥାପି କୌଣସି ଦିନ କଦଳି, ନଡ଼ିଆ ଭୋଗ ଠାକୁରଙ୍କର ଉଣା ହେଉନଥିଲା ।

 

ପୂଜା ସରିବା ପରେ ସମରେନ୍ଦ୍ର, ଅମରେନ୍ଦ୍ର ଓ ଛବିଳା ମଧ୍ୟରେ ଚୀନ୍ ଭାରତ ଯୁଦ୍ଧର ଉପକ୍ରମ ନ ହେଲେ ମଧ୍ୟ ଭାରତ ଓ ପାକିସ୍ଥାନ ମଧ୍ୟରେ କାଶ୍ମୀର ସମସ୍ୟା ନେଇ ଯେଉଁ ବିବାଦ ଦେଖାଦେଇଛି ସେହି ବିବାଦର ସୂତ୍ରପାତ ଠାକୁର ଭୋଗ ପାଇଁ ପ୍ରତିଦିନ ହେଉଥିଲା । କେହି କାହାର ଦାବି କ’ଣ ସହଜରେ ଛାଡ଼େ ? ବଳବାନ୍ ପାଖରେ ଦୁର୍ବଳ ସବୁବେଳେ ମଥାନୁଆଇଁଥାଏ-। ସମରେନ୍ଦ୍ର ନିଜର ବଳପ୍ରୟୋଗ କରି ସମସ୍ତଙ୍କଠାରୁ ବେଶି ଭୋଗନେଇ ମଧ୍ୟ ସନ୍ତୁଷ୍ଟ ହେଉନଥିଲା ଏବଂ ସେ ଚାହୁଁଥିଲା କେହି ନଖାଇ ସେ ଏକା ସବୁଯାକ ଖାଇଥିଲେ ଭଲ ହୋଇଥାନ୍ତା ।

 

ତମିସ୍ରା ଶୁଭେନ୍ଦୁକୁ ନେଇ ରାଞ୍ଚି ଯିବା ପରେ କନକ ଦେବୀଙ୍କ ଜଞ୍ଜାଳ ଅନେକ ବଢ଼ି ଯାଇଥିଲା । ଘର କାମ, ବାହାର କାମ, ପିଲାଙ୍କ ଖିଆପିଆ ସବୁ କଥା ତାଙ୍କ ଉପରେ । ପୁଣି ଘରେ ଠାକୁର ଦେବତାଙ୍କ କଥା ଉଣା ହୋଇଗଲେ ଠାକୁର ବୁଝିଯିବେ ମାତ୍ର ଏହି ଯେଉଁ ବାଳଗୋପାଳ ଦଳ ଘରେ ଅଛନ୍ତି ସେମାନଙ୍କ କଥା ଟିକିଏ ଉଣା ହୋଇଗଲେ କ୍ଷଣକେ ପୃଥିବୀ ପ୍ରଳୟ ।

 

ପିଲାମାନେ ଯେତେବେଳେ ଅତି ବିରକ୍ତି କରୁଥିଲେ କନକ ଦେବୀ ମନକୁମନ ବକି ଯାଉଥିଲେ ଏବଂ କହୁଥିଲେ ହାତ ଗୋଡ଼ କୁଣ୍ଡାଇ ବସି ରହିବା ଭଲ ତେବେ ପିଲାପିଲିର ମାଆହେବା ଭଲ ନୁହେଁ । ଗଣ୍ଡେ ଶାନ୍ତିରେ ଖାଇପାରିବ ନା ନିଶ୍ଚିନ୍ତ ମନରେ ପାଣି ଢୋକେ ପିଇପାରିବ ? ନିଶ୍ୱାସ ମାରିବାକୁ ତର ମଧ୍ୟ ମିଳିବ ନାହିଁ । ସବୁବେଳେ ଚେଁ ଚାଁ, ଭେଁ ଭାଁ । ଏହା ହେଉଛି ସ୍ତ୍ରୀର ଜୀବନ ।

 

ବିଧାତାକୁ ମନେମନେ ଗାଳିଦେଇ କହନ୍ତି ତୋର ବୁଦ୍ଧି ନାହିଁ ବୋଲି ଏହି ପିଲାପିଲିଙ୍କୁ ଗଣ୍ଡେ ଛଅଟା ଆଣି ହାବୁଡ଼େଇଦେଉ । ଜନମ କଲେ ମାଇପି ମଲା, ଜନମ ନ କଲେ ମଧ୍ୟ ମଲା । ଲୋକେ କହିବେ କେତେ କ’ଣ ? କିଏ କହିବ ଏ ବାଞ୍ଛା ମୁହଁ ଚାହିଁଲେ ମିଳିବା ପଦାର୍ଥ ମଧ୍ୟ ଅମିଳ ହୋଇଯିବ । ଏୟା ମୁହଁକୁ ଚାହିଁଲେ କଉଁ ଯଶ ନା କଉଁ ପୁଣ୍ୟ ? ଏତିକିରେ ମିଣିପେ କ’ଣ ସନ୍ତୁଷ୍ଟ ହୁଅନ୍ତି ? ପୁଣି ଆଉ ଗୋଟାଏ ବୋଝ ଉପରେ ଆଣି ନଳିତା ବିଡ଼ା ଲଦି ଦିଅନ୍ତି । ସବୁ ସହିହୁଏ କିନ୍ତୁ ସଉତୁଣୀ ଜ୍ୱାଳା ସହି ହୁଏନାହିଁ । ହେ ଭଗବାନ ! ସ୍ତ୍ରୀକୁ ଜନମ ଦେଇନଥିଲେ ତୋର ସୃଷ୍ଟି କ’ଣ ପୂର୍ଣ୍ଣାଙ୍ଗ ହୁଅନ୍ତା ନାହିଁ ? ଆଜିକାଲି ବିଜ୍ଞାନ ଯୁଗରେ କାଠ ପଥରରେ ଇଂଜେକ୍‍ସନ୍ ଦେଇ ଏ ମଣିଷ ସମାଜଟାକୁ ବଞ୍ଚାଇ ରଖିବାକୁ ବୈଜ୍ଞାନିକମାନେ କ’ଣ ଚେଷ୍ଟା କରନ୍ତେ ନାହିଁ ?

 

ସତ୍ୟ ଯିଏ, କଳି ମଧ୍ୟ ସିଏ । ତ୍ରେତୟା, ଦ୍ଵାପର ମଧ୍ୟ ତହିଁରୁ ବଳେ । ମଣିଷ ଏକଥା ନ ବୁଝି ସବୁବେଳେ କହେ ଏ କଳିକାଳ । ଏ କଳିକାଳରେ ସବୁ ଘଟିବ । କାଳର କ’ଣ ଦୋଷ କି ? କହିଲା ଭଲା, କଉଁ କାଳରେ ସ୍ତ୍ରୀ ସୁଖରେ ଥିଲା ? କଉଁ କାଳରେ ସ୍ତ୍ରୀ ମନ ଫୁଲାଇ ହସିଥିଲା ? କଉଁ କାଳରେ ସ୍ତ୍ରୀ ସ୍ୱାମୀର ଅବହେଳା ସହ୍ୟ କରିନଥିଲା ?

 

ନାରୀ ଧର୍ଷଣ, ଅତ୍ୟାଚାର, ଲୁଣ୍ଠନ ଏ ଯୁଗରେ ଯେପରି ଅଛି ଅନ୍ୟ ଯୁଗରେ ମଧ୍ୟ ସେହିପରି ଥିଲା । ଯେତେଦିନ ଚନ୍ଦ୍ର ସୂର୍ଯ୍ୟ ରହିଥିବେ, ଯେତେଦିନ ଜଗତରେ ଜନ୍ମ ଓ ମୃତ୍ୟୁ ଲାଗିଥିବ ଏବଂ ବିଧାତାଙ୍କ ଏହି ଚରମ ସୃଷ୍ଟି ରହିଥିବ ସେତେଦିନ ସେ ସବୁ ରହିଥିବ । ଯଦି କେବେ ଆଉ ଗୋଟିଏ ନୂଆ ଯୁଗ ହେବ, ନୂଆ ଚନ୍ଦ୍ର ବାହାରିବ ଏବଂ ଏହି ପୁରୁଷ ଜାତିଟା ସମୂଳେ ଲୋପ ପାଇଯାଇ ଆଉ ଅନ୍ୟପ୍ରକାର ପୁରୁଷ ଜାତିର ସୃଷ୍ଟି ହେବ ତେବେ ଯାଇ ନାରୀମାନେ ସୁଖରେ ରହିବେ ।

 

ସେହି ଯେଉଁ ନୂତନ ପୁରୁଷ ଜାତିର ସୃଷ୍ଟି ହେବ ସେହି ପୁରୁଷ ହେବେ ଏହି ପୁରୁଷଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଜିର ପୁରୁଷ ଯେଉଁ ହୃଦୟ ନେଇ ଓ ମନ ନେଇ ଜନ୍ମହେଉଛି ଏବଂ ଏହି ନାରୀ ଜାତିକୁ ପଦାନତ କରି ରଖିଛି ସେତେବେଳେ ସେ ପୁରୁଷ ଏହି ପୁରୁଷ ଭଳି ହେବେ ନାହିଁ । ସେମାନେ ସବୁ ହେବେ ଚନ୍ଦ୍ରସେଣା ଅଥବା ଶ୍ରୀଖଣ୍ଡୀ ଭଳି । ସେତିକି ନ ହେଲା ଯାଏଁ ଏହି ନାରୀଜାତିର ଆଉ ରକ୍ଷା ନାହିଁ ।

 

କପାଳକୁ ଆପେ ଆପେ ତାଙ୍କର ହାତ ଦୁଇଟା ଉଠିଯାଇଥିଲା । ସେ ଠାକୁରଙ୍କୁ ବଡ଼ ପାଟିରେ କହିଲେ, ‘‘ହେ ମଙ୍ଗଳମୟ ! ତୁମେ ଯଦି ଏହି ନାରୀଜାତିର ମଙ୍ଗଳ ଚାହଁ ତେବେ ଏହି ବର୍ତ୍ତମାନର ସୃଷ୍ଟିକୁ ତୁମେ ସମୂଳେ ଧ୍ଵଂସ କରିଦେଇ, ଏହାର ଭଗ୍ନସ୍ତୂପ ଉପରେ ଛିଡ଼ାହୋଇ ଆଉ ଗୋଟିଏ ବିଧାତା ପୁରୁଷକୁ ତୁମ ନାଭି କମଳରୁ ଜନ୍ମଦିଅ ଯାହାର ମନ, ରୂପ ଓ ହୃଦୟ ସବୁ ଚନ୍ଦ୍ରସେଣା ଭଳି ହୋଇଥିବ । ସେତିକି ଯେତେଦିନ ଯାଏଁ ମୋ ଭଳି ସୁନ୍ଦରୀ ସ୍ତ୍ରୀଙ୍କ ପାଖରୁ କେବଳ ତୁମ କପାଳରେ ଗାଳି ମନ୍ଦ ଥୁଆ ।’’

 

ଠାକୁର ଘରେ ଯେଉଁ ଦର୍ପଣଟି କାନ୍ଥରେ ଝୁଲୁଥିଲା ସେ ସେହିଦିନ ନିଜର ରୂପଟା ଦର୍ପଣରେ ଦେଖିପାରିଲା ମାତ୍ରେ ଚମକିପଡ଼ିଲେ । ମନେମନେ ଭାବିଲେ ତାଙ୍କର ସେ କନକ ଦୁର୍ଗା ରୂପ କୁଆଡ଼େ ଗଲା ? ଅଧର କୋଣରୁ ହସର ସରୁ ରେଖାଟିଏ କୁଆଡ଼େ ଗଲା ? କଳା ଭ୍ରମର ବିନିନ୍ଦିତ କେଶ ଦାମର ଶ୍ରୀ କୁଆଡ଼େ ଗଲା ? ସବୁ କାଳଗର୍ଭରେ ଲୀନ ହୋଇଯାଇଛି, ଯାହା ଯାଇଛି ତାହା ଆଉ ଫେରିବ ନାହିଁ ।

 

ଶୁଭେନ୍ଦୁର ଜନ୍ମହେବାର ଛଅମାସ ପୂର୍ବରୁ ସେ ଆଉ ଦର୍ପଣରେ କେବେ ନିଜ ରୂପ ଦେଖିନଥିଲେ, ନିଜର ରୂପଦେଖି ନିଜେ ତନ୍ମୟ ହେବାର ଆବଶ୍ୟକତା ଆଉ କ’ଣ ଥିଲା ? ଯେଉଁ ରୂପ ଦେଖି ବିବାହିତ ସ୍ୱାମୀ ଆକୃଷ୍ଟ ହୋଇନଥିଲେ, ଯେଉଁ ଅତୁଳନୀୟ ରୂପ ସ୍ୱାମୀକୁ ମୋଟେ ପ୍ରଭାବିତ କରିପାରିନଥିଲା ସେ ରୂପର ପ୍ରୟୋଜନ କ’ଣ ? ସେ ରୂପକୁ, ଧରି ରଖିବାକୁ ସେ କାହିଁକି ଯତ୍ନ କରିଥାନ୍ତେ ? ଅନ୍ୟଆଖିରେ ନିଜକୁ ବିକ୍ରୟ କରିବାକୁ ସେ ମୋଟେ ଚାହୁଁନଥିଲେ ।

 

ଧର୍ମ ଦେବତାଙ୍କୁ ସାକ୍ଷୀ ରଖି ସେ ଯାହାର ହାତ ଧରିଥିଲେ ସେ ହେଉଛନ୍ତି ତାଙ୍କର ସବୁ ସେ ତାଙ୍କୁ ହତାଦର କରନ୍ତୁ, ଅବହେଳା କରନ୍ତୁ ତଥାପି ସେ ଆଖିଟେକି ଅନ୍ୟ କାହାକୁ ଅନାଇବେ ନାହିଁ । ଏହା ମନ ମଧ୍ୟରେ ଧ୍ରୁବ ବାକ୍ୟ ଜାଣି କନକ ଦେବୀ ତାଙ୍କର କାଳ କାଟି ଦେଇଥିଲେ ।

 

ସ୍ୱାମୀର ଅବହେଳା ସେ ନିରବରେ ସହ୍ୟ କରିଛନ୍ତି । ତାଙ୍କର ରକ୍ତ ମାଂସ ଦେହଟା ସବୁ ସହି ସହି ପଥର ପାଲଟିଯାଇଛି ତଥାପି ସେ ମନ ମଧ୍ୟରେ ଅନ୍ୟ ପୁରୁଷକୁ ଦିନେ ବୋଲି ଚିନ୍ତା କରିନାହାନ୍ତି ।

 

ସଜଳ ଆଖିରେ ସେ ସମ୍ମୁଖକୁ ଅନାଇଲେ । କାନ୍ଥରେ କାଚ ଫ୍ରେମରେ ଥିଲା ପାର୍ଥ ସାରଥିଙ୍କ ଜଗନ୍ମୋହନ ଛବି । ବିମର୍ଷ ବଦନରେ ଛିଡ଼ା ହୋଇଥିଲେ ମାୟା ମୁଗ୍ଧ ଅର୍ଜୁନ । କନକ ଦେବୀ ମନପୂରାଇ ସେହି ଛବିକୁ ଦେଖିନେଲେ । ତାଙ୍କର ଆଉ ଧୈର୍ଯ୍ୟ ରହିଲା ନାହିଁ । ସେ କାନ୍ଥରୁ ଫଟୋଟି ଆଣି ନିଜର ଛାତିଉପରେ ଚାପିଧରି ବାଷ୍ପାକୁଳ କଣ୍ଠରେ କହିଲେ, ‘‘କୁହ ଭଗବାନ ! ମୁଁ ଜଗତରେ କାହାର କ’ଣ କରିଥିଲି ଯେ ତୁ ମୋ ପ୍ରତି ଏ ଶାସ୍ତିବିଧାନ କଲ ? କୁହ, ଅନ୍ତର ଖୋଲି ଥରେ କୁହ; ମୁଁ କାହାର କ’ଣ କରିଛି ?

 

ତୁମ ଆଖିରେ ମୁଁ କ’ଣ କୁନ୍ତୀ, ଦ୍ରୌପଦୀ ଏବଂ ଅହଲ୍ୟାଠାରୁ ମଧ୍ୟ ଘୃଣ୍ୟା ? ଯେଉଁ କୁନ୍ତୀ ନିଜର ଅପକର୍ମକୁ ଘୋଡ଼ାଇବା ପାଇଁ ନିଜର ଜନ୍ମିତ ଦୁଗ୍ଧ ପୋଷ୍ୟ ଶିଶୁପୁତ୍ରକୁ ଗଙ୍ଗା ଜଳରେ ମେଲିଦେଇଥିଲା ମୁଁ କ’ଣ ତାହାଠାରୁ ମଧ୍ୟ ଅପକର୍ମ କରିଛି ।

 

ତୁମେ ଭଗବାନ ନିଶ୍ଚୟ ସ୍ୱାର୍ଥପର । ତୁମକୁ ଦ୍ରୌପଦୀ ଭଲପାଇଥିଲା ବୋଲି ତୁମେ ମଧ୍ୟ ତା’ର ଦୁଷ୍କୃତିକୁ କ୍ଷମା ଦେଇଥିଲ । ଯୁଧିଷ୍ଠିର ଭଳି ଧର୍ମପ୍ରାଣ ପୁରୁଷ, ଅର୍ଜୁନ ଭଳି ବିଶ୍ଵ ବିଜୟୀ ବୀର ଏବଂ ନକୁଳ ଭଳି ସର୍ବ ରୂପବନ୍ତ ସ୍ୱାମୀର ପ୍ରେମ ପ୍ରତି ଅନାସ୍ଥାଭାବ ପ୍ରଦର୍ଶନ କରି ଯେ ତୁମକୁ ମନ ପ୍ରାଣ ଢାଳି ଭଲପାଇଥିଲା ବୋଲି ତୁମେ ମହାଭାରତ ଯୁଦ୍ଧରେ ସେଥିପାଇଁ ତା’ର ବେଣୀ ବନ୍ଧନ କରାଇଥିଲ କି ?

 

ହେ ଭଗବାନ ! ତୁମେ ନିନ୍ଦୁକ କଥାରେ ପଡ଼ି ନିଜର ସତୀ ସ୍ତ୍ରୀ ପ୍ରତି ନିର୍ବାସନ ଦଣ୍ଡ ଯଦି ବିଧାନ କରିପାରିଲ ତେବେ କେଉଁ ମୁଖରେ ତୁମେ ପୁଣି ପାଷାଣୀ ଅହଲ୍ୟାକୁ ଉଦ୍ଧାର କରିଥିଲ ? କୁହ ଭଗବାନ ! ତୁମଠାରୁ ନିର୍ବିବେକ ପୁରୁଷ ଆଉ ଜଗତରେ କିଏ ଅଛି ?

 

ଠାକୁର ଦେବତା ସବୁବେଳେ ମୂର୍ଖକୁ ଭୁଲାଇଦେଇ ସେମାନଙ୍କ ଆଖିରେ ଭଗବାନ ହୁଅନ୍ତି । କିନ୍ତୁ କନକ ଦେବୀଙ୍କ କଥାର ଜବାବ୍ ଯେତେବେଳେ କନକ ଦେବୀଙ୍କୁ ମିଳିଲା ନାହିଁ ସେ ଯେତେ ଦିଅଁ ଦେବତାଙ୍କୁ ଖଟୁଲିରେ ବସାଇ ଛେନା କଦଳୀ ଖୁଆ ଚନ୍ଦନ ସିନ୍ଦୁର ଲଗାଇ ପୂଜା କରୁଥିଲେ ସେ ସବୁ ଠାକୁର ଦେବତା ଯାଇ ସଙ୍ଗେ ସଙ୍ଗେ ହାଜର ହୋଇଗଲେ ଗୋବର ଗଦାରେ-। କନକ ଦେବୀ କହିଲେ–

 

‘‘କାଗଜ ଛବି ଯଦି ଠାକୁର ହୁଅନ୍ତେ, କାଠ ପଥର ଯଦି ନିଜେ ଭଗବାନ ହୁଅନ୍ତେ ତେବେ ବ୍ରହ୍ମ ରନ୍ଧ୍ରରେ ଲୟ ରଖି ଦଶଦ୍ଵାର ଅବରୁଦ୍ଧ କରି ଯୋଗୀ, ସନ୍ନ୍ୟାସୀ କାହିଁକି ଯାଇ ବଦ୍ରିନାରାୟଣ ଓ ଋଷି ବେଶରେ ବସି ତପସ୍ୟା କରୁଥାନ୍ତେ ?’’

 

ଓଃ ମଣିଷ କି ଭ୍ରମରେ ପଡ଼ି କାଠ ପଥରକୁ ପୂଜା କରେ ?

 

ନିଜର ଅଜ୍ଞାନତା ହେତୁ ସେ ରାମାୟଣ ଓ ମହାଭାରତକୁ ପୁଣି ଧର୍ମଗ୍ରନ୍ଥ କହେ । ନିରାକାର ପୁରୁଷ ହେଉଛି ପ୍ରକୃତରେ ଭଗବାନ । ସେ ସର୍ବବ୍ୟାପୀ । ସେ କୌଣସି ମନ୍ଦିର ମଧ୍ୟରେ ବନ୍ଦୀ ହୋଇ ରହିବାକୁ ଚାହେନାହିଁ । ଯେ ନିଜକୁ ତା’ ପାଖରେ ଅର୍ପଣ କରିଦିଏ ସେ କେବଳ ତାକୁ ଭଲପାଏ ଏବଂ ତା’ର କଥା ଶୁଣିବାକୁ ଭଲପାଏ ।’’

 

କନକ ଦେବୀ ସେହି ନିରାକାର ପୁରୁଷକୁ ହାତ ବଢ଼ାଇ କହିଲେ, ‘‘ହେ ବ୍ରହ୍ମ ! ହେ ସତ୍ୟ ! ହେ ଶାନ୍ତ ! ମୋତେ ଶକ୍ତିଦିଅ । ମୋତେ ଦିବ୍ୟଚକ୍ଷୁ ପ୍ରଦାନ କର । ମୁଁ ତୁମର ସର୍ବବ୍ୟାପୀ ରୂପକୁ ଦର୍ଶନ କରି ଯେପରି ଭାବପ୍ରବଣ ହୋଇ ତୁମକୁ ପଚାରେ–

 

କିଏ ତୁମେ ଉର୍ଗରୂପୀ

କିଏ ତୁମେ ବିଶ୍ଵବ୍ୟାପୀ

କିଏ ତୁମେ ସର୍ବଗ୍ରାସୀ କାଳ,

କିଏ ତୁମେ ହେ ଅକ୍ଷୟ

କିଏ ତୁମେ ହେ ଅବ୍ୟୟ

କିଏ ତୁମେ ଅଟ ଆଦିମୂଳ ?

 

କନକ ଦେବୀଙ୍କ ଗାଲଉପରେ ଧାରଧାର ହୋଇ ଲୁହ ବହିଆସିଲା । ସେ ନିର୍ବାକ ଓ ନିଶ୍ଚଳ ଭାବରେ କେବଳ ସମ୍ମୁଖକୁ ଅନାଇ ରହିଲେ ।

 

ପଛପଟୁ ଅମରେନ୍ଦ୍ର ଗୋଟା ଜଉମୁଦ ଲଫାପା ଧରି କନକ ଦେବୀଙ୍କୁ କହିଲା, ‘‘ଜେଜେମା ! ଭାଇନା ପକେଟରୁ ନେଇଆସିଛି । କଣଟା ଦେଖିଲୁ ।’’

 

କନକ ଦେବୀ ହାତକୁ ଲଫାପାଟା ନେଇ ଦେଖିଲେ ବଡ଼ ବଡ଼ ଅକ୍ଷରରେ ଲେଖାହୋଇଛି–

 

‘‘ତମିସ୍ରା ! ମୋର ମୃତ୍ୟୁପରେ ତୁମେ କେବଳ ଏଟି ଖୋଲିବ ।’’

 

‘‘ଆରେ ଏ ଯେ ଶୁଭେନ୍ଦୁର ହାତ ଅକ୍ଷର’’ କହି କନକ ଦେବୀ ଲଫାପାଟା ଆଲମିରାରେ ରଖିଦେଲେ ।

 

-ଏଗାର-

 

ଅସୁସ୍ଥତା ହେତୁ ଜୀବନବାବୁ ସେଦିନ ମଧ୍ୟ ତମିସ୍ରା ସଙ୍ଗରେ ଡାକ୍ତରଖାନାକୁ ଯାଇପାରିଲେ ନାହିଁ । ଏକୁଟିଆ ଗଲା ତମିସ୍ରା । ଡକ୍ଟର ଡିଆନ ସାମନା ବଗିଚାରେ ପଦଚାରଣ କରୁଥିଲେ ତମିସ୍ରା ନମସ୍କାର ହେଲା ଡାକ୍ତରଙ୍କୁ ।

 

ଡକ୍ଟର ଡିଆନ୍ କହିଲେ, ‘‘ତମିସ୍ରା ! ତୁମ୍ଭେମାନେ ଏଠାରେ ଅନେକଦିନ ରହି ଅନେକ ଖର୍ଚ୍ଚାନ୍ତ ହେଲଣି । ଏମିତି କେତେଦିନ ଏଠାରେ ବସି ରହିବ ? ଗାଁକୁ ଗଲେ କ'ଣ ଚଳନ୍ତା ନାହିଁ ?’’

 

ତମିସ୍ରା ହଠାତ୍ କୌଣସି ଉତ୍ତର ଦେଇପାରିଲା ନାହିଁ । ସେ ଲକ୍ଷ୍ୟକଲା ଡାକ୍ତରଙ୍କ ମୁଖରେ ପୂର୍ବର ହସ ଆଉ ନଥିଲା । ଡାକ୍ତର ବୋଧହୁଏ ଆଶା ଛାଡ଼ିଦେଲେଣି ଭାବି ସେ ପଚାରିଲା, ‘‘ତାହାହେଲେ ସେ କ’ଣ ଆଉ ଭଲ ହେବେ ନାହିଁ ?

 

‘‘ଶୁଭେନ୍ଦୁର ଭଲହେବା ନ ହେବା କଥା ମୁଁ କହୁନାହିଁ । ତୁମେ ଏଠାରେ ଏମିତି କେତେଦିନ ପଡ଼ି ରହିବ ? ଘରଦ୍ୱାର ଅଛି । ପିଲାପିଲି ଅଛନ୍ତି । ସେ ସବୁର ତତ୍ତ୍ୱ ନେବାକୁ ପୁଣି ତ ପଡ଼ିବ ?’’

 

ତମିସ୍ରା କହିଆସୁଥିଲା କହ୍ନେଇ ପାଇଁ ଗୋରୁ ଗୁହାଳ । କହ୍ନେଇ ମଥୁରା ଯିବାପରେ ଗୋରୁ ଗୁହାଳକୁ କିଏ ଯାଇଛି ଯେ ଧବଳୀ, ଶ୍ୟାମଳୀର ଅବସ୍ଥା କ’ଣ ହେଲା କିଏ କହିବ ? ସେ ଅଳ୍ପକ୍ଷଣ ଚିନ୍ତା କରି କହିଲା, ‘‘ଆପଣ ଚାଲନ୍ତୁ ମୋ ସାଙ୍ଗରେ । ଆଜି ରୋଗୀକୁ ପୁଣି ପରୀକ୍ଷା କରି କହିବେ ତାଙ୍କୁ ଏଠାରେ ଆଉ କେତେଦିନ ରହିବା ପାଇଁ ପଡ଼ିବ ଓ ଆପଣଙ୍କୁ ଆଉ କେତେ କ’ଣ ଦେବାକୁ ହେବ ? ଆପଣଙ୍କ ପାଖରୁ ଶୁଣିସାରିଲା ପରେ ଯାହା କିଛି କରିବାକୁ ହେବ ତା’ର ବ୍ୟବସ୍ଥା କରିବି”

 

ତୁମେ ଯାଇଥାଅ । ମୁଁ ପଛେ ପଛେ ଯାଉଛି କହି ଡକ୍ଟର ଡିଆନ ତମିସ୍ରାକୁ ବିଦାୟଦେଲେ । ତମିସ୍ରା ଧୀରେ ଧୀରେ ଡାକ୍ତରଖାନା ଆଡ଼କୁ ଅଗ୍ରସର ହେଲା ।

 

ଏକଶ କୋଡ଼ିଏ ନମ୍ବର ରୋଗୀଟି ଯେପରି ତମିସ୍ରାକୁ ଦେଖିଛି ମୁହଁରେ ଲୁଗାଦେଇ କଇଁ କଇଁ କରି କାନ୍ଦିଉଠିଲା । ପ୍ରାୟ ଦଶମିନିଟ ପରେ ସେ କହିଲା, ‘‘ତୁମକୁ ଜୁହାର ହେଉଛି । ତୁମ୍ଭେ ଏଠାରୁ ଚାଲିଯାଅ । ଥରେ ପରା ତୁମକୁ ମନାକରିଥିଲି ମୁଁ ଆଉ କାହାକୁ ଦେଖିବାକୁ ଚାହେଁ ନାହିଁ । ମୁଁ ସବୁବେଳେ ଆଖି ବନ୍ଦ କରି କେବଳ ବସି ରହିବାକୁ ଚାହେଁ । ଆଖି ଖୋଲିଲେ କାଳେ ତା’ର ରୂପ ଆଖିଆଗରେ ନାଚିବ ସେଥିପାଇଁ ମୁଁ ଆଖିଖୋଲି ଏ ନୀଳ ଆକାଶଟାକୁ ମଧ୍ୟ ଅନାଇବାକୁ ଭୟ କରେ । ଯେତେ କହିଲି କେହି ଦିନେ ବୋଲି ଝରକାଟା ଆଉ ବନ୍ଦ କରିଦେଲେ ନାହିଁ ।

 

ସେହି କୃଷ୍ଣଚୂଡ଼ା ଗଛକୁ ଅନାଇଲା ? କେତେ ପେନ୍ଥା ପେନ୍ଥା ହୋଇ ଫୁଲ ଫୁଟିଛି । ନାଲି ନାଲି ଫୁଲ । ତୁମର ଆଖି ଫୁଟିଯାଇଛି କି ? ଦେଖିପାରୁନ କେତେ ଫୁଲ ଫୁଟିଛି ? ଏହି କୃଷ୍ଣଚୂଡ଼ା ଫୁଲ ମୋତେ ଜାଳିପୋଡ଼ି ମାରିଦେଉଛି । ଝରକାଟା ବନ୍ଦ କରିଦେଲେ ତ ଚଳନ୍ତା । ନା, କେହି ଆଉ ତାହା କରିଦେଲେ ନାହିଁ । ଆରେ ସେ ଯଦି ଶୁଣିବ ମୁଁ କୃଷ୍ଣଚୂଡ଼ା ଫୁଲକୁ ଦେଖି ତାକୁ ପୁଣି ମନେପକାଇଲି ସେ ମୋତେ ଘୃଣା କରି କହିବ ନାହିଁକି ପ୍ରତାରକ ! ଏଇ ତୁମର ହୃଦୟ ? ଏଇ ତୁମର ପୌରୁଷ ? ମୋତେ ଭୁଲିଯିବ ବୋଲି ଜବାବ୍ ଦେଇଥିଲ କିନ୍ତୁ ତୁମ କଥା ତୁମେ ରଖିପାରିଲ କି ?’’

 

ତମିସ୍ରା କୌଣସି ଜବାବ୍ ନ ଦେଇ କେବଳ ସ୍ୱାମୀକୁ ଅନାଇଲା । ପୁଣି ଶୁଭେନ୍ଦୁ କହିଲେ, ‘‘ଧନ୍ୟରେ ତୁମେ ମଣିଷ ! କାନ ଥାଇ ମଧ୍ୟ ତୁମେ କାଲା ହୋଇଗଲ ? ଶୁଣିପାରୁନ, ରେଡ଼ିଓଟା କିପରି ପାଟିକରି ଗାଉଛି ।

 

ପ୍ୟାର କିୟା କୋଇ ପାପ୍ ନେହିଁ କିୟା

ପ୍ୟାର କିୟା ତ ଡରନା କ୍ୟା ?

 

ଗଲ ତାକୁ ମନା କରିଦିଅ । ସେ ଆଉ ଏ ଗୀତ ଗାଇପାରିବ ନାହିଁ । ଯଦି ତୁମର କଥା ସେ ରେଡ଼ିଓଟା ନ ଶୁଣେ ତୁମେ ତା’ର ଗଳାଚିପି ମାରିଦିଅ ଯେ ସେ ଛଟପଟ ହୋଇ ମରିଯାଉ । ବୁଝିଲ ମଣିଷ କାହାକୁ ପାଇବା ପାଇଁ ପାଗଳ ହୁଏ ନାହିଁ । ବାର ସତର କଥା ଶୁଣିଲେ ମଣିଷ ପାଗଳ ହୋଇଯାଏ ।

 

ତୁମେ ବୁଦ୍ଧଦେବଙ୍କୁ ଜାଣ ? ପାଠ ତ ପଢ଼ିଲ ନାହିଁ କହିବ କିପରି ? ତୁଚ୍ଛାକୁ ଖାଲି ଦୁନିଆକୁ ଆସିଥିଲା ଖାଇପିଇ ମରିଯିବାକୁ । ବାର ସତର କଥା ଆଖିରେ ଦେଖି ଦେଖି ସେ ଘରଛାଡ଼ି ବଣକୁ ପଳାଇଥିଲେ । କେଡ଼େ ନିର୍ଦ୍ଦୟ ସେ ଲୋକଟା । ଛୁଆ ପିଲାଙ୍କୁ ଦାଣ୍ଡରେ ବସାଇଦେଇ ତୁଚ୍ଛାକୁ ଚାଲିଗଲେ ବଣକୁ । ସେମାନେ କେତେ ହଇରାଣ ହେଉନଥିବେ । ଏହି ମଣିଷଗୁଡ଼ାକ ପାଇଁ ବୁଦ୍ଧଦେବ ସନ୍ୟାସୀ ହୋଇଗଲେନା । ସେ କ’ଣ ନିଜପାଇଁ ହୋଇଥିଲେ ? ଏ ଲୋକ ଗୁଡ଼ାକୁ ମରଣ ଯା ହେଉନାହିଁ ।’’

 

ପୁଣି ଶୁଭେନ୍ଦୁ ଉତ୍ତେଜିତ ହୋଇ କହିଲେ, ‘‘ଟିକିଏ ଯାଇ ସେ କୋଇଲିଟାକୁ ହୁରୁଡ଼ାଇଦେଲ । ଦେଖୁନ ଆମ୍ବ ଡାଳରେ ବସି କିମିତି କୁ’ କୁ’ ହୋଇ ସବୁବେଳେ ଗାଇ ଗାଇ ମୋର ଶାନ୍ତିଭଙ୍ଗ କରୁଛି । ତାହାର କି ଅଧିକାର ଅଛି ମଣିଷର ଶାନ୍ତି ନଷ୍ଟ କରିବାକୁ ? ଧରିଆଣି ତାକୁ ମୋ ପାଖରେ ହାଜର କରିଦେଲ । ମୁଁ ତାକୁ ପଚାରିବି ସେ କାହିଁକି ଏଠାରେ ବସି ଗାଉଛି ? ମୁଁ ତା’ର ସଙ୍ଗୀତ ଶୁଣିବାକୁ ଚାହେଁନାହିଁ । ସେ ଏଠାରୁ ଯେତେଶୀଘ୍ର ପାରେ ଉଡ଼ିଯାଇ ସେ ଯେଉଁ ଦେଶରେ ଅଛି ତା’ ଦୁଆର ଆଗରେ ଆମ୍ବ ଗଛରେ ବସି ଗାଇ ଗାଇ କହୁ ‘ମୁଁ ତାକୁ ଭୁଲିଯାଇଛି ।’

 

ଦେଖି ମୋ ହାତକୁ ଗ୍ଲାସେ ପାଣି ଦେଲ । ଅନେକ ବେଳରୁ ତଣ୍ଟି ଶୁଖିଯାଉଛି ।’’

 

ତମିସ୍ରା ଗ୍ଲାସରେ ପାଣିଢାଳି ଶୁଭେନ୍ଦୁ ହାତକୁ ବଢ଼ାଇଦେଲା ।

 

ଶୁଭେନ୍ଦୁ ଗ୍ଳାସଟିକୁ ହାତରେ ଧରି କହିଲେ, ‘‘ଏହି ପାଣିରେ ବିଷ ମିଶାଇ ମୋତେ ଆଉ ଖାଇବାକୁ ଦେଇନାହଁ ତ ? କାହିଁ ତୁମେ ତ ଚାଖିକରି ମୋତେ ପାଣିପିଇବାକୁ ଦେଲ ନାହିଁ ? କେହି ପାଣି ଚାଖିକରି ମୋତେ ନଦେଲେ ମୁଁ ପାଣି ପିଇବାକୁ ଭୟ କରେ । କାଳେ ପାଣିରେ ବିଷ ମିଶିଥିବ । ବିଷ ଖାଇଲେ କ’ଣ ମଣିଷ ବଞ୍ଚେ ? କାହାର ଜୀବନ ପ୍ରତି ଲୋଭ ନାହିଁ କହିଲ ? ତୁମେ ଆଉ କଉଁ ବିଶ୍ୱାସୀ ମଣିଷ ଯେ ତୁମେ ପାଣି ବଢ଼ାଇଦେଲ ବୋଲି ପିଇଦେବି ? ଯଦି ତୁମକୁ ବିଶ୍ୱାସ କରି ପାଣି ପିଇ ମରିଯାଏ ତେବେ ସେ ଶୁଣିଲେ କହିବ ‘କିହୋ, ବନ୍ଧୁ ! କଥା ପରା ଦେଇଥିଲ ମୋତେ ଭୁଲିଯିବ ବୋଲି, କାହିଁ ଭୁଲିପାରିଲ ? ମାରିପାରିଲ କିନ୍ତୁ ଭୁଲିପାରିଲ ନାହିଁ ।’ କ’ଣ ଜବାବ୍ ତାଙ୍କୁ ସେତେବେଳେ ଦେବି ? ତୁମ କଥାରେ ପଡ଼ି ତୁମ ହାତରୁ ମୋଟେ ପାଣି ପାଇବି ନାହିଁ ।’’

 

ଶୁଭେନ୍ଦୁ ଗ୍ଲାସରୁ ପାଣି ଛାଟିଦେଲେ ବାହାରକୁ । ଘର ଭିତରେ ପଦଚାରଣ କରୁ କରୁ ସେ କହିଲେ, ‘‘ଆଜି ପୂର୍ଣ୍ଣିମା । ଚନ୍ଦ୍ର ଆକାଶରେ ଗୋଲ ହୋଇ ବାହାରିବ । କିନ୍ତୁ ମନେରଖିଥାଅ ସେ ଚନ୍ଦ୍ରଭଳି ଏ ଚନ୍ଦ୍ର ନୁହେଁ । ଯେଉଁ ଚନ୍ଦ୍ରଟା ଆକାଶରେ ବାହାରିବ ତାହା ରୁଟିପରି ଗୋଲ । କିନ୍ତୁ ସେ ଚନ୍ଦ୍ରଟା ଜ୍ୟାମିତିର ବୃତ୍ତପରି ଗୋଲ, କେଉଁ ଚନ୍ଦ୍ରଟା ବୃତ୍ତପରି ଗୋଲ କହିଲ ? ଜାଣେ ତୁମେ ଲକ୍ଷେ ଜନ୍ମ ଚେଷ୍ଟା କଲେ ମଧ୍ୟ କହିପାରିବ ନାହିଁ । ସେ ଚନ୍ଦ୍ର ଦେଖିବାକୁ ତୁମ ଭାଗ୍ୟରେ ନାହିଁ । କେବଳ ପୂର୍ବଜନ୍ମର ତପସ୍ୟା ଥିଲାବୋଲି ସେ ଚନ୍ଦ୍ରକୁ ଦିନେ ମୁଁ ଅତି ନିକଟରେ ଦେଖିଥିଲି । ଯେତେ ରକେଟ୍ ତୁମେ ପଠାଅ, ସେ ରକେଟ୍ ଯେତେ ଦ୍ରୁତଗାମୀ ପଛେ ହେଉ କିନ୍ତୁ ସେ ଚନ୍ଦ୍ର ପାଖକୁ ଯାଇପାରିବ ନାହିଁ । ଥରେ ପରା କହିଲି ସେ ଚନ୍ଦ୍ରକୁ ଭାଗ୍ୟରେ ନଥିଲେ କେହି ଦେଖିପାରେ ନାହିଁ ।’’

 

ତମିସ୍ରା ଦେଖିଲେ ଅନତିଦୂରରେ ଗେଟ୍ ପାଖରେ ଛିଡ଼ାହୋଇ ଡକ୍ଟର ଡିଆନ୍ କଥାବାର୍ତ୍ତା ହେଉଥିଲେ ଜଣେ ଭଦ୍ର ମହିଳା ସାଥିରେ । ଭଦ୍ର ମହିଳାଙ୍କୁ ଦେଖି ଜଣେ ଉଚ୍ଚ ସମ୍ଭ୍ରାନ୍ତ ବଂଶୀୟା ବୋଲି ଜଣାପଡ଼ୁଥିଲା ।

 

ତମିସ୍ରା ଭାବୁଥିଲା ଏ ମହିଳା ଜଣକ ନିଶ୍ଚେ ଓଡ଼ିଶାର ଲୋକ ହୋଇଥିବେ । ବେଶବିନ୍ୟାଶରୁ ମଣିଷ ମଣିଷକୁ ହଠାତ୍ ଠଉରାଇଥାଏ ।

 

ଡାକ୍ତର ଡିଆନଙ୍କ ସଙ୍ଗେ ଉକ୍ତ ଭଦ୍ର ମହିଳା ଜଣଙ୍କ ଆଗେଇଆସିଲେ ଡାକ୍ତରଖାନା ଆଡ଼କୁ ।

 

ତମିସ୍ରା ଭାବୁଥାଏ ଯଦି ପ୍ରକୃତରେ ଏହି ମହିଳା ଜଣକ ଓଡ଼ିଆଣୀ ହୋଇଥାନ୍ତି ତେବେ ସେ ଏଠାରେ ଯେତେଦିନ ରହିବ ତାଙ୍କ ଘରକୁ ଯାଇ ଅନ୍ତତଃ ଆଳାପ କରି ଫେରିଆସିବ ତ । ସୁଦୂର ବିଦେଶରେ ନିଜ ଦେଶର ଲୋକକୁ ମଣିଷ ପାଇଲେ କୋଟିନିଧି ପାଇଲା ପରି ମନେହୁଏ ।

 

ସେ ଭଦ୍ର ମହିଳା ଜଣକ ନିକଟକୁ ଆସିବାରୁ ତମିସ୍ରା ହଠାତ୍ ଧାଇଁଯାଇ ତାଙ୍କୁ ଆନନ୍ଦରେ କୁଣ୍ଢାଇପକାଇ କହିଲା, ‘‘ଭଉଣୀ ! ବଞ୍ଚିଗଲି । ତୁମେ ନିଶ୍ଚେ ଆମ ଓଡ଼ିଶାର ଲୋକ । ଏଠାକୁ ଆସିଲାଦିନ ପାଖରୁ ସବୁବେଳେ ନମସ୍ତେ, ଆଇ ୟେ, ବୈଠିୟେ କହି କହି ପାଟି ବଥା କରିଗଲାଣି । ଶୁଣି ଶୁଣି କାନ ମଧ୍ୟ କାଲ ହୋଇଗଲାଣି । ମନେହେଉଛି ଆଉ କିଛିଦିନ ଯଦି ଏଠାରେ ରହିଯାଏ ତେବେ ନିଜ ମାତୃଭାଷା ମୋତେ ବୋଧହୁଏ ଏକାବେଳକେ ଭୁଲିଯିବାକୁ ପଡ଼ିବ ।

 

ମାତୃଭୂମି ଓ ମାତୃଭାଷାର ଯେ କି ମୋହିନୀ ଶକ୍ତି ରହିଛି ସେ କଥା ଅନୁଭବୀ ବ୍ୟତୀତ ଆଉ କେହି ଜାଣିପାରିବ ନାହିଁ ।

 

ଡକ୍ଟର ଡିଆନ୍ ତମିସ୍ରା ସଙ୍ଗେ ଉକ୍ତ ଭଦ୍ର ମହିଳାଙ୍କ ପରିଚୟ କରାଇଦେଲେ ଏବଂ କହିଲେ, ‘‘ଏହି କେଇମାସ ହେବ ଏମାନେ ରାଞ୍ଚିରେ ଅଛନ୍ତି । ଏମାନେ ତୁମ ଦେଶର ଲୋକ । କେବଳ ତୁମ ସଙ୍ଗେ ପରିଚୟ କରାଇ ଦେବାକୁ ମୁଁ ଏହାଙ୍କୁ ରାସ୍ତାରେ ଦେଖି ଡାକିଆଣିଛି ।’’

 

ଉଭୟେ ଉଭୟଙ୍କୁ ନମସ୍କାର ହେଲେ ।

 

ଭଦ୍ର ମହିଳା ତମିସ୍ରାଙ୍କୁ କ’ଣ ପଚାରିବାକୁ ଚାହୁଁଥିଲେ । ହଠାତ୍ ଡକ୍ଟର ଡିଆନ୍ କହିଲେ, ‘‘ଆସନ୍ତୁ ମିସେସ୍ ରଥ ! ଡାକ୍ତରଖାନାକୁ ଯିବା । ଦେଖିବେ କି ଅଦ୍ଭୁତ ପ୍ରକାର ସେ ରୋଗୀ । ସେ କେବଳ ସବୁବେଳେ କହୁଛି ମୁଁ ତାକୁ ଭୁଲିଯାଇଛି ।

 

ଡକ୍ଟର ଡିଆନଙ୍କ ସଙ୍ଗରେ ସେ ଭଦ୍ର ମହିଳା ଓ ତମିସ୍ରା ଡାକ୍ତରଖାନାକୁ ଗଲେ । ସେମାନେ ଯିମିତି ଏକଶ କୋଡ଼ିଏ ନମ୍ବର କୋଠରୀର ଦ୍ୱାରଦେଶରେ ଉପସ୍ଥିତ ହୋଇଛନ୍ତି ସେ ରୋଗୀଟି ତା’ ପାରୁପର୍ଯ୍ୟନ୍ତ ଚିତ୍କାର କରି କହିଲା, ‘‘ଲେଟ୍ ମି ଲିଭଇନ୍ ପିଶ୍ । ମୋତେ ଟିକିଏ ଶାନ୍ତିରେ ବଞ୍ଚିବାକୁ ଦିଅ ।’’

 

ଭଦ୍ର ମହିଳାଙ୍କ ପାଟିରୁ ହଠାତ୍ ବାହାରିଗଲା, ‘‘ଆରେ ଏ ଯେ ଶୁଭେନ୍ଦୁ ।’’

 

ଡାକ୍ତର ଡିଆନ୍ ପଚାରିଲେ, ‘‘ମିସେସ୍ ରଥ ! ଆପଣ ତାହାହେଲେ ଏହାଙ୍କୁ ଚିହ୍ନନ୍ତି ?’’

 

‘‘ଥରେ ଅଧେ ଦେଖିଛି ଓ ମୋ ସ୍ୱାମୀଙ୍କ ସଙ୍ଗେ ଏ ଥରେ ଦୁଇଥର ବୋଧହୁଏ ଆମ ବସାଆଡ଼େ ବୁଲି ଆସିଥିଲେ । ଆମେ ଯେତେବେଳେ ଓଡ଼ିଶାରେ ଥିଲୁଁ....’’ ଏତିକି କହି ଶ୍ରୀମତୀ ରଥ ସମସ୍ତଙ୍କ ଅଜ୍ଞାତସାରରେ ଶୁଭେନ୍ଦୁଙ୍କୁ ଅନାଇ ପୁଣି ଦୃଷ୍ଟି ଫେରାଇଆଣିଲେ ।

 

ଶୁଭେନ୍ଦୁ ଶ୍ରୀମତୀ ରଥଙ୍କୁ ଦେଖି ହଠାତ୍ ହତବିମ୍ବ ହୋଇଗଲେ । ସେତେବେଳେ ଶୁଭେନ୍ଦୁର ମୁହଁରେ ପାଗଳାମୀର କୌଣସି ଚିହ୍ନ ପରିଲକ୍ଷିତ ହେଉନଥିଲା । ସେ ଖୁବ୍ ଭଦ୍ର ଭାବରେ ଶ୍ରୀମତୀ ରଥଙ୍କୁ ନିରୀକ୍ଷଣ କରିବାକୁ ଲାଗିଲେ ।

 

ସେତେବେଳେ ଶ୍ରୀମତୀ ରଥ ଗୋଟିପଣେ ଥରିଉଠିଲେ ।

 

ଡକ୍ଟର ଡିଆନ ପଚାରିଲେ, ‘‘ମିସେସ୍ ରଥ ! ଆପଣ ଥରୁଛନ୍ତି କାହିଁକି ?’’

 

ସେ ଛେପ ଢୋକି ଉତ୍ତର ଦେଲେ, ‘‘ମୋତେ ପାଗଳାଙ୍କୁ ଭାରି ଭୟ ଲାଗେ ?’’

 

‘‘ତାହା ହେବା ଅସ୍ୱାଭାବିକ ନୁହେଁ ।’’ ଏହି ମନ୍ତବ୍ୟ ପ୍ରକାଶ କରିଥିଲେ ଡକ୍ଟର ଡିଆନ ।

 

ମିସେସ୍ ରଥଙ୍କୁ ଶୁଭେନ୍ଦୁ ପ୍ରାୟ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଦଶଥର ନିରୀକ୍ଷଣ କରିସାରି ଗୋଟିଏ ସ୍ଵସ୍ତିର ନିଶ୍ୱାସ ପକାଇ କହିଲେ, ‘‘ଚନ୍ଦ୍ରା ! ବହୁତଦିନ ପରେ ତୁମେ ଆସିଛ । ମୋତେ ତୁମେ ଭୁଲିଯାଇ କିପରି ରହିଲ ଚନ୍ଦ୍ରା ? ତୁମେ ତ ଜାଣ ମୋ ପ୍ରାଣଠାରୁ ମଧ୍ୟ ମୁଁ ତୁମକୁ ଭଲପାଏ-। ମୋର ଭଲପାଇବାରେ କିଛି ଆବିଳତା କ’ଣ ଥିଲା ?’’

 

ଶୁଭେନ୍ଦୁର କଥା ଶୁଣି ଡକ୍ଟର ଡିଆନଙ୍କ ମୁଖରେ କେତେକ ପରିମାଣରେ ଆଶା ସଞ୍ଚାର ହୋଇଗଲା । ସେ ମନେମନେ ସେତେବେଳେ ଭାବିବାକୁ ଲାଗିଲେ ଏତେଦିନ ପରେ ରୋଗର ମହୌଷଧି ନିଜେ ଆସି ପହଞ୍ଚିଯାଇଛି ।

 

ମନେମନେ ତମିସ୍ରା ସେତେବେଳେ ଭଗବାନଙ୍କୁ ଡାକି କହୁଥିଲା, ‘‘ହେ ଅଗତିର ଗତି ! ତୁମେ ଏ ହତଭାଗିନୀର ଦୁଃଖ ଶୁଣି ଶୁଣି ନିଜେ କ’ଣ ମହାଲକ୍ଷ୍ମୀଙ୍କୁ ମୋ ଦୁଃଖ ମୋଚନ କରିବାକୁ ପଠାଇଦେଲ ?’’

 

ହଠାତ୍ ଶୁଭେନ୍ଦୁ ଦୂରକୁ ଘୁଞ୍ଚିଯାଇ କହିଲେ, ‘‘ତୁମକୁ ମୁଁ ଭୁଲ୍ ଚିହ୍ନିଥିଲି । ତୁମେ ମୋର ଚନ୍ଦ୍ରା ନୁହେଁ । ତୁମେ ହେଉଛ ଅରୁଣା ! ଶ୍ରୀମନ୍ତ ବାବୁଙ୍କ ସହଧର୍ମିଣୀ । ମୋର ମନେଅଛି ଠିକ୍ ମନେଅଛି ଚନ୍ଦ୍ରାକୁ । ଏଇ ତମର ମୁହଁ ପରି ମୁହଁ, ତୁମର ଓଠ ପରି ଓଠ ଏବଂ ତୁମର ସରୁ ନାକ ପରି ପତଳା ନାକ । ଆଉ ତୁମର ମୁହଁଟି ଯିମିତି ଜ୍ୟାମିତିକ ବୃତ୍ତପରି ଗୋଲ ତାହାର ମୁହଁଟା ମଧ୍ୟ ଏହିପରି ଅଧିକ ଗୋଲ ।

 

ଓଃ ତୁମ୍ଭେମାନେ ସବୁ ଏଠାରୁ ଗଲ । ମୋର ଶାନ୍ତିଭଙ୍ଗ ତୁମ୍ଭେମାନେ ମୋଟେ କରନାହିଁ । ମୁଁ ଚନ୍ଦ୍ରାକୁ ଭୁଲିଯାଇଛି । ଚନ୍ଦ୍ରା ! ମୁଁ ତୁମ ନାମରେ ଶପଥ କରି କହୁଛି ତୁମେ ମୋର ଆଉ କେବେହେଲେ ମନେପଡ଼ିବ ନାହିଁ । ତୁମେ ମୋର କିଏନା ମୁଁ ତୁମର କିଏ ? ତୁମର କଥା ମନେପକାଇ ଲାଭ କ’ଣ ? ମୋତେ ପୂର୍ଣ୍ଣ ପ୍ରାଣରେ ବିଶ୍ୱାସ କର ଚନ୍ଦ୍ରା ! ମୁଁ ତୁମକୁ ଭୁଲିଯାଇଛି।’’

 

ଏତିକି କହି ଶୁଭେନ୍ଦୁ ମୁହଁ ବୁଲାଇ କାନ୍ଦିବାକୁ ଲାଗିଲେ । ତମିସ୍ରା ଡିଆନଙ୍କୁ ପ୍ରଶ୍ନବାଚକ ଦୃଷ୍ଟିରେ ଅନାଇ ମନେମନେ ହତାଶ୍ ହୋଇପଡ଼ିଲା ।

 

ଅଯଥା ଅପବାଦରୁ ମଣିଷ ରକ୍ଷାପାଇଲା ଭାବି ଅରୁଣା ମନକୁମନ ଆନନ୍ଦିତ ହେଲା ସତ କିନ୍ତୁ ଡକ୍ଟର ଡିଆନଙ୍କ ତୀକ୍ଷ୍ଣ ଦୃଷ୍ଟିକୁ ସେ ମୋଟେ ଏଡ଼ିଦେଇପାରିଲା ନାହିଁ ।

 

ଡକ୍ଟର ଡିଆନଙ୍କ ଆଖିଦୁଇଟା ତ ଆଖି ନୁହେଁ । ସେ ଦୁଇଟା ମଣିଷ ହୃଦୟର ଅନ୍ଧକାରମୟ ପ୍ରଦେଶର ଗୋପନୀୟ ବସ୍ତୁକୁ ଖୋଜି ବାହାର କରିବା ଯନ୍ତ୍ର ।

 

-ବାର-

 

ତମିସ୍ରା ଡାକ୍ତରଖାନାକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲା । ସେହିଦିନ ସେମାନେ ଗାଁକୁ ଫେରିଯିବା କଥା । ଶୁଭେନ୍ଦୁ ମଧ୍ୟ ସାଥିରେ ଯିବେ । ଦୁଇମାସ ଗାଁରେ ରହିବା ପରେ ପୁଣି ଶୁଭେନ୍ଦୁକୁ ସଙ୍ଗରେ ନେଇ ଆଉ ଥରେ ଆସିବାକୁ ପଡ଼ିବ ।

 

ଡାକ୍ତର ଡିଆନ ସତର୍କ କରାଇଦେଇ କହିଥିଲେ ରୋଗୀକୁ ବିଶେଷ ନଜରରେ ରଖିବାକୁ । ଯେଉଁ କାରଣରୁ ଶୁଭେନ୍ଦୁଙ୍କ ମସ୍ତିସ୍କ ବିକୃତ ଘଟିଥିଲା ସାଧାରଣତଃ ସେହି କାରଣରୁ ସେ ପ୍ରକାର ରୋଗୀମାନେ ସର୍ବଦା ଆତ୍ମହତ୍ୟା କରିବାକୁ ଇଚ୍ଛା କରନ୍ତି ।

 

ତମିସ୍ରା ବାହାରକୁ ଆସିବା ମାତ୍ରେ ପୋଷ୍ଟମ୍ୟାନ୍ ଗୋଟିଏ ରେଜେଷ୍ଟ୍ରି ଚିଠି ତମିସ୍ରାକୁ ଦେଇଗଲା । ଘର ପାଖରୁ କନକ ଦେବୀ ପଠାଇଥିଲେ । ତମିସ୍ରା ଲଫାପା ଖୋଲିଲା । ଲଫାପା ଭିତରେ ଶୁଭେନ୍ଦୁଙ୍କ ହସ୍ତ ଲିଖିତ ପୂର୍ବ ବର୍ଣ୍ଣିତ ଜଉମୁଦ ଚିଠିଟି ମଧ୍ୟ ଥିଲା । ତମିସ୍ରା ତରବରରେ ଚିଠିଟି ଖୋଲିଲା । ପଢ଼ିଲା ଅତି ଗୋଲ ଗୋଲ ଅକ୍ଷରରେ ଶୁଭେନ୍ଦୁ ଲେଖିଥିଲେ–

 

ପ୍ରାଣର ତମିସ୍ରା !

 

ଏହି ଚିଠିଖଣ୍ଡି ପଢ଼ିବା ପୂର୍ବରୁ ତୁମକୁ ପ୍ରଥମେ ଭଗବାନଙ୍କ ନାମରେ ଶପଥ କରିବାକୁ ପଡ଼ିବ ଯେ ତୁମେ କାହାରି ପାଖରେ ଏହା ପ୍ରକାଶ କରିବ ନାହିଁ ଏବଂ ମୁଁ ଯାହାକୁ ପ୍ରାଣଦେଇ ଭଲପାଇଛି ତୁମେ ତାକୁ କେବେହେଲେ ଘୃଣା କରିବ ନାହିଁ ।

 

ଶୁଣ ତମିସ୍ରା ! ଅନେକଦିନ ପାଖରୁ ଯେତେବେଳେ ମୁଁ ତୁମକୁ ବିବାହ ମଧ୍ୟ କରିନଥିଲି ସେହିଦିନଠାରୁ ଯେ ମୋର କଳ୍ପନାକୁ ରୂପରେଖ ଦେଇ ବାସ୍ତବତାରେ ପରିଣତ କରିବ ତାହାକୁ କେବଳ ମନେମନେ ଖୋଜୁଥିଲି । ତୁମେ ଏତେଦିନ ସଂସାର କରିବା ପରେ ନିଶ୍ଚୟ ଅନୁମାନ କରିଥିବ ମୁଁ ସର୍ବଦା କଳ୍ପନା ଜଗତରେ ବିଚରଣ କରିବାକୁ କିପରି ଅସମ୍ଭବ ଭାବରେ ଭଲପାଏ । ଯାହାକୁ ମୁଁ ମନେମନେ ଖୋଜୁଥିଲି କଳ୍ପନାରେ ମଧ୍ୟ ତା’ର ରୂପକୁ ଦେଖି ଆନନ୍ଦରେ ଆତ୍ମହରା ହୋଇ ଭାବିଥିଲି ଯେ ଯାହାକୁ ମନପ୍ରାଣ ଢାଳି ଖୋଜେ ଅବଶ୍ୟ ଭଗବାନ ତାକୁ ଆଣି ଜୁଟାଇ ଦିଅନ୍ତି ।

 

ମୋର କଳ୍ପନା ଥିଲା ଏକ ଅଦ୍ଭୁତ କଳ୍ପନା । ମୁଁ ଭାବୁଥିଲି ତାହାର ମୁହଁଟି ହେବ ଜ୍ୟାମିତିକ ବୃତ୍ତଠାରୁ ଆହୁରି ଅଧିକ ଗୋଲ । ସର୍ବାଙ୍ଗରେ ଥିବ ସ୍ଵର୍ଣ୍ଣବର୍ଣ୍ଣ କେତକୀର ରଙ୍ଗ । ନୟନ ଯୁଗଳରେ ଥିବ ବଣା ଏଣୀର ଚାହାଣୀ । କାମଦେବର ଫୁଲଧନୁକୁ ଜିଣିବା ଭଳି ଥିବ ଭ୍ରୂଲତା ଯୁଗଳ । ଏମିତି କେତେ କ’ଣ ଥିଲା ମୋର କଳ୍ପନା । ମୁଁ କଳ୍ପନା ବିଳାସୀ କବି ନୁହେଁ କିମ୍ବା ମୁଁ ରୂପ ରଙ୍ଗର ଚିତ୍ରକର ନୁହେଁ । ଏହି ରକ୍ତମାଂସର ମଣିଷ ଯାହା ଖୋଜେ ସେତିକି ମଧ୍ୟ ମୁଁ ଯଦି କେବେ ପାଇବାକୁ ଇଚ୍ଛାକରେ ମୋତେ ଯେଉଁମାନେ ଘୃଣା କରିବେ ସେମାନଙ୍କୁ ଯଦି ଫ୍ରଏଡ଼୍‍ଙ୍କ ମନସ୍ତତ୍ୱ ବୁଝାଇ ବସେ ତେବେ ସେମାନେ ନିଶ୍ଚୟ ମୋତେ କହିବେ ଏ ଲୋକଟାର ଶ୍ଳୀଳତା ମୋଟେ ନାହିଁ-

 

ଯେଉଁମାନେ ଯେତେ ଅଶ୍ଳୀଳ ସେମାନେ ଶ୍ଳୀଳତା ରକ୍ଷା କରିବାକୁ ବିଶେଷ ଚେଷ୍ଟା କରନ୍ତି ଏହା ହେଉଛି ଏ ଯୁଗର ଧର୍ମ । ଯେଉଁମାନେ ସବୁବେଳେ ଉଚ୍ଚ ଚିନ୍ତା କରନ୍ତି କେବଳ ନିଜ ସମ୍ବନ୍ଧରେ, ସେମାନେ ପ୍ରକୃତରେ ଦେଖିବାକୁ ଗଲେ ଅନେକ ତଳରେ ରହିଥାନ୍ତି । ବଂଶ ମର୍ଯ୍ୟାଦାକୁ ଧୋଇ ଧୋଇ ସିଠା କରିଦେଲା ପରେ ଆଉ ବଂଶ ମର୍ଯ୍ୟାଦା ଦେଖାଇ ଲାଭ କ’ଣ ?

 

ମୁଁ ମୋର ପୂର୍ବ କଳ୍ପିତ ସ୍ତ୍ରୀଟିକୁ ଖୋଜିଥିଲି ସାଗରର ତରଙ୍ଗ ମଧ୍ୟରେ, ଜ୍ୟୋତ୍ସ୍ନା ବିଧୌତ ନୀଳ ଆକାଶର କୋଟି ତାରକା ମେଳରେ କିନ୍ତୁ ଦିନେହେଲେ ସ୍ଵପ୍ନରେ ସୁଦ୍ଧା ତୁମ ରାଣ ପକାଇ କହୁଛି ସେ ମୋ ପାଖକୁ ଆସିନଥିଲା । ଯେଉଁ ରୂପକୁ ମୁଁ କାମନା କରୁଥିଲି ତାହା ଏକ ଦେବୀ ଦୁର୍ଲଭ ରୂପ । ସେହି ରୂପ ସ୍ଵର୍ଗରେ ମିଳିବା ମଧ୍ୟ ସମ୍ଭବ ନୁହେଁ ।

 

ମୁଁ ଯେଉଁ ରୂପକୁ ମନେମନେ କଳ୍ପନା କରୁଥିଲି ସେ ରୂପ ଥିଲା କବିର କଳ୍ପନା ବାହାରେ । ଶିଳ୍ପୀର ତୂଳୀରେ ସେ ରୂପ ଫୁଟିବା ସମ୍ଭବ ନୁହେଁ । ଏଥିରୁ ବୁଝ ସେ ରୂପଟି କ’ଣ ହୋଇନପାରେ ?

 

କଳ୍ପନା ଦୁନିଆରେ କେବେ ବାସ୍ତବ ହୁଏନାହିଁ । ଏହା ସମସ୍ତେ ଯଦିଓ ଜାଣନ୍ତି ତଥାପି ସମସ୍ତେ କଳ୍ପନା ରାଜ୍ୟରେ ବିଚରଣ କରିବାକୁ ଆନନ୍ଦ ପାଆନ୍ତି । ମୁଁ ମୋର କଳ୍ପନା ପଛରେ ସିମିତି ଲକ୍ଷ୍ୟହୀନ ଭାବରେ ବିଚରଣ କରୁଥାଏ ।

 

ତୁମେ ଆମ ଘରକୁ ଆସିଲ । ତୁମ ରୂପ ଦେଖି ବୋଉ ତୁମ ପ୍ରତି ସନ୍ତୁଷ୍ଟ ଯେ ନୁହେଁ ଏହା ତୁମେ ଜାଣ । କିନ୍ତୁ ତୁମ ରୂପ ବର୍ତ୍ତମାନ ସୁଦ୍ଧା ସୁନ୍ଦର କି ଅସୁନ୍ଦର ତାହା ମୁଁ ମୋଟେ କହିପାରିବି ନାହିଁ । ଏହି ପ୍ରକାର ଉଦାସିନତା ପାଇଁ ତୁମେ ବୋଧହୁଏ ମୋ ସମ୍ବନ୍ଧରେ କେତେ କ’ଣ ଚିନ୍ତା କରିବ । କିନ୍ତୁ ବିଶ୍ୱାସ କର ତମିସ୍ରା ! ମୁଁ ତୁମକୁ କେବେହେଲେ ହୀନ ଚକ୍ଷୁରେ ଦେଖିନାହିଁ । କେବେହେଲେ ହତାଦର ମଧ୍ୟ କରିନାହିଁ । ତୁମର ନାରୀତ୍ୱକୁ ମୁଁ କେବେ ଅବମାନନା ମଧ୍ୟ କରିନାହିଁ । ତୁମକୁ ମୁଁ ଆଦର କରିଛି । ସ୍ନେହ କରିଛି ଓ ବିଶ୍ୱାସ ମଧ୍ୟ କରିଛି । ଦିନକ ପାଇଁ ତୁମ ମନରେ କଷ୍ଟଦେବା ଭଳି କଥାପଦେ ମୁଁ କେବେହେଲେ କହି ନାହିଁ ।

 

ତୁମ ପାଇଁ ମୁଁ କ’ଣ କରିଛି, କ’ଣ ନ କରିଛି, ତୁମକୁ ଭଲପାଇଛି କି ନା ତାହା ଲେଖିଲେ ଗୋଟାଏ ବିରାଟ ଗ୍ରନ୍ଥ ହେବ । ତେବେ ତୁମେ ଏତିକି ମନେରଖିଥିବ ଯେ ମୁଁ ତୁମକୁ ଭଲପାଇବାକୁ କେବେ କୃପଣତା ପ୍ରକାଶ କରି ନାହିଁ । ସାଧାରଣ ସ୍ୱାମୀ ଅପେକ୍ଷା ମୁଁ ତୁମକୁ ଯଥେଷ୍ଟ ଭଲପାଇଛି କି ନା ତାହା ତୁମେ ନିଶ୍ଚୟ ଜାଣ ।

 

ତୁମେ ମୋତେ ଅନାବିଳ ହୃଦୟରେ ଭଲପାଅ । ମୋର ସନ୍ତୋଷ ପାଇଁ ତୁମେ ମୋତେ ଅନ୍ତର ଖୋଲି ସ୍ନେହ କର । ମୁଁ ତୁମ ଆଖିରେ ଜଣେ ସର୍ବଶ୍ରେଷ୍ଠ ପୁରୁଷ, ଏହା ଭାବି ତୁମେ ମୋତେ ଯଥେଷ୍ଟ ଭକ୍ତି କର । ମୋଟାମୋଟି କହିବାକୁ ଗଲେ ତୁମେ ମୋ ପାଖରେ ଦିନେ ଅଭିମାନ କରିନାହଁ । ମୋ ପାଖରୁ କୌଣସି ମର୍ଯ୍ୟାଦା ତୁମେ ଆଶା କରିନାହଁ । କେବଳ ତୁମେ ନିଜକୁ ମୋ ପାଖରେ ଅର୍ପଣ କରିଦେଇ ଆନନ୍ଦ ପାଅ । ଏହା ମୁଁ ସବୁବେଳେ ବୁଝେ ।

 

ବେଶ୍ ତୁମ କଥା ଏତିକିରେ ଥାଉ । ମୁଁ ଯାହା କଥା ଲେଖିବାକୁ ଆଜି ଏ ଚିଠିରେ ବସିଛି ବର୍ତ୍ତମାନ ତା’ କଥା ଲେଖୁଛି । ପୂର୍ବରୁ ତୁମକୁ ତ କହିଛି ମୁଁ କାହାକୁ ଖୋଜୁଥିଲି ?

 

ସେତେବେଳେ ମୁଁ ଥାଏ ଠାକୁରାଣୀ ମାଇନ୍ସରେ ମାଇନ୍ସ ମେନେଜର । ମଝିରେ ମଝିରେ ମୋତେ ନାଲଦା ଯିବାକୁ ପଡ଼ୁଥିଲା । ପ୍ରତି ରବିବାର କାମ ବନ୍ଦ । ଏଣୁ ମୁଁ ପ୍ରତି ଶନିବାର ସନ୍ଧ୍ୟାବେଳେ ଯାଉଥିଲି ଏବଂ ସୋମବାର ସକାଳୁ ପୁଣି କାମକୁ ଆସୁଥିଲି । ନାଲଦାରୁ ଠାକୁରାଣୀ ପ୍ରାୟ ଆଠମାଇଲ ଦୂର ।

 

କମ୍ପାନୀର ଗାଡ଼ିରେ ଅଫିସ୍ ପର୍ଯ୍ୟନ୍ତ ଯାଉଥିଲି । ସେଠାରୁ ଗେଷ୍ଟ ହାଉସ୍‍କୁ ପାଦରେ ଚାଲିଚାଲି ଯିବାକୁ ପଡ଼ୁଥିଲା । ପ୍ରଥମେ ନାଲଦା କ୍ଳବ ପଡ଼େ । କ୍ଳବକୁ ଲାଗି ଜେନେରାଲ ମେନେଜରଙ୍କ ବଙ୍ଗଳା । ତା’ପାରେ ଏସିସ୍ ଟେଣ୍ଟ ମେନେଜରଙ୍କ ବଙ୍ଗଳା ।

 

ଏସିସ୍ ଟେଣ୍ଟ ମେନେଜରଙ୍କ ବଙ୍ଗଳାକୁ ଲାଗି ଗେଷ୍ଟ ହାଉସ୍ । ମୁଁ ଗଲେ ସେହିଠାରେ ରହୁଥିଲି । ଗୋଟିଏ ମୁଣ୍ଡି ପାହାଡ଼ ଉପରେ ଏସବୁ ଅବସ୍ଥିତ । କମ୍ପାନୀ ଅଫିସରୁ ପାହାଡ଼ ଉପରକୁ ପାଦରେ ଯିବାର କାରଣ ହେଉଛି ରାସ୍ତାର ଦୁଇଧାରାରେ ଧାଡ଼ିଧାଡ଼ି ହୋଇ କୃଷ୍ଣଚୂଡ଼ା ଗଛ ଲାଗିଥାଏ । ଗଛରେ ଫୁଲ ଫୁଟିଲେ ବେଶ୍ ସୁନ୍ଦର ଭାବେ ମନରେ ନିଆଁ ଲାଗେ । ମୋତେ କାହିଁକି କୃଷ୍ଣଚୂଡ଼ା ଫୁଲକୁ ଭଲଲାଗୁଥିଲା । ମୁଁ ତାହା କହିପାରିବି ନାହିଁ ।

 

ପ୍ରତି ଶନିବାର ମୁଁ ଯେତେବେଳେ ନାଲଦା ଯାଉଥିଲି ସେ ସ୍ତ୍ରୀଟି ମୋତେ ଦେଖିବାକୁ ଯେପରି ଅପେକ୍ଷା କରି ରାସ୍ତା କଡ଼ରେ ଛିଡ଼ା ହୋଇଛି ବୋଲି ମୋର ମନେହେଉଥିଲା । ପର ସ୍ତ୍ରୀକୁ ଅନାଇବା ଅସମୀଚୀନ ତେଣୁ ମୁଁ କ୍ଲବ ପହଞ୍ଚୁ ନ ପହଞ୍ଚୁଣୁ ତଳକୁ ମଥାପୋତି ଧୀରେ ଧୀରେ ଗେଷ୍ଟ ହାଉସ୍‍କୁ ଯାଉଥିଲି । ପୁଣି ଯେତେବେଳେ ଫେରୁଥିଲି ସେତେବେଳେ ମଧ୍ୟ ମଥାପୋତି ଅତି ସଂଯତଭାବେ ଫେରୁଥିଲି ।

 

ମୁଁ ଜଣେ ସୁନ୍ଦର ପୁରୁଷ ଓ ଯେ କୌଣସି ସ୍ତ୍ରୀକୁ ଅନାୟାସରେ ବଶ କରିଦେଇପାରିବି ଏହି ଦାମ୍ଭିକତା ସବୁବେଳେ ମୋର ମନ ମଧ୍ୟରେ ଥିଲା । ତେଣୁ ଯଥେଷ୍ଟ ଗାମ୍ଭୀର୍ଯ୍ୟ ବଜାୟ ରଖି ମୁଁ ଯେ ଯିବାଆସିବା କରୁଥିଲି ଏହା ବର୍ତ୍ତମାନ ସୁଦ୍ଧା ମୋର ମନେଅଛି ।

 

ମୁଁ ସବୁବେଳେ ଲକ୍ଷ୍ୟ କରିଛି ବରାବର ସେହି ସ୍ତ୍ରୀଟି ଛିଡ଼ାହୋଇ ମୋତେ ସବୁବେଳେ ସେହିଠାରୁ ଅନାଉଥିଲା । ବୋଧହୁଏ ସୁନ୍ଦର ପୁରୁଷକୁ ସବୁ ସ୍ତ୍ରୀ ଏହିପରି ଡାଆଣି ଆଖିରେ ଅନାନ୍ତି ବୋଲି ଗୋଟାଏ ଦୃଢ଼ ବିଶ୍ୱାସ ମୋ ମନରେ ସବୁବେଳେ ଥିଲା । ତେଣୁ ସେ ଯେ ମୋତେ ଅନାଉଥିଲା ସେଥିପାଇଁ ବିଶେଷ ଗୁରୁତ୍ୱ ମୁଁ ମୋଟେ ଦେଇନଥିଲି ।

 

ମୋର ଦୃଷ୍ଟିଆକର୍ଷଣ କରିବା ପାଇଁ ସେ ସମୟ ସମୟରେ ଖଣ୍ଡିକାଶ ଦେଉଥିଲା କି ନା କହିପାରିବି ନାହିଁ । ତେବେ ଜଣେ କିଏ ମଝିରେ ମଝିରେ କାଶିବା ଭଳି ମୋର ମନେହେଉଥିଲା ।

 

ମୁଁ ଯେ ଗୋଟିଏ ସୁନ୍ଦର ପୁରୁଷ ଏହା ହେଉଛି ମୋର ଯଥେଷ୍ଟ ଗର୍ବ । ତେଣୁ ମୁଁ ମୋଟେ କୌଣସି ଦିଗକୁ ଦୃଷ୍ଟି ନ ଦେଇ ମୋ ବାଟରେ ମୁଁ ଯିବାଆସିବା କରୁଥିଲି । କିନ୍ତୁ ମୁଁ ସବୁବେଳେ ଲକ୍ଷ୍ୟ ରଖିଥାଏ ସେହି ସ୍ତ୍ରୀଟିକୁ । ସେ କ୍ରମେ କ୍ରମେ ମୋର ମନଉପରେ ପ୍ରଭାବ ବିସ୍ତାର ଏହା ମଧ୍ୟରେ କରିଥାଏ ।

 

ତାକୁ ଯେତେ ଅନାଇବାକୁ ଇଚ୍ଛା କରୁନଥିଲି ସେତେ ମୋର ମନଟା ଚଞ୍ଚଳ ହୋଇଉଠୁଥିଲା । ମୋର ଆଖିଯୋଡ଼ାକ ମୋଟେ ମୋ ଅକ୍ତିଆରରେ ରହିବାକୁ ରାଜି ହେଉନଥିଲେ । ଦିନେ ମୋ ଆଖିଦୁଇଟି କେତେବେଳେ ମୋ ଅକ୍ତିଆରରୁ ଫିଟିଯାଇ ତାକୁ ଦେଖିଦେଇଥିଲେ ।

 

ମୁଁ ମନକୁମନ ସିହିରି ଉଠିଥିଲି । ଆରେ ଏ ଯେ ମୋର ସେହି କଳ୍ପନାର ପ୍ରତିମୂର୍ତ୍ତି !! ଯାହାକୁ ମୁଁ ଅନ୍ତର ମଧ୍ୟରେ ବହୁକାଳରୁ ଖୋଜୁଥିଲି । ମୋର ରୂପର ଗର୍ବ ସବୁ ସେଦିନ ଚୁନା ହୋଇଯାଇଥିଲା ଏବଂ ନିର୍ଲଜ୍ଜ ଭାବେ ଆପେଆପେ ଅଯାଚିତ ଭାବେ ତାଙ୍କ ଦ୍ଵାରକୁ ଯାଇ ନମସ୍କାରଟିଏ ଜଣାଇଲି । ସେ ପ୍ରତି ନମସ୍କାର ଜଣାଇ ଓଠ ଚିପି ଚିପି ମଥା ତଳକୁ କରି ମୋ ପାଖରେ ଛିଡ଼ାହୋଇ ମୋତେ କଣେଇ କଣେଇ ଚାହିଁଲେ ।

 

ତାଙ୍କର ଅସଂଯମତା ପାଇଁ ହଠାତ୍ ତାଙ୍କ ପାଟିରୁ ଫିଟିଗଲା, ‘‘ଓଃ ତୁମେ !’’ ଏହି ତୁମେ ଶବ୍ଦଟା ଶୁଣି ସେଦିନ ମୁଁ ଆନନ୍ଦରେ ଆତ୍ମହରା ହୋଇପଡ଼ିଥିଲି ।

 

ଏକେ ତ ତା’ର ରୂପଟା ଥିଲା କେତକୀ ରଙ୍ଗଭଳି । ପୁଣି ଲାଜରେ ସେଦିନ ଟିକିଏ ଲାଲ ଦେଖାଯାଉଥିଲା । ଏତେଦିନ ପରେ ମୋର କଳ୍ପନା ବାସ୍ତବ ହେଲା । ମନପୂରାଇ ନୟନ ପୂରାଇ ତାକୁ ଦେଖିଲି ଏବଂ ଦେଖିଲାମାତ୍ରେ ମୋ ହୃଦୟକୁ ତା’ ପାଦ ତଳରେ ଥୋଇଦେଇଥିଲି ।

 

ଏହାପରେ ଆମେ ଦୁହେଁ ଅନେକ ଖୁସିଗପ ହୋଇଛୁଁ । ସେ ପ୍ରତିଥର ମୋତେ ତୁମକୁ ପାଖକୁ ନେବାକୁ ଲଗାଉଥିଲା । ତୁମେ ତ ନିଜେ ଜାଣ ତୁମକୁ ଦେଖି ବୋଉ କାହିଁକି ମୁହଁ ଫେରାଇ ନେଇଥିଲା ? ତେଣୁ ତୁମଙ୍କୁ ନେଇ ତା’ ପାଖକୁ ଯିବାକୁ ମୁଁ ମୋଟେ ଚାହୁଁନଥିଲି । ଏହାର କାରଣ ସେ ତୁମକୁ ଦେଖିଲେ ନିଶ୍ଚୟ ଭାବିଥାନ୍ତା ଏହିଭଳି ଗୋଟିଏ ଅସୁନ୍ଦରୀ ସ୍ତ୍ରୀକୁ ଯେଉଁ ରୂପବାନ ପୁରୁଷ ନିର୍ବିକାର ଭାବେ ଦେହଦାନ କରିପାରେ ତା’ର ସେ ସୌନ୍ଦର୍ଯ୍ୟର ମୂଲ୍ୟ କ’ଣ ? ହୀରାକୁ ଚିରାକନାରେ ଯେପରି ବାନ୍ଧିରଖି ହୀରାର ମହତ୍ତ୍ୱ କେହି କମାଇଦେବାକୁ ରାଜି ହୁଏ ନାହିଁ ସେହିପରି କୌଣସି ପୁରୁଷ ନିଜର ସୁନ୍ଦର ଦେହକୁ ଅସୁନ୍ଦର ସ୍ତ୍ରୀପାଖରେ ସମର୍ପଣ କରିଦିଏ ନାହିଁ-। ଯେ ତାହା କରିଥାଏ ତାହାର କନ୍ଦର୍ପ ଭଳି ରୂପ ଏବଂ ପୁରୁଷର ହୃଦୟ ଧରିବା ବ୍ୟର୍ଥ-

 

ମୁଁ ଏହି ମନ, ଏହି ହୃଦୟ ଓ ମୋର ଜୀବନ ବିନିମୟରେ ତାହାକୁ ଭଲପାଇଥିଲି । ଏହାର ପ୍ରତିବଦଳରେ ମୁଁ ତା’ର ହୃଦୟ ମଧ୍ୟ ଚାହିଁନଥିଲି । ମୋ ଭଳି ଲୋକକୁ ସନ୍ତୁଷ୍ଟ କରିବା ଜିନିଷ ତା’ର ବୋଧହୁଏ ନଥିଲା । ମୁଁ ଯାହା ତାହାଠାରୁ ଚାହୁଁଥିଲି ସେତିକି ଥିଲା ତା’ର ସମ୍ବଳ । ସେତିକି ଦେଇଥିଲେ ସେ ମରିଯାଇଥାନ୍ତା । ତେଣୁ ମୁଁ ତାକୁ ଯିଦ୍ କଲି ନାହିଁ ।

 

ମୁଁ ଯାହା ମାଗିଥିଲି ସେ ମୋତେ ଦେଲା ନାହିଁ ବୋଲି ମୁଁ ଦିନେହେଲେ ତାକୁ ବିରକ୍ତ ହେଇନାହିଁ । ସେଥିପାଇଁ ମନଦୁଃଖ ମଧ୍ୟ କରି ନାହିଁ । ଅଭିମାନ କରିବାର କାରଣ ମୋଟେ ନଥିଲା-। ଯେତେବେଳେ ମୁଁ ଯାଉଥିଲି ତାକୁ କେବଳ ନୟନ ଓ ମନ ପୂରାଇ ଦେଖୁଥିଲି । ସେତିକିରେ ମୋର ଆନନ୍ଦ ଥିଲା । ତା’ ପାଖରେ ଏତିକି ବ୍ୟତୀତ ମୋର ଅନ୍ୟ କିଛି ସ୍ୱାର୍ଥ ନଥିଲା-। କେବେ କିମିତି ସେ ମୋତେ ଦେଖି ହସି ଦେଉଥିଲା । ସେତିକି ଯଦି ବି ସେ ମୋ ପାଇଁ କରୁନଥାନ୍ତା ସେଥିପାଇଁ ମୋର ଦୁଃଖନଥିଲା ।

 

ଶପଥ କରି କହୁଛି ମୋତେ ନ ଦେବା ଭଳି ଜିନିଷ ତା’ର କିଛି ନଥିଲା । ଥରେ ପରା କହିଲି ଧୂଳିର ଦେହ ! ଏଣୁ ତା’ ପାଖରୁ କୌଣସି ଜିନିଷ ମାଗିବା ପାଇଁ ମୁଁ ଉଚିତ୍ ମନେ କରୁନଥିଲି । ତାକୁ ଦୁଃଖ ଦେବାର ଅଭିପ୍ରାୟ ମୋର ନ ଥିଲା ।

 

କିନ୍ତୁ ସେ କ’ଣ ଏକଥା ବୁଝିଲା ? ସେ ମୋତେ ଘୃଣା କଲା । ମୋର ସ୍ନେହକୁ ସେ ସନ୍ଦେହ ଚକ୍ଷୁରେ ଦେଖିଲା । ସେ ପରେ ପରେ ମୋତେ ଦେଖି ରାଗରେ ମଧ୍ୟ ଜଳି ଯାଉଥିଲା ।

 

ଯେତେ ନେହୁରା ହୋଇ କହିଲି, ‘‘ଅରୁଣା ! ତୁମେ ମୋତେ ବିଶ୍ୱାସ କର ମୁଁ ମୋର ପ୍ରାଣଠାରୁ ତୁମକୁ ଅଧିକ ଭଲପାଏ । ତୁମେ ମୋର ଭଗବାନ ଜାଣି ତୁମକୁ ସବୁବେଳେ ଦେଖିବାକୁ ମୁଁ ଇଚ୍ଛାକରେ । ତଥାପି ସେ ବୁଝିଲା ନାହିଁ । ସେ ମୋତେ ଚିହ୍ନିପାରିଲା ନାହିଁ । ମୋର ପ୍ରାଣର ବ୍ୟାକୁଳତା ସେ ଜାଣିପାରିଲା ନାହିଁ । ମୋ ପ୍ରତି ଶାସ୍ତି ବିଧାନ କରି କହିଲା ତୁମେ ଯଦି ସତରେ ମୋତେ ଭଲପାଇଥାଅ ମୋତେ ନିଶ୍ଚୟ ଭୁଲିଯିବ ।’’

 

ବୁଝିଲ ତମିସ୍ରା ମୁଁ ଭଗବାନଙ୍କ ନାମରେ ଶପଥ କରି କହୁଛି ଏବଂ ମୁଁ ମୋର ଭବିଷ୍ୟତ ବଂଶଧରମାନଙ୍କ ନାମରେ ଶପଥ କରି କହୁଛି ମୁଁ ଚନ୍ଦ୍ରାକୁ ଭଲପାଉଥିଲି । ମୁଁ ଅରୁଣାକୁ ଶ୍ରଦ୍ଧାରେ ଚନ୍ଦ୍ରା ବୋଲି ଡାକେ ।

 

ତା’ କଥା ନିଶ୍ଚୟ ରଖିବି । ତାକୁ ନିଶ୍ଚୟ ଭୁଲିଯିବି । ତାପରେ ଯେ କ’ଣ ହେବ ତାହା ତୁମେ ଦେଖିବ ।

 

ତଥାପି ଚନ୍ଦ୍ରା ମୋତେ ଘୃଣା କରିବ ଏହା ମୁଁ ଜାଣେ ।

 

ବେଶ୍ ଏତିକି ମୋର ଜୀବନର ଇତିହାସ ତୁମେ ଜାଣିଲ; ମୁଁ ଜାଣେ ଓ ଚନ୍ଦ୍ରା ମନେରଖିଥିବ କି ନା ସେ କଥା କହିହେବ ନାହିଁ । ଏତିକି ଥାଉ......

 

ତୁମର ଶୁଭେନ୍ଦୁ ।

 

ଚିଠିଟି ପଢ଼ିସାରି ତମିସ୍ରା ନିସ୍ତେଜ ହୋଇ ବସି ରହିଲା । ତା’ର ହାତ ଗୋଡ଼ ଚଳିଲା ନାହିଁ । ତା’ର ଯେତେବେଳେ ଇଚ୍ଛା ହେଉଥିଲା ଅରୁଣା ପାଖକୁ ଧାଇଁଯାଇ ତା’ର ଗୋଡ଼ ଧରି ପଡ଼ିଥାନ୍ତା ଏବଂ ତାଙ୍କୁ କହନ୍ତା ‘‘ଭଉଣୀ ! ତୁମେ ମଧ୍ୟ ଜଣେ ନାରୀ । ମୋର ମଥାର ସିନ୍ଦୁର ତୁମେ ପୋଛିଦିଅ ନାହିଁ । ମୋର ଏହି ହାତ ଦୁଇଟାକୁ ତୁମେ ନିରାଭରଣ କରିବାକୁ ଚେଷ୍ଟା କର ନାହିଁ । ମୋର ଅନାଥ ପୁତ୍ର କନ୍ୟାକୁ ଦେଖିଲେ ତୁମ ମନରେ କ’ଣ ଦୁଃଖ ହେବ ନାହିଁ ? ସେମାନେ ସର୍ବହରା ହୋଇ ଯଦି ବାର ଦ୍ୱାରରେ ହାତ ପାତନ୍ତି ତୁମେ କ’ଣ ସେଥିରେ ଖୁସିହେବ ? ଏମିତି କେତେ କ’ଣ ଭାବି ଭାବି ଶୁଭେନ୍ଦୁର ଚିଠିଟି ସେ ଛାତି ଉପରେ ଥୋଇଦେଇ ମନେମନେ ଅରୁଣାକୁ ଖୋଜୁଥିଲା । କାଳ ନିଦ୍ରା ଆସି ତମିସ୍ରା ଆଖିକୁ ଘୋଟିଗଲା ।

 

ଇତି ମଧ୍ୟରେ ଅରୁଣା ତମିସ୍ରାକୁ ଖୋଜି ଖୋଜି ହୋଟେଲକୁ ଆସିଲା । ସେ ଦେଖିଲା ତମିସ୍ରା ଶୋଇଯାଇଛି । ଅତ୍ୟନ୍ତ ସାବଧାନତା ସହ ସେ ତମିସ୍ରା ଛାତିରୁ ଚିଠିଟି ଉଠାଇଆଣି ଆମୂଳଚୂଳ ପଢ଼ିଗଲା ।

 

ସତେ ଏ ଦୁନିଆ ଆଉ ଓଲଟପାଲଟ ହୋଇଯିବ କି ? ଏହା ଭାବି ଅରୁଣା ଚିଠି ଖଣ୍ଡି ନେଇ ଦ୍ରୁତ ପଦରେ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲା । ସେତେବେଳେ ତା’ର ମନେହେଉଥିଲା ରାସ୍ତାର ଦୁଇକଡ଼ର କୋଠା, ବାଡ଼ି, ଗଛ ସମସ୍ତେ ଯେପରି ତାକୁ କହୁଥିଲେ, ‘‘ଏଥିପାଇଁ କ’ଣ ତୁମେ ଶୁଭେନ୍ଦୁକୁ ଭଲପାଇଥିଲ ଅରୁଣା ?’’

 

-ତେର-

 

ମଣିଷ ତା’ର ଅତୀତକୁ ଭୁଲିଯିବା ପାଇଁ ଯେତେ ଚେଷ୍ଟା କରେ ସେ ଅତୀତର ସ୍ମୃତି ପୁଣି ମନ ମଧ୍ୟରେ ଲୁଚକାଳି ଖେଳିବସେ ।

ଶୁଭେନ୍ଦୁକୁ ଅରୁଣା ଏକାବେଳକେ ଭୁଲିଯାଇଥିଲା । ସେ ଭାବିଥିଲା କେବଳ ରକ୍ତମାଂସ ଲୋଭରେ ପୁରୁଷ ନାରୀକୁ ଭଲପାଏ । ନଚେତ୍ ପୁରୁଷର ଭଲପାଇବାର କୌଣସି କାରଣ ଆଉ ନାହିଁ । ସେଥିପାଇଁ ସେ ଶୁଭେନ୍ଦୁକୁ ଘଉଡ଼ାଇ ଦେଇଥିଲା । ମାତ୍ର ଶୁଭେନ୍ଦୁର ଦୁରବସ୍ଥା ସ୍ଵଚକ୍ଷୁରେ ଦେଖିବା ପରେ ଅରୁଣା ବୁଝିପାରିଲା ଶୁଭେନ୍ଦୁ ତାକୁ କେତେ ଭଲପାଉଥିଲେ ।

ଏକଶ କୋଡ଼ିଏ ନମ୍ବର କୋଠରୀର ରୋଗୀଟିକୁ ସେ ମୋଟେ ଆଉ ଘୃଣା କରିପାରିଲା ନାହିଁ । ଶୁଭେନ୍ଦୁକୁ ଦେଖିସାରିବା ପରେ ଅରୁଣା ଆଉ ହୃଦୟ ଧରି ବଞ୍ଚି ରହିବାକୁ ଚାହୁଁନଥିଲା । ସେ ଶୁଭେନ୍ଦୁକୁ ପ୍ରତାରକ ଭାବି ଘୃଣା କରିଥିଲା । ଶୁଭେନ୍ଦୁକୁ ଏଡ଼ିଦେବା ପାଇଁ ସେ ତାଙ୍କ ପ୍ରତି ଅନାସ୍ଥାଭାବ ପ୍ରଦର୍ଶନ କରିଥିଲା । ମାତ୍ର ସ୍ଵଚକ୍ଷୁରେ ସେଦିନ ଦେଖିବା ପରେ ସେ ନିଜକୁ ନିଜେ ଧିକ୍କାର କରି ମନକୁମନ କହିଥିଲା ଶୁଭେନ୍ଦୁ ହେଉଛନ୍ତି ଦେବତା । ସେ ଦେବ ପ୍ରତିମ ମଣିଷକୁ ଗୋଡ଼ରେ ଠେଲିଦେଇଛି । ସେ ତା’ର ମନର ମଣିଷକୁ ବୁଝିନପାରି ସ୍ନେହ ଦେଖାଇବା ବଳରେ ଅପମାନ ଦେଇଛି । ସମ୍ମାନ ଦେବା ବଦଳରେ ଅସମ୍ମାନ ଦେଖାଇଛି । ସେ ଆଜି କ୍ଷମା ପାଇବାକୁ ମଧ୍ୟ ଅଯୋଗ୍ୟା ।

ତମିସ୍ରା ପାଖକୁ ଯେଉଁ ଚିଠିଟି ଶୁଭେନ୍ଦୁ ଲେଖିଥିଲେ ସେହି ଚିଠିଟିକୁ ଅରୁଣା ବାରମ୍ବାର ପଢ଼ିବାକୁ ଲାଗିଲା । ଯେତେ ପଢ଼ୁଥାଏ ସେତେ ପଢ଼ିବାକୁ ତା’ର ଇଚ୍ଛା ହେଉଥିଲା । ସେ ଲୋତକଭରା ଚକ୍ଷୁରେ ଅନାଇଲା ଶୂନ୍ୟକୁ । ତା’ର ଆଖିରେ ଶୁଭେନ୍ଦୁର ବେଦନାଭରା ମୁଖଟି ଦିଶି ଯାଉଥିଲା ଏବଂ କାନରେ ଯେପରି ଶୁଭେନ୍ଦୁ କହୁଥିଲେ ଆକୁଳ ସ୍ଵରରେ ‘‘କହିବି ଚନ୍ଦ୍ରା ଯେପରି ମୋତେ ଆଉ ଘୃଣା ନକରେ । ମୁଁ ମୋର ଚନ୍ଦ୍ରାକୁ ଭୁଲିଯାଇଛି ।’’ ସେହି କଥା ତାକୁ ଶୁଭି ଯାଉଥିଲା ।

ଅରୁଣା ମନକୁମନ କହିଲା, ଶୁଭେନ୍ଦୁ ! କାହିଁକି ତୁମେ ମୋପରି ଗୋଟିଏ ଚରିତ୍ରହୀନାକୁ ଭଲପାଇ ନିଜେ ନିଜର ସର୍ବନାଶ କଲ ? ଯେ ଗଭୀର ନିଶୀଥରେ ନିଦ୍ରାରତ ସ୍ୱାମୀର କୋଳରୁ ଉଠିଯାଇ ତୁମର ପ୍ରେମ ନିବେଦନ କରେ ସେ କ’ଣ ଚରିତ୍ରହୀନା ନୁହେଁ ?

ସେତେବେଳେ ତାକୁ ଜଣାଯାଉଥିଲା ଶୁଭେନ୍ଦୁର ଦୁଇଟି ଲମ୍ବା ଲମ୍ବା ହାତ ତା’ର ଗଳଦେଶ ପର୍ଯ୍ୟନ୍ତ ଲମ୍ବିଆସି ତା’ର ଗଳାକୁ ଚିପିଧରି ଶୁଭେନ୍ଦୁ ଯେପରି କହୁଥିଲେ, ‘‘ଆଜି ଦିନକ ଛାଡ଼ିଦେଲି । ଆଉ କେବେ ଯଦି ଏପରି ଅସଙ୍ଗତ ଭାଷା ତୁମ ପାଖରୁ ଶୁଣେ ତେବେ ତୁମର ଗଳାଚିପି ମାରିଦେବି । ସତୀର ଅପମାନ ଯେପରି ସହ୍ୟ କରିନପାରି ସ୍ଵୟଂ ଶିବ ରୁଦ୍ର ହୋଇଥିଲେ ମୁଁ ଠିକ୍ ସେହିପରି ତମକୁ ଯେ ଅପମାନ ଦେବ, ତୁମ ନାମରେ ବାରକଥା କହି କଳଙ୍କ ରଟନା କରିବ ମୁଁ ତା’ର ରକ୍ତରେ ହୋରିଖେଳି ତା’ର ପ୍ରତିଶୋଧ ନେବି ।’’

ଅରୁଣାର ସେଦିନ ସବୁ ଗୋଳମାଳ ହୋଇଯାଉଥିଲା । ସେତେବେଳେ ସେ ଭାବୁଥିଲା ଶୁଭେନ୍ଦୁର ଶୋଚନୀୟ ଅବସ୍ଥା ପାଇଁ ଦାୟୀ ଆଜି ସେ ନିଜେ ନୁହେଁ କି ? କାହିଁକି ସେ ଶୁଭେନ୍ଦୁକୁ ଅବିଶ୍ୱାସ କଲା ?

 

ନାରୀକୁ ଯେ ଜୀବନ ଦେଇ ଭଲପାଏ ତାକୁ ସନ୍ଦେହ ଚକ୍ଷୁରେ ଦେଖିବା ହେଉଛି ନାରୀର ଅଭ୍ୟାସ । ଯେ ତା’ ପାଖରୁ ଜୋର କରି ସ୍ନେହ ଆଦାୟ କରେ ତାକୁ ସେ କିଛି ଦିଏ କି ନା ସେ କଥା ନାରୀକୁ ଜଣା । ସେ ନିଜେ ଯାହା ଅନ୍ୟକୁ ମଧ୍ୟ ଭାବେ ସେୟା । ପୁରୁଷର ପ୍ରଗାଢ଼ ସ୍ନେହକୁ ମାପିବା ପାଇଁ ନାରୀ ପାଖରେ ଗୌଣି କିମ୍ବା ନୌତି ନାହିଁ । ତାହା ଯଦି ଥାନ୍ତା ତେବେ ଶୁଭେନ୍ଦୁର ଆଜି ଏ ଦୁରବସ୍ଥା କାହିଁକି ହୁଅନ୍ତା ?

 

ସମାଜ ଚକ୍ଷୁରେ ନିଜକୁ ସତୀ ସଜାଇବା ପାଇଁ, ଅନ୍ୟପାଖରୁ ସମ୍ମାନ ପାଇବା ପାଇଁ ସେ ଆଜି ଶୁଭେନ୍ଦୁକୁ ମରଣ ମୁହଁକୁ ଠେଲିଦେଇ ନାହିଁ କି ? ମଣିଷର ମନ ଯେତେବେଳେ ତିକ୍ତତାରେ ଭରିଯାଏ ସେ ସେତେବେଳେ ଅନାବିଳ ହୃଦୟରେ ସତ୍ୟକୁ ଚିକ୍ତା କରେ । ପୁଣି ସେ ମୁହୂର୍ତ୍ତ କଟିଗଲେ ସେ ଝାଡ଼ିଝୁଡ଼ି ହୋଇ ନିଷ୍କଳଙ୍କ ହେବାକୁ ଆନନ୍ଦ ପାଏ ।

 

ଅରୁଣାର ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ସେ ସେଦିନ ସମାଜ, ଲୋକାପବାଦକୁ ମୋଟେ ବିଚାରକୁ ଆଣିପାରିଲା ନାହିଁ । ସେ ଚାହୁଁଥିଲା ଜଗତ ଆଖିରେ ନିଜକୁ ପରିଚିତ କରାଇଦେଇ ଦୁନିଆକୁ କହିବାକୁ ସ୍ତ୍ରୀ କେବଳ ପେଟପାଇଁ ବିବାହ ବନ୍ଧନରେ ଆବଦ୍ଧ ହୁଏ ଏବଂ ସମାଜର ବେଷ୍ଟନି ମଧ୍ୟରେ ବନ୍ଦୀ ହୋଇ ମରିଯାଏ । କିନ୍ତୁ ଯେତେବେଳେ ତା’ର ମନରେ ହା ହତାଶର ଝଡ଼ଉଠେ ସେ ସେତେବେଳେ ଏହି ସମାଜକୁ ମାନିବାକୁ ଚାହେଁ ନାହିଁ । ସେ ତା’ର ସ୍ନେହ ଅପେକ୍ଷା କୌଣସି ଜିନିଷକୁ ଆଉ ବଡ଼ ବୋଲି ବିଚାରକୁ ଆଣିପାରେ ନାହିଁ ।

 

କାଗଜ କଲମ ଧରି ଅରୁଣା ସ୍ୱାମୀ ପାଖକୁ ଲେଖିବାକୁ ଆରମ୍ଭ କଲା–

 

‘‘କେବଳ ବହୁତ ପଇସା ଖର୍ଚ୍ଛ କରି ବାପା ମୋତେ ତୁମ ହାତରେ ଟେକି ଦେଇଥିଲେ ବୋଲି ତୁମେ ସବୁବେଳେ ସ୍ୱାମୀର ଉଚ୍ଚ ଆସନରେ ମନକୁମନ ବସି ମୋ ଉପରେ ପ୍ରଭୁତ୍ୱ ବିସ୍ତାର କର । ଯେତେବେଳେ ତୁମ ଘରେ ଖାଇପିଇ ପଡ଼ି ରହିଛି ସେତେବେଳେ ତୁମର ମଙ୍ଗଳ କାମନା ପାଇଁ ମୁଁ ଠାକୁରଙ୍କୁ ଡାକି ତୁମର ଦୀର୍ଘ ଜୀବନ କାମନା କରେ । ଏତିକି ନ କଲେ ମୋ ମନ ପାଖରେ ମୁଁ ନିଜେ ଛୋଟ ହୋଇଯାଆନ୍ତି ନାହିଁ କି ?

 

ଏ ମନ, ଏ ହୃଦୟକୁ ତୁମକୁ ଦେବାକୁ ଯେତେ ଚେଷ୍ଟା କରିଛି ସେତେ ମୋର ମନ ବିଦ୍ରୋହ କରିଉଠିଛି । ପୁରୁଷର ରୂପ, ଗୁଣ ଓ ଭାଷା ଏହି ତିନିଟି ନାରୀ ମନକୁ ଆକର୍ଷଣ କରେ । ତୁମର ସେ ତିନିଟି ଯାକ ପ୍ରତ୍ୟେକ ପ୍ରତ୍ୟେକଠାରୁ ଉଣା । ଏହା ତୁମେ ଜାଣ କି ନାହିଁ ତାହା ମୋତେ ଜଣା । ତଥାପି ନିଜର ଅତୃପ୍ତ ମନ ନେଇ ମୁଁ ତୁମ ପାଖରେ କେବଳ ଉପରେ ଉପରେ ହସେ । ମନ ମଧ୍ୟରେ ଯେ କି ଭୀଷଣ କଷ୍ଟ ମୁଁ ଅନୁଭବ କରେ ତାହା ମୋ ବ୍ୟତୀତ ଭଗବାନ ମଧ୍ୟ ଜାଣିପାରିବେ ନାହିଁ । ଭଗବାନ ମଧ୍ୟ ତୁମ ଭଳି ଗୋଟିଏ ବିଚାର ବିବେକ ବିହୀନ ପୁରୁଷ । ତେଣୁ ସେ ନାରୀ ମନକୁ ବୁଝିବେ ବା କାହିଁକି ?

 

ସାମାନ୍ୟ ବୋଧଶକ୍ତି ହେଲାପରେ ମୁଁ ମୋର ମନ ମଧ୍ୟରେ ଗୋଟିଏ ରୂପକୁ ସବୁବେଳେ ଧ୍ୟାନ କରୁଥିଲି । ସେ ମଣିଷକୁ ଖୋଜି ଖୋଜି ମୁଁ ପାଗଳୀ ହୋଇଯାଇଥିଲି କହିଲେ ଚଳେ । ଯେଉଁ ମଣିଷକୁ ଖୋଜୁଥିଲି ସେ ମଣିଷ ହେଉଛି ମୋର ମନର ମଣିଷ । ତିନିଟି ସନ୍ତାନର ଜନନୀ ହେବା ପରେ ମଧ୍ୟ ମୁଁ ଆଜି ସ୍ଥିରବୁଦ୍ଧି ଏବଂ ଧୀର ଚିତ୍ତରେ କହୁଛି ତୁମେ ମୋର ମନର ମଣିଷ ନୁହେଁ । କେବଳ ତୁମେ ଉପାର୍ଜନ କରି ମୋତେ ଭରଣ ପୋଷଣ କର ବୋଲି ତୁମକୁ ଆନନ୍ଦ ଦେବାପାଇଁ ମୁଁ ସବୁ କରିଯାଏ ।

 

ଯେଉଁଦିନ ଶୁଭେନ୍ଦୁକୁ ଦେଖିଲି ସେଦିନ ଆଉ ହୃଦୟକୁ ଧରି ରଖିପାରିଲି ନାହିଁ । ମନର ମଣିଷକୁ ସବୁ ଦିଆଯାଏ । ଶୁଭେନ୍ଦୁକୁ ନ ଦେଇଥାନ୍ତି କିପରି ?

 

ଶୁଭେନ୍ଦୁକୁ କ’ଣ ଦେଇଛି, କ’ଣ ନ ଦେଇଛି ତାହା ତାଙ୍କୁ ଜଣା । ମୁଁ ତା’ର ହିସାବ ମୋଟେ ରଖିନାହିଁ । ହଠାତ୍ ଶୁଭେନ୍ଦୁ ଅନାସକ୍ତ ଭାବ ପ୍ରଦର୍ଶନ କଲେ । ମୋର ମନରେ ପ୍ରତିକ୍ରିୟା ସୃଷ୍ଟି ହେଲା । ମୁଁ ଭାବିଲି ସୁନ୍ଦର ରୂପ ଗୁଣ ସଂପନ୍ନ ପୁରୁଷ ମାତ୍ରେ ଉଦ୍ଧତ ଓ ଅହଙ୍କାରୀ । ତେଣୁ ଶୁଭେନ୍ଦୁକୁ ଦେଖିଲା ମାତ୍ରେ ଭୟରେ ଥରିଉଠିଲି ଏବଂ ମୁଁ ମନେମନେ କହିଲି ସେ ଆଉ ନ ଆସନ୍ତେ କି ?

 

କିନ୍ତୁ ସେଦିନ ଏକଶ କୋଡ଼ିଏ ନମ୍ବର କୋଠରୀର ଶୁଭେନ୍ଦୁକୁ ଦେଖି......’’

 

ହଠାତ୍ ଲେଖିବା ବନ୍ଦ କରି ଅରୁଣା ନିଜେ ଯେଉଁ ଚିଠିଟି ଲେଖୁଥିଲା ସେହି ଚିଠିଟିକୁ ପଢ଼ିବାକୁ ଲାଗିଲା ।

 

ଚିଠି ପଢ଼ିସାରି ସେ ଅଧଘଣ୍ଟାଏ ପର୍ଯ୍ୟନ୍ତ ନିଶ୍ଚଳ ମନରେ ବସି ରହିଲା । ତାପରେ ମନକୁମନ କହିଲା, ‘‘ଆରେ ସେ ଆଜି କ’ଣ କରିବାକୁ ଯାଉଛି ? ଦୁନିଆ ତାକୁ କ’ଣ କହିବ ? ସେ ଯେ ଶୁଭେନ୍ଦୁକୁ ଭଲପାଉଥିଲା ତା’ର ପ୍ରମାଣ କ’ଣ ? ଯେଉଁ ଚିଠି ବଳରେ ତମିସ୍ରା ଦିନେ ଦାବି କରିଥାନ୍ତା ତା’ର ସ୍ୱାମୀର ଦୁରବସ୍ଥା ପାଇଁ କେବଳ ଅରୁଣା ହିଁ ଏକମାତ୍ର ଦାୟୀ, ସେହି ଚିଠିଟି ବର୍ତ୍ତମାନ ତା’ ହାତରେ ।

 

ଦୁଇଟିଯାକ ଚିଠି ଟୁକୁରା ଟୁକୁରା ଚିରିଦେଇ ଚୁଲିରେ ପୂରାଇଦେଇ ଅରୁଣା ଶାନ୍ତିରେ ଗୋଟିଏ ନିଶ୍ୱାସ ମାରିଲା । ସେ ଏହା ପୂର୍ବରୁ କ୍ଷଣିକ ଉତ୍ତେଜନା ବଶତଃ ଯାହା କରିବାକୁ ଯାଉଥିଲା ସେଥିରେ ସେ ନିଜ ହାତରେ ଜିହ୍ଵା ଛେଦନ କରୁନଥିଲା କି ? ଗୋଟାଏ ପାଗଳ ପାଇଁ ସେ ସଂସାର ତା’ର ନଷ୍ଟ କରି ଦେଉନଥିଲା କି ? ଦୁନିଆ ତାକୁ କ’ଣ କହିଥାନ୍ତା ?

 

ବର୍ତ୍ତମାନ ସେ ଜଗତ ଆଖିରେ ସତୀ ସାବିତ୍ରୀ !!

 

ଏହି କଥା ଭାବିଲା ବେଳକୁ ଘରର ସମସ୍ତ ଆସବାବପତ୍ର ତାକୁ ବିଦ୍ରୂପ କରି କହୁଥିଲେ, ‘‘ଅରୁଣା ! ଶୁଭେନ୍ଦୁ ବଞ୍ଚିଥିବା ଯାଏଁ ତୁମେ ସାବିତ୍ରୀ ହୋଇପାରିବ ନାହିଁ । ସତୀତ୍ୱର ପ୍ରଲେପ ତୁମ ମୁଖରୁ ସେ ପୋଛି ଦେଇ ଜଗତ ଆଖିରେ ତୁମକୁ ଚିହ୍ନାଇ ଦେଇ କହିବ ତୁମେ କିଏ-?’’

 

ଆକାଶଟା ସତେଯେପରି ତା’ ଉପରେ ଭାଙ୍ଗିପଡ଼ିବ ଏହି କଥା ଅରୁଣାକୁ ଜଣାଗଲା । ସେ ଆଲମିରା ଖୋଲି ବିଡ଼ାଏ ନୋଟ କାଢ଼ି ଭାବିଲା ଡାକ୍ତର ଡିଆନକୁ ଏହି ନୋଟ ବିଡ଼ାଟି ଦେଇ ଶୁଭେନ୍ଦୁକୁ ମାରିଦେବା ପାଇଁ ଅନୁରୋଧ କରିବ । ଶୁଭେନ୍ଦୁ ବଞ୍ଚିଥିଲା ଯାଏଁ ତା’ର ଶାନ୍ତି ନାହିଁ ।

 

ସେ ଧାଇଁଧାଇଁ ଏକ ନିଶ୍ୱାସରେ ଡାକ୍ତର ଡିଆନଙ୍କ ପାଖରେ ଉପସ୍ଥିତ ହେଲା । ଡାକ୍ତର ଡିଆନ ବଗିଚାରେ ପଦଚାରଣ କରୁଥିଲେ । ସେ ଅରୁଣାକୁ ଦେଖି ଦୀର୍ଘଶ୍ୱାସ ପକାଇ କହିଲେ, ‘‘ମିସେସ୍ ରଥ ! ସେହି ଯେଉଁ ଏକଶ କୋଡ଼ିଏ ନମ୍ବର ରୋଗୀଟିକୁ ଆପଣ ଦେଖିଥିଲେ ସେ ଗତ ଦୁଇଦିନ ତଳେ ଗାଁକୁ ଫେରିଯିବା ସମୟରେ ଚଳନ୍ତା ମଟରରୁ ଡେଇଁପଡ଼ି ଟେବ ଘାଟିରେ ଆତ୍ମହତ୍ୟା କରିଛି ।’’

ଡକ୍ଟର ଡିଆନଙ୍କ ପାଖରୁ ଏତିକି ଶୁଣିଲାମାତ୍ରେ ଅରୁଣା ଅପଲକ ନୟନରେ ଡିଆନଙ୍କ ମୁଖକୁ ଅନାଇ ରହିଲା, ପରେପରେ ଅସ୍ଥିର ହୋଇ ପଚାରିଲା, ‘‘ଆପଣ ସତ କହୁଛନ୍ତି ଡକ୍ଟର ସାହେବ ! ତାହାହେଲେ ସେହି ଏକଶ କୋଡ଼ିଏ ନମ୍ବର ରୋଗୀଟି ଏ ଇହ ଜଗତରେ ନାହିଁ ? ସେ ଚାଲିଯାଇଛି ଭଲ ହୋଇଛି । ଆପଣ ଏ ସୁଖବର ଦେଇଥିବା ହେତୁ ଆପଣଙ୍କୁ ମୋର ଧନ୍ୟବାଦ ଏହି ନିଅନ୍ତୁ ଆପଣଙ୍କର ପାଉଣା’’ କହି ନୋଟ ବିଡ଼ାଟି କାଢ଼ି ଅରୁଣା ଡାକ୍ତରଙ୍କୁ ବଢ଼ାଇଦେଲା ।

ଡାକ୍ତର ହାତ ଘୁଞ୍ଚାଇନେଲେ ।

ଅରୁଣା ପୁଣି ଚିତ୍କାର କରି କହିଲା, ‘‘ତାକୁ ମାରିଦେବାକୁ ମୁଁ ଆପଣଙ୍କୁ ଉତକୋଚ ଦେଉନାହିଁ । ସେ ମରିଯାଇଛି ଏହି ଶୁଭ ଖବରଟି ଯେ ଆପଣ ଦେଲେ ସେଥିପାଇଁ ଆପଣଙ୍କୁ ବକ୍‍ସିସ୍ ଦେଉଛି ।’’

ଏତିକି କହି ଅରୁଣା ଖୁବ୍ ଜୋରରେ ହସିଉଠିଲା ଏବଂ କହିଲା, ‘‘ମୁଁ ଯାଉଛି, ମୋ ସ୍ୱାମୀଙ୍କୁ କହିବି ଏକଶ କୋଡ଼ିଏ ନମ୍ବର ରୋଗୀଟି ଆଉ ଦୁନିଆରେ ନାହିଁ ।’’

ଖୁବ୍ ଜୋରରେ ଅରୁଣା ଧାଇଁଧାଇଁ ପଳାଇଗଲା ।

ଅରୁଣାକୁ ଦେଖି ଡାକ୍ତର ଡିଆନ କେବଳ ଭାବୁଥିଲେ–

‘‘ମନଦେଲେ ମନ ମିଳେ

ହୃଦୟ ଦେଲେ ହୃଦୟ ମିଳେ

ଜୀବନ ଦେଲେ ଜୀବନ ମିଳେ

ଏ ସବୁ ଦେଲାପରେ ଯଦି କିଛି ନ ମିଳେ

ତେବେ ମଣିଷ ହୁଏ ପାଗଳ ।’’

 

ଅରୁଣା ଧାଇଁ ଧାଇଁ ଘରେ ପହଞ୍ଚି ଦେଖିଲା ଶ୍ରୀମନ୍ତ ବାବୁ ଘରଭିତରେ ପୋଷାକ ବଦଳ କରୁଛନ୍ତି । ସେ ତା’ ଖୁବ୍‍ଙ୍କୁ ଜୋରରେ ଯାବୁଡ଼ି ଧରି କହିଲା, ‘‘ଶୁଣିଛ, ଏକଶ କୋଡ଼ିଏ ନମ୍ବର ରୋଗୀଟା ମରିଗଲା । କ’ଣ ତୁମର ବିଶ୍ୱାସ ହେଉନାହିଁ ଏକଶ କୋଡ଼ିଏ ନମ୍ବର ରୋଗୀଟା ମରିଯାଇଛି ବୋଲି ?’’

 

ଶ୍ରୀମନ୍ତ ବାବୁ କିଛି ବୁଝିପାରିଲେ ନାହିଁ । ସେ କେବଳ ଅରୁଣାକୁ ଅନାଇଲେ ।

 

ଅରୁଣା ତାପରେ କହିଲା, ‘‘ହୁଁ, ସେ ମରିଯାଇଛି । ଖୁବ୍ ଭଲହୋଇଛି ସେ ମରିଯାଇଛି, ‘‘ଏତିକି କହି ଅରୁଣା ଦ୍ରୁତ ଗତିରେ ଘର ମଧ୍ୟରୁ ବାହାରିଗଲା ।

 

ପଛରୁ ଡାକିଲେ ଶ୍ରୀମନ୍ତ ବାବୁ, ‘‘କୁଆଡ଼େ ଯାଉଛି ଅରୁଣା ?’’

 

ଅରୁଣା ପଳାଇ ଯାଉ ଯାଉ କହିଲା, ‘‘ତୁମେ କ’ଣ ଶୁଣିପାରୁନ ସେ ମରିଗଲା ପରେ ସୁଦ୍ଧା କହୁଛି ଏମାନେ ଏ ହୃଦୟ ତୁମକୁ ଦେଇସାରିଲା ପରେ ମଧ୍ୟ ତୁମକୁ ଭୁଲିଯାଇଛି ଚନ୍ଦ୍ରା ।’’

 

ଡକ୍ଟର ଡିଆନଙ୍କ ଡାକ୍ତରଖାନାକୁ ଅନାଇ ପାଗଳୀ ଗୋଟାଏ କେବେ କିମିତି ପାଟିକରି କହୁଥିଲା, ‘‘ସେହି ଏକଶ କୋଡ଼ିଏ ନମ୍ବର ରୋଗୀଟା ସତେ କ’ଣ ମରିଗଲା ? ଖୁବ୍ ଭଲହୋଇଛି ସେ ମରିଯାଇଛି । ତେବେ ଯାଇ ମୁଁ ଶାନ୍ତିରେ ଅଛି।’’

 

ଅନେକ ସମୟରେ ଡକ୍ଟର ଡିଆନ ସେହି ପାଗଳୀକୁ ତାଙ୍କ ଡାକ୍ତରଖାନା ଆଗରେ ଭେଟନ୍ତି ।

 

ପାଗଳୀ ଡାକ୍ତରଙ୍କୁ ଦେଖି ମୁଖ ବିକୃତ କରି କହିଯାଏ, ‘‘ଟଙ୍କା ଲୋଭରେ ଏହି ଡାକ୍ତର ସେହି ଏକଶ କୋଡ଼ିଏ ନମ୍ବର ରୋଗୀଟାକୁ ମାରିଦେଲା ।’’

 

ପାଗଳୀ ଚାଲିଯାଏ ତା’ ବାଟରେ, ତା’ର ଅନ୍ତରରେ ଭାଷା କିଏ ବୁଝେ ? ତା’ର ବ୍ୟଥା କିଏ ବୁଝେ ? ତାହାର ଭାଷା ବୋଧଗମ୍ୟ କାହାର ହୁଏନାହିଁ ।

 

ନାରୀର ପ୍ରେମକୁ ଯେଉଁ ଡିଆନ ଦିନେ ସନ୍ଦେହ ଚକ୍ଷୁରେ ଦେଖିଥିଲେ ସେହି ଡିଆନ ଅରୁଣା ପାଖରୁ ଏତିକି ଶିକ୍ଷା ପାଇଲେ ଯେ ନାରୀ ଯାହାକୁ ଥରେ ଭଲପାଏ ସେ ଯଦି ତାକୁ ଭୁଲ୍ ବୁଝି କେବେ ଅବହେଳା କରେ ନାରୀ ଆତ୍ମହତ୍ୟା କରି ତା’ର ପ୍ରତିଶୋଧ ନେବାକୁ ମଧ୍ୟ ପାଶ୍ଚାତପଦ ହୁଏ ନାହିଁ । ପୁଣି ନାରୀ ଯାହାକୁ ମନ ଓ ହୃଦୟ ଦେଇ କେବଳ ଉପରେ ଉପରେ ଦେଖାଇହେବାକୁ କହେ ଏ ମନ କେହି ଜୟ କରିପାରିଲେ ନାହିଁ ସେ ମଧ୍ୟ ତାହାର ତିରୋଧାନ ପରେ ପରେ ପାଗଳୀ ହୋଇଥାଏ ।

 

ଏଣୁ ନାରୀର ପବିତ୍ର ପ୍ରେମ ଗଙ୍ଗାର ବାରି ପ୍ରବାହଠାରୁ ଅଧିକ ପବିତ୍ର ଏହି କଥା କୌଣସି ହୃଦୟହୀନ ବ୍ୟକ୍ତି ସହଜରେ ସ୍ୱୀକାର କରିବେ ନାହିଁ । କେହି ବିଶ୍ୱାସ କରନ୍ତୁ ବା ନ କରନ୍ତୁ ମାତ୍ର ଡିଆନ କହନ୍ତି, ‘‘ନାରୀ ହେଉଛି ପତିତପାବନୀ ଗଙ୍ଗା, ସେ ମର ଜଗତରେ ମଣିଷଙ୍କୁ ଅମୃତରେ ସନ୍ଧାନ ଦିଏ ।’’

 

ଏମିତି କେତେ କ’ଣ ଭାବି ଭାବି ଡକ୍ଟର ଡିଆନଙ୍କ ମଥା ମଳିନବସନା, ବିଷଣ୍ଣବଦନା ପାଗଳିନୀ ଅରୁଣାର ପବିତ୍ର ପ୍ରେମ ପାଇଁ ତା’ ଉଦ୍ଦେଶ୍ୟରେ ଆପେଆପେ ନଇଁଯାଏ । ସେ ମନେମନେ ଅରୁଣାକୁ ଶତ ନମସ୍କାର ହୋଇ କହନ୍ତି, ‘‘ହେ ପ୍ରେମମୟୀ ନାରୀ ! ତୁମେ କ’ଣ ପ୍ରେମର ସୁରଧୁନୀ ବୁହାଇ ଦେବାକୁ ସ୍ଵର୍ଗରୁ ମର୍ତ୍ତ୍ୟକୁ ଆସିଥିଲ ?’’

Image